ଆର୍ଟିମିସ-୧ରୁ ତେଲ ଲିକ୍‌, ସ୍ଥଗିତ ରହିଲା ନାସାର ମାନବବିହୀନ ମୁନ ମିସନ

1 min read

ନନ୍ଦିଘୋଷ ବ୍ୟୁରୋ: ନାସାର ମାନବବିହୀନ ମୁନ ମିସନ ଉଦ୍ୟମ ପୁଣି ସ୍ଥଗିତ । ଆର୍ଟିମିସ-୧ରୁ ତେଲ ଲିକ୍‌ ହେବା ଫଳରେ ମିଶନକୁ ପୁଣି ଥରେ ସ୍ଥଗିତ ରଖାଯାଇଛି । ଏହା ପୁଣି କେବେ ହେବ ନାସା ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ । ଆଜି ରାତି ୧୧ଟା ୪୫ରେ ଲଞ୍ଚ ହେବାର ଥିଲା ଆର୍ଟିମିସ-୧ । ଫ୍ଲୋରିଡା କେନେଡି ସ୍ପେସ୍ ସେଣ୍ଟରରୁ ମାନବବିହୀନ ଯାନ ଉତ୍‌କ୍ଷେପଣ କରାଯିବା ଲାଗି ଧାର୍ଯ୍ୟ କରାଯାଇଥିଲା ।

ଗତ ୨୯ ତାରିଖରେ ଏହାକୁ ଲଞ୍ଚ କରିବା ଲାଗି ସ୍ଥିରୀକୃତ ହୋଇଥିବା ବେଳେ ଯାନ୍ତ୍ରିକ ତ୍ରୁଟି କାରଣରୁ ଏହାକୁ ଶେଷ ମୁହୂର୍ତ୍ତରେ ବାତିଲ କରାଯାଇଥିଲା । ଚନ୍ଦ୍ର ପୃଷ୍ଠରେ ମାନବ ବସତି ଲାଗି ନାସା ଚଳାଇଛି ଉଦ୍ୟମ । ଗ୍ରହ, ଉପଗ୍ରହ ସଂକ୍ରାନ୍ତ ତଥ୍ୟ ଲାଗି ଏହି ଅଭିଯାନ ଉଦ୍ଦିଷ୍ଟ । ପ୍ରାୟ ୫୦ବର୍ଷ ପରେ ପୁଣି ଜହ୍ନକୁ ଯାତ୍ରା ଲାଗି ଜୋରଦାର ଚାଲିଛି ପ୍ରୟାସ । ଦକ୍ଷିଣ ମେରୁରେ ପାଣି, ବରଫ, ଇନ୍ଧନ ସନ୍ଧାନ କରିବା ଲାଗି ଏହି ମିସନ ଉଦ୍ଦିଷ୍ଟ ରହିଛି ।

ଆସନ୍ତା ଦିନରେ ମହାକାଶ ସମ୍ପର୍କରେ ଅଧିକ ଗବେଷଣା କରିବା, ଚନ୍ଦ୍ର ପୃଷ୍ଠକୁ ପୁଣି ମାନବ ସହିତ ଯାନ ପଠାଇବା ଲାଗି ଏହି ମିସନ କ୍ଷେତ୍ର ପ୍ରସ୍ତୁତ କରିବ । ପୃଥିବୀରୁ ପ୍ରାୟ ୪ ଲକ୍ଷ ୫୦ ହଜାର କିଲୋମିଟର ଓ ଚନ୍ଦ୍ର ପାର୍ଶ୍ବରେ ପ୍ରାୟ ୬୪ ହଜାର କିଲୋମିଟର ଯାତ୍ରା କରିଥାନ୍ତାଆର୍ଟିମିସ ।