ଟି-୨୦ ବିଶ୍ୱକପରୁ ପ୍ରଥମ ଦଳ ଭାବେ ବାଦ୍ ପଡ଼ିଲା ଆଫଗାନିସ୍ତାନ

1 min read

ନନ୍ଦିଘୋଷ ବ୍ୟୁରୋ: ଆଫଗାନିସ୍ତାନ କ୍ରିକେଟ ପ୍ରେମୀଙ୍କ ପାଇଁ ଦୁଃଖ ଖବର । ଟି-୨୦ ବିଶ୍ୱକପ ସେମିଫାଇନାଲ ଦୌଡ଼ରୁ ବାଦ୍ ପଡ଼ିଲା ଆଫଗାନିସ୍ତାନ । ଔପଚାରିକ ଭାବେ ଟି-୨୦ ବିଶ୍ୱକପରୁ ବାହାର ହୋଇଯାଇଛି ଦଳ । ଏବେ ସେ ସେମିଫାଇନାଲ ପହଞ୍ଚିବାର କୌଣସି ସୁଯୋଗ ନାହିଁ । ମଙ୍ଗଳବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ୬ୱିକେଟରେ ପରାଜୟର ସାମ୍ନା କରିବା ପରେ ଦଳ ବାଦ୍ ପଡ଼ିଛି ।

ଏବେ କାବୁଲ ଫେରିବା ପାଇଁ ଦଳକୁ ପ୍ରସ୍ତୁତି କରିବାକୁ ହେବ । ଚଳିତଥର ଆଫଗାନିସ୍ତାନକୁ ସୁପର-୧୨ରେ ସିଧା ପ୍ରବେଶ ମିଳିଥିଲା, କିନ୍ତୁ ସେ ସେମିଫାଇନାଲରେ ସ୍ଥାନ ସୃଷ୍ଟି କରିପାରିଲା ନାହିଁ । ଚଳିତ ଟି-୨୦ ବିଶ୍ୱକପରେ ଏଯାବତ ଆଫଗାନିସ୍ତାନ ୪ଟି ମ୍ୟାଚ୍ ଖେଳିସାରିଛି । ଏଥିମଧ୍ୟରୁ ୨ଟିରେ ପରାଜୟର ସମ୍ମୁଖୀନ ହୋଇଥିବା ବେଳେ ୨ଟି ମ୍ୟାଚ୍ ବର୍ଷା କାରଣରୁ ଧୋଇଯାଇଥିଲା ।

ଏଥିପାଇଁ ଆଫଗାନିସ୍ତାନକୁ ୨ ପଏଣ୍ଟ ମିଳିଥିଲା । ଏବେ ଆଫଗାନିସ୍ତାନ କେବଳ ଗୋଟିଏ ମ୍ୟାଚ୍ ଖେଳିବା ବାକି ରହିଛି, ଯଦି ଏହି ମ୍ୟାଚ୍ ସେ ଜିତି ବି ଯାଏ ତେବେ ମୋଟ ପଏଣ୍ଟର ସଂଖ୍ୟା ୪ ହିଁ ହେବ । ଅର୍ଥାତ ସେମିଫାଇନାଲରେ ପହଞ୍ଚିବାର କୌଣସି ସୁଯୋଗ ନାହିଁ । ଶେଷ ମ୍ୟାଚ୍ କେବଳ ଔପଚାରିକ ପାଇଁ ଖେଳିବ ।

ଆଫଗାନିସ୍ତାନ ପ୍ରଥମ ମ୍ୟାଚରେ ଇଂଲଣ୍ଡଠାରୁ ୫ ୱିକେଟରେ ପରାଜିତ ହୋଇଥିଲା । ଏହାପରେ ନ୍ୟୁଜିଲାଣ୍ଡ ଓ ଆୟରଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ବର୍ଷା କାରଣରୁ ରଦ୍ଦ ହୋଇଥିଲା । ଗୋଟିଏ ଲେଖାଏଁ ପଏଣ୍ଟ ମିଳିଥିଲା । ଆଜି ଶ୍ରୀଲଙ୍କାଠାରୁ ୬ୱିକେଟରେ ପରାଜୟର ସାମ୍ନା କରିଛି । ଆଗାମୀ ମ୍ୟାଚ୍ ୪ ନଭେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷରେ ଅଛି ।