ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର

ଭୁବନେଶ୍ୱର: ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର । ରାଜ୍ୟରେ ପର୍ଯ୍ୟାପ୍ତ ପ୍ଲେଟଲେଟ ରହିଛି । ରାଜ୍ୟରେ ଡେଙ୍ଗୁ ସ୍ଥିତି ନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ଏବେସୁଦ୍ଧା ରାଜ୍ୟରେ ୨ ହଜାର ୩୦୯ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ୨୨ ହଜାର ୬୮ ଜଣଙ୍କର ନମୁନା ପରୀକ୍ଷା ସରିଛି । ଖୋର୍ଦ୍ଧାରେ ୧୧୨୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ କୋରାପୁଟରେ ୩୪୨, ମାଲକାନଗିରିରେ ୧୭୭ ଓ ରାୟଗଡ଼ାରେ ୨୬୮ଜଣ ରୋଗୀ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ୯ ଟି ରକ୍ତ ଭଣ୍ଡାରରେ ପ୍ଲେଟଲେଟ ପୃଥକୀକରଣ ୟୁନିଟ କାର୍ଯ୍ୟକ୍ଷମ ରହିଛି ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ଗତବର୍ଷ ୧୦ହଜାର ୮୩୩ ନମୁନା ପରୀକ୍ଷା ହୋଇଥିଲା । ସେମାନଙ୍କ ମଧ୍ୟରୁ ୨ ହଜାର ୮୭୮ ରୋଗୀ ଚିହ୍ନଟ ହୋଇଥିଲେ ବୋଲି ଡାକ୍ତର ମିଶ୍ର ସୂଚନା ଦେଇଛନ୍ତି ।ସେପଟେ ରାଜଧାନୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ଅଧୀକ୍ଷକ ଡାକ୍ତର ଦିଲ୍ଲୀପ କୁମାର ପଣ୍ଡା ।

ପ୍ରତିଦିନ କ୍ୟାପିଟାଲ ହସ୍ପିଟାଲରେ 5ରୁ 10 ଡେଙ୍ଗୁ ରୋଗୀ ଭର୍ତ୍ତି ହେଉଛନ୍ତି । ଗତକାଲି କ୍ୟାପିଟାଲ ହସ୍ପିଟାଲରେ 29 ଡେଙ୍ଗୁ ରୋଗୀ ଥିଲେ । ଆଜି ଏହି ସଂଖ୍ୟା 34ରେ ପହଞ୍ଚିଛି । ଗୁରୁତର ଡେଙ୍ଗୁ ରୋଗୀଙ୍କ ଲାଗି ପ୍ଲେଟଲେଟ ଯୋଗାଇ ଦିଆଯାଉଛି । ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ରୋଗୀଙ୍କୁ ବି କ୍ୟାପିଟାଲ ହସପିଟାଲରୁ ପ୍ଲେଟଲେଟ ମିଳିବାରେ ଅସୁବିଧା ନାହିଁ। ତେବେ ରକ୍ତ ସଂଗ୍ରହ ଉପରେ ହିଁ ପ୍ଲେଟଲେଟର ଉପଲବ୍ଧତା ନିର୍ଭର କରୁଛି ବୋଲି କହିଛନ୍ତି ଡାକ୍ତର ଦିଲ୍ଲୀପ କୁମାର ପଣ୍ଡା ।