spot_img
Home Blog Page 4142

୧୦ ଲକ୍ଷଙ୍କୁ ମିଳିବ ନିଯୁକ୍ତି, କେଉଁ ବିଭାଗରେ କେତେ ଅଛି ଖାଲି ପଦବୀ ?

ନୂଆଦିଲ୍ଲୀ: କମିବ ବେକାରୀ ହାର, ସୃଷ୍ଟି ହେଲା ନୂଆ ରୋଜଗାର  । ଚାକିରୀ ଖୋଜୁଥିବା ଆଶାୟୀଙ୍କୁ ଖୁସି ଖବର ଦେଲେ ମୋଦି  । ଆଗାମୀ ଦେଢବର୍ଷରେ ଦଶ ଲକ୍ଷ ନିଯୁକ୍ତି ଦେବେ କେନ୍ଦ୍ର ସରକାର । ବିଭିନ୍ନ ମନ୍ତ୍ରାଳୟର ବିଭାଗରେ ଭର୍ତ୍ତି ହେବେ ଆଶାୟୀ  । ମାର୍ଚ୍ଚ ୨୦୨୦ ସୁଦ୍ଧା କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ୮.୭୨ ଲକ୍ଷ ପଦ ଖାଲିଥିବା କେନ୍ଦ୍ର ସରକାର ସଂସଦରେ ବିବୃତ୍ତି ରଖିଥିଲେ  ।

କେନ୍ଦ୍ର ସରକାରଙ୍କ ୪୦ ଲକ୍ଷରୁ ଅଧିକ ପଦରେ ୩୨ ଲକ୍ଷରୁ କମ କର୍ମଚାରୀ ଅଛନ୍ତି  । ଏହି ଖାଲି ପଦବୀ ପୂରଣ ପାଇଁ ସରକାର ପ୍ରୟାସ କରିଥିଲେ ସୁଦ୍ଧା ବିଶେଷ ସଫଳତା ମିଳିନଥିଲା  । ସବୁଠାରୁ ଅଧିକ ପଦ ଡାକ, ପ୍ରତିରକ୍ଷା(ସିଭିଲ), ରେଳ ଓ ରାଜସ୍ବ ଭଳି ବଡ ମନ୍ତ୍ରଣାଳୟ ଓ ବିଭାଗ ରହିଛି  ।

ରେଳ ବିଭାଗରେ ୧୫ ଲକ୍ଷ ପଦ ଖାଲି ପଡିଥିବାବେଳେ ମନ୍ତ୍ରଣାଳୟରେ ପାଖାପାଖି ୨.୩ ଲକ୍ଷ ପଦ ଖାଲି ରହିଛି  । ପ୍ରତିରକ୍ଷା (ନାଗରିକ) ବିଭାଗରେ ୬.୩୩ ଲକ୍ଷ କର୍ମଚାରୀଙ୍କ ଆବଶ୍ୟକତା ଥିବାବେଳେ ୨.୫ ଲକ୍ଷ ପଦ ଖାଲି ପଡିଛି  । ସେହିପରି ଡାକ ବିଭାଗରେ ୯୦ ହଜାର, ରାଜସ୍ବ ବିଭାଗରେ ୧.୭୮ ଲକ୍ଷ ପଦ ଖାଲି ପଡିଛି  ।

୨୦୨୦ ମାର୍ଚ୍ଚ ସୁଦ୍ଧା ଖାଲି ପଡିଥିବା ପଦବୀ ଗୁଡିକ ମଧ୍ୟରେ ଗ୍ରୁପ ସିରେ ସର୍ବାଧିକ ୭.୫୬ ଲକ୍ଷ ରହିଛି । ଏହାସହ ଗ୍ରୁପ ବିରେ ୯୪,୮୪୨ ହଜାର ଓ ଗ୍ରୁପ ଏ ରେ ୨୧,୨୫୫ ହଜାର ପଦ ଖାଲି ରହିଛି  ।

 

ରଜରେ ଚାଞ୍ଚଲ୍ୟ, ପୁଅକୁ ପିଟିପିଟି ମାରିଦେଲେ ସାବତ ମା ବାପା !

ପାରାଦୀପ: ଜଗତସିଂହପୁର ପାରାଦୀପ ତ୍ରିଲୋଚନପୁରରେ ଅଭାବନୀୟ ଘଟଣା  । ରଜ ପାଇଁ ଗାଁ ଉତ୍ସବମୁଖର ଥିବାବେଳେ ସ୍କୁଲ ପଛପଟୁ ମିଳିଲା ନାବାଳକର ମୃତଦେହ  । ଅଭୟଚାନ୍ଦପୁର ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କଲା ପୋଲିସ  । ପ୍ରାଥମିକ ତଦନ୍ତରୁ ଏହା ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ସନ୍ଦେହ କରୁଛି ପୋଲିସ  । ୧୫ ବର୍ଷୀୟ ପୁଅର ମୃତଦେହ ମିଳିବା ପରେ ବାପା ଓ ସାବତ ମା’ଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି ମାମୁଁଘର  । ଅଭିଯୋଗ ଆଧାରରେ ନାବାଳକ ପୁଅର ବାପା ଓ ସାବତ ମାକୁ ପଚରାଉଚୁରା କରୁଛି ପୋଲିସ  ।

ଖୁବ୍ ଶୀଘ୍ର ଆସୁଛି 5G ସେବା, 4G ଠାରୁ ସ୍ପିଡରେ ୧୦ ଗୁଣା ଅଧିକ

ନୂଆଦିଲ୍ଲୀ:  ଦେଶବାସୀଙ୍କ ପାଇଁ ଖୁସି ଖବର । 4G ପରେ ଏବେ 5G ସେବାର ଲାଭ ଉଠାଇ ପାରିବେ ଦେଶବାସୀ । ଭାରତରେ ଖୁବ୍ ଶୀଘ୍ର ଲଞ୍ଚ କରାଯିବ ଏହି 5G ସେବା । କ୍ୟାବିନେଟ୍ ତରଫରୁ ସ୍ପେକ୍ଟ୍ରମ ନିଲାମ ପାଇଁ ମିଳିଛି ମଞ୍ଜୁରୀ । ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ 5G ମେବାଇଲ ସେବାକୁ ଆଗାମୀ ୨୦ ବର୍ଷ ପାଇଁ ସ୍ପେକ୍ଟ୍ରମ ନିଲାମକୁ ମଞ୍ଜୁରୀ ଦିଆଯାଇଛି । ଜୁଲାଇର ଶେଷ ସପ୍ତାହରେ ଏହି ସ୍ପେକ୍ଟ୍ରମ ନିଲାମ କରାଯିବ ।

କୁହାଯାଉଛି କି 5G ସେବାରେ ବର୍ତ୍ତମାନର ସ୍ପିଡ୍ ଅପେକ୍ଷା ୧୦ ଗୁଣା ଅଧିକ ସ୍ପିଡ୍ ରହିବ । ଅଡିଓ ଓ ଭିଡିଓ କଲିଂରେ ଏହାର କ୍ବାଲିଟି ଆହୁରି ଉନ୍ନତି ଦେଖିବାକୁ ମିଳିବ । ଗେମିଙ୍ଗ୍ ସେକ୍ଟରେ ମଧ୍ୟ ବହୁତ ଉନ୍ନତି ଆସିବ । ଏହି ସେବାରେ ଡାଉନଲୋଡିଂ ଏବଂ ଅପଲୋଡିଂରେ ଏହାର ସ୍ପିଡ୍ ବହୁତ ଉନ୍ନତମାନର ହେବ ।

ସରକାର କହିଛନ୍ତି ଯେ ମୋଟ 72 GHz ସ୍ପେକ୍ଟ୍ରମ (600 MHz, 700 MHz, 800 MHz, 900 MHz, 1800 MHz, 2100 MHz, 2300 MHz), ମଧ୍ୟମ (3300 MHz) ଏବଂ ଉଚ୍ଚ (26 GHz) ଫ୍ରିକ୍ୱେନ୍ସି ବ୍ୟାଣ୍ଡରେ ନିଲାମ ହେବ। ସରକାର ନିଜର ବିବୃତ୍ତିରେ କହିଛନ୍ତି ଯେ 5G ଯୋଗାଯୋଗ ସେବା ଖୁବ ଶୀଘ୍ର ଆରମ୍ଭ ହେବ ବୋଲି ଆଶା କରାଯାଉଛି । 5G ମୋବାଇଲ୍ ସେବାର ଗତି ଏବଂ କ୍ଷମତା 4G ମୋବାଇଲ୍ ସେବାଠାରୁ ପ୍ରାୟ ୧୦ ଗୁଣ ଅଧିକ ହେବ |

ଘରୋଇ କ୍ୟାପ୍ଟିଭ୍ ନେଟୱାର୍କକୁ କ୍ୟାବିନେଟ୍ ମଧ୍ୟ ସବୁଜ ସଙ୍କେତ ଦେଇଛି, ଯାହା ବ୍ୟବହାର କରି ମେସିନ୍-ଟୁ-ମେସିନ୍ ଯୋଗାଯୋଗ, ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍ ଏବଂ ଅଟୋ ମୋବାଇଲ୍, ସ୍ୱାସ୍ଥ୍ୟସେବା, କୃଷି, ଶକ୍ତି ଏବଂ ଅନ୍ୟାନ୍ୟ କ୍ଷେତ୍ରକୁ ବ୍ୟବହାର କରିବାକୁ ଉଦ୍ୟୋଗ ଏବଂ ପ୍ରଯୁକ୍ତି ବିଦ୍ୟା କମ୍ପାନୀଗୁଡିକର ନିଜସ୍ୱ ନେଟୱାର୍କ ରହିପାରିବ | ଏହି 5G  ସେବାରେ 4G ଅପେକ୍ଷା ବହୁତ ସ୍ପଡ୍ ରହୁଛି । ଏହାର ସ୍ପିଡ୍ କାରଣରୁ ଅନ୍ୟ ବହୁତ ଜିନିଷରେ ବଡ଼ ପରିବତ୍ତର୍ନ ଦେଖିବାକୁ ମିଳିବ । କୁହାଯାଉଛି କି ନିଲାମ ପରେ ଟେଲିକମ୍ କମ୍ପାନୀ ମାନେ ଶୀଘ୍ର ଏହା ଉପରେ କାମ ଆରମ୍ଭ କରିପାରିବେ । ରିପୋର୍ଟ ଅନୁଯାୟୀ ଏହାକୁ ପ୍ରଥମେ ମେଟ୍ରୋ ସିଟି ଓ ବଡ ସହର ମାନଙ୍କରେ ଜାରି କରାଯିବ ।

 

ରକ୍ତ ସଂକ୍ରମଣର ଶିକାର ରାହୁଲ, ହସ୍ପିଟାଲରେ ରହିବ ସାତ ଦିନ

ରାୟପୁର: ରାହୁଲର ସ୍ବାସ୍ଥ୍ୟ ବିବରଣୀ ଜାରି କଲା ଆପୋଲୋ ହସ୍ପିଟାଲ  । ହସ୍ପିଟାଲର ଶିଶୁରୋଗ ବିଶେଷଜ୍ଞ ଡ. ସୁଶୀଲ କୁମାର ଜାରି କଲେ ମେଡିକାଲ ବୁଲେଟିନ । ରାହୁଲର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି  । ପୂର୍ବାପେକ୍ଷା ସେ ଭଲ ଅଛି  । କିନ୍ତୁ ରାହୁଲ ଶରୀରରେ ଅଧିକାଂଶ ସଂକ୍ରମଣ ଦେଖାଯାଇଥିବା ବୁଲେଟିନରେ ଉଲ୍ଲେଖ ହୋଇଛି।

ଦିଲ୍ଲୀ ଆପୋଲୋ ହସ୍ପିଟାଲରୁ ନିଆଯାଉଛି ପରାମର୍ଶ  । ଆହୁରି ଯାଞ୍ଚ ରିପୋର୍ଟ ଆସିବାକୁ ବାକି ରହିଛି । ଦିନେ କି ଦୁଇ ଦିନ ପରେ ପ୍ରକୃତ ଚିତ୍ର ସ୍ପଷ୍ଟ ହେବ  ।୫ ରୁ ୬ ଜଣ ଡାକ୍ତର ରାହୁଲର ଚିକିତ୍ସା କରୁଛନ୍ତି  । ଏକ ସପ୍ତାହ ପର୍ଯ୍ୟନ୍ତ ଚିକିତ୍ସା ଜାରି ରହିବ ବୋଲି ମେଡିକାଲ ବୁଲେଟିନରେ ଦର୍ଶାଯାଇଛି  ।

 

ଦୀର୍ଘ ୫ ଦିନ ବୋରୱେଲ ଗର୍ତ୍ତ ଭିତରେ ରହିବା ପରେ ରାହୁଲ ଠାରେ ଚର୍ମରୋଗ ଦେଖାଦେଇଛି  । ଶରୀରର ଅଧିକାଂଶ ଭାଗ ସଂକ୍ରମଣର ଶିକାର ହୋଇଛି  ।ଲଗାତାର ପାଣିରେ ରହିବା ଯୋଗୁଁ ତା ଠାରେ ବ୍ୟାକ୍ଟେରିଆ ସଂକ୍ରମଣ ହେବା ସହ ରକ୍ତ ବି ସଂକ୍ରମିତ ହୋଇଛି  । ୭ ଦିନ ଅବଜରଭେସନରେ ରଖିବା ପରେ ଡାକ୍ତର ଆଗକୁ ଚିକିତ୍ସା କରିବେ  । କାରଣ ଏଭଳି ସଂକ୍ରମଣ ବେଳେବେଳେ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ  ।

 

ଛତିଶଗଡ ଜାଞ୍ଜଗିର ଚମ୍ପାରେ ଖେଳୁଥିବା ସମୟରେ ବୋରୱେଲ ପାଇଁ ଖୋଳାଯାଇଥିବା ଗାତରେ ପଡିଯାଇଥିଲା ରାହୁଲ  । ଦୀର୍ଘ ୧୦୪ ଘଣ୍ଟାର ଅପରେସନ ପରେ ସେ ଗତକାଲି ସୁରକ୍ଷିତ ଉଦ୍ଧାର ହୋଇଥିଲା । ଉଦ୍ଧାର ପରେ ରାହୁଲକୁ ବିଳାସପୁର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ରାହୁଲଙ୍କ ସାହସ ଓ ରେସକ୍ୟୁ ଟିମର ବିଶ୍ବାସ ଏହି ମିଶନକୁ ଦେଇଥିଲା ସଫଳତା । ଏସଡିଆରଏଫ୍, ଏନଡିଆରଏଫ ଏବଂ ସେନାର ଅବିଶ୍ରାନ୍ତ ଉଦ୍ୟମ ଆଗରେ ହାର ମାନିଥିଲା ସମସ୍ତ ବାଧାବିଘ୍ନ ।

ଇଡିରେ ପୁଣି ହାଜର ରାହୁଲ, ସମର୍ଥନ ଜଣାଇ ଜଳିଲା ଟାୟାର

ନୂଆଦିଲ୍ଲୀ: ତୃତୀୟ ଦିନ ଇଡିରେ ହାଜର ହେଲେ ରାହୁଲ ଗାନ୍ଧୀ  । ଯାହାର ପ୍ରତିବାଦରେ ଇଡି ଅଫିସ ସାମନାରେ ଉଗ୍ରରୂପ ଦେଖାଇଲେ ପ୍ରଦର୍ଶନକାରୀ  । ରାହୁଲଙ୍କୁ ସମର୍ଥନ ଜଣାଇ ଟାୟାର ଜାଳିଲେ କଂଗ୍ରେସ କର୍ମୀ  । ପୋଲିସ ଘଟଣାସ୍ଥଳରୁ ବିକ୍ଷୋଭକାରୀଙ୍କୁ ଉଠାଇ ନେଇଛି  । ନ୍ୟାଶନାଲ ହେରାଲ୍ଡ ଅର୍ଥ ହେରଫେର ମାମଲାରେ ଆଜି ତୃତୀୟ ଦିନ ଜେରା ପାଇଁ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ସହ ଇଡି ଅଫିସରେ ପହଞ୍ଚିଛନ୍ତି ରାହୁଲ  ।

ରାହୁଲଙ୍କ ସମର୍ଥନରେ କଂଗ୍ରେସ ଅଫିସ ମୁଖ୍ୟାଳୟ ବାହାରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଓ ବରିଷ୍ଠ ନେତା କେସି ବେଣୁଗୋପାଳ ବିରୋଧ ପ୍ରଦର୍ଶନ କରୁଛନ୍ତି  । ଦେଶରେ ଗୁଣ୍ଡାରାଜ ଚଲାଇଛି ପୋଲିସ  । ଭାରତ ଇତିହାସରେ ଏପରି ଗୁଣ୍ଡାରାଜ ପ୍ରଥମ ଥର ଦେଖିବାକୁ ମିଳିଛି ବୋଲି କହିଛନ୍ତି କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ  ।

ଗତ ସୋମବାରରୁ ୨୦ ଘଣ୍ଟା ଧରି ରାହୁଲଙ୍କୁ ପଚରାଉଚୁରା କରୁଛି ଇଡି  । ପିଏମଏଲଏ ଆକ୍ଟ ଅନୁସାରେ ରାହୁଲଙ୍କୁ ଜେରା ଚାଲିଛି  । ପିଏମଏଲଏର ଧାରା ୫୦ ଅନୁସାରେ ଇଡି ରାହୁଲଙ୍କ ଠାରୁ ଲିଖିତ ରିପୋର୍ଟ ମଧ୍ୟ ଗ୍ରହଣ କରିଛି  । ଏହି ମାମଲାରେ କଂଗ୍ରେସର ବରିଷ୍ଠ ନେତା ମଲିକ୍କାର୍ଜୁନ ଖଡଗେ ଓ ପୱନ ବଂଶଲଙ୍କୁ ଇଡି ଜେରା କରିଥିଲା। ଜୁନ ୨୩ରେ ସୋନିଆ ଗାନ୍ଧୀଙ୍କୁ ଜେରା ପାଇଁ ସମନ ଜାରି କରିଛି ଇଡି  । କିନ୍ତୁ କୋରୋନା ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି  ।

ଏନକାଉଣ୍ଟରରେ ଟଳିଲେ ୨ ଆତଙ୍କବାଦୀ, ବ୍ୟାଙ୍କ ମ୍ୟାନେଜର ହତ୍ୟାକାଣ୍ଡରେ ଥିଲେ ସାମିଲ

ଶ୍ରୀନଗର: ଜମ୍ମୁ କାଶ୍ମୀର ପୋଲିସକୁ ସଫଳତା  । କୁଲଗାମ ବ୍ୟାଙ୍କ ମ୍ୟାନେଜର ହତ୍ୟାକାଣ୍ଡର ହତ୍ୟାକାରୀକୁ ଏନକାଉଣ୍ଟର  । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କବାଦୀ  । ମୃତ ୨ ଆତଙ୍କବାଦୀ ଲସ୍କର ଏ ତୋଏବା (ଏଲଇଟି)ସଙ୍ଗଠନର ସଦସ୍ୟ ଥିଲେ  ।

ମୃତ ଆତଙ୍କବାଦୀର ପରିଚୟ ମିଳିଛି  । କାଶ୍ମୀର ସୋପିଆନର ଜାନ ମହମ୍ମଦ ଲୋନ ଅନ୍ୟାନ୍ୟ ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ଥିବାବେଳେ ଗତ ଜୁନ ୨ରେ କୁଲଗାମ ବ୍ୟାଙ୍କ ମ୍ୟାନେଜର ବିଜୟ କୁମାର ହତ୍ୟାରେ ସାମିଲ ଥିଲା  । ସିସିଟିଭି ଫୁଟେଜରେ ସୋପିଆନର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଲୋନକୁ ଦେଖିଥିଲା ପୋଲିସ  । ଏହାପରେ ପରିବାରକୁ ଡକାଇ ଲୋନର ପରିଚୟ ଚିହ୍ନଟ କରିଥିଲା।

ମୃତକଙ୍କ ମଧ୍ୟରେ ଆଉ ଜଣେ ଆତଙ୍କବାଦୀ ହେଉଛି ତୁଫେଲ ଜନାଇ  । ସୋପିଆନ କଞ୍ଚିଉଲାରରେ ଏହି ୨ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇଥିଲେ ସୁରକ୍ଷାକର୍ମୀ  । ଅଞ୍ଚଳକୁ ଚାରିପଟୁ ଘେରି ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା  । ଏହି ସମୟରେ ଗୁଳିମାଡ ଆରମ୍ଭ କରି ଦେଇଥିଲେ ୨ ଆତଙ୍କବାଦୀ । ଯାହାର ପାଲଟା ଜବାବ ଦେବାକୁ ଯାଇ ପୋଲିସ ଗୁଳିରେ ୨ ଆତଙ୍କବାଦୀ ପ୍ରାଣ ହରାଇଥିଲେ  ।

 

 

 

ହସ୍ପିଟାଲରେ ରାହୁଲ, ଖେଚୁଡି ଖାଇ ଡାକିଲା ମମିପାପା

ରାୟପୁର: ସଫଳ ହେଲା ଦୀର୍ଘ ୧୦୪ ଘଣ୍ଟାର ଅପରେସନ । ରାହୁଲଙ୍କ ସାହସ ଓ ରେସକ୍ୟୁ ଟିମର ବିଶ୍ବାସ ଏହି ମିଶନକୁ ଦେଇଛି ସଫଳତା । ଏସଡିଆରଏଫ୍, ଏନଡିଆରଏଫ ଏବଂ ସେନାର ଅବିଶ୍ରାନ୍ତ ଉଦ୍ୟମ ଆଗରେ ହାର ମାନିଥିଲା ସମସ୍ତ ବାଧାବିଘ୍ନ । ଶେଷରେ ବୋରଓ୍ବେଲ ବାହାରକୁ ଆସିଥିଲା ରାହୁଲ । ରାହୁଲକୁ ବିଳାସପୁର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଚିକିତ୍ସା କରୁଛନ୍ତି ସ୍ବତନ୍ତ୍ର ଡାକ୍ତରୀ ଟିମ୍ ।

ଆଜି ସକାଳୁ ରାହୁଲ ଖେଚୁଡି ଖାଇଛି । ଏହାସହ ମମି ପାପା କହିଛି ରାହୁଲ । ପୁଅକୁ ପାଇ ଏବେ ପରିବାରରେ ଖୁସିର ମାହୋଲ । ଗତକାଲି ଉଦ୍ଧାର ପରେ ସ୍ବତନ୍ତ୍ର ଗ୍ରୀନ କରିଡରରେ ମେଡିକାଲ ପର୍ଯ୍ୟନ୍ତ ବାଟ କଢ଼ାଇ ନେଇଥିଲା ପ୍ରଶାସନିକ ଟିମ୍ । ରାହୁଲ ଜୀବନ୍ତ ଭାବେ ଉଦ୍ଧାର ପରେ ସବୁଠି ଉତ୍ସାହର ମାହୋଲ ଦେଖିବାକୁ ମିଳିଛି । ଠାକୁରଙ୍କୁ ଧନ୍ୟବାଦ ଦେଇଛନ୍ତି ଲକ୍ଷ ଲକ୍ଷ ଶୁଭେଛୁ ।

ତେବେ ମିଶନ ରାହୁଲରେ କାମ ଦେଇନଥିଲା ଯନ୍ତ୍ରାଂଶ, ଶେଷ ସମୟରେ ହାତରେ ଖୋଳା ଯାଇଥିଲା ବିରାଟକାୟ ପଥର । ରାହୁଲ ରେସ୍କ୍ୟୁ ଠାରୁ ମେଡିକାଲରେ ଭର୍ତ୍ତି ପର୍ଯ୍ୟନ୍ତ ପ୍ରତି ମୁହୂର୍ତ୍ତର ଖବର ରଖିଥିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ । ଉଦ୍ଧାର ପରେ ସେ ଉଦ୍ଧାରକାରୀ ଟିମ୍‌ର ପ୍ରଶଂସା କରିଛନ୍ତି ।

ଛତିଶଗଡ ଜାଞ୍ଜଗିର ଚମ୍ପାର ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଳା ଘଟଣାସ୍ଥଳରେ ନିଜେ ଉପସ୍ଥିତି ରହି ରେସ୍କ୍ୟୁ ଅପରେସନର ଅନୁଧ୍ୟାନ କରିଥିଲେ । ରାହୁଲକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବା ପରେ ଆଜି ସେହି ବୋରଓ୍ବେଲ ଓ ଉଦ୍ଧାର କାର୍ଯ୍ୟ ପାଇଁ ଖୋଳାଯାଇଥିବା ସୁଡଙ୍ଗକୁ ପୋତା ଯାଉଛି ।

ପୁଣି ଡରାଇଲାଣି କୋରୋନା, ୩ ମାସର ରେକର୍ଡ ଭାଙ୍ଗିଲା ସଂକ୍ରମଣ

ନୂଆଦିଲ୍ଲୀ: ଦେଶକୁ ପୁଣି ଡରାଇଲାଣି କୋରୋନା  । ୨୪ ଘଣ୍ଟାରେ ୮୮୨୨ ନୂଆ ସଂକ୍ରମିତ ମାମଲା ସାମନାକୁ ଆସିଛି  । ଗତ ୩ ମାସ ମଧ୍ୟରେ ଆଜି ୩୩.୮ ପ୍ରତିଶତ ଅଧିକ ସଂକ୍ରମଣ ମାମଲା ରେକର୍ଡ କରାଯାଇଛି  ।  ଗତ ତିନି ଦିନରୁ ଦୈନିକ ସଂକ୍ରମଣ କ୍ରମାଗତ ୮ ହଜାରରୁ ଅଧିକ ରହୁଛି  । ଏହା ପୂର୍ବରୁ ଗତ ଜୁନ ୧୦ ଓ ୧୧ ରେ  ୮,୩୨୮ ଓ ୮,୫୮୨ ନୂଆ ସଂକ୍ରମଣ ମାମଲା ସାମନାକୁ ଆସିଥିଲା  ।

ମହାରାଷ୍ଟ୍ରରେ ସର୍ବାଧିକ ୭୮୭ ସଂକ୍ରମଣ ମାମଲା ରହିଛି । ଏହାପରେ ଦିଲ୍ଲୀରେ ୬୧୬, କେରଳରେ ୪୦୬, କର୍ଣ୍ଣାଟକରେ ୧୯୬ ଜଣ ସଂକ୍ରମଣରେ ଆକ୍ରାନ୍ତ ହୋଇଛନ୍ତି  । ଉତ୍ତରାଖଣ୍ଡ ଓ ତ୍ରିପୁରାରେ ଆକ୍ଟିଭ ମାମଲା କମ ରହିଛି ।୨୪ ଘଣ୍ଟାରେ ୫୭୧୮ ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି  ।

ସେପଟେ କୋରୋନାରେ ଦିନକରେ ୧୫ ଜଣ ପ୍ରାଣ ହରାଇଛନ୍ତି । କେରଳରୁ ୭ଜଣ, ମହାରାଷ୍ଟ୍ରରୁ ୪, ଦିଲ୍ଲୀରୁ ୨, ମଧ୍ୟପ୍ରଦେଶ ଓ ରାଜସ୍ଥାନରୁ ଜଣେ ଲେଖାଏଁ କୋରୋନାରେ ମୃତ୍ୟୁବରଣ କରିଛନ୍ତି  । ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ଦିନକରେ ୪,୪୦,୨୭୮ ଟେଷ୍ଟ କରାଯାଇଥିବାବେଳେ ୧୩,୫୮,୬୦୭ ଜଣ ଭ୍ୟାକ୍ସିନ ନେଇ ସାରିଛନ୍ତି  ।

ମାନୁ ନାହାନ୍ତି ପାୱାର, ମନାଇବାକୁ ଘରେ ପହଞ୍ଚିଲେ ମମତା

ନୂଆଦିଲ୍ଲୀ: ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ନୂଆ ଚେହେରା ଖୋଜିବାରେ ବ୍ୟସ୍ତ ବିରୋଧୀ ଟିମ  । ଏନସିପି ନେତା ଶରଦ ପାୱାରଙ୍କୁ ମଙ୍ଗ ଧରାଇବାକୁ ଚାହୁଁଛି ବିରୋଧୀ କ୍ୟାମ୍ପ। ତାଙ୍କୁ ମନାଇବାକୁ ପ୍ରୟାସ ଜାରି ରହିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ବାମଦଳ ନେତା ମଧ୍ୟ ପାୱାରଙ୍କୁ ସାକ୍ଷାତ କରିସାରିଲେଣି । କିନ୍ତୁ ବିରୋଧୀ ମେଣ୍ଟର ମୁଖିଆ ହେବାକୁ ଚାହୁଁ ନାହାନ୍ତି ପାୱାର  । ଯାହା ଫଳରେ ଅନ୍ୟ ନେତାଙ୍କ ପାଇଁ ଚାଲିଛି ବିଚାର  । ସମ୍ଭବତଃ ବିକଳ୍ପ ଭାବେ ପଶ୍ଚିମବଙ୍ଗ ପୂର୍ବତନ ରାଜ୍ୟପାଳ ଗୋପାଳକୃଷ୍ଣ ଗାନ୍ଧୀଙ୍କ ସହ ସମ୍ପର୍କ କରାଯାଉଛି  ।

ବିଜେପିକୁ ଘେରିବା ପାଇଁ ମମତାଙ୍କ ନେତୃତ୍ବରେ ବିରୋଧୀ ସଜବାଜ ହେଉଛନ୍ତି। ଛୋଟବଡ ଆଞ୍ଚଳିକ ଦଳ ମଧ୍ୟ ବିରୋଧୀ ଆଶାୟୀ ପ୍ରାର୍ଥୀଙ୍କୁ ସମର୍ଥନ କରୁଛନ୍ତି । କିନ୍ତୁ ନିର୍ବାଚନ ଲଢିବା ମୁଡରେ ନାହାନ୍ତି ପାୱାର  । ଏନସିପି ସଦସ୍ୟଙ୍କ ସହ ବସିଥିବା ବୈଠକରେ ସେ କହିଛନ୍ତି ‘ମୁଁ ରେସରେ ନାହିଁ, ରାଷ୍ଟ୍ରପତି ପଦ ପାଇଁ ବିରୋଧୀ ଦଳର ପ୍ରାର୍ଥୀ ହେବେ ନାହିଁ’ । ଯାହାପରେ ଟିଏମସି ନେତା ମମତା ପାୱାରଙ୍କ ଘରକୁ ଯାଇ ତାଙ୍କୁ ରାଜି କରିବାକୁ ଚେଷ୍ଟା କରିଛନ୍ତି  । ଏହା ପରେ ବାମଦଳ ନେତା ସୀତାରାମ ୟେଚୁରୀ ଓ ଡି ରାଜା ମଧ୍ୟ ପାୱାରଙ୍କୁ ଭେଟିଛନ୍ତି  ।

ବୁଧବାର ମମତା ବାନାର୍ଜୀଙ୍କ ଆହ୍ବାନରେ ଆଜି ଦିଲ୍ଲୀରେ ଏକାଠି ହେବେ ବିରୋଧୀ । ଆଉ ଏହି ବୈଠକରେ ସାମିଲ ହେବେ ପାୱାର  । କାରଣ ଦେଶରେ ରାଜନୈତିକ ସ୍ଥିତିକୁ ଦେଖି ଧର୍ମନିରପେକ୍ଷ, ଲୋକତନ୍ତ୍ର ଓ ଶକ୍ତି ମହତ୍ତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି  । କୁହାଯାଉଛି ଯେ କଂଗ୍ରେସ ଓ ବାମଦଳ ନେତା ମମତାଙ୍କ ‘ଏକତରଫା’ ମେଣ୍ଟ ସପକ୍ଷରେ ନଥିଲେ  । ମାତ୍ର ଶାସକକୁ ଚେକ୍‌ ଦେବା ପାଇଁ ଏକଜୁଟ ହେବେ ବିରୋଧୀ  ।

କଂଗ୍ରେସର ମଲିକ୍କାର୍ଜୁନ ଖଡଗେ, ଜୟରାମ ରମେଶ ଓ ରଣଦୀପ ସୁରଜେୱାଲା, ସମାଜବାଦୀ ପାର୍ଟି, ଆରଜେଡି, ଶିବସେନା ପ୍ରମୁଖ ପାର୍ଟି ମମତାଙ୍କ ବୈଠକରେ ସାମିଲ ହେବେ  । କିନ୍ତୁ ଆମ ଆଦମୀ ପାର୍ଟି ଏ ପର୍ଯ୍ୟନ୍ତ ନିଜ ପକ୍ଷ ରଖିନି  ।

 

ଅଣସରକୁ ଗଲେ ଶ୍ରୀଜିଉ, ଆଜିଠୁ ଦର୍ଶନ ଦେବେ ଅଲାରନାଥ

ପୁରୀ: ଆଜିଠୁ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଅଲାରନାଥ  । ଆରମ୍ଭ ହୋଇଛି ଅଲାରନାଥଙ୍କ ଅଣସର ଦର୍ଶନ । ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ଭୋରରୁ ଦ୍ଵାର ଫିଟା, ମଙ୍ଗଳ ଆଳତି, ତଡପଲାଗି ପରେ ସାଧାରଣ ଦର୍ଶନ ଆରମ୍ଭ ହୋଇଛି । ଭୋର ୪ଟାରୁ ଦ୍ବାର ଫିଟାଯିବା ପରେ ମନ୍ଦିରର ସମସ୍ତ ନୀତିକାନ୍ତି ଆରମ୍ଭ ହୋଇଛି  । ପ୍ରଥମ ଦିନରେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି  ।

 

ଏହି ଦର୍ଶନ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବ ଯୌବନ ଦର୍ଶନ ପର୍ଯ୍ୟନ୍ତ ଚାଲିବ । ଅଣସର ସମୟରେ ଅଲାରନାଥଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ପ୍ରାପ୍ତି ହୁଏ ।ସ୍ନାନ ପୂର୍ଣ୍ଣିମାରେ ସ୍ନାନ ବେଦୀରେ 108 ଗରା ସୁନା କୂଅ ଜଳରେ ସ୍ନାନ କରି ଜ୍ୱରରେ ପଡ଼ିଛନ୍ତି ଶ୍ରୀଜିଉ । ଶ୍ରୀମନ୍ଦିର ରତ୍ନ ସିଂହାସନରେ ତିନି ଠାକୁର ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ।

ତିନି ଠାକୁର 15 ଦିନ ଧରି ଅଣସର ମଣ୍ଡପରେ ଅବସ୍ଥାନ କରିଛନ୍ତି । ଭକ୍ତମାନେ ଏହି ସମୟରେ କେବଳ ବ୍ରହ୍ମଗିରିର ଅଲାରନାଥଙ୍କୁ ଅଣସର ସମୟରେ ଦର୍ଶନ କରନ୍ତି  ।

ଶ୍ରୀମନ୍ଦିର ଭୋଗନୀତି ପରି ଏଠାରେ ମଧ୍ୟ ଭୋଗ ଅନୁଷ୍ଠିତ ହୁଏ । ସକାଳ ୮ଟାରେ ବାଳଭୋଗ, ସକାଳ ଧୂପରେ ଅଣ୍ଡି, ଖେଚେଡ଼ି, ଡାଲି ଓ ତରକାରୀ ଭୋଗ କରାଯାଏ । ମଧ୍ୟାହ୍ନରେ କ୍ଷୀର ଭୋଗ କରାଯାଇ ପହୁଡ଼ ପଡ଼େ । ରାତିରେ ଦହି ପଖାଳ ଓ ଭଜା ଭୋଗ କରାଯାଏ । ଶ୍ରୀଅଲାରନାଥଙ୍କ କ୍ଷୀରି ଭୋଗ ସବୁଠାରୁ ପ୍ରିୟ । ଶ୍ରୀମନ୍ଦିର ଭଳି ଏଠାରେ ପ୍ରଭୁ ଅଲାରନାଥଙ୍କ ଦୈନଦିନ ଆଳତୀ, ଅବକାଶ, ବଲ୍ଲଭ, ଅନ୍ନଭୋଗ, ଚନ୍ଦନ ଲାଗି, ବଡ଼ସିଂହାର ବେଶ, ପହୁଡ଼ ଇତ୍ୟାଦି ନୀତି ଅନୁଷ୍ଠିତ ହୋଇଥାଏ  ।