ଭାରତରେ ଆଡମିଶନ କରିପାରିବେ ନାହିଁ ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀ

ନୂଆଦିଲ୍ଲୀ:କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା  । ଭାରତରେ ଆଡମିଶନ କରିପାରିବେ ନାହିଁ ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀ  ।  ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର  । ଯେଉଁ ଛାତ୍ରଛାତ୍ରୀ  ୟୁକ୍ରେନରେ ଡାକ୍ତରୀ ଅଧ୍ୟୟନ ଛାଡି ଆସିଛନ୍ତି, ସେମାନଙ୍କୁ ଭାରତରେ ଆଡମିଶନ୍ ମିଳିବ ନାହିଁ  । ଛାତ୍ରମାନେ ୟୁକ୍ରେନରେ ନିଜର କଲେଜରୁ ଅନୁମତି ନେଇ ଅନ୍ୟ ଦେଶର ବିଶ୍ୱ ବିଦ୍ୟାଳୟକୁ ଟ୍ରାନ୍ସଫର କରିବାର ବିକଳ୍ପ ଚୟନ କରିପାରିବେ । ଏଭଳି ଏକ ପଦକ୍ଷେପ କେନ୍ଦ୍ର ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଜଣାଇଛନ୍ତି  ।

ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର କହିଛନ୍ତି, ନିଟରେ ଖରାପ ସ୍କୋର କିମ୍ବା ଫି’ ଶସ୍ତା କାରଣରୁ ଛାତ୍ରଛାତ୍ରୀ ୟୁକ୍ରେନରେ ମେଡିକାଲ କଲେଜ ଚୟନ କରିଥିଲେ । ଯଦି ନିଟରେ କମ୍ କରିଥିବା ଛାତ୍ରଛାତ୍ରୀଙ୍କୁ ଭାରତର ବିଶ୍ୱ ବିଦ୍ୟାଳୟରେ ପଢ଼ିବାର ସୁଯୋଗ ଦିଆଯାଏ ତେବେ ପୂର୍ବରୁ ପଢ଼ୁଥିବା ଛାତ୍ରଛାତ୍ରୀ ଆପତ୍ତି କରିପାରନ୍ତି ବୋଲି କେନ୍ଦ୍ର ସରକାର କହିଛନ୍ତି । ନିଟରେ କମ୍ ସ୍କୋର ଥିବା ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଭାରତୀୟ କଲେଜରେ ନାମ ଲେଖା ପାଇଁ ସୁଯୋଗ ଦିଆଗଲେ ଦେଶର ଡାକ୍ତରୀ ଶିକ୍ଷା ର ମାନଦଣ୍ଡକୁ ପ୍ରଭାବିତ କରିବ ବୋଲି ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର କହିଛି ।

ସୁପ୍ରିମକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ କେନ୍ଦ୍ର ସରକାର କହିଛନ୍ତି ଯେ ୨୦୧୮ରୁ ନିଟ୍‌ ପରୀକ୍ଷା ଆୟୋଜିତ କରାଯାଉଛି । ଏଥିରେ ୫୦ ପ୍ରତିଶତରୁ ଅଧିକ ମାର୍କ ରଖୁଥୁବା ଛାତ୍ରଛାତ୍ରୀ ମେଡିକାଲ କଲେଜରେ ନାମ ଲେଖିବା ପାଇଁ ଯୋଗ୍ୟ ବିବେଚିତ ହୋଇଥାନ୍ତି । କିନ୍ତୁ ଅନେକ ଛାତ୍ର ଛାତ୍ରୀ ନିଟ୍ ପରୀକ୍ଷାରେ କମ୍ ସ୍କୋର କରି ୟୁକ୍ରେନ ବିଶ୍ୱ ବିଦ୍ୟାଳୟରେ ପଢ଼ିଥିଲେ । ଏବେ ସେମାନଙ୍କୁ ଭାରତୀୟ ବିଶ୍ୱ ବିଦ୍ୟାଳୟରେ ସିଟ୍ ଦିଆଯାଇ ପାରିବ ନାହିଁ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ କହିଛି ।

ମିଳିଥିବା ସୂଚନା ମୁତାବକ ପ୍ରାୟ ୨୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ୟୁକ୍ରେନରେ ଡାକ୍ତରୀ ପାଠ ପଢୁଥିଲେ  । ଯେଉଁ ସମୟରେ ଋଷ ଏବଂ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗିଥିଲା । ସେହି ସମୟରେ ପ୍ରାଣ ବଞ୍ଚାଇବାକୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଭାରତ ଆଣାଯାଇଥିଲା  । କେନ୍ଦ୍ର ସରକାରଙ୍କ ପକ୍ଷରୁ ବିମାନର ବନ୍ଦୋବସ୍ଥ କରାଯିବା ସହ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ତୀକ୍ଷ୍ଣ ନଜର ରଖିଥିଲା  ।