ଜମ୍ମୁ-କାଶ୍ମୀରରେ ୟୁିପର ଦୁଇ ଶ୍ରମିକଙ୍କୁ ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର: କାଶ୍ମୀରରେ ପୁଣି ଟାର୍ଗେଟ କିଲିଂ। ସୋପିଆନ ଜିଲ୍ଲାର ହରମାନଠାରେ ଦୁଇ ଶ୍ରମିକଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ। ଆଜି ସକାଳୁ ଗ୍ରେନେଡ ମାଡ କରି ଦୁଇ ଶ୍ରମିକଙ୍କୁ ହତ୍ୟା କରାଯାଇଛି । ମୃତ ଦୁଇ ଶ୍ରମିକ ଉତ୍ତରପ୍ରଦେଶର ମନୀଷ କୁମାର ଓ ରାମ ସାଗର । ସେମାନେ ୟୁପି କନୌଜ ଜିଲ୍ଲାର ହୋଇଥିବା ବେଳେ କାଶ୍ମୀରରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଶୋଇଥିବା ବେଳେ ସେମାନଙ୍କ ଉପରକୁ ହ୍ୟାଣ୍ଡ ଗ୍ରନେଡ ମାଡ କରାଯାଇଥିବା ଅଭିଯୋଗ।

ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେମାନଙ୍କର ମୃତ୍ୟୁ ଘଟିଛି ବୋଲି କାଶ୍ମୀର ଜୋନ ପୋଲିସ ପକ୍ଷରୁ ସୂଚନା। ସେପଟେ ଏହି ହତ୍ୟାକାଣ୍ଡ ନେଇ ଟିଆରଏଫ୍ ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିଛି। ଚଳିତ ସପ୍ତାହରେ କାଶ୍ମୀର ଉପତ୍ୟକାରେ ଏହା ଦ୍ବିତୀୟ ଟାର୍ଗେଟ କିଲିଂ ।

ସୂଚନାଯୋଗ୍ୟ, ଗତ ଶନିବାର ଜଣେ କାଶ୍ମୀର ପଣ୍ଡିତଙ୍କୁ ଗୁଳି କରି ହତ୍ୟା କରିଥିଲେ ଆତଙ୍କବାଦୀ। ସେପଟେ ଟାର୍ଗେଟ କିଲିଂକୁ ନେଇ ରାଜନୀତି ପାରା ହାଇ । ଧାରା ୩୭୦ ଲାଗୁ ହେବା ପରେ କାଶ୍ମୀରରେ ଶାନ୍ତି ଫେରିଛି ବୋଲି ସରକାର ଦାବି କରୁଥିବା ବେଳେ ନିରୀହ ଲୋକଙ୍କୁ ଟାର୍ଗେଟ କରାଯାଉଛି ବୋଲି କଂଗ୍ରେସ କହିଛି । ସେପଟେ କାଶ୍ମୀର ସ୍ଥିତିକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ବିଶେଷଜ୍ଞ ।