ଠିକାଦାରଙ୍କୁ ଗୁଳିମାରି ହତ୍ୟା ଘଟଣା; ମୁଖ୍ୟ ଅଭିଯୁକ୍ତକୁ ଏନକାଉଣ୍ଟର

ରାଉରକେଲା: ଝିରପାଣି ଅଞ୍ଚଳରେ ଯୁବ ଠିକାଦାରଙ୍କୁ ଗୁଳିମାରି ହତ୍ୟା ଘଟଣା। ମୁଖ୍ୟ ଅଭିଯୁକ୍ତ ଅଜିତ ଓରାମକୁ ଏନକାଉଣ୍ଟର କରିଛି ପୋଲିସ । ଅଭିଯୁକ୍ତ ଅଜିତ ଓରାମ ହାତିଵନ୍ଧା ଜଙ୍ଗଲରେ ଲୁଚିଥିବା ସୂଚନା ପାଇ ଆଜି ଭୋର ସମୟରେ ପୋଲିସର ଏକ ସ୍ଵତନ୍ତ୍ର ଟିମ୍ ଜଙ୍ଗଲରେ ଚଢାଉ କରିଥିଲେ।

ଏହି ସମୟରେ ପୋଲିସ ଉପରକୁ ତିନି ରାଉଣ୍ଡ ଗୁଳି ଚଳାଇଥିଲା ଅଭିଯୁକ୍ତ। ପୋଲିସର ପାଲଟା ଗୁଳି ମାଡ଼ରେ ଅଭିଯୁକ୍ତ ଆହତ ହୋଇଛି । ଡାହାଣ ଗୋଡ଼ରେ ଗୁଳି ବାଜିଥିବାରୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ତେବେ ଅଭିଯୁକ୍ତ ନିକଟରୁ ଗୋଟିଏ ବନ୍ଧୁକ ଓ ଦୁଇ ରାଉଣ୍ଡ ଗୁଳି ଜବତ କରାଯାଇଛି। ସରକାରୀ ଜମି ବିବାଦକୁ ନେଇ ଗତକାଲି ଠିକାଦାର ବାଞ୍ଛାନିଧି ତନ୍ତୀଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଅଭିଯୁକ୍ତକୁ ଗିରଫ ଦାବିରେ ଗତକାଲି ଝିରପାଣି ଥାନା ଆଗରେ ରାସ୍ତାରୋକ କରିଥିଲେ ଉତ୍ତ୍ୟକ୍ତ ଲୋକ ।