ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ସଫଳତା; ଟାଟା ଇଲେକ୍ଟ୍ରୋନିକ୍ସ ସିଷ୍ଟମ୍ ଲି.ରେ ନିଯୁକ୍ତି ପାଇଲେ ୪୦୦ ଓଡ଼ିଆ ଯୁବତୀ

ଭୁବନେଶ୍ୱର: ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ବଡ ସଫଳତା। ତାମିଲନାଡୁ ହୋସୁରରେ ଥିବା ଟାଟା ଇଲେକ୍ଟ୍ରୋନିକ୍ସ ସିଷ୍ଟମ୍ ଲିମିଟେଡରେ ନିଯୁକ୍ତି ପାଇଲେ ୪୦୦ ଓଡ଼ିଆ ଯୁବତୀ। ସମସ୍ତଙ୍କ ବୟସ ୧୮ରୁ ୨୧ ବର୍ଷ ମଧ୍ୟରେ ହୋଇଥିବା ବେଳେ ଯୋଗ୍ୟତା ରହିଛି ଯୁକ୍ତ ଦୁଇ । ସମସ୍ତେ ଟାଟା ଇଲେକ୍ଟ୍ରୋନିକ୍ସରେ ଜୁନିୟର ଟେକ୍ନିସିଆନ ଭାବେ କାମ କରିବେ ।

ପ୍ରାଥମିକ ପର୍ଯ୍ୟାୟରେ ବାରିପଦାର ୭୦ ଜଣ ଯୁବତୀ ତାମିଲନାଡୁ ଅଭିମୁଖେ ଯାତ୍ରା କରିବେ। ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁବତୀଙ୍କୁ ସ୍ବତନ୍ତ୍ର ବସ ଯୋଗ ଭୁବନେଶ୍ୱର ବିମାନ ବନ୍ଦର ଅଣାଯାଉଛି । ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ଆସନ୍ତାକାଲି କଳାହାଣ୍ଡି ଜିଲ୍ଲାର ୨୨୦ ଜଣ ଯୁବତୀ ସ୍ବତନ୍ତ୍ର ବିମାନରେ ଯିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁବତୀଙ୍କୁ ଭୁବନେଶ୍ୱର ବିମାନ ବନ୍ଦର ଆଣିବା ପାଇଁ ୬ଟି ସ୍ବତନ୍ତ୍ର ବସର ବ୍ୟବସ୍ଥା କରାଯାଇଛି।

ସେହିଭଳି ୨୦ ତାରିଖରେ ସୁନ୍ଦରଗଡର ଅନ୍ୟ ୭୦ ଜଣ, ୨୧ ତାରିଖରେ ଫୁଲବାଣୀରୁ ଚୟନ ହୋଇଥିବା ୫ ଜଣ ଯୁବତୀ ତାମିଲନାଡୁ ଯିବେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସବୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଇଥିଲା । ଏମ୍ପଲୟମେଣ୍ଟ ଏକ୍ସଚେଞ୍ଜରେ ନାମ ପଞ୍ଜିକରଣ କରିଥିବା ଯୁବତୀ ମାନଙ୍କୁ ଅଫିସର ମାନେ ଚିହ୍ନଟ କରିବା ସହ ଟାଟା କମ୍ପାନୀ ପକ୍ଷରୁ ହୋଇଥିବା ନିଯୁକ୍ତି ପ୍ରକ୍ରିୟାରେ ସାମିଲ କରିଥିଲେ । ଫଳରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୪ଶହ ଯୁବତୀ ନିଯୁକ୍ତି ପାଇବାରେ ସକ୍ଷମ ହୋଇଛନ୍ତି।