spot_img
Home Blog Page 4015

ପତ୍ନୀଙ୍କ ମୃତଦେହ ସହ ୫୦୦ କିମି ରେଳଯାତ୍ରା, ସହଯାତ୍ରୀ ଭାବିଲେ ଶୋଇଛନ୍ତି

ଲୁଧିଆନା: ପତ୍ନୀଙ୍କ ମୃତଦେହ ସହ ୫୦୦ କିଲୋମିଟର ରେଳ ଯାତ୍ରା କଲେ ପତି  । ସହଯାତ୍ରୀ ମାନେ ରେଳବାଇ ପୋଲିସରେ ଅଭିଯୋଗ କରିବା ପରେ ତୁରନ୍ତ ମହିଳାଙ୍କ ମୃତଦେହକୁ ଟ୍ରେନରୁ ଓହ୍ଲାଇ ଦିଆଯାଇଛି  । ପଞ୍ଜାବର ଲୁଧିଆନାରୁ ବିହାର ଯାଉଥିବା ଏକ୍ସପ୍ରେସ ଟ୍ରେନରେ ଏଭଳି ଅଦ୍ଭୁଦ ଘଟଣା ଦେଖିବାକୁ ମିଳିଛି । ମୃତଦେହ ସହ ପ୍ରାୟ ୫୦୦ କିଲୋମିଟର ଯାତ୍ରା କରିଛନ୍ତି ତାଙ୍କ ସ୍ବାମୀ  । ଏହି ଘଟଣା ଜଣାପଡିବା ପରେ ଉତ୍ତର ପ୍ରଦେଶର ଶାହଜାହାନପୁରରେ ରେଳବାଇ ଓ ଜିଆରପି ପୋଲିସ ମହିଳାଙ୍କ ମୃତଦେହକୁ ଉଦ୍ଧାର କରିଛି ।

ଟ୍ରେନରେ ଯାତ୍ରା କରୁଥିବା ସମୟରେ ହି ମହିଳା ଜଣଙ୍କ ହୃଦଘାତରେ ପ୍ରାଣ ହରାଇଥିଲେ । ଯାହା ପରେ ମୃତକଙ୍କ ପତି ତାଙ୍କ ଶବ ସହ ଟ୍ରେନରେ ଯାତ୍ରା କରିଥିଲେ  । ମୋରଧ୍ବଜ ଏକ୍ସପ୍ରେସରେ ନବୀନ କୁମାର ଲୁଧାଆନାରୁ ବିହାରର ଔରଙ୍ଗାବାଦ ଯାତ୍ରା କରୁଥିଲେ  । କିନ୍ତୁ ଅଧାରାସ୍ତାରେ ପତ୍ନୀ ଉର୍ମିଳା ହୃଦଘାତରେ ପ୍ରାଣ ହରାଇଥିଲେ  । ଅଘଟଣ ପରେ ସହଯାତ୍ରୀଙ୍କୁ ଏ ସମ୍ବନ୍ଧରେ କୌଣସି ସୂଚନା ଦେଇ ନଥିଲେ ନବୀନ କୁମାର  । ବରଂ ପତ୍ନୀଙ୍କ ଶବ ସହ ୫୦୦ କିଲୋମିଟର ସେ ଟ୍ରେନରେ ଯାତ୍ରା କରିଥିଲେ ।

ସହଯାତ୍ରୀଙ୍କୁ ସନ୍ଦେହ ହେବାରୁ ସେମାନେ ରେଳବାଇ ପୋଲିସକୁ ଖବର ଦେଇଥିଲେ । ମହିଳାଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି । ତେବେ ବହୁ ସମୟରୁ ମହିଳାଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ମାନେ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛନ୍ତି  । ପୋଲିସ ଘଟଣାର ତଦନ୍ତ କରିବା ସହ ମୃତକଙ୍କ ପତିଙ୍କୁ ପଚରାଉଚୁରା ଜାରି ରଖିଛି ।

୬୦ ଛାତ୍ରୀଙ୍କ ଗାଧୋଉଥିବା ଭିଡିଓ ଭାଇରାଲ, ପୋଲିସ କହିଲା ଆସିନି ଆତ୍ମହତ୍ୟା ଅଭିଯୋଗ

ଚଣ୍ଡିଗଡ: ଅଶାନ୍ତ ହୋଇଛି ଚଣ୍ଡିଗଡରେ ଥିବା ଏକ ବିଶ୍ବବିଦ୍ୟାଳୟର କ୍ୟାମ୍ପସ  । ବିଳମ୍ବିତ ରାତିରେ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ବିରୋଧ ପ୍ରଦର୍ଶନ କରିଛନ୍ତି ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ  । ଛାତ୍ରୀ ହଷ୍ଟେଲର ଜଣେ ଯୁବତୀ ଅନ୍ୟ ୬୦ ଛାତ୍ରୀଙ୍କ ଗାଧୋଇବା ସମୟ ଭିଡିଓ ଭାଇରାଲ କରିବା ପରେ କ୍ୟାମ୍ପସରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି  । ଦୀର୍ଘଦିନରୁ ହଷ୍ଟେଲରେ ଗାଧୋଉଥିବା ଛାତ୍ରୀଙ୍କ ଭିଡିଓ ଭାଇରାଲ ହେଉଥିବା ଅଭିଯୋଗ ହୋଇ ଆସୁଥିଲା । ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏଥିପାଇଁ ଦାୟୀ ବୋଲି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି  ।

 

ବିରୋଧ ଏତେମାତ୍ରାରେ ବଢିଯାଇଥିଲା ଯେ, ବିଶ୍ବବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇଛନ୍ତି କର୍ତ୍ତୃପକ୍ଷ  । ଉତ୍ତ୍ୟକ୍ତ ଛାତ୍ରଙ୍କୁ ଅଟକାଇବା ପାଇଁ ପୋଲିସକୁ ଲାଠିଚାର୍ଜ କରିବାକୁ ପଡିଛି  । ସୋସିଆଲ ମିଡିଆରେ ଛାତ୍ରୀଙ୍କ ଭିଡିଓ ଭାଇରାଲ କରିଥିବା ଯୁବକ ଶିମଲାର ହୋଇଥିବା ଜଣାପଡିଛି  । ହଷ୍ଟେଲରେ ଯୁବତୀଙ୍କ ଭିଡିଓ କରୁଥିବା ଛାତ୍ରୀଙ୍କୁ ଧରିବା ପରେ ତାଙ୍କର ଏକ ଭିଡିଓ କରି ୟୁଟ୍ୟୁବରେ ଅପଲୋଡ କରାଯାଇଛି  ।

 

ଘଟଣା ଜଣାପଡିବା ପରେ କର୍ତ୍ତୃପକ୍ଷଙ୍କୁ ଛାତ୍ରଛାତ୍ରୀ ମାନେ ଜଣାଇଥିଲେ ସୁଦ୍ଧା କୌଣିସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ  । ଯେଉଁଥିପାଇଁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି ।

 

ସେପଟେ ମାମଲାକୁ ଗୁରୁତର ସହ ନେଇ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି  । ଭିଡିଓ ଭାଇରାଲ ପରେ କୌଣସି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିନଥିବା ସଫେଇ ଦେଇଛି ପୋଲିସ  । ପଞ୍ଜାବ ମହିଳା ଆୟୋଗ ଅଧ୍ୟକ୍ଷ ମାମଲାର ତଦନ୍ତ ପାଇଁ ବିଶ୍ବବିଦ୍ୟାଳୟ ପରିଦର୍ଶନ କରିବେ ବୋଲି କହିଛନ୍ତି  ।

 

ପାଗ ଖରାପ ସତ୍ତ୍ବେ ବେଳାଭୂମିରେ ପ୍ରବଳ ଭିଡ, ବଳ ଦେଖାଉଛନ୍ତି ବାୟୁବୀର

ପୁରୀ: ବେଳାଭୂମିରେ ବଳ ଦେଖାଉଛନ୍ତି ବାୟୁବୀର । ପୁରୀ ବ୍ଲୁଫ୍ଲାଗ ବେଳାଭୂମିରେ ଆୟୋଜିତ ହେଉଛି ଏୟାର ଶୋ’। ସକାଳ ୧୦ଟାରେ ଆକାଶରେ ପରାକ୍ରମ ଦେଖାଉଛନ୍ତି ୯ଟି ମାର୍କ-୧୩୨ ଫାଇଟର ଏୟାର କ୍ରାଫ୍ଟ । ଏୟାର ଶୋ ଦେଖିବା ପାଇଁ ବେଳାଭୂମିରେ ପହଞ୍ଚିଛନ୍ତି ରାଜ୍ୟପାଳ ଗଣେଶୀ ଲାଲ । ଭଳିକି ଭଳି ସମରକଳା ଦେଖାଉଛନ୍ତି ବାୟୁସେନା ସୂର୍ଯ୍ୟକିରଣ ଟିମର ସଦସ୍ୟ ।

ତେବେ ଲଘୁଚାପ ବର୍ଷା ସମ୍ଭାବନା ଥିବାରୁ କାର୍ଯ୍ୟକ୍ରମ ବାତିଲ ହେବାର ସମ୍ଭାବନା ଥିଲା । ତଥାପି ଲୋକଙ୍କ ମନରେ ଉତ୍କଣ୍ଠା କମିନଥିଲା  । ଶୋ’ ଦେଖିବାକୁ ବେଳାଭୂମିରେ ପ୍ରବଳ ଭିଡ ଜମିଥିଲା । ଏଥିପାଇଁ ଗତକାଲି ରିହର୍ସାଲରେ ପ୍ରବଳ ଭିଡ଼ ଜମିଥିଲା । ଯୁବପିଢୀଙ୍କ ମଧ୍ୟରେ ସେନା ବାହିନୀରେ ସାମିଲ ହେବାକୁ ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ଭାରତୀୟ ବାୟୁସେନା ପକ୍ଷରୁ ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି ଏୟାର ଶୋ’  ।

ଦିନକ ପୂର୍ବରୁ ବାୟୁସେନାର ସୂର୍ଯ୍ୟକିରଣ ଏୟାର ସୋ ଭୁବନେଶ୍ୱରେ ଅନୁଷ୍ଠିତ ହୋଇଥିଲା  । ଏଥିପାଇଁ ୧୧ଟି ହକ ବିମାନ ରାଜଧାନୀରେ ପହଞ୍ଚିଥିବା ବେଳେ  ସୋ’ରେ ୯ଟି ହକ୍ ବିମାନ ଅଂଶଗ୍ରହଣ କରିଥିଲେ । ତେବେ ପୁରୀ ବେଳାଭୂମିରେ ଆଜି ଏହି ସୋ ହେବ । ଭୁବନେଶ୍ବର, ପୁରୀ ପରେ ଆସାମର ଗୌହାଟୀରେ ଏହି ସୋ ହେବ ।

ଏଲଏସିରେ ଟ୍ରେଞ୍ଚ ଖୋଲିଥିଲା ଚୀନ, ଗୁଳିଗୋଳା ରଖି ଭାରତକୁ କରିଥାନ୍ତା ଆଟାକ୍

ବେଜିଂ: ପଦାକୁ ଆସୁଛି ଭାରତ ବିରୋଧରେ ଚୀନ କରିଥିବା ଚକ୍ରାନ୍ତ । ଭାରତକୁ ଟକ୍କର ଦେବା ଲାଗି ଏଲଏସି ନିକଟରେ ତିଆରି କରିଥିଲା ବୃହତ କୋଠା । ଭାରତୀୟ ସେନା ଯବାନ ପାଟ୍ରୋଲିଂ କରୁଥିବା ସ୍ଥାନ ନିକଟରେ ଏହି କୋଠା ଦୁଇବର୍ଷ ତଳୁ ନିର୍ମିତ ହୋଇଥିଲା । କୋଠା ଚାରିପଟେ ଅନେକ ଟ୍ରେଞ୍ଚ ଖୋଳାଯାଇଥିଲା । ଏହାସହ ମୋର୍ଟାର ଓ ଗୁଳିଗୋଳା ରଖିବା ଲାଗି କୋଠା ଚାରିପଟେ ବ୍ୟବସ୍ଥା ରହିଥିଲା ।

ମାତ୍ର ଗତ ୧୫ ତାରିଖରେ ସାଟେଲାଇଟ ଇମେଜ କହୁଛି ଏହି କୋଠାକୁ ଭାଙ୍ଗି ଦିଆଯାଇଛି । ଏବଂ ଧ୍ବଂସାବଶେଷକୁ ଉତ୍ତର ଦିଗକୁ ନିଆଯାଇଛି । ସେପଟେ ଚୀନ ଦ୍ବାରା ଖାଲି କରାଯାଇଥିବା ସ୍ଥାନରେ ଚୀନ ନିଜର କେତେକ ପୂର୍ବ ବ୍ୟବସ୍ଥା କରିଛି ବୋଲି ଇମେଜରୁ ଜଣାପଡିଛି । ସ୍ଥାନୀୟ କାଉନସିଲରଙ୍କ କହିବା କଥା, ଏଲଏସିରୁ ଭାରତୀୟ ସୈନ୍ୟ ପ୍ରତ୍ୟାହୃତ ହୋଇଥିଲେ ବି ଏନେଇ ସେମାନଙ୍କ ନିକଟରେ କୌଣସି ସୂଚନା ନାହିଁ । ପୂର୍ବ ଲଦାଖର ଗୋଗ୍ରା ଓ ହଟସ୍ପ୍ରିଂ ଅନ୍ତର୍ଗତ ପ୍ରକୃତ ନିୟନ୍ତ୍ରଣ ରେଖାରୁ ପ୍ରାୟ 3 କିଲୋମିଟର ଦୂରକୁ ଘୁଞ୍ଚିଛନ୍ତି ଚୀନ ସୈନ୍ୟ ।

ଦୀର୍ଘ ଦିନ ଧରି ସ୍ଥାନୀୟ ଅଞ୍ଚଳରେ ଚୀନ ନିଜର ଯବାନଙ୍କୁ ମୁତୟନ କରିଥିବା ବେଳେ, ଭାରତ ସହ ହୋଇଥିବା ବୁଝାମଣା ଅନୁସାରେ ସୈନ୍ୟ ପ୍ରତ୍ୟାହାର ସମ୍ପୂର୍ଣ୍ଣ କରିଛି । ଦୁଇ ଦେଶ ମଧ୍ୟରେ ସମ୍ପର୍କ ବୃଦ୍ଧି ଲାଗି ବିବାଦୀୟ ଅଞ୍ଚଳ ସମ୍ପୂର୍ଣ୍ଣ ସୈନ୍ୟମୁକ୍ତ ହୋଇଛି ।

ପାଗ ବିଗାଡିପାରେ ପୁରୀରେ ଏୟାର ଶୋ’, ବଳ ଦେଖାଇବାକୁ ପ୍ରସ୍ତୁତ ବାୟୁବୀର

ପୁରୀ: ଆଜି ପୁରୀ ବେଳାଭୂମିରେ ବଳ ଦେଖାଇବେ ବାୟୁବୀର । ପୁରୀ ବ୍ଲୁଫ୍ଲାଗ ବେଳାଭୂମିରେ ଆୟୋଜିତ ହେବ ଏୟାର ଶୋ’। ସକାଳ ୧୦ଟାରେ ଆକାଶରେ ଉଡ଼ିବ ୯ଟି ମାର୍କ-୧୩୨ ଫାଇଟର ଏୟାର କ୍ରାଫ୍ଟ । ଭଳିକି ଭଳି ସମରକଳା ଦେଖାଇବେ ବାୟୁସେନା ସୂର୍ଯ୍ୟକିରଣ ଟିମର ସଦସ୍ୟ ।

ତେବେ ପାଗ ଉପରେ ନିର୍ଭର କରେ ଆଜିର କାର୍ଯ୍ୟକ୍ରମ । ଲଘୁଚାପ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି । ଯଦି ବର୍ଷା ହୁଏ ତେବେ କାର୍ଯ୍ୟକ୍ରମ ବାତିଲ କରାଯିବାର ସମ୍ଭାବନା ରହିଛି । ଏଥିପାଇଁ ଗତକାଲି ରିହର୍ସାଲରେ ପ୍ରବଳ ଭିଡ଼ ଜମିଥିଲା । ଯୁବପିଢୀଙ୍କ ମଧ୍ୟରେ ସେନା ବାହିନୀରେ ସାମିଲ ହେବାକୁ ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ଭାରତୀୟ ବାୟୁସେନା ପକ୍ଷରୁ ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି ଏୟାର ଶୋ’  ।

ଦିନକ ପୂର୍ବରୁ ବାୟୁସେନାର ସୂର୍ଯ୍ୟକିରଣ ଏୟାର ସୋ ଭୁବନେଶ୍ୱରେ ଅନୁଷ୍ଠିତ ହୋଇଥିଲା  । ଏଥିପାଇଁ ୧୧ଟି ହକ ବିମାନ ରାଜଧାନୀରେ ପହଞ୍ଚିଥିବା ବେଳେ  ସୋ’ରେ ୯ଟି ହକ୍ ବିମାନ ଅଂଶଗ୍ରହଣ କରିଥିଲେ । ତେବେ ପୁରୀ ବେଳାଭୂମିରେ ଆଜି ଏହି ସୋ ହେବ । ଭୁବନେଶ୍ବର, ପୁରୀ ପରେ ଆସାମର ଗୌହାଟୀରେ ଏହି ସୋ ହେବ ।

ଲଣ୍ଡନରେ ପହଞ୍ଚିଲେ ଦ୍ରୌପଦୀ ମୁର୍ମୁ, ଭାରତ ପକ୍ଷରୁ ବ୍ରିଟେନକୁ ଜଣାଇବେ ସମବେଦନା

ଲଣ୍ଡନ: ବ୍ରିଟେନର ରାଣୀ ଏଲିଜାବେଥ୍‌ ଦ୍ବିତୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲଣ୍ଡନରେ ପହଞ୍ଚିଛନ୍ତି । ଭାରତ ସରକାରଙ୍କ ପକ୍ଷରୁ ତାଙ୍କ ପରିବାର ତଥା ଦେଶକୁ ସମବେଦନା ଜଣାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  । ଆସନ୍ତାକାଲି(ସୋମବାର) ପର୍ଯ୍ୟନ୍ତ ଲଣ୍ଡନରେ ରହିବେ ରାଷ୍ଟ୍ରପତି । ରାଣୀଙ୍କ ଅନ୍ତିମ ସଂସ୍କାର ଆସନ୍ତାକାଲି ୱେଷ୍ଟମିନିଷ୍ଟର ଆବେରେ ହେବ । ଏଥିରେ ୨୦୦୦ ଭିଆଇପି ଅତିଥି ଯୋଗଦେବେ ।

ଆଜି ବ୍ରିଟେନ ଗସ୍ତରେ ଥିବା ରାଷ୍ଟ୍ରମୁଖ୍ୟ ମାନଙ୍କୁ ନେଇ ସଂଧ୍ୟାରେ ଏକ ସଭା ଆୟୋଜନ କରିବେ କିଙ୍ଗ ଚାର୍ଲସ୍‌ ଥ୍ରୀ । ଆସନ୍ତାକାଲି ଲଣ୍ଡନର ସମୟ ଅନୁସାରେ ସକାଳ ୧୧ଟାରେ ରାଣୀଙ୍କର ଅନ୍ତିମ ସଂସ୍କାର ହେବ । ୭୦ ବର୍ଷ ଧରି ରାଣୀଙ୍କ ଶାସନ କାଳରେ ଭାରତ ସହ ବ୍ରିଟେନର ଭଲ ସମ୍ପର୍କ ଥିଲା ।

ରାଣୀ ୯୬ ବର୍ଷ ବୟସରେ ବାଲମୋରାଲ ଦୁର୍ଗରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ଋଷ, ବେଲାରୁଷ, ମିଆଁମାରକୁ ରାଣୀଙ୍କ ଅନ୍ତିମସଂସ୍କାର ପାଇଁ ନିମନ୍ତ୍ରଣ କରାଯାଇନାହିଁ । ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ବିଦେଶ ଗସ୍ତରେ ଅଛନ୍ତି ଦ୍ରୌପଦୀ ମୁର୍ମୁ ।

ପୋଲ ତଳକୁ ଖସିପଡିଲା ବସ୍‌, ପ୍ରାଣ ହରାଇଲେ ୭

ରାଞ୍ଚି: ଝାଡଖଣ୍ଡ ହଜାରିବାଗ ବସ ଦୁର୍ଘଟଣାରେ ଦୁଃଖପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି । ପିଏମ ଟ୍ବିଟ କରି କହିଛନ୍ତି ଯେ ‘ହଜାରିବାଗ ଜିଲ୍ଲା ବସ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପାଇଁ ଦୁଃଖିତ  । ଏହି ଦୁଃଖଦ ସମୟରେ ଶୋକ ସନ୍ତପ୍ତ ପରିବାର ସହ ମୋ ସମବେଦନା ରହିଛି । ଆହତଙ୍କ ଆଶୁ ଆରୋଗ୍ୟ କାମନା କରିବି ’।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି  । ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇ ସେ ଲେଖିଛନ୍ତି ‘ହଜାରିବାଗ ଦୁର୍ଘଟଣାରେ ଅତ୍ୟନ୍ତ ମର୍ମାହତ । ପ୍ରିୟଜନଙ୍କୁ ହରାଇ ଥିବା ପରିବାର ପ୍ରତି ସମବେଦନା । ସମସ୍ତ ଆହତ ଖୁବଶୀଘ୍ର ସୁସ୍ଥ ହେବା ନେଇ କାମନା କରିବି’ ।

ସେହିପରି କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା ମଧ୍ୟ ଘଟଣାରେ ଦୁଃଖପ୍ରକାଶ କରିବା ସହ ଆହତଙ୍କ ସୁସ୍ଥତା କାମନା କରିଛନ୍ତି ।

ଆଜି ଭାରସାମ୍ୟ ହରାଇ ଓଲଟି ପଡିଥିଲା ଯାତ୍ରୀବାହୀ ବସ  । ଘଟଣାସ୍ଥଳରେ ୭ ଜଣ ପ୍ରାଣ ହରାଇ ଥିବାବେଳେ ୪୫ ଜଣ ଆହତ ହୋଇଛନ୍ତି । ଝାଡଖଣ୍ଡର ହଜାରିବାଗ୍ ଜିଲ୍ଳା ଶିବାନି ନଦୀ ପୋଲ ଉପରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା  । ଶିବଶକ୍ତି ନାମକ ବସ ନିୟନ୍ତ୍ରଣ ହରାଇ ପୋଲ ତଳକୁ ଖସି ପଡିଥିଲା  । ଫଳରେ ବସ ଭିତରେ ଥିବା ୭ ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।

ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି  । ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି  । ବସଟି ଗିରିଡ଼ିହିରୁ ରାଞ୍ଚି ଯାଉଥିଲା ।

ରାଜଧାନୀରେ ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା, ୨୪ ଘଣ୍ଟାରେ ୨୧ ନୂଆ ଆକ୍ରାନ୍ତ

ଭୁବନେଶ୍ବର: ରାଜଧାନୀରେ ଆତଙ୍କ ଖେଳାଇଛି ଡେଙ୍ଗୁ। ବଂଶ ବିସ୍ତାର କରିଚାଲିଛି ଏଡିସ ମଶା। ମଶାର ବଂଶ ବିସ୍ତାରକୁ ସହାୟକ ହୋଇଛି ପାଣିପାଗ ଓ ଲଗାଣ ବର୍ଷା। ଆଗକୁ ଲଘୁଚାପ, ଜଳବନ୍ଦୀ ସହ ଡେଙ୍ଗୁ ଜନିତ ସମସ୍ୟା ବଢିବା ଆଶଙ୍କା ରହିଛି । ଭୁବନେଶ୍ୱରରେ ଡେଙ୍ଗୁ ରୋଗୀ ଚିହ୍ନଟରେ ଅଗଷ୍ଟକୁ ବଳିଯାଇଛି ସେପ୍ଟେମ୍ବର। ଖୋର୍ଦ୍ଧା ଜିଲ୍ଲାରେ ଅଦ୍ୟାବଧି ମୋଟ ୨ ହଜାର ୩୨୯ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ କେବଳ ଭୁବନେଶ୍ୱରର ସଂଖ୍ୟା ୧ ହଜାର ୮୪୨କୁ ବୃଦ୍ଧି ପାଇଛି ।

ଭୁବନେଶ୍ୱର ଉପକଣ୍ଠରୁ ରୋଗୀଙ୍କ ସଂଖ୍ୟା ୪୮୭କୁ ବୃଦ୍ଧି ପାଇଛି । ସମାନ୍ତରାଳ ଭାବେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବୃଦ୍ଧି ପାଉଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି ୨୧ ଜଣ ନୂଆ ଆକ୍ରାନ୍ତ। ଜୁଲାଇ ମାସରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଥିଲା ୨୦୩ । ଅଗଷ୍ଟ ମାସରେ ଏହି ସଂଖ୍ୟା ୭୬୩ ଥିବାବେଳେ  ସେପ୍ଟେମ୍ବର ମାସରେ ଆଜି ସୁଦ୍ଧା ସଂଖ୍ୟା ବୃଦ୍ଧି ପାଇ ୮୭୪ରେ ପହଞ୍ଚିଛି।  ଗତ ୩ ମାସରେ ଚିହ୍ନଟ ହୋଇଛନ୍ତି ୧ ହଜାର ୮୪୦ ଡେଙ୍ଗୁ ରୋଗୀ ।

ଜାପାନରେ ହାଇଆଲର୍ଟ, ସ୍ଥଳଭାଗ ଛୁଇଁବ ଟାଇଫୁନ ନାନମାଦୋଲ

ଟୋକିଓ: ଅତି ଭୟଙ୍କର ସାମୁଦ୍ରିକ ଝଡ଼କୁ ନେଇ ଜାପାନରେ ହାଇଆଲର୍ଟ । ଆସନ୍ତାକାଲି ସକାଳେ ଲ୍ୟାଣ୍ଡଫଲ କରିବ ଟାଇଫୁନ ନାନମାଦୋଲ  । ଦେଶର ଦକ୍ଷିଣାଞ୍ଚଳରେ ଥିବା କ୍ୟୁସୁ ଆଇଲ୍ୟାଣ୍ଡକୁ ହିଟ୍ କରିପାରେ ଭୟଙ୍କର ତୋଫାନ । ତୁରନ୍ତ ଘର ଛାଡି ନିରାପଦ ସ୍ଥାନକୁ ଚାଲିଯିବା ଲାଗି ଦିଆଯାଇଛି ନିର୍ଦ୍ଦେଶ । ଜାପାନ ଏୟାରଲାଇନ୍ସ ଓ ଅଲ ନିପନ ଏୟାରଓ୍ବେଜର ୩୩୫ ବିମାନର ଉଡାଣ ବାତିଲ କରାଯାଇଛି ।

ଟାଇଫୁନ ଘଣ୍ଟାପ୍ରତି ୨୭୦ କିଲୋମିଟର ବେଗରେ ବହିବା ଆଶଙ୍କା ରହିଛି । ମିଆମି ଦାଇତୋ ଦ୍ବୀପପୁଞ୍ଜ ନିକଟରେ ଏହା ବର୍ତ୍ତମାନ ଗତିଶୀଳ ରହିଛି । କ୍ୟୁସୁ ଆଇଲ୍ୟାଣ୍ଡ ଓ ଦକ୍ଷିଣ କାଗୋସିମାରେ ଏହା ହିଟ୍ କରି ଜାପାନ ଅଭିମୁଖେ ଗତି କରିବ ।

ସାମୁଦ୍ରିକ ଝଡ଼ ପ୍ରଭାବରେ ଭୟଙ୍କର ଜୁଆର ଉଠିବା ସହ ପ୍ରବଳ ବର୍ଷା ଓ ପବନ ହେବ ବୋଲି କହିଛନ୍ତି ଜାପାନ ମେଟେରୋଲୋଜିକାଲ ଏଜେନ୍ସି । ଏହା ଏକ ଅତି ଭୟଙ୍କର ଝଡ଼ ବୋଲି ଏଜେନ୍ସି ପକ୍ଷରୁ କୁହାଯାଇଛି । ତୋଫାନରେ ଅନେକ ଘର ଧସିପଡ଼ିବାର ସମ୍ଭାବନା ରହିଥିବାବେଳେ ବନ୍ୟା ଓ ଭୂସ୍ଖଳନ ହେବାର ଆଶଙ୍କା ରହିଛି । ଜାପାନରେ ପ୍ରତିବର୍ଷ ୨୦ଟି ଘୁର୍ଣ୍ଣିଝଡ ହୋଇଥାଏ ।

IIT ଓ NIT ସହ ସମକକ୍ଷ ହେବ ଭିସୁଟ, ଖର୍ଚ୍ଚ ହେବ ୨ ହଜାର କୋଟି

ଭୁବନେଶ୍ବର: ବଦଳିବ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ ଟେକ୍ନୋଲୋଜି ବା ଭିସୁଟର କାୟାକଳ୍ପ । IIT ଓ NIT ସହିତ ସମକକ୍ଷ ହେବ ଭିସୁଟ  । ଫାଇଭ-ଟି ଉପକ୍ରମରେ ରୂପାନ୍ତରିତ ହେବ ଭିସୁଟ । ୫ ବର୍ଷରେ ଖର୍ଚ୍ଚ ହେବ ୨ ହଜାର କୋଟି ଟଙ୍କା  । ମାଷ୍ଟରପ୍ଲାନକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ୨୦୨୬ ସୁଦ୍ଧା ୨୪ଟି ଅଣ୍ଡର ଗ୍ରାଜୁଏଟ ବିଭାଗରେ ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରିବାର ବ୍ୟବସ୍ଥା କରାଯିବ  ।

ଏଥିପାଇଁ ୩ଟି ପର୍ଯ୍ୟାୟରେ ୨ ହଜାର କୋଟି ଖର୍ଚ୍ଚ ହେବ ।  ୨୭ଟି ସେଣ୍ଟର ଅଫ ଏକ୍ସଲେନ୍ସ ଗଠନ କରାଯିବ  । ଡିସେମ୍ବର ଶେଷ ସୁଦ୍ଧା ସରିବ ସ୍ମାର୍ଟକ୍ଲାସ ରୁମ ନିର୍ମାଣ କାମ  । ମାଷ୍ଟରପ୍ଲାନ ଅନୁଯାୟୀ ୨୦୩୦ ସୁଦ୍ଧା ଭିସୁଟକୁ ଏକ ମଲ୍ଟି ଡିସିପ୍ଲିନାରି ଇଞ୍ଜିନିୟରିଂ ଆଣ୍ଡ  ରିସର୍ଚ୍ଚ ୟୁନିଭର୍ସିଟି ଭାବେ ଏହାକୁ ବିକଶିତ କରାଯିବ ।  ଏଥିରେ ସ୍କୁଲ ଅଫ ଇଞ୍ଜିନିୟରିଂ, ଦକ୍ଷତା ବିକାଶ କେନ୍ଦ୍ର, ସ୍କୁଲ ଅଫ ମେଡିକାଲ ଟେକ୍ନୋଲୋଜି ଓ ସ୍କୁଲ ଅଫ ବେସିକ ସାଇନ୍ସ ପରି ୭ଟି ସ୍କୁଲ ରହିବ  ।

ବର୍ତ୍ତମାନ ଭିସୁଟରେ ୨ହଜାର ୮୪୯ ଛାତ୍ରଛାତ୍ରୀ ବିଭିନ୍ନ ବିଭାଗରେ ପଢୁଛନ୍ତି। ଏଥିରେ ୭ଟି ସ୍କୁଲରେ ୨୪ଟି ଇଞ୍ଜିନିୟରିଂ ପ୍ରୋଗ୍ରାମ, ୧୪ରୁ ଅଧିକ ବିଭାଗ ଓ ୨୭ରୁ ଅଧିକ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବ । ପ୍ରତ୍ୟେକ ସ୍କୁଲରେ ଶ୍ରେଣୀ ଗୃହ, ଲାବରେଟୋରୀ, ପ୍ରଫେସରମାନଙ୍କ ଚାମ୍ବର ଓ ଗ୍ୟାଲେରୀ ରହିବ । ଅତ୍ୟାଧୁନିକ ଗବେଷଣା କେନ୍ଦ୍ର ଓ ଲାବରେଟୋରୀ ସୁବିଧା ଉପଲବ୍ଧ ହେବ । ଅତି କମରେ ଜଣେ ପୂର୍ବତନ ଛାତ୍ର ମେଣ୍ଟର ଭାବରେ ଦାୟିତ୍ବ ଗ୍ରହଣ କରିବେ । ଗତ ଅଗଷ୍ଟରେ ମୁଖ୍ୟ ଶାସନ ସଚିବ, ଫାଇଭ-ଟି ସଚିବ ବୁର୍ଲା ଗସ୍ତରେ ଯାଇ ଭିସୁଟକୁ ଉତ୍କର୍ଷ କେନ୍ଦ୍ର ଭାବରେ ବିକଶିତ କରିବା ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ।