ଆଜି ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଶେଷକୃତ୍ୟ, ସାମିଲ ହେବେ ୫ଶହ ବିଦେଶୀ ଅତିଥି

ନନ୍ଦିଘୋଷ ବ୍ୟୁରୋ: ଆଜି ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଶେଷକୃତ୍ୟ । ଲଣ୍ଡନର ଓ୍ବେଷ୍ଟମିନିଷ୍ଟରରେ ଭାରତୀୟ ସମୟ ଅପରାହ୍ନ ସାଢେ ୩ଟାରେ ହେବ ଅନ୍ତିମ ସଂସ୍କାର। ଏଥିରେ ବିଶ୍ବର ବହୁ ନେତା, ରୟାଲ ଫ୍ୟାମିଲି ସାମିଲ ହେବେ । ମହାରାଣୀ ମହାଯାତ୍ରାରେ ରାଜ ପରିବାର ସଦସ୍ୟ ଏକ ସ୍ବତନ୍ତ୍ର କଳା ରଙ୍ଗର ପୋଷାକ ପିନ୍ଧିବେ । ସକାଳୁ ଶେଷଦର୍ଶନ ପରେ ରାଣୀଙ୍କ ପାର୍ଥିବ ଶରୀରକୁ ଘୋଡାଗାଡ଼ିରେ ଓ୍ବିଣ୍ଡସରରେ ଥିବା ପ୍ରିନ୍ସ ଫିଲିପଙ୍କ କବର ନିକଟକୁ ନିଆଯିବ ।

ସେଠାରେ ଚିରନିଦ୍ରାରେ ଶୋଇଯିବେ ମହାରାଣୀ । ଶେଷକୃତ୍ୟରେ ସାମିଲ ହେବାକୁ ପ୍ରାୟ ୫ଶହ ବିଦେଶୀ ଅତିଥି ନିମନ୍ତ୍ରିତ ହୋଇଛନ୍ତି । ଭାରତ ସମେତ ଆମେରିକା, ବେଲଜିୟମ, ସ୍ପେନ୍, ଜର୍ମାନୀ, ଆୟର୍ଲାଣ୍ଡ, ଇଟାଲୀ ଆଦିର ରାଷ୍ଟ୍ରମୁଖ୍ୟ ଓ ପ୍ରତିନିଧି ସାମିଲ ହେବେ । ତେବେ ସିରିଆ, ଭେନେଜୁଏଲା, ମିଆଁମାର, ଆଫଗାନିସ୍ତାନ, ଋଷ ଓ ବେଲାରୁଷକୁ ନିମନ୍ତ୍ରଣ କରାଯାଇନି ।

ରାଜ ପରିବାର ସଦସ୍ୟଙ୍କ ସମେତ ୨ହଜାରରୁ ଅଧିକ ଲୋକଙ୍କ ଗହଣରେ ହେବ ରାଣୀଙ୍କ ଶେଷକୃତ୍ୟ । ଶେଷକୃତ୍ୟ ପାଇଁ ସାରା ବ୍ରିଟେନରେ ୨ମିନିଟ ନିରବ ପ୍ରାର୍ଥନା କରାଯିବ । ଅନ୍ତିମ ସଂସ୍କାର ଲାଗି ବ୍ରିଟେନ ସରକାର ବ୍ୟାଙ୍କ ଛୁଟି ଘୋଷଣା କରିଛନ୍ତି । ସେହିପରି ସିନେମା ହଲ୍, ସ୍କୁଲ, ସୁପରମାର୍କେଟ ମଧ୍ୟ ବନ୍ଦ ଘୋଷଣା କରାଯାଇଛି । ବିଭିନ୍ନ ସହରରେ ୧୨୫ଟି ସ୍କ୍ରିନରେ ଅନ୍ତିମଯାତ୍ରାର ସ୍କ୍ରିନିଂ କରାଯିବ ।