ପାକିସ୍ତାନର ମାଷ୍ଟର ପ୍ଲାନ ହେଲା ଫେଲ୍, ଭାରତୀୟ ସେନା ଉପରେ ଆକ୍ରମଣ କରିବାକୁ ପଠାଇଥିଲା ଆତଙ୍କବାଦୀ

ନୂଆଦିଲ୍ଲୀ: ଏଲଓସି ନିକଟରେ ଧରାପଡିଥିବା ଆତଙ୍କବାଦୀ ଖୋଲିଲା ପାକିସ୍ତାନର ଗୁମର । ଭାରତୀୟ ସେନା ଉପରେ ଆକ୍ରମଣ କରିବାକୁ ପାକିସ୍ତାନ ସେନାର କର୍ଣ୍ଣେଲ ୟୁନୁଷ ଚୌଧୁରୀ ପଠେଇଥିବା ସ୍ୱିକାର କରିଛି ଧରାପଡିଥିବା ଆତଙ୍କବାଦୀ । ଆତଙ୍କବାଦୀର ପରିଚୟ ତବାରକ ହୁସେନ । ପିଓକେର କୋଟଲି ଏରିଆରେ ତାର ଘର । ଆଉ ୪ ଜଣ ଆତଙ୍କବାଦୀଙ୍କ ସହ ଭାରତରେ ପ୍ରବେଶ କରିଥିଲା । ସେମାନେ ଲୁଚି ଛପି ସୀମା ଭିତରକୁ ପ୍ରବେଶ କରୁଥିବାବେଳେ ଭାରତୀୟ ସେନା ଗୁଳି ମାଡ଼ କରିଥିଲେ । ଏଥିରେ ତବାରକ ହୁସେନ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ଆତଙ୍କବାଦୀ ମାନେ ଖସିଯିବାରେ ସକ୍ଷମ ହୋଇଥିଲେ । ଏହି ଆକ୍ରମଣ କରିବା ପାଇଁ ସେମାନଙ୍କୁ ୩୦ ହଜାର ଟଙ୍କା ମିଳିଥିଲା । ୨୦୧୬ରେ ମଧ୍ୟ ଆକ୍ରମଣ ପାଇଁ ଯୋଜନା ହୋଇଥିଲେ ବି ପଣ୍ଡ ହୋଇଥିଲା ବୋଲି ସ୍ବିକାର କରିଛି ଆତଙ୍କବାଦୀ ତବାରକ ହୁସେନ୍‌ । ସବୁଠାରୁ ବଡ଼ କଥା ହେଲା ଯେଉଁ ଭାରତୀୟ ସେନାଙ୍କୁ ମାରିବା ପାଇଁ ତବାରକ ଭାରତ ଆସିଥିଲା । ସେହି ଭାରତୀୟ ସେନା ହିଁ ରକ୍ତଦାନ କରି ଆତଙ୍କବାଦୀର ଜୀବନ ବଞ୍ଚେଇଛନ୍ତି ।