ବିଧାୟକଙ୍କ ପାଖ ଲୋକ କହି ବିଜେପି କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି

ଦେବଗଡ଼: ଗୁଣ୍ଡାଗର୍ଦ୍ଦିର ସୀମା ଟପିଲେଣି ବିଜେପି କର୍ମୀ । ସରକାରୀ ଯୋଜନାରେ ଲାଭ ଉଠାଇବାକୁ କରୁଛନ୍ତି ଦାଦାଗିରି । ବିଧାୟକଙ୍କ ପାଖ ଲୋକ କହି ଅଞ୍ଚଳରେ ଗୁଣ୍ଡାଗିରି ଚଳାଇଛନ୍ତି । ଦେବଗଡ଼ ତିଳେଇବଣି ବ୍ଲକ ପାରପୋଷି ପଞ୍ଚାୟତ ରୁକୁଡା ଗାଁର ହରେଶ ନାୟକଙ୍କ ପୁଅ ସୂରଜ ନାୟକ ବିରୋଧରେ ଆସିଛି ଏମିତି ସାଂଘାତିକ ଅଭିଯୋଗ । ନିଜକୁ ବିଜେପିର ଜଣେ ସକ୍ରିୟ କର୍ମୀ କହିବା ସହ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ପାଖ ଲୋକ କହି ବିଭିନ୍ନ ସମୟରେ ସରକାରୀ କର୍ମଚାରୀଙ୍କୁ ଧମକାଉଥିବା ଅଭିଯୋଗ ହୋଇଛି ।

ଗତକାଲି ଜିଲ୍ଲା ମତ୍ସ୍ୟ ବିଭାଗ ଅଧିକାରୀ ଭାବଗ୍ରାହୀ କିଷାନଙ୍କୁ ତାଙ୍କ ବାପାଙ୍କ ନାମରେ ଥିବା ଚାଷ ଜମିକୁ ପୋଖରୀ ଦର୍ଶାଇ ସବସିଡି ଟଙ୍କା ହଡ଼ପ କରିବାକୁ ଚାପ ପକାଇଥିଲେ । ତେବେ ଏହାକୁ ବେନିୟମ ଦର୍ଶାଇ ଅର୍ଥ ଦେବାକୁ ମନା କରିବାରୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲେ ସୂରଜ । ଘଟଣା ସମ୍ପର୍କରେ ଜିଲ୍ଲାପାଳ ସୌମେଶ ଉପାଧ୍ୟାୟଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏସପି ପ୍ରମୋଦ ରଥଙ୍କ ନିକଟରେ ଅଭିଯୋଗ କରିଛନ୍ତି ମତ୍ସ୍ୟ ଅଧିକାରୀ । ଅଭିଯୋଗ ଆଧାରରେ ଦେବଗଡ଼ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ସରକାରୀ ଅଧିକାରୀଙ୍କ ଉପରେ ଆକ୍ରମଣ ହେଲେ ଦୋଷୀଙ୍କ ଉପରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ପ୍ରମୋଦ କୁମାର ରଥ କହିଛନ୍ତି ।