ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ ଶୂନ୍ୟ ସହନଶୀଳତା, ଚାକିରିରୁ ବିଦା ହେଲେ ୧୪ ଅଧିକାରୀ

1 min read

ଭୁବନେଶ୍ୱର: ପୁଣି 5T ଛାଟ । ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ ଜିରୋ ଟଲରାନ୍ସ ନୀତି । ଅପାରଗ, ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବିରୋଧରେ ଆଜି ପୁଣି ବଡ଼ ଆକ୍ସନ୍। ଏକକାଳୀନ ଚାକିରିରୁ ବିଦା ହେଲେ ୧୪ ଅଧିକାରୀ । ୪ ଜଣ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର, ୪ ଜଣଙ୍କୁ ବାଧ୍ୟତାମୂଳକ ଅବସର ଓ ୬ ଜଣଙ୍କ ପେନସନ୍‌ ସ୍ଥାୟୀଭାବେ ସ୍ଥଗିତ ରଖିଲେ ସରକାର । ଜଣେ ସୁପରିନ୍‌ଟେଣ୍ଡେଣ୍ଟ ଇଞ୍ଜିନିୟର, ୨ ଜଣ ଆସିଷ୍ଟାଣ୍ଟ ଇଞ୍ଜିନିୟର, ଜଣେ ଡିଏସପି, ଜଣେ ସିଡିପିଓ, ଜଣେ ଫରେଷ୍ଟ ରେଞ୍ଜ ଅଫିସର, ଜଣେ ତହସିଲଦାର,  ଜଣେ ବି.ଡି.ଓ, ଜଣେ ସିନିଅର ମ୍ୟାନେଜର, ଜଣେ ଟ୍ୟାକ୍ସ କଲେକ୍ଟର, ଜଣେ ସପ୍ଲାଇ ଇନ୍ସପେକ୍ଟର ଓ ୩ ଜଣ ଜୁନିଅର ଇଞ୍ଜିନିୟର ସାମିଲ ଅଛନ୍ତି  । 5T ଓ  ମୋ  ସରକାର  ବ୍ୟବସ୍ଥାରୁ  ମିଳିଥିବା ଫିଡବ୍ୟାକ ଭିତ୍ତିରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବର୍ଷକ ମଧ୍ୟରେ ଏପର୍ଯ୍ୟନ୍ତ ୧୮୭ ଜଣ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଗଲାଣି  ।

କଟକ ପି.ଏଚ. ଡିଭିଜନର ସୁପରିନଟେଣ୍ଡେଣ୍ଟ ଇଞ୍ଜିନିୟର ନବକିଶୋର ସାମଲଙ୍କ ନାମରେ ଟେଣ୍ଡର ଓ ଚୁକ୍ତି ପରିଚାଳନା ପ୍ରକ୍ରିୟାରେ ଅନିୟମିତତା ଓ ନିଜ ପଦବୀର ଅପବ୍ୟବହାର ଆଦି ଗମ୍ଭୀର ଅଭିଯୋଗ ଥିଲା । ତାଙ୍କୁ ପୂର୍ବରୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା । ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ସେହିପରି ଢେଙ୍କାନାଳ IUCAWର (ମହିଳା ମାନଙ୍କ ଉପରେ ଅପରାଧ ଘଟଣାର ତଦନ୍ତ କରୁଥିବା ୟୁନିଟ) ପୂର୍ବତନ ଡିଏସପି ମଳୟ କିଶୋର ନାୟକଙ୍କ ନାମରେ ଲାଞ୍ଚ ଗ୍ରହଣର ଅଭିଯୋଗରେ ଗୋଟିଏ ଦୁର୍ନୀତି ମାମଲା ଥିଲା । ତାଙ୍କ ନାମର ଦୁଇଟି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ମଧ୍ୟ ଆରମ୍ଭ କରାଯାଇଥିଲା । ଅସାଧୁତା ଓ ଅପାରଗତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ସୁନ୍ଦରଗଡ ମ୍ୟୁନିସିପାଲଟିର ଆସିଷ୍ଟାଣ୍ଟ ଇଞ୍ଜିନିୟର ଜୟନ୍ତ ନାରାୟଣ ପଣ୍ଡାଙ୍କୁ ଅପାରଗତା କାରଣରୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଛି । ତାଳଚେର ମ୍ୟୁନିସପାଲ୍ଟିର ପୂର୍ବତନ ଟ୍ୟାକ୍ସ କଲେକ୍ଟର କ୍ଷୀରୋଧ ଚନ୍ଦ୍ର ରାଉତଙ୍କୁ ଅପାରଗତା କାରଣରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ଅନ୍ୟପକ୍ଷରେ କୋରାପୁଟ ଲମତାପୁଟ ବ୍ଲକର ପୂର୍ବତନ ସିଡିପିଓ ସ୍ବର୍ଣ୍ଣଭା ଦାସଙ୍କ ନାମରେ ଲାଞ୍ଚ ଗ୍ରହଣ ଅଭିଯୋଗରେ ଗୋଟିଏ ଦୁର୍ନୀତି ମାମଲା ଥିଲା। ସେଥିରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଓ ଅପାରଗତା କାରଣରୁ ତାଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ପୂର୍ବତନ ବିଡିଓ ଦାମୋଦର ମହାଲିକ ଏକ ଲାଞ୍ଚ ଗ୍ରହଣ ତଥା ନିଜ ପଦବୀର ଅପବ୍ୟବହାର ଆଦି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଅସାଧୁତା ଓ ଅପାରଗତା କାରଣରୁ ତାଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି । କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ୍‌ର ପୂର୍ବତନ ଜୁନିଅର ଇଞ୍ଜିନିୟର ତଥା ବର୍ତ୍ତମାନ ଦଶମନ୍ତପୁର ବ୍ଲକର ଜୁନିଅର ଇଞ୍ଜିନିୟର ମନୋଜ କୁମାର ବେଉରା ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଅସାଧୁତା ଓ ଅପାରଗତା କାରଣରୁ ତାଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି । ବୌଦ୍ଧ ଫରେଷ୍ଟ ଡିଭିଜନର ପୂର୍ବତନ ରେଞ୍ଜ ଅଫିସର ତଥା ବର୍ତ୍ତମାନ ସୁନ୍ଦରଗଡ ବଡଗାଁ ରେଞ୍ଜରେ ଅବସ୍ଥାପିତ ଫରେଷ୍ଟ ରେଞ୍ଜର ଶ୍ରୀ ଦିଲ୍ଲିପ କୁମାର ଦିଗଲ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସେ ଦୋଷୀସାବ୍ୟସ୍ତ ହୋଇଛନ୍ତି। ଅସାଧୁତା ତଥା ଅପାରଗତା  କାରଣରୁ ତାଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି।

ନୟାଗଡ଼ ଖଣ୍ଡପଡ଼ା ତହସିଲର ପୂର୍ବତନ ତହସିଲଦାର ପଞ୍ଚାନନ ବାରିକ ଗୋଟିଏ ଲାଞ୍ଚ ଗ୍ରହଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଅସାଧୁତା କାରଣରୁ ତାଙ୍କ ପେନସନକୁ ସ୍ଥାୟୀ ଭାବେ ବନ୍ଦ ରଖାଯାଇଛି । ସେହିପରି ଗଜପତି ଜିଲ୍ଲା ମୋହନା ବ୍ଲକର ପୂର୍ବତନ ସପ୍ଲାଇ ଇନ୍ସପେକ୍ଟର ପ୍ରକାଶ ଚନ୍ଦ୍ର ପାତ୍ର ଆୟ ବହିର୍ଭୁତ ସଂପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।  ଅସାଧୁତା କାରଣରୁ ତାଙ୍କ ପେନସନକୁ ସ୍ଥାୟୀ ଭାବେ ବନ୍ଦ ରଖାଯାଇଛି ।

ଢେଙ୍କାନାଳ RWSS Divisionର ପୂର୍ବତନ ଆସିଷ୍ଟାଣ୍ଟ ଇଞ୍ଜିନିୟର ପ୍ରସନ୍ନ କୁମାର ପାଣି ଅର୍ଥ ଆତ୍ମସାତ ଅଭିଯୋଗରେ ଗୋଟିଏ ଦୁର୍ନୀତି ମାମଲାରେ ସେ ଦୋଷୀସାବ୍ୟସ୍ତ ହୋଇଛନ୍ତି । ଅସାଧୁତା କାରଣରୁ ତାଙ୍କ ପେନସନ ଓ ଗ୍ରାଚ୍ୟୁଇଟିକୁ ସ୍ଥଗିତ ରଖାଯାଇଛି ।

କୋରାପୁଟ ନନ୍ଦପୁର ବ୍ଲକର ଦାୟିତ୍ବରେ ଥିବା ପୂର୍ବତନ ଜୁନିଅର ଇଞ୍ଜିନିୟର ଦୁଷ୍ମନ୍ତ କୁମାର ନାୟକ ସରକାରୀ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଅସାଧୁତା କାରଣରୁ ତାଙ୍କ ପେନସନକୁ ସ୍ଥାୟୀ ଭାବେ ବନ୍ଦ ରଖାଯାଇଛି ।

ଭୁବନେଶ୍ବର ଓବିସିସିର ପୂର୍ବତନ ସିନିଅର ମ୍ୟାନେଜର(ଟେଣ୍ଡର) ଶ୍ରୀ ସୋମନାଥ ପଣ୍ଡା ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।  ଅସାଧୁତା କାରଣରୁ ତାଙ୍କ ପେନସନକୁ ସ୍ଥାୟୀ ଭାବେ ବନ୍ଦ ରଖାଯାଇଛି । ସେହିପରି ଭୁବନେଶ୍ବର ଆଇଆରସି ଭିଲେଜ ମେଣ୍ଟେନାନସ ସେକ୍ସନର ପୂର୍ବତନ ଜୁନିଅର ଇଞ୍ଜିନିୟର କୁଞ୍ଜବିହାରୀ ମହାପାତ୍ରଙ୍କ ନାମରେ ଅର୍ଥ ଆତ୍ମସାତ ଅଭିଯୋଗରେ ଗୋଟିଏ ଦୁର୍ନୀତି ମାମଲା ଥିଲା । ସେଥିରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଅସାଧୁତା କାରଣରୁ ତାଙ୍କ ପେନସନକୁ ସ୍ଥାୟୀ ଭାବେ ବନ୍ଦ ରଖାଯାଇଛି ।