ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଡୁଆ ବଢ଼ିଲା, ଯାଇପାରେ ବିଧାନସଭା ସଦସ୍ୟତା

ରାଞ୍ଚି: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା ରଦ୍ଦ ହୋଇପାରେ । ଅଫିସ ଅଫ ପ୍ରଫିଟ ମାମଲାରେ ନିର୍ବାଚନ ଆୟୋଗ ରାଜ୍ୟପାଳଙ୍କୁ ଚିଠି ଲେଖିଛି । ଯାହା ଫଳରେ ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା ଉପରେ ବିପଦ ପଡ଼ିଥିବା ଚର୍ଚ୍ଚା ହେଉଛି ।

ରାଜଭବନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟପାଳ ଦ୍ୱିପ୍ରହର ସମୟରେ ଦିଲ୍ଲୀରୁ ରାଞ୍ଚି ଫେରିବେ । ରାଜ୍ୟପାଳ ଫେରିବା ପରେ ନିର୍ବାଚନ ଆୟୋଗଙ୍କ ଚିଠି ଖୋଲାଯିବ । ଯାହାପରେ ହେମନ୍ତଙ୍କୁ କ୍ଲିନଚିଟ୍ ମିଳିବ କି ତାଙ୍କ ସଦସ୍ୟତା ରଦ୍ଦ ହେବ, ସେନେଇ ସ୍ପଷ୍ଟ ସୂଚନା ମିଳିପାରିବ ।

ରାଞ୍ଚିର ଅନଗଡ଼ାରେ ଖଣି ଖନନ ଲିଜ ହେମନ୍ତ ନିଜ ନାଁରେ ନେଇଥିବା ଅଭିଯୋଗ କରିଥିଲେ ବିଜେପି ନେତା । ସେ ସମୟରେ ସୋରନଙ୍କ ପାଖରେ ଖଣି ମନ୍ତ୍ରଣାଳୟ ରହିଥିଲା । ନିକଟରେ ଇଡ଼ି ଖଣି ସଚିବ ପୂଜା ସିଂଘଲଙ୍କୁ ମନି ଲଣ୍ଡରିଂ ମାମଲାରେ ଗିରଫ କରିଛି । ଯିଏକି ଖଣିର ଲାଇସେନ୍ସ ପ୍ରଦାନ କରିଥିଲେ ।

ଏହି ଘଟଣାରେ ଜନପ୍ରତିନିଧିତ୍ୱ ଅଧିନିୟମ ୧୯୫୧ର ଉଲ୍ଲଂଘନ ହୋଇଥିବା ଅଭିଯୋଗରେ ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା ରଦ୍ଦ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି କରିଥିଲେ ବିଜେପି ନେତା।  ଯେଉଁ ମାମଲାରେ ଅଗଷ୍ଟ ୧୮ ତାରିଖରେ ଶୁଣାଣି ହୋଇଥିଲା । ଏହି ମାମଲାରେ ଏବେ ନିର୍ବାଚନ ଆୟୋଗ ନିଜ ରାୟକୁ ରାଜ୍ୟପାଳଙ୍କୁ ପଠାଇଛି ।