ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ନିଧନ, ୬୧ ବର୍ଷ ବୟସରେ ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ କଲେ

1 min read

ଭୁବନେଶ୍ୱର: ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀଙ୍କ ପରଲୋକ । ଭୁବନେଶ୍ବର ଏମସରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମାତ୍ର ୬୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି । ଧାମନଗର ବିଜେପି ବିଧାୟକ ଥିଲେ ବିଷ୍ଣୁ ସେଠୀ । କିଡନୀ ରୋଗରେ ପୀଡ଼ିତ ହୋଇ ICUରେ ଭର୍ତ୍ତି ହୋଇଥିଲେ । ପ୍ରାୟ ଏକମାସ ହେବ ତାଙ୍କର ଚିକିତ୍ସା ଚାଲିଥିଲା । ହେଲେ ଆଜି ସକାଳ ୭ଟା ୪୫ ମିନିଟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ମୃତ୍ୟୁ ନେଇ ମେଡିକାଲ ଅତିରିକ୍ତ ସୁପରିଟେଣ୍ଡେଣ୍ଟ ପ୍ରଭାତ ରଞ୍ଜନ ତ୍ରିପାଠୀ ସୂଚନା ଦେଇଛନ୍ତି । ତାଙ୍କ ମୃତ୍ୟୁରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ରାଜ୍ୟ ବିଜେପିର ଜଣେ ଟାଣୁଆ ନେତା ଭାବେ ସେ ପରିଚିତ ଥିଲେ । ତାଙ୍କର ମୃତ୍ୟୁ ରାଜ୍ୟ ବିଜେପି ଓ ଓଡ଼ିଶା ରାଜନୀତି ପାଇଁ ଏକ ଅପୂରଣୀୟ କ୍ଷତି ।

ରୋକ୍ ଠୋକ୍ ନେତା ଭାବେ ସେ ଜଣାଯାଉଥିଲେ । ଅସମୟରେ ତାଙ୍କର ମୃତ୍ୟୁ ସମସ୍ତଙ୍କୁ ମର୍ମାହତ କରିଛି । ପ୍ରଥମେ ଚାନ୍ଦବାଲି ଓ ପରେ ଧାମନଗରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ରାଜନେତା ସହ ଜଣେ ଲେଖକ ଓ ସାହିତ୍ୟିକ ଭାବେ ସେ ପରିଚିତ ଥିଲେ । ଭଦ୍ରକ ଜିଲ୍ଲା ତିହିଡିରେ ୧୯୬୧ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ରାଜନୈତିକ ଯାତ୍ରା କଥା ଦେଖିବାକୁ ଗଲେ ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

୨୦୦୪ରେ ଏହି ଆସନରୁ ସେ ପରାଜିତ ହୋଇଯାଇଥିଲେ । ୨୦୦୬ ମସିହାରେ ଓଡ଼ିଶା କାଜୁ ନିଗମର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଥିଲେ । ୨୦୦୯ ଏବଂ ୨୦୧୪ରୁ ଧାମନଗର ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବେ ଛିଡା ହୋଇଥିଲେ । ହେଲେ ଦୁଇଥର ଯାକ ପରାଜିତ ହୋଇଥିଲେ । ଗତ ନିର୍ବାଚନ ଅର୍ଥାତ ୨୦୧୯ରେ ଧାମନଗର ଆସନରୁ ଶେଷରେ ବିଜୟୀ ହୋଇ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।