ଜେଇଇ ଢାଞ୍ଚାରେ ପିଜି ନାମଲେଖା, ଚିନ୍ତାରେ ଛାତ୍ରଛାତ୍ରୀ

1 min read
Stipend Amount Of Disable Student Increased

ଭୁବନେଶ୍ୱର: ଜେଇଇ ଢାଞ୍ଚାରେ ହେବ ପିଜି ନାମଲେଖା । ଉଚ୍ଚଶିକ୍ଷା ବିଭାଗ ଅଧିନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ପିଜି ପାଠ୍ୟକ୍ରମରେ ଆଡମିଶନ ଲାଗି ଆଉ ଏକକ ପିଜି ପ୍ରବେଶିକା ପରୀକ୍ଷା ହେବ ନାହିଁ । ୨୦୨୩-୨୪ ଶିକ୍ଷାବର୍ଷରୁ ପିଜି ପ୍ରବେଶିକା ପରୀକ୍ଷା ଓ ନାମଲେଖା ପଦ୍ଧତିରେ ପରିବର୍ତ୍ତନ  କରାଯିବ ।

ଜେଇଇ ଢାଞ୍ଚାରେ ପରୀକ୍ଷା କରିବାକୁ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଉଥିବା ସୂଚନା ମିଳିଛି । କେବଳ ଏତିକି ନୁହେଁ ସରକାରୀ ବିଶ୍ୱବିଦ୍ୟାଳୟର ୩ ଜଣ କୁଳପତିଙ୍କୁ ନେଇ ଏକ କମିଟି ଗଠନ କରାଯାଉଛି ।

ତେବେ ଅନେକ ବିଦ୍ୟାଳୟରେ ଆଡମିଶନ ସରିଥିବା ବେଳେ କିଛି କିଛି କଲେଜରେ ସିଟ୍ ପୂରଣ ହେଉନଥିବା ସୂଚନା ମିଳିଛି । ଏପରିକି ଉତ୍କଳ ବିଶ୍ୱବିଦ୍ୟାଳୟରେ ଏଭଳି ସିଟ୍ ରହିଛି, ଯାହାର ଅଧାରୁ ଅଧିକ ସିଟ୍ ଖାଲି ପଡିଛି । ତେବେ ଏକକ ପିଜି ପ୍ରବେଶିକା ପରୀକ୍ଷା ଓ ନାମଲେଖା ପ୍ରକ୍ରିୟାରେ ସମସ୍ୟା ଯୋଗୁଁ ଛାତ୍ରଛାତ୍ରୀଙ୍କୁ ହଟହଟା ହେବାକୁ ପଡୁଛି । ଯେଉଁଥିପାଇଁ ପିଲାମାନେ ନିଜ ଆଗ୍ରହୀ କଲେଜରେ   ପାଠ ପଢିପାରୁ ନାହାଁନ୍ତି । ଖାସ୍ କରି ଏକକ ପିଜି ନାମଲେଖା ପ୍ରକ୍ରିୟାରେ ସାମିଲ ପ୍ରାୟ ୭୭ଟି ଶିକ୍ଷାନୁଷ୍ଠାନରେ ସିଟ୍ ଖାଲି ରହିଥିବା ସୂଚନା ମିଳିଛି ।

ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟ ଓ କଲେଜ ଗୁଡିକରେ ପିଜି ଆଡମିଶନ ପାଇଁ ୪ ମାସ ହେଲା ପ୍ରକ୍ରିୟା ଚାଲିଛି । ଯଦିଓ +୩ ଶେଷବର୍ଷ ପରୀକ୍ଷା ଫଳ ପ୍ରକାଶ ପାଇନଥିଲେ ମଧ୍ୟ ସିପିଇଟି ପାଇଁ ଆବେଦନ ଆରମ୍ଭ ହୋଇଥିଲା । ସେପ୍ଟେମ୍ବର ୩୦ରୁ  ଅକ୍ଟୋବର ୭ ମଧ୍ୟରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।  ୨୫ ଅକ୍ଟୋବରରେ ମେଧା ତାଲିକା ପ୍ରକାଶ ପାଇଥିଲା । ପରେ ନଭେମ୍ବର ୨୦ ସୁଦ୍ଧା ଆଡମିଶନ ଶେଷ ପାଇଁ ଧାର୍ଯ୍ୟ ହୋଇଥିଲା ।

କିନ୍ତୁ ଧାର୍ଯ୍ୟ ସମୟରେ କୌଣସି କାମ ହେଉନଥିବାରୁ ବିଭାଗ ପକ୍ଷରୁ ବାରମ୍ବାର ସମୟ ପରିବର୍ତ୍ତନ କରିବାକୁ ପଡୁଛି । ତେବେ ଡିସେମ୍ବରରେ ପାଠପଢା ନେଇ ଧାର୍ଯ୍ୟ ହୋଇଥିବାରୁ କିଛି ଶିକ୍ଷାନୁଷ୍ଠାନରେ ପାଠପଢର ଆରମ୍ଭ ହୋଇଗଲାଣି । ଏଭଳି ସମୟରେ ଅନେକ ଛାତ୍ରଛାତ୍ରୀ ଆଡମିଶନ ଅପେକ୍ଷାରେ ରହିଛନ୍ତି।