୩୦ରେ ସରୁଛି ତାରିଖ, ନମ୍ବର ପ୍ଲେଟ ଲଗାଇ ନାହାନ୍ତି କି ?

1 min read

ନନ୍ଦିଘୋଷ ବ୍ୟୁରୋ: ଆପଣଙ୍କ ଗାଡ଼ି ନମ୍ବରର ଶେଷରେ ୧, ୨, ୩ ଏବଂ ୪ ରହିଛି କି ? ୨୦୧୯ ଏପ୍ରିଲ ୧ତାରିଖ ପୂର୍ବରୁ ପଞ୍ଜିକୃତ ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ନମ୍ବରପ୍ଲେଟ ଲଗାଇ ନାହାନ୍ତି କି ? ତେବେ ତୁରନ୍ତ ଲଗାଇ ଦିଅନ୍ତୁ HSRP । କାରଣ ଏଇ ମାସ ୩୦ତାରିଖରେ ସରୁଛି HSRP ଲଗାଇବାର ସମୟ ସୀମା । ଅକ୍ଟୋବର ୧ତାରିଖରୁ କଡ଼ାକଡ଼ି ହେବ ଯାଞ୍ଚ । ବିଭିନ୍ନ ନମ୍ବର ସିରିଜ ପାଇ ଦିଆଯାଇଥିବା ଶେଷ ତାରିଖ ଅନୁସାରେ ଚାଲାଣ ଜାରି କରାଯିବ ।

ଯୁଗ୍ମ ପରିବହନ କମିଶନରଙ୍କ ସୂଚନା ଅନୁସାରେ ସେପ୍ଚେମ୍ବର ୧୩ତାରିଖ ସୁଦ୍ଧା ୧୦ଲକ୍ଷ ୬୫ହଜାର ୩୧୨ଟି ଗାଡ଼ି ପାଇଁ ସ୍ଲଟ୍ ବୁକିଂ ହୋଇଛି ।ଏଥିରୁ ୫ଲକ୍ଷ ୯୩ହଜାର ୭୧୭ଟି ଗାଡ଼ିରେ ଲାଗିଛି ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ନମ୍ବରପ୍ଲେଟ । ନିର୍ଦ୍ଧାରିତ ତାରିଖ ମଧ୍ୟରେ ଗାଡ଼ି HSRP ସହ ସଂଯୋଗ ନହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସଂପୃକ୍ତ ଗାଡ଼ି ବିରୋଧରେ ଇ-ଚାଲାଣ ଜାରି କରାଯିବ । ୫ରୁ ୧୦ ହଜାର ପର୍ଯ୍ୟନ୍ତ ଜୋରିମାନା ଆଦାୟ କରାଯିବ ।

୨୦୧୯ ଏପ୍ରିଲ ୧ତାରିଖ ପୂର୍ବରୁ ପଞ୍ଜିକୃତ ଗାଡ଼ି ପାଇଁ ଗତ ଜୁନ ପହିଲାରୁ HSRP ବାଧ୍ୟତାମୂଳକ କରାଯାଇଛି । ଯେଉଁମାନଙ୍କର ଗାଡ଼ି ନମ୍ବରର ଶେଷ ଅଙ୍କ ୫ ଓ ୬ ରହିଛି ସେମାନଙ୍କ ପାଇଁ ଶେଷ ସୀମା ରହିଛି ଅକ୍ଟୋବର ୩୧ । ଏହାଛଡ଼ା ଶେଷରେ ୭ ଓ ୮ଅଙ୍କ ରହିଥିଲେ ନଭେମ୍ବର ୩୦ ଓ ୯ ଏବଂ ୦ ରହିଥିଲେ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ନମ୍ବର ପ୍ଲେଟ ବଦଳାଇବାର ଅବଧି ରହିଛି ।