spot_img
Home Blog Page 4108

ଆଜି ବିବାହ ବାର୍ଷିକୀ ପାଳନ କରିଥାନ୍ତେ ରାଇମୋହନ

ଭୁବନେଶ୍ବର: ବରିଷ୍ଠ ଅଭିନେତା ରାଇମୋହନ ପରିଡାଙ୍କ ଆତ୍ମହତ୍ୟାକୁ ନେଇ ଲାଗି ରହିଛି ସସପେନ୍ସ । ଆତ୍ମହତ୍ୟା ପଛର କାରଣ କ’ଣ ? ତଦନ୍ତ ପାଇଁ ରାଇଙ୍କ ବାସବଭନରେ ପହଞ୍ଚିଛି ୪ ଜଣିଆ ମହିଳା ପୋଲିସ ଟିମ୍ । ରାଇଙ୍କ ପତ୍ନୀ, ୨ଝିଅ, ଜ୍ବାଇଁ ଓ ସମ୍ପର୍କୀୟଙ୍କୁ ପୋଲିସ ପଚରାଉଚୁରା କରୁଛି । ସେପଟେ ଆଜି ବିବାହ ବାର୍ଷିକୀ ପାଳନ କରିଥାନ୍ତେ ରାଇମୋହନ । ସେଲିବ୍ରେସନ୍ ପାଇଁ ସବୁ ପ୍ରସ୍ତୁତି ସରିଥିଲା, ହେଲେ ସବୁ ଓଲଟପାଲଟ ହେଇଗଲା । ଆଜିର ଦିନରେ ରାଇ-ରଞ୍ଚିତାଙ୍କ ପ୍ରେମ ବିବାହକୁ ମନେ ପକାଇଛନ୍ତି ଆମୋଫୋଇ ସଂସ୍ଥା ମୁଖ୍ୟ ।

କାହିଁକି ଜୀବନ ରଣଭୂମିରେ ହାରିଗଲେ ରାଇମୋହନ ? କାହିଁକି ସୁନା ସଂସାରରୁ ମୋହ ତୁଟାଇଲେ ? ତୋ ବିନା ମୋ କାହାଣୀ ଅଧା କହି ପ୍ରେମ ବିବାହ କରିଥିବା ପତ୍ନୀ ରଞ୍ଜିତାଙ୍କୁ କାହିଁକି ଛାଡି ଚାଲିଗଲେ ? ସତରେ କ’ଣ ରଞ୍ଜିତା ଓ ୨ଝିଅଙ୍କ ପାଇଁ ଶହେ ଜନମ ନେବେ ? ଆଉ କହିବେ ଛାତି ଚିରିଦେଲେ ତୁ… ।

ଫିଲ୍ମ କାହାଣୀ ପରି ଥିଲା କ୍ଲାଇମାକ୍ସ

ଫିଲ୍ମ କାହାଣୀ ଭଳି ଥିଲା ରାଇମୋହନଙ୍କ ଜୀବନର କ୍ଲାଇମାକ୍ସ । ମୃତ୍ୟୁ ପୂର୍ବରୁ ଅଭିନେତା ହର ରଥଙ୍କୁ କହୁଥିଲେ, ଗୋଟେ ବୁଲେଟ୍ ବାଜିଲେ କ’ଣ ଭିଲେନ ରାଇମମୋହନ ମରିଯିବ ? ହେଲେ କିଛି ସେକେଣ୍ଡରେ ଜୀବନ ଚାଲିଗଲା । ଆଉ ଏବେ ରହସ୍ୟ ଘେରରେ ରାଇମୋହନଙ୍କ ସୁଇସାଇଡ୍ ସସପେନ୍ସ । କାହିଁକି ଆତ୍ମହତ୍ୟା କଲେ, କାରଣ ଖୋଜୁଛି ପୋଲିସ । ଆତ୍ମହତ୍ୟା ପଛରେ ପାରିବାରିକ କଳହ ବୋଲି ସନ୍ଦେହ କରାଯାଉଛି । ରାଇମୋହନଙ୍କ ଘର ଉଦୟପୁରରେ ୪ ଜଣିଆ ମହିଳା ପୋଲିସ ଟିମ୍ ପହଞ୍ଚି ତନାଘନା କରିଛି । ତାଙ୍କ ପତ୍ନୀ ଓ ଝିଅଙ୍କୁ ପଚରାଉଚୁରା କରିଛି ।

ରାଇମୋହନଙ୍କ ପ୍ରେମ

ରାଇମୋହନଙ୍କ ମୃତ୍ୟୁ ପରେ ତାଙ୍କର ପ୍ରେମ କାହାଣୀ ସାମ୍ନାକୁ ଆସିଛି । ଚିଠି ଦିଆ ନିଆରୁ, ପ୍ରେମ ଓ ତା’ପରେ ବିବାହ । ଚିଠି ବି ଲେଖୁଥିଲେ ଫିଲ୍ମି ଡାଏଲଗ ପରି । ଲେଖୁଥିଲେ, ରଞ୍ଜୁ ସବୁ ଫିଲ୍ମ ବାଲା ଖରାପ ନୁହଁନ୍ତି । ସମସ୍ତେ କହୁଛନ୍ତି ତୁମକୁ ଗୁଣି କରିଦେଲେ ତମେ କୁଆଡେ ମୋତେ ଆଉ ଚିହ୍ନି ପାରିବନି । ସତରେ ରଞ୍ଜୁ ସେମିତି କରିବନି ସେମିତି ହେଲେ ମୁଁ ମରିଯିବି । ରଞ୍ଜୁ ୱେଡସ ରାଇ… । ଆର୍ ପ୍ଲସ୍ ଆର୍… ।  ୧୯୯୨ ଏପ୍ରିଲ ୪ରେ ରାଇମୋହନ, ରଞ୍ଜିତାଙ୍କୁ ବିବାହ କରିଥିଲେ ।  ୩୦ବର୍ଷ ତଳର ରାଇମୋହନଙ୍କ ପ୍ରେମ ବିବାହକୁ ବଖାଣିଛନ୍ତି ଆମଫୋଇ ସଂସ୍ଥାର ମୁଖ୍ୟ । ପରଦା ଉପରେ ଦୁର୍ଦ୍ଦଶ ଭିଲେନ ରାଇମୋହନ କିନ୍ତୁ ବ୍ୟକ୍ତିଗତ ଜୀବନରେ ଥିଲେ ବେଶ୍ ରୋମାଣ୍ଟିକ । ଆଜି ରାଇଙ୍କ ଘରେ ପାଳନ ହେଇଥାନ୍ତା ବିବାହ ବାର୍ଷିକୀ । ସେଲିବ୍ରେସନ ପ୍ରସ୍ତୁତି ପାଇଁ ମାର୍କେଟ ଯାଇଥିଲେ ପତ୍ନୀ ଓ ଝିଅ । ପାର୍ଟି ପାଇଁ ସପିଂ ବି ହୋଇଥିଲା, କିନ୍ତୁ କେଇ ମୁହୂର୍ତ୍ତରେ ସବୁ ଓଲଟ ପାଲଟ ହୋଇଗଲା । ପ୍ରେମ, ସମ୍ପର୍କକୁ ଭୁଲି ରାଇ ବାଛି ନେଲେ ଶେଷ ରାସ୍ତା । ସେପଟେ ରସୁଲଗଡରେ ରାଇମୋହନ ତିଆରି କରିଥିବା ମନ୍ଦିରରେ ବି ଖେଳିଯାଇଛି ଶୋକର ଛାୟା ।

କାହିଁକି ମୃତ୍ୟୁକୁ କୋଳାଇ ନେଲେ ରାଇ ?

ଓଲିଉଡର ବ୍ୟାଡ୍ ମ୍ୟାନ ରାଇମୋହନ ପରିଡାଙ୍କ ଆତ୍ମହତ୍ୟାକୁ ଅନେକ ଅସମାହିତ ପ୍ରଶ୍ନ ଛିଡ଼ା ହୋଇଛି । କାହିଁକି ଆତ୍ମହତ୍ୟା କଲେ ରାଇମୋହନ ? ପାରିବାରିକ ଆଶାନ୍ତିରୁ ମାନସିକ ଭାବେ ଆଘାତ ପାଉଥିଲେ କି ? ଦୁଇ ଝିଅଙ୍କୁ ନେଇ ମନୋମାଳିନ୍ୟ ଥିଲା କି ? ମୃତ୍ୟୁ ପୂର୍ବରୁ ଘରେ ଝଗଡ଼ା ହୋଇଥିଲା କି ? ଯଦି ଝଗଡା ହୋଇଥିଲା, କେଉଁ କଥାକୁ ନେଇ ବିବାଦ ଥିଲା ? ଝିଅ ଓ ସ୍ତ୍ରୀ ତାଙ୍କୁ ଏକା ଛାଡ଼ି କାହିଁକି ବାହାରକୁ ଯାଇଥିଲେ ? ଘଟଣାର ସବୁ ଦିଗ ନେଇ ତଦନ୍ତ କରୁଛି ପୋଲିସ ।

ଗତକାଲି ରାତିରେ ଫଡନବୀସଙ୍କୁ ଭେଟିଛନ୍ତି ଏକନାଥ ସିନ୍ଦେ: ସୂତ୍ର

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଘଡିକେ ଘୋଡା ଛୁଟୁଛି  । ଉଭୟ ବିଦ୍ରୋହୀ ଓ ଉଦ୍ଧବ ଠାକରେ ଶକ୍ତି ପ୍ରଦର୍ଶନରେ ଲାଗିଛନ୍ତି  । ଏହାରି ମଧ୍ୟରେ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି  । ବିଶେଷ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ ବିଜେପି ନେତା ତଥା ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସଙ୍କୁ ଗତକାଲି ରାତିରେ ଭେଟିଛନ୍ତି  । ବଡୋଦରାରେ କାଲି ରାତିରେ ହୋଇଥିବା ଏହି ଭେଟଘାଟରେ ସରକାର ଗଠନ ନେଇ ଚର୍ଚ୍ଚା ହୋଇଥିଲା  ।

ଏହି ଭେଟଘାଟ ଏପରି ସମୟରେ ହୋଇଛି ଯେତବେଳେ ଉଦ୍ଧବ ଏକନାଥଙ୍କ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରିବା ଆରମ୍ଭ କରିଛନ୍ତି । ଅବଶ୍ୟ ଉଦ୍ଧବଙ୍କ ପାଖରେ ବିଧାୟକଙ୍କ ସଂଖ୍ୟା କମ୍ ଅଛି କିନ୍ତୁ ଦଳ ଉପରେ ନିଜର ଅଧିକାର ସାବ୍ୟସ୍ତ କରିବାରେ ସଫଳ ହେଉଛନ୍ତି  । ଶିବସେନାର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଶନିବାର ବସିଥିଲା  । ଯେଉଁଥିରେ ଉଦ୍ଧବଙ୍କୁ ବିଦ୍ରୋହୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଅଧିକାର ଦିଆଯାଇଛି  । ଏହା ବ୍ୟତୀତ ତାଙ୍କ ନେତୃତ୍ୱ ଉପରେ ଦଳର ପଦାଧିକାରୀ ବିଶ୍ବାସ ପ୍ରକଟ କରିଛନ୍ତି  ।

ଖବର ମୁତାବକ, ଏକନାଥ ସିନ୍ଦେ ସ୍ୱତନ୍ତ୍ର ବିମାନ ଜରିଆରେ ବଡୋଦରା ଯାଇ ଫଡନବୀସଙ୍କୁ ଭେଟିଥିଲେ  । ତେବେ ସବୁଠୁ ବଡ କଥା ହେଉଛି ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଗତକାଲି ବଡୋଦରାରେ ଉପସ୍ଥିତ ଥିଲେ  । ବୈଠକରେ ସାମିଲ ହୋଇଛନ୍ତି କି ନାହିଁ ସେ ବିଷୟରେ କୌଣସି ତଥ୍ୟ ମିଳିନାହିଁ  । ସୂଚନାଯୋଗ୍ୟ, ବିଦ୍ରୋହୀ ଏକନାଥ ସିନ୍ଦେ କିଛି ଦିନ ପୂର୍ବେ କହିଥିଲେ, ଆମେ ଏକ ରାଷ୍ଟ୍ରୀୟ ଦଳ ସହ ସମ୍ପର୍କରେ ଅଛୁ  । କିନ୍ତୁ ପରେ ପୁଣିଥରେ ଏହି ବୟାନ ବଦଳାଇଥିଲେ  । ପୁଣି ଏବେ ବିଜେପି ସହ ମେଣ୍ଟ ଖବର ସାମ୍ନାକୁ ଆସିଛି  । ୪୦ରୁ ଉର୍ଦ୍ଧ୍ୱ ବିଧାୟକଙ୍କ ସହ ଗୌହ୍ୱାଟିର ଏକ ହୋଟେଲରେ ଅଛନ୍ତି ସିନ୍ଦେ  ।

କାଲିଠୁ ଦୁବାଇ ଯାତ୍ରା: ମଧ୍ୟପ୍ରାଚ୍ୟ ପୁଞ୍ଜିପତିଙ୍କୁ ଓଡ଼ିଶା ଆସିବାକୁ ଆମନ୍ତ୍ରଣ କରିବେ ନବୀନ

ରୋମ: ଆଜି ସରୁଛି ରୋମ ରହଣୀ, କାଲିଠୁ ଦୁବାଇ ଯାତ୍ରା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୬ ତାରିଖରେ ଦୁବାଇରେ ପହଞ୍ଚିବେ । ୨୯ ତାରିଖରେ ମଧ୍ୟ-ପ୍ରାଚ୍ୟର ପୁଞ୍ଜିପତିମାନଙ୍କ ସହ ରାଜ୍ୟରେ ପୁଞ୍ଜିନିବେଶ ନେଇ ଆଲୋଚନା କରିବେ । ଦୁବାଇ ରାଜରାସ୍ତାରେ ମେକ୍-ଇନ୍-ଓଡ଼ିଶାର ହୋର୍ଡିଂ ବି ଲାଗିଲାଣି । ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟରେ ପୁଞ୍ଜିନିବେଶ କରିଥିବା ଶିଳ୍ପପତିଙ୍କ ଏକ ଟିମ୍ ମଧ୍ୟ ବୈଠକରେ ଯୋଗ ଦେବେ । ପେଟ୍ରୋ-କେମିକାଲ, ପେଟ୍ରାଲିୟମ କ୍ଷେତ୍ରରେ ଆନ୍ସିଲାରି ଇଣ୍ଡଷ୍ଟ୍ରୀ ସହ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଉପରେ ରହିଛି ଫୋକସ । ଏପଟେ ୟୁରୋପରେ ପ୍ରବାସୀ ଓଡ଼ିଆଙ୍କୁ 5T ସଚିବ ବିଗତ ଦୁଇ ଦଶନ୍ଧୀରେ ଓଡ଼ିଶାରେ ଆସିଥିବା ପରିବର୍ତ୍ତନ ବିଷୟରେ ବୁଝାଇଥିବା ବେଳେ ମୁଖ୍ୟମନ୍ତ୍ରୀ ଏମାନଙ୍କ ସହ କରିଛନ୍ତି ଭାବ ବିନିମୟ ।

ବିଦେଶ ଗସ୍ତରେ ଥାଇ ବି ଚାଲିଛି ସରକାରୀ କାମ । ଲାପଟପରେ ଓସୱାସ ପୋର୍ଟାଲରେ ଚାଲିଛି ସରକାରୀ କାମ ଓ ଦୁବାଇ ପୁଞ୍ଜିତପତି ସମ୍ମିଳନୀ ପାଇଁ ପ୍ରସ୍ତୁତି । ରୋମରେ ଖାଦ୍ୟ ସୁରକ୍ଷା ଓ ବିପର୍ଯ୍ୟୟ ମୁକାବିଲା ପାଠ ପଢାଇବା ପରେ ଏବେ ଦୁବାଇ ଗସ୍ତ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଦୁବାଇରେ ହେବ ମେକ୍ ଇନ୍ ଓଡ଼ିଶା କନକ୍ଲେଭ । ୨୯ ତାରିଖରେ ମଧ୍ୟପ୍ରାଚ୍ୟର ପୁଞ୍ଜିପତିଙ୍କ ସହ ସିଧାସଳଖ କଥା ହେବେ ମୁଖ୍ୟମନ୍ତ୍ରୀ । କରୋନା ସମୟରେ ବି ରାଜ୍ୟରେ ରେକର୍ଡ ପରିମାଣର ପୁଞ୍ଜିନିବେଶ ହୋଇଛି । ଦୁବାଇରେ ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ ସହିତ ପେଟ୍ରୋ କେମିକାଲ୍ସ, ପେଟ୍ରୋଲିୟମ ସେକ୍ଟର ଏବଂ ଡାଉନଷ୍ଟ୍ରିମ ଇଣ୍ଡଷ୍ଟ୍ରୀ ଉପରେ ଫୋକସ ରହିବ । ଓଡ଼ିଶାରେ ଥିବା ଶିଳ୍ପ ବାତାବରଣ, ଲ୍ୟାଣ୍ଡ ବ୍ୟାଙ୍କ, ଇନଭେଷ୍ଟମେଣ୍ଟକୁ ଗ୍ରାଉଣ୍ଡ ଜିରୋରେ ରୂପାୟନ ପର୍ଯ୍ୟନ୍ତ ସରକାରଙ୍କ ସହଜ ଓ ସମୟ ଉପଯୋଗୀ ବ୍ୟବସ୍ଥା ବାବଦରେ ମୁଖ୍ୟମନ୍ତ୍ରୀ ଓ ଟିମ୍ ଓଡ଼ିଶା ପୁଞ୍ଜପତିଙ୍କ ସହ ଆଲୋଚନା କରିବେ ।

୨୬ ତାରିଖରେ ରୋମରୁ ଦୁବାଇ ବାହାରିବେ ମୁଖ୍ୟମନ୍ତ୍ରୀ । ରୋମ ରହଣୀରେ ୟୁରୋପରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସହ ମନ ଖୋଲି କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । କାହାର ସଂଘର୍ଷପୂର୍ଣ୍ଣ କାହାଣୀ ଶୁଣି ଭାବବିହ୍ବଳ ହୋଇଛନ୍ତି ତ ପୁଣି କାହାର ସଫଳତାକୁ ନେଇ ଖୁସି ପ୍ରକାଶ କରିଛନ୍ତି । ଏହି ସମୟରେ ଗତ ୨୨ ବର୍ଷରେ ଓଡ଼ିଶାରେ ଆସିଥିବା ରୂପାନ୍ତରଣ ନେଇ ପ୍ରବାସୀ ଓଡ଼ିଆଙ୍କୁ ଅବଗତ କରିଛନ୍ତି 5T ସଚିବ ଭି.କେ.ପାଣ୍ଡିଆନ । ଖାଦ୍ୟ ନିରାପତ୍ତା, ବିପର୍ଯ୍ୟୟ ପରିଚାଳନା, ମହିଳା ସଶକ୍ତୀକରଣ, ଶିକ୍ଷା ଓ ସ୍ବାସ୍ଥ୍ୟ ଭିତ୍ତିଭୂମି ଉପରେ ଓଡ଼ିଶାରେ ଯେଉଁ ପରିବର୍ତ୍ତନ ଆସିଛି, ସେ ବିଷୟରେ କହିଛନ୍ତି  5T ସଚିବ ।

ଜୁନ ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ଦୁବାଇରୁ ଦିଲ୍ଲୀ ଫେରି ସେହି ଦିନ ରାତିରେ ଭୁବନେଶ୍ବର ଫେରିବାର କାର୍ଯ୍ୟକ୍ରମ ରହିଛି ।

ଶେଷଙ୍କ ସେଇ କେଇ ପଦ କଥା ନବୀନଙ୍କ ଆଖିରେ ଭରି ଦେଲା ଖୁସିର ଲୁହ

ରୋମ: ୪ବର୍ଷ ପରେ ପୁଣି ସେଇ ସ୍ମୃତି । ସେତେବେଳେ ସଂଘର୍ଷ ଭାବବିହ୍ବଳ କରିଥିଲା, ଆଉ ଆଜି ସଫଳତା ଆଖିରେ ଖୁସିର ଲୁହ ଆଣିଛି । ଏ କାହାଣୀ ନବୀନ ଓ ଶେଷ କିଶାନଙ୍କର । ସମ୍ବଲପୁର ନାକଟିଦେଉଳର ଶେଷ କିଶାନ । ଖୁବ୍ କମ୍ ବୟସରୁ ହିଁ ମୁଣ୍ଡ ଉପରୁ ବାପାମାଆଙ୍କ ହାତ ଉଠି ଯାଇଥିଲା, ବାଟ ଓଗାଳିଥିଲା ଗରିବୀ । ହେଲେ ସଫଳତାର ଜିଦ୍ ଶେଷଙ୍କୁ ଶ୍ରେଷ୍ଠ କରିଛି । ଆଉ ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶ୍ରେୟ ଦେଇଛନ୍ତି । ରୋମରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଭାବକ କହିବା ବେଳେ କୋହ ସମ୍ଭାଳି ପାରିନଥିଲେ ନବୀନ ।

ପୂର୍ବରୁ ନଲେଜ ହବ୍ ଲେକଚରରେ ଶେଷ କିଷାନ କହିଥିଲେ ସଂଘର୍ଷର କାହାଣୀ । ଗରିବୀରୁ ଗବେଷଣା, ସଂଘର୍ଷରୁ ଶ୍ରେଷ୍ଠ । ଦାରିଦ୍ର୍ୟ ତାଡ଼ନା ଭିତରେ ଜୀବନ ଯୁଦ୍ଧର କାହାଣୀ ଶୁଣି ସେଦିନ ନବୀନ ବି ଭାବବିହ୍ବଳ ହୋଇଯାଇଥିଲେ । ଆଉ ୪ବର୍ଷ ପରେ ଶେଷଙ୍କ କଥା ନବୀନଙ୍କ ଆଖିରେ ଲୁହ ଭରି ଦେଇଛି । ହେଲେ ଏଥର ଖୁସିର ଲୁହ, ସନ୍ତୋଷର ଲୁହ । ନିଜ ସଫଳତା ପାଇଁ ନବୀନଙ୍କୁ ଶ୍ରେୟ ଦେଇଛନ୍ତି ଶେଷ କିଶାନ । ଆଉ ତାଙ୍କର କେଇ ପଦ କଥା ନବୀନଙ୍କ ପରି ଶକ୍ତ ନେତାଙ୍କ ଆଖିରେ ଲୁହ ଆଣି ଦେଇଥିଲା ।

ସମ୍ବଲପୁରରୁ ଜର୍ମାନ, ସହଜ ନଥିଲା ସଂଘର୍ଷ । ଶେଷଙ୍କ ସଫଳତା କାହାଣୀର ନାୟକ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାପାମାଆ ଛେଉଣ୍ଡ ଶେଷଙ୍କ ପାଇଁ ନବୀନ ସାଜିଥିଲେ ପ୍ରେରଣାର ସ୍ରୋତ । ପ୍ରତିଭାକୁ ବଣମଲ୍ଲୀ ଭାବେ ମଉଳିବାକୁ ଦେଇନଥିଲେ ନବୀନ । ଶେଷଙ୍କୁ ଶ୍ରେଷ୍ଠ ହେବା ପାଇଁ ସୁଯୋଗ ଦେଲେ, ସହଯୋଗ କଲେ । ବିଦେଶରେ ଗବେଷଣା କରୁଛନ୍ତି ଶେଷ । ଓଡ଼ିଶାକୁ ଇଣ୍ଡଷ୍ଟ୍ରିଆଲ୍ ହବ୍ କରିବାର ସ୍ବପ୍ନ ଦେଖୁଛନ୍ତି । ତାଙ୍କ ଆଖିରେ ସ୍ବପ୍ନ ଭରିଥିବା ନବୀନଙ୍କୁ ଦେଇଛନ୍ତି ଶ୍ରେୟ ।

୨୦୧୮ ମସିହାରେ ମୁଖ୍ୟମନ୍ତ୍ରୀଙ୍କୁ ଶେଷ ଥର ଭେଟିଥିଲେ କିଶାନ । ହାତରେ ନୋକିଆ ଫୋନ୍ ବଦଳରେ ନବୀନ ବଢାଇଥିଲେ ଆଇଫୋନ୍ । ଘର କରିବା ପାଇଁ ସହଯୋଗ ଯୋଗାଇଥିଲେ । ଏସବୁ ବଖାଣିବା ସହ ନବୀନଙ୍କୁ ନିଜ ଅଭିଭାବକ କହି ଭାବପ୍ରବଣ ହୋଇଥିଲେ ଶେଷ କିଶାନ । ଉଭୟଙ୍କ ଆଖି ଛଳଛଳ ହୋଇଯାଇଥିଲା ।

ଶେଷ ଓ ନବୀନଙ୍କ ଏହି ଭେଟରୁ ବିଶ୍ବ ଜାଣିଲା ନବୀନଙ୍କ ବଡ଼ ପଣ । ଗରିବ ଗଳିରୁ ବାହାରି ଜର୍ମାନରେ ଗବେଷଣା କରୁଛନ୍ତି ଶେଷ । ତାଙ୍କୁ ଦେଖିବା ପରେ ଫାଇଭ୍ ଟି ସଚିବ ଭଲମନ୍ଦ ପଚାରି ବୁଝିଥିଲେ । ଓଡ଼ିଶା ଆସି ରାଜ୍ୟବାସୀଙ୍କ ଋଣ ଶୁଝିବାକୁ ଲକ୍ଷ୍ୟ ରଖିଛନ୍ତି ଶେଷ କିଶାନ ।

ସାମାଜିକ କର୍ମୀ ତୀସ୍ତା ସିତଲୱାଡଙ୍କୁ ଗିରଫ କଲା ଏଟିଏସ୍

ମୁମ୍ବାଇ: ସାମାଜିକ କର୍ମୀ ତୀସ୍ତା ସିତଲୱାଡଙ୍କୁ ମୁମ୍ବାଇରୁ ଗିରଫ କରିଛି ଗୁଜୁରାଟ ଏଟିଏସ୍  । ୨୦୦୨ ଗୁଜୁରାଟ ଦଙ୍ଗା ସମ୍ପର୍କରେ ଭୁଲ୍ ତଥ୍ୟ ଦେଇଥିବାରୁ ଏଟିଏସ୍ ଆଜି ମୁମ୍ବାଇ ଆସି ତାଙ୍କୁ ଗିରଫ କରିଛି  । ଗୁଜୁରାଟ ପୋଲିସର ପୂର୍ବତନ ଡିଜିପି ଆରବି ଶ୍ରୀକୁମାରଙ୍କୁ ମଧ୍ୟ ଗିରଫ କରିଛି ଏଟିଏସ୍  । ଶୁକ୍ରବାର ସୁପ୍ରିମକୋର୍ଟ ୨୦୦୨ ଗୁଜୁରାଟ ଦଙ୍ଗା ମାମଲାରେ ଏସ୍ଆଇଟିର କ୍ଲିନଚିଟ୍ ରିପୋର୍ଟକୁ କାଏମ ରଖିଥିଲେ । ତତକାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କ୍ଲିନଚିଟ୍ ଦେଇଥିବା ଏସଆଇଟି ରିପୋର୍ଟକୁ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା  । ଏହି ଆବେଦନ ଜାକିୟା ଜାଫରି କରିଥିଲେ  । ଗୁଜୁରାଟ ଦଙ୍ଗାରେ ତାଙ୍କ ସ୍ୱାମୀ ଏହସାନ ଜାଫରିଙ୍କର ମୃତ୍ୟୁ ହୋଇଥିଲା  ।

କୋର୍ଟ ଏହି ମାମଲାରେ କହିଥିଲେ, ମାମଲାରେ ସାଥି ଆବେଦନକାରୀ ସିତଲଭାଡ ଜାକିୟା ଜାଫରିଙ୍କ ଭାବନା ସହ ଖେଳିଛନ୍ତି  । କୋର୍ଟ ତୀସ୍ତାଙ୍କ ଭୂମିକାର ଯାଞ୍ଚ କରିବାକୁ କହିଥିଲେ  । କୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏଟିଏସ୍  ।  ଗୁଜୁରାଟ ଦଙ୍ଗା ମାମଲାରେ ଅହମ୍ମଦାବାଦ କ୍ରାଇମବ୍ରାଞ୍ଚ ତିସ୍ତା ସିତଲଭାଡ, ପୂର୍ବତନ ଆଇପିଏସ୍ ସଞ୍ଜୀବ ଭଟ୍ଟ ଏବଂ ଗୁଜୁରାଟର ପୂର୍ବତନ ଡିଜିପି ଆରବୀ ଶ୍ରୀକୁମାରଙ୍କ ବିରୋଧରେ ଭୁଲ ଦସ୍ତାବିଜ ବନାଇ ଷଡଯନ୍ତ୍ର କରୁଥିବାକୁ ନେଇ ମାମଲା ରୁଜୁ କରିଛି  । ସଞ୍ଜୀବ ଭଟ୍ଟ ପୂର୍ବରୁ ଜେଲରେ ଅଛନ୍ତି  । ଯେତବେଳେ କି ଅନ୍ୟ ଦୁଇଜଣଙ୍କୁ ଆଜି ଗିରଫ କରାଯାଇଛି  ।

ବାୟୁ ପ୍ରଦୂଷଣ କାରଣରୁ ହ୍ରାସ ପାଉଛି ବୟସ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ପ୍ରଦୂଷଣ ଏକ ମୁଖ୍ୟ ସମସ୍ୟା ଭାବେ ବିଶ୍ୱ ଆଗରେ ଉଭା ହୋଇଛି  । ପ୍ରତିବର୍ଷ ବାୟୁରେ ପ୍ରଦୂଷଣର ମାତ୍ରା ବଢିବାରେ ଲାଗିଛି  । ବିଶ୍ୱ ନେତୃତ୍ୱମାନେ ଏହାକୁ ଗମ୍ଭୀରତାର ସହ ନେଇ ପରିବେଶ ଉପଯୋଗୀ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଉଛନ୍ତି  । ନିକଟରେ ଏକ ସର୍ଭେରୁ ଜଣାପଡିଛି ଯେ ଭାରତରେ ଦ୍ରୁତ ଗତିରେ ପ୍ରଦୂଷଣ ମାତ୍ରା ବଢୁଛି  ।

ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ (ଏକ୍ୟୁଏଲଆଇ)ର ଏକ ରିପୋର୍ଟ ଅନୁଯାୟୀ ଉତ୍ତର ଭାରତରେ ରହୁଥିବା ୫୦ କୋଟିରୁ ଅଧିକ ଲୋକ ବାୟୁ ପ୍ରଦୂଷଣ କାରଣରୁ ବୟସ ସୀମା ହ୍ରାସର ଶିକାର ହୋଇପାରନ୍ତି  । ଜୀବନରୁ ୭.୬ ବର୍ଷ ବୟସ ହରାଇପାରନ୍ତି  । ଯଦି ବାୟୁପ୍ରଦୂଷଣ ଏହିଭଳି ଭାବେ ବଢିଚାଲେ ତେବେ ଏହା ମନୁଷ୍ୟ ଜୀବନ ପାଇଁ ବଡ ବିପଦ ପ୍ରମାଣିତ ହୋଇପାରେ । ଚିକାଗୋ ବିଶ୍ୱବିଦ୍ୟାଳୟର ଶକ୍ତି ନୀତି ସଂସ୍ଥା (ଇପିଆଇସି)ର ଗବେଷକଙ୍କ ମୁତାବିକ ୨୦୧୩ ମସିହାରୁ ସାରା ବିଶ୍ୱରେ ପ୍ରଦୂଷଣ ମାତ୍ରାରେ ୪୪ ପ୍ରତିଶତ ବୃଦ୍ଧି କେବଳ ଭାରତରେ ହୋଇଛି  । ୧୯୯୮ ପରଠୁ ଭାରତର ହାରାହାରି ବାର୍ଷିକ ପ୍ରଦୂଷଣରେ ୬୧.୪ ପ୍ରତିଶତ ବୃଦ୍ଧି ଘଟିଛି  ।

ସେହିପରି ଏକ୍ୟୁଏଲଆଇର ନୂଆ ବିଶ୍ଲେଷଣ ଅନୁସାରେ, ବାୟୁ ପ୍ରଦୂଷଣ ଭାରତୀୟଙ୍କ ଜୀବନ ସୀମାକୁ ୫ ବର୍ଷ ପର୍ଯ୍ୟନ୍ତ କମ୍ କରିଦେଉଛି  । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିର୍ଦ୍ଦେଶାବଳୀ ଠାରୁ ବାର୍ଷିକ ହାରାହାରି ବାୟୁ ପ୍ରଦୂଷଣ ଅଧିକ ରହିଛି  । ୬୩ ପ୍ରତିଶତରୁ ଅଧିକ ଜନସଂଖ୍ୟା ସେହିଠାରେ ରହୁଛନ୍ତି ଯେଉଁଠି ଭାରତର ଜାତୀୟ ବାୟୁ ଗୁଣବତ୍ତା ମାନ ୪୦ ଗ୍ରାମ/ଏମ ୩ଠାରୁ ଅଧିକ ଅଛି । ସମସ୍ତଙ୍କୁ ମିଳିମିଶି ପ୍ରଦୂଷଣ ବିରୋଧରେ ଅଧିକ ମଜବୁତର ସହକାରେ ଲଢିବାକୁ ହେବ ବୋଲି ଅନେକ ପରିବେଶବିତ୍ ଆହ୍ୱାନ ଦେଇଛନ୍ତି  ।

ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଆସିବ ରାହୁଲ

ଚମ୍ପା: ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ରାହୁଲ ପାଇଛି ନୂଆ ଜୀବନ । ତାଙ୍କ କୃପାରୁ ୮୦ ଫୁଟ ଗଭୀର ବୋରଓ୍ବେଲରୁ ସୁରକ୍ଷିତ ଉଦ୍ଧାର ପାଇ ଘରକୁ ଫେରିଛି । ସେହି ମହାପ୍ରଭୁଙ୍କ ଦର୍ଶନରୁ ପୁଣି ଥରେ ଜୀବନ ରଥରେ ଆଗକୁ ବଢ଼ିବ ରାହୁଲ । ଏଥିପାଇଁ ପୂରା ପରିବାର ସହ ଶ୍ରୀଜିଉଙ୍କ ଦର୍ଶନ ପାଇଁ ପୁରୀ ଆସିବ ରାହୁଲ । ନନ୍ଦିଘୋଷ ଟିଭିକୁ ଏହି ସୂଚନା ଦେଇଛନ୍ତି ରାହୁଲଙ୍କ ବାପା ରାମକୁମାର ସାହୁ । ରାହୁଲ ଆଜି ମେଡିକାଲରୁ ଡିସଚାର୍ଜ ହୋଇ ଘରେ ପହଞ୍ଚିବା ପରେ ଭାବବିହ୍ବଳ ହୋଇ ଯାଇଥିଲେ ରାମକୁମାର । ମହାପ୍ରଭୁ ଜଗନ୍ନାଥ ରାହୁଲଙ୍କୁ ଉଦ୍ଧାର କରିଥିବାରୁ ପ୍ରଥମେ ତାଙ୍କ ଦର୍ଶନ କରିବେ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ବିଳାସପୁରର ଆପୋଲ ହସ୍ପିଟାଲରୁ ଆଜି ଡିସଚାର୍ଜ ହୋଇ ନିଜ ଗାଁ ପିହିରିଦକୁ ଫେରିଛି ରାହୁଲ । ଗାଁରେ ତାକୁ ଭବ୍ୟ ସ୍ବାଗତ କରାଯାଇଥିଲା । ଗାଁ ଲୋକେ ତାକୁ ପେଛୋଟି ନେଇଥିଲେ । ସ୍ଥାନେ ସ୍ଥାନେ ରାହୁଲକୁ ଲୋକେ ଉପହାର ପ୍ରଦାନ କରିଥିବା ବେଳେ ତା’ ଦୀର୍ଘ ଜୀବନ କାମନା କରିଥିଲେ । ଗାଁ ଲୋକେ ମୃଦଙ୍ଗ, ଝାଞ୍ଜ, ଖଞ୍ଜଣୀ ବଜାଇ ବାଣ ଫୁଟାଇ ରାହୁଲକୁ ପେଛୋଟି ନେଇଥିଲେ ।

ରଥଯାତ୍ରା: ୧୮୦ ପ୍ଲାଟୁନ ପୋଲିସ ଫୋର୍ସଙ୍କ ସୁରକ୍ଷା ବଳୟରେ ରହିବ ପୁରୀ

ପୁରୀ: ଆସୁଛି ଶ୍ରୀଜିଉଙ୍କ ରଥଯାତ୍ରା । ଚଳଚଞ୍ଚଳ ରଥଖଳା । ତ୍ବରିତ ବେଗରେ ଚାଲିଛି ରଥକାମ । ସ୍ନାନଯାତ୍ରା ପରଠାରୁ ଅସୁସ୍ଥ ଶ୍ରୀଜିଉ ସୁସ୍ଥ ହୋଇଛନ୍ତି । ଦେବ ବୈଦ୍ୟଙ୍କ ଔଷଧ ଲାଗି ପରେ ଜ୍ବର ଭଲ ହୋଇଛି । ଏପଟେ ଶ୍ରୀଜିଉଙ୍କ ରଥଯାତ୍ରା ପାଇଁ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଶୃଙ୍ଖଳିତ ଓ ସୁରକ୍ଷିତ ରଥଯାତ୍ରା ପାଇଁ ପୁରୀରେ ୧୮୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବ । ଏନେଇ ସୂଚନା ଦେଇଛନ୍ତି ଏସପି କନଓ୍ବର ବିଶାଳ ସିଂ ।

ସେ କହିଛନ୍ତି, ‘ଶ୍ରୀମନ୍ଦିର, ଗୁଣ୍ଡିଚା ମନ୍ଦିର ସମେତ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ୫୦ରୁ ଅଧିକ ସିସିଟିଭି କ୍ୟାମେରା ଲଗାଯିବା କାମ ଚାଲିଛି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି କାନ୍ତି, ସେବାୟତ ଓ ପୋଲିସ ପ୍ରଶାସନ ମଧ୍ୟରେ ସମନ୍ବୟ, ଭକ୍ତଙ୍କ ସୁରକ୍ଷା ଓ ସୁବିଧା, ଟ୍ରାଫିକ ନିୟନ୍ତ୍ରଣ, ଜନଗହଳି ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ପୋଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଛି।’

ଆଗକୁ ସେ କହିଛନ୍ତି, ‘ରଥଯାତ୍ରା ସମୟରେ ଆମ୍ବୁଲାନ୍ସ ଓ ଜରୁରୀକାଳୀନ ପରିସ୍ଥିତି ପାଇଁ ଗ୍ରୀନ୍ କରିଡୋର ସୃଷ୍ଟି କରାଯିବ । ରଥଯାତ୍ରା ପୂର୍ବଦିନ ଜନଗହଳି ହେଲେ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ଏହାକୁ ନିୟନ୍ତ୍ରଣ କରାଯିବ । ଶ୍ରୀଗୁଣ୍ଡିଚା ଦିନ ପହଣ୍ଡିଠାରୁ ଆରମ୍ଭ କରି ରଥଟଣା ଓ ରଥ ଲାଗିବା ପର୍ଯ୍ୟନ୍ତ ପ୍ରତ୍ୟେକଟି ବ୍ୟବସ୍ଥାକୁ ସୁରୁଖୁରୁରେ ଶେଷ କରିବା ପାଇଁ ପୋଲିସ ପ୍ରଶାସନ ପ୍ରସ୍ତୁତ ଅଛି ।’

ରଥଯାତ୍ରା ସମୟରେ ଟ୍ରାଫିକ ବ୍ୟବସ୍ଥାର ସୁପରିଚାଳନା ପାଇଁ ସ୍ବତନ୍ତ୍ର ପ୍ଲାନ ହେବା ସହ ପାର୍କିଂ ସ୍ଥାନ ଗୁଡିକରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଯେଭଳି ଶୋଷଣର ଶିକାର ନହେବେ ଏଥିପ୍ରତି ଗୁରୁତ୍ବ ଦିଆଯିବ । ବିଶେଷ କରି ପୁରୀ ସହରବାସୀ, ବୟସ୍କ, ଗର୍ଭବତୀ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଯୋଜନା କରାଯାଇଥିବା ଏସପି କହିଛନ୍ତି ।

ରାଜଧାନୀରୁ ବିପୁଳ ପରିମାଣର ବ୍ରାଉନସୁଗର ଜବତ, ଜଣେ ଗିରଫ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ଵର ଉପକଣ୍ଠ ଉତ୍ତରା ଛକରୁ ବିପୁଳ ପରିମାଣର ବ୍ରାଉନସୁଗର ଜବତ କରିଛି ଅବକାରୀ ବିଭାଗ । ପୁରୀ ରୁ ଅଟୋ ଯୋଗେ ଭୁବନେଶ୍ୱର କୁ ହେଉଥିଲା ଚୋରା ଚାଲାଣ। ଉତ୍ତରା ଛକ ନିକଟରେ ଏକ ଅଟୋ ଉପରେ ଅତର୍କିତ ଚଢାଉ କରି ବିପୁଳ ପରିମାଣର ବ୍ରାଉନସୁଗାର ଓ ଅଟୋ ଜବତ କରିଛି ପୁରୀ ଅବକାରୀ ବିଭାଗ  । ପ୍ରାୟ ୩୦୦ ଗ୍ରାମର ବ୍ରାଉନସୁଗର ଜବତ ହୋଇଛି  ଏବଂ ଏହାର ଆନୁମାନିକ ମୂଲ୍ୟ ୩୦ଲକ୍ଷ ଟଙ୍କା ହୋଇଥିବା କୁହାଯାଉଛି  ।

ଆଜି ସକାଳ ଭୋର୍ ୬ ଟା ସମୟରେ  ଜଣେ ବ୍ୟକ୍ତି ଏକ ଅଟୋ ଯୋଗେ ବିପୁଳ ପରିମାଣର ବ୍ରାଉନ ସୁଗାର ନେଇ ଆସୁଥିଲେ  । କୌଣସି ସୂତ୍ରରୁ ଖବର ପାଇ ପୁରୀ ଅବକାରୀ ବିଭାଗ ଉତ୍ତରା ଛକରେ ଅତର୍କିତ ଚଢାଉ କରିଥିଲା  । ଚଢାଉ ବେଳେ ଅଟୋ ରୁ ବ୍ରାଉନସୁଗାର ଜବତ ସହ ଜଣକୁ ଅଟକ ରଖାଯାଇଛି  । ଆନ୍ତଃରାଜ୍ୟ ଚୋରାଚାଲାଣକାରୀ ଖୋକନ ଦାସ ଗିରଫ ହୋଇଛି  । ଅନ୍ୟଜଣେ ଖସିଯିବା ରେ ସକ୍ଷମ ହୋଇଥିବା ସୂଚନା  ।

୧୬ ବିଦ୍ରୋହୀ ବିଧାୟକଙ୍କୁ ନୋଟିସ୍

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ ଲଗାତାର ଟ୍ୱିଷ୍ଟ ଦେଖିବାକୁ ମିଳୁଛି  । ଶିବସେନାଠୁ ଅଲଗା ହୋଇ ଏକନାଥ ସିନ୍ଦେ ସରକାରଙ୍କ ବିରୋଧରେ ଲଗାତାର ଶକ୍ତି ପ୍ରଦର୍ଶନ କରୁଛନ୍ତି  । ନୂଆ ଦଳ ଗଢ଼ି ସରକାର ଗଢିବାକୁ ଋଣନୀତି କରୁଛନ୍ତି । ଏପଟେ ସମସ୍ତ ପ୍ରକାର ସ୍ଥିତିର ମୁକାବିଲା କରିବା ପାଇଁ ଶିବସେନା ବିଦ୍ରୋହୀଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି  ।

ଆଜି ମଧ୍ୟାହ୍ନରେ ଶିବସେନା ଭବନରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା  । ଏହି ଅବସରରେ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ବଡ ବୟାନ ଦେଇଛନ୍ତି  । ସେ କହିଛନ୍ତି ବିଦ୍ରୋହୀ ବିଧାୟକଙ୍କ ମାମଲାରେ ସେ ଦଖଲ ଦେବେନି  । ସେମାନେ ନିଜ ନିଷ୍ପତ୍ତି ନିଜେ ନିଅନ୍ତୁ, କିନ୍ତୁ କେହି ବି ବାଲାସାହେବ ଠାକରେଙ୍କ ନାଁକୁ ବ୍ୟବହାର କରିପାରିବେ ନାହିଁ  ।

ଅବଶ୍ୟ ଶିବସେନା କାର୍ମକର୍ତ୍ତା ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ କରିଥିଲେ  । ଶିବସୈନିକମାନେ ଖାରଘରରେ ଦଳୀୟ କାର୍ଯ୍ୟାଳୟ ବାହାରେ ଏକନାଥ ସିନ୍ଦେଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି  । ଅନ୍ୟପକ୍ଷରେ ମୁମ୍ବାଇ ପୋଲିସ ଶହରରେ ୧୪୪ ଧାରା ଲାଗୁ କରିଛି  । ଡେପୁଟି ସ୍ପିକର ଏକନାଥ ସିନ୍ଦେ ଶିବିରର ୧୬ ବିଧାୟକଙ୍କୁ ସଦସ୍ନୋୟତା ରଦ୍ଦ ନୋଟିସ୍ ଜାରି କରିଛନ୍ତି  । ଏଥିସହିତ ଏହି ବିଧାୟକମାନଙ୍କୁ ସୋମବାର ସୁଦ୍ଧା ଲିଖିତ ଜବାବ ଦାଖଲ କରିବାକୁ କହିଛନ୍ତି  ।