spot_img
Home Blog Page 3918

ଦେଶ ପାଇଁ ବଡ଼ ଖବର, ସର୍ଭିକାଲ୍ କ୍ୟାନସର ରୋକିବ ସେରମ ଇନଷ୍ଟିଚ୍ୟୁଟ୍

ନୂଆଦିଲ୍ଲୀ: ମହିଳାଙ୍କ ପାଇଁ ଗୁଡ୍ ନ୍ୟୁଜ୍। ସର୍ଭିକାଲ୍ କ୍ୟାନସର ବା ଜରାୟୁ କର୍କଟ ପାଇଁ ଦେଶକୁ ମିଳିବ ପ୍ରଥମ ସ୍ବଦେଶୀ ଟିକା। ସେରମ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଟିକା ଲଞ୍ଚ କରାଯାଉଛି। ଟିକା ପ୍ରସ୍ତୁତି ନେଇ ସେରମ ଇନଷ୍ଟିଚ୍ଯୁଟ ସିଇଓ ଆଦର ପୁନାଓ୍ୱାଲା ସୂଚନା ଦେଇଛନ୍ତି। ୨ଶହରୁ ୪ଶହ ଟଙ୍କା ମଧ୍ୟରେ ମିଳିବ ଜରାୟୁ କର୍କଟ ଟିକା। କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପରେ ଦର ସ୍ଥିର କରାଯିବ ବୋଲି ପୁନାଓ୍ୱାଲା କହିଛନ୍ତି।

ମିଳିଥିବା ସୂଚନା ମୁତାବକ ପ୍ରଥମେ ୯ରୁ ୧୪ବର୍ଷ ବୟସର କିଶୋରୀଙ୍କୁ ଟିକା ଦିଆଯିବ। ଜୁଲାଇ ୧୨ତାରିଖରେ ଟିକାକୁ ମାର୍କେଟ୍ ଅଥରାଇଜେସନ୍ ଦେଇଥିଲା ଡିସିଜିଆଇ। ଦେଶରେ ୧୫ରୁ ୪୪ ବର୍ଷ ବୟସ ମହିଳାଙ୍କୁ ମଧ୍ୟରେ ସର୍ଭିକାଲ କ୍ୟାନସର ଦ୍ବିତୀୟ ସର୍ବାଧିକ ସଂକ୍ରମିତ କରୁଛି । ତେଣୁ ଏପରି ଏକ ସମୟରେ ଟିକାର ଆବଶ୍ୟକତା ରହିଥିବାବେଳେ, ଟିକା ବଜାରକୁ ଆସିନଥିଲା  । ଏବେ ଏହି ଟିକା ଦେଶକୁ ମିଳିବାକୁ ଯାଉଛି  ।

 

ଶୁଭଶ୍ରୀ ମହାପାତ୍ର ହତ୍ୟାକାଣ୍ଡ ମାମଲାରେ ଯୁବକ ଅଟକ, ମୃତ୍ୟୁ ପୂର୍ବରୁ ୭ ଥର ଯାଇଥିଲା ଫୋନ୍

ଭୁବନେଶ୍ୱର: ଶାସ୍ତ୍ରୀନଗର ଶୁଭଶ୍ରୀ ମହାପାତ୍ର ହତ୍ୟାକାଣ୍ଡ ମାମଲାରେ ନୂଆମୋଡ଼। ଜଣେ ଯୁବକଙ୍କୁ ଅଟକ ରଖିଲା କମିଶନରେଟ ପୋଲିସ । ଖାରବେଳନଗର ଥାନାରେ ଭୁବନେଶ୍ୱର ଡିସିପିଙ୍କ ଛାନବିନ। ମୃତ ଶୁଭଶ୍ରୀଙ୍କ ସିଡିଆରରୁ ମିଳିଲା ବିସ୍ଫୋରକ ତଥ୍ୟ । ଜଣେ ଯୁବକଙ୍କୁ ଅଟକ ରଖିଲା କମିଶନରେଟ ପୋଲିସ। ମୃତ୍ୟୁ ପୂର୍ବରୁ ସଂପୃକ୍ତ ଯୁବକଙ୍କୁ ଶୁଭଶ୍ରୀ କରିଥିଲେ ୭ କଲ୍ । ଘଟଣା ଦିନ ସଂଧ୍ୟା ସାଢେ ୬ଟାରୁ ୬ଟା ୪୯ ଭିତରେ ୭ ଥର କଲ କରିଥିଲେ ଶୁଭଶ୍ରୀ । ଶେଷଥର ପାଇଁ ୨୭ ସେକେଣ୍ଡ ପାଇଁ କଥା ହେଇଥିଲେ ଶୁଭଶ୍ରୀ । ୩୦୨ ଓ ୨୦୧ରେ ମାମଲା ରୁଜୁ କରିଛି ପୋଲିସ । ହତ୍ୟାକାଣ୍ଡ ପରେ, ପ୍ରମାଣ ନଷ୍ଟ କରିଥିବା ନେଇ ତଦନ୍ତ କରୁଛି ପୋଲିସ ।

ସବୁଠାରୁ ବଡ଼ କଥା ହେଉଛି ଏହି ବ୍ୟକ୍ତିଙ୍କୁ ଚିହ୍ନିଛନ୍ତି ଶୁଭଶ୍ରୀଙ୍କ ସ୍ୱାମୀ। ଆଗରୁ ଶୁଭଶ୍ରୀଙ୍କ ଘରକୁ ଯାତାୟତ କରୁଥିଲେ ଏହି ବ୍ୟକ୍ତି ଜଣକ। ସେହିପରି ଶୁଭଶ୍ରୀଙ୍କ ସିଡିଆରରୁ ମିଳିଛି ବିସ୍ଫୋରକ ତଥ୍ୟ। ସନ୍ଦେହ ଯୋଗୁଁ ଖାରବେଳନଗର ଥାନାରେ ପଚରା ଉଚରା ଚାଲିଛି । ଭୁବନେଶ୍ୱର ଡିସିପି, ଏସିପି ଓ ଆଇଆଇସି ମିଶି ଯୁବକଙ୍କୁ ଘଣ୍ଟା ଘଣ୍ଟା ଧରି ପଚରା ଉଚରା କରୁଛନ୍ତି।  ମୃତଦେହ ବ୍ୟବଛେଦ ପାଇଁ FMT ବା Fecal microbial transplantationର ଉପରିସ୍ଥ ଅଧିକାରୀଙ୍କ ସହ ଯୋଗାଯୋଗ କରିଛି ପୋଲିସ ।

ଅଜଗର ବୃଦ୍ଧଙ୍କୁ ଗିଳିବା ଚର୍ଚ୍ଚାର ଅବସାନ କେବେ? ଖବରକୁ ଅଗ୍ରାହ୍ୟ କରିଛନ୍ତି ବିଶେଷଜ୍ଞ

କଟକ: ବାଙ୍କୀ ଡମପଡ଼ା ଅଭୟାରଣ୍ୟରେ ଅଜଗର ବୃଦ୍ଧଙ୍କୁ ଗିଳିବା ଚର୍ଚ୍ଚାର ଅବସାନ କେବେ ? ସତରେ କ’ଣ ବୃଦ୍ଧଙ୍କୁ ଅଜଗର ଗିଳି ଦେଇଛି ? ଖବରକୁ ବିଶେଷଜ୍ଞ ଅଗ୍ରାହ୍ୟ କରିଛନ୍ତି । ସ୍ନେକ୍ ହେଲପଲାଇନ ସଦସ୍ୟ ଗ୍ରାଉଣ୍ଡ ଜିରୋରେ ସତ ପରଖିଛନ୍ତି । ବୃଦ୍ଧଙ୍କୁ ସାପ ଗିଳିଦେବା ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯଦିଓ ସାପ ମଣିଷକୁ ଗିଳିବା ବା ଧରିବା କେହି ଦେଖି ନାହାନ୍ତି, କିନ୍ତୁ ସୋସିଆଲ ମିଡିଆରେ ଏଇ ଖବରର ସତ୍ୟାସତ୍ୟ ପରୀକ୍ଷା ନକରି ଜୋରସୋରରେ ପ୍ରଚାର କରିଥିବା ସ୍ନେକ୍ ହେଲ୍ପଲାଇନ କହିଛି ।

ଭାଇରାଲ ଭିଡିଓରେ ଅଜଗର କିଛି ଗୋଟିଏ ବଡ଼ ଜନ୍ତୁ ଗିଳି ଦେଇ ଗଛ ମୂଳରେ ପଡିଥିବା ଦେଖାଯାଉଛି। ସେଇ ଭିଡିଓରେ ସାଧାରଣ ଜନତା ଉଭୟ ସପକ୍ଷରେ ଏବଂ ବିପକ୍ଷରେ ମତାମତ ଦେଉଛନ୍ତି। ଖବରଟିର ସତ୍ୟାସତ୍ୟ ପରୀକ୍ଷା ପାଇଁ ଆଜି ସ୍ନେକ ହେଲ୍ପ ଲାଇନର ପାଞ୍ଚ ଜଣିଆ ଟିମ୍‌ ଘଟଣା ସ୍ଥଳକୁ ଯାଇ ସରଜମିନ ତଦନ୍ତ କରିଥିଲେ । ସୂଚନା ଅନୁସାରେ, ଗତ ୨୯ ତାରିଖରେ ବେଙ୍ଗପାଣି ଘାଟି ନିକଟ ମୁଖ୍ୟ ରାସ୍ତାରୁ ଏକ ମୋପେଡ ଖସି ପଡ଼ିଥିବା ଦେଖିବାକୁ ମିଳିଥିଲା । ପାଖରେ ପଡ଼ିଥିଲା ଲୁଗା ଓ ଚପଲ। କିନ୍ତୁ ପୋଲିସର ଛାନବିନ ପରେ କୌଣସି ବ୍ୟକ୍ତିଙ୍କ ପତ୍ତା ମିଳିନଥିଲା । ପରେ ଥୋରିଆ ପାଟଣା ଗାଁର ବୃଦ୍ଧ ନନ୍ଦ କିଶୋର ବେହେରା ନିଖୋଜ ଥିବା ଖବର ଆସିଥିଲା । ନନ୍ଦକିଶୋରଙ୍କୁ ଲୋକ ଖୋଜାଖୋଜି କରିବା ବେଳେ ଏକ ବଡ ଅଜଗର କିଛି ବଡ଼ଜନ୍ତୁ ଖାଇଥିବା ଦେଖବାକୁ ପାଇଥିଲେ । ସେଇଦିନଠାରୁ ଅଜଗରର ଭିଡିଓ ଭାଇରାଲ ହେବାରେ ଲାଗିଛି।

ସ୍ନେକ୍ ହେଲ୍ପଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କ କହିବା କଥା, ବେଙ୍ଗପାଣି ଘାଟିରେ କିଛି ବଡ଼ ଜନ୍ତୁ ଅଜଗର ଗିଳିବା ପରେ ଘାଟିରୁ ଓହ୍ଲାଇ ପୁଣି ଦେଉଳିଆ ମୁଣ୍ଡିଆ ଚଢିବା ଅସମ୍ଭବ । ୧୦ରୁ ୧୨ ଫୁଟିଆ ଅଜଗର ହୁଏତ ଏକ ସାଢେ ୫ ଫୁଟରୁ ଅଧିକ ପ୍ରାପ୍ତ ବୟସ୍କ ବ୍ୟକ୍ତିଙ୍କୁ ମାରି ଦେବାରେ ସକ୍ଷମ ହେଇପାରେ, ମାତ୍ର ଗିଳି ପାରିବ ନାହିଁ । କେବଳ ଓଡ଼ିଶା ନୁହେଁ, ଭାରତ ବା ଅନ୍ୟ କେଉଁଠି ଭାରତୀୟ ଅଜଗର ମଣିଷକୁ ଗିଲିଥିବାର ନଜିର ନାହିଁ ବୋଲି ଶୁଭେନ୍ଦୁ ମଲ୍ଲିକ କହିଛନ୍ତି।

ସେପ୍ଟେମ୍ବର ୬ରେ ନୂଆଦିଲ୍ଲୀରେ ସମ୍ମାନୀତ ହେବେ ମୁଖ୍ୟମନ୍ତ୍ରୀ, ବିଜେଡି କରୁଛି ବଡ଼ ପ୍ରସ୍ତୁତି

ନୂଆଦିଲ୍ଲୀ: ଜୀବନବ୍ୟାପୀ ସାଧନା ପୁରସ୍କାର ପାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ବଡ଼ ପ୍ରସ୍ତୁତିରେ ଲାଗି ପଡ଼ିଛି ବିଜେଡି । ଆସନ୍ତା ୬ ତାରିଖରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିବା ପରେ କ୍ୟାପିଟାଲ୍ ଫାଉଣ୍ଡେସନ୍ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡରେ ତାଙ୍କୁ ସମ୍ମାନିତ କରାଯିବ । ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ଅଡିଟୋରିୟମରେ ନବୀନଙ୍କୁ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଏନ.ଭି ରମଣା ସମ୍ମାନିତ କରିବେ । ଏ ନେଇ ସୂଚନା ଦେଇଛନ୍ତି ବିଧାୟକ ଦେବୀ ପ୍ରସାଦ ମିଶ୍ର ।

ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମନ୍ତ୍ରୀ, ସାଂସଦ, ବିଧାୟକ, ଯୁବ ଛାତ୍ର ଓ ମହିଳା କର୍ମକର୍ତ୍ତା ସାମିଲ ହେବେ । ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ ହେବା ଓଡ଼ିଶାବାସୀଙ୍କ ପାଇଁ ଗର୍ବର କଥା ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ।  ।

ନବୀନଙ୍କ ନେତୃତ୍ୱରେ ଓଡ଼ିଶାର ରୂପାନ୍ତରଣ ଯାତ୍ରା ଜାରି ରହିଛି। ଗତ ଦୁଇ ଦଶନ୍ଧିରେ ଓଡ଼ିଶା ସବୁ କ୍ଷେତ୍ରରେ ଦ୍ରୁତ ବିକାଶ କରିଛି। ନବୀନଙ୍କ ସରଳତା, ଦରଦୀ ହୃଦୟ, ନିର୍ମଳ ଭାବମୂର୍ତ୍ତି ଲୋକଙ୍କ ହୃଦୟ ଜିତିଛି। ନବୀନଙ୍କ ଏହି ପ୍ରଶଂସନୀୟ ଓ ଉଲ୍ଲେଖନୀୟ ନେତୃତ୍ୱ ପାଇଁ ତାଙ୍କୁ ମିଳିବ ଏହି ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ।

 

ଜ୍ୟାକଲିନଙ୍କ ପାଇଁ ଶ୍ରୀଲଙ୍କା ଓ ବାହାରିନରେ ଘର କିଣିଥିଲେ ସୁକେଶ

ମୁମ୍ବାଇ: ବଢିବାରେ ଲାଗିଛି ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ। ଜ୍ୟାକଲିନଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦାଖଲ କରିଥିବା ଚାର୍ଜସିଟରେ କରାଯାଇଛି ଚାଞ୍ଚଲ୍ୟକର ଖୁଲାସା। ଜ୍ୟାକଲିନଙ୍କ ଲାଗି ଦଲାଲ ସୁକେଶ ଚନ୍ଦ୍ରଶେଖର ଶ୍ରୀଲଙ୍କାରେ ଏକ ଘର କିଣିଥିଲେ ଏବଂ ମୁମ୍ବାଇର ଜୁହୁ ଅଞ୍ଚଳରେ ଏକ ବଙ୍ଗଳା ଲାଗି ଅଗ୍ରୀମ ଅର୍ଥ ଦେଇଥିଲେ। ଘର କିଣିବା ସମ୍ପର୍କରେ ସୁକେଶ ତାଙ୍କର ଜଣେ ସହଯୋଗୀ ପିଙ୍କି ଇରାନୀଙ୍କୁ ସୂଚନା ଦେଇଥିଲେ । ସୁକେଶଙ୍କ ସହ ଜ୍ୟାକଲିନଙ୍କୁ ଭେଟ କରାଇଦେବା ସକାଶେ ପ୍ରବର୍ତ୍ତାଇବା ଲାଗି ପିଙ୍କିଙ୍କୁ ସୁକେଶ କହିଥିଲେ। ଜୁହୁରେ ଘର କିଣିବା ଲାଗି ଅଗ୍ରୀମ ଅର୍ଥ ପ୍ରଦାନ କରାଯାଇଥିବା ତଥା ବାହାରିନରେ ଜ୍ୟାକଲିନଙ୍କ ବାପାମାଙ୍କୁ ଏକ ଘର ଉପହାର ଦେଇଥିବା ନେଇ ପିଙ୍କିଙ୍କୁ କହିଥିଲେ ସୁକେଶ।

ତେବେ ଏହି ସବୁ ଘର କିଣିବାର ସତ୍ୟତା ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଯାଞ୍ଚ କରୁଛି । ପିଙ୍କିଙ୍କ ସହ ହ୍ୱାଟସଆପ୍ ଚାଟ୍ ବେଳେ ଶ୍ରୀଲଙ୍କାର ୱେଲିଗାମାରେ ଏକ ଘର କିଣାଯାଇଥିବା ସମ୍ପର୍କରେ ଜ୍ୟାକଲିନ ସ୍ୱୀକାର କରାଯାଇଥିବା ସୂଚନା ମିଳିଛି । ତେବେ ସେହି ଘରକୁ ଦିନେ ବି ଜ୍ୟାକଲିନ ଯାଇ ନଥିବା ଇଡି ଦର୍ଶାଇଛି। ଜ୍ୟାକଲିନଙ୍କ ଲାଗି ସୁକେଶ ବାସ୍ତବରେ ଆଉ କ’ଣ କ’ଣ ଉପହାର ଦେଇଛନ୍ତି ତାହାର ତଦନ୍ତ ଜାରି ରହିଛି। ଜ୍ୟାକଲିନଙ୍କୁ ସୁକେଶ ପ୍ରାୟ ୭ କୋଟି ଟଙ୍କାର ଅଳଙ୍କାର ଉପହାର ଦେଇଥିଲେ ବୋଲି ସୂଚନା ମିଳିଛି। ପୂର୍ବରୁ ୨ଶହ କୋଟି ଟଙ୍କା ଠକେଇ ମାମଲାରେ ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଜ୍ୟାକଲିନଙ୍କୁ ସମନ ଜାରି କରି ଆସନ୍ତା ୨୬ରେ ହାଜର ହେବା ଲାଗି ନିର୍ଦ୍ଦେଶ ଦେଇଥିଲେ।

ହାତୀମୃତ୍ୟୁ ଘଟଣାରେ ବିଦ୍ୟୁତ୍ ବିଭାଗ ସୁପରଭାଇଜର୍ ବହିଷ୍କୃତ

0

କେନ୍ଦୁଝର: କେନ୍ଦୁଝର ହାତୀମୃତ୍ୟୁ ଘଟଣାରେ ବିଦ୍ୟୁତ୍ ବିଭାଗ ସୁପରଭାଇଜର୍ ବହିଷ୍କୃତ। କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ ଜୁଡ଼ିଆ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଗତ ୨୫ ତାରିଖରେ ୨ଟି ମାଈହାତୀଙ୍କର ମୃତ୍ୟୁ ହୋଇଥିଲା। ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଜିଭି ଇଲେକ୍ଟ୍ରିକାଲସ୍‌ର ସୁପରଭାଇଜର୍ ଜୟଦେବ ସ୍ୱାଇଁଙ୍କୁ ବିଭାଗ ପକ୍ଷରୁ ବହିଷ୍କାର କରାଯାଇଛି।

ସୂଚନା ଅନୁସାରେ ୯ଟିକିଆ ହାତୀପଲଙ୍କ ମଧ୍ୟରୁ ୨ଟି ମାଈହାତୀ ଗଛ ପତ୍ର ଖାଇବା ବେଳେ ଭୂଇଁଠାରୁ କମ୍ ଉଚ୍ଚତାରେ ଯାଇଥିବା ବିଦ୍ୟୁତ୍ ତାର ସ୍ଂସ୍ପର୍ଶରେ ଆସି ୨ଟି ହାତୀଙ୍କର ମୃତ୍ୟୁ ଘଟିଥିଲା। ଏହି ଲାଇନ୍ କେବଲିଂ କରାନଯିବା ଓ ହାତୀ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବା ବେଳେ, ତୁରନ୍ତ ଲାଇନ୍ ନକଟିବାରୁ ହାତୀଙ୍କର ମୃତ୍ୟୁ ଘଟିଥିଲା। ଏଥିପାଇଁ ବନ ବିଭାଗ ପକ୍ଷରୁ ବିଦ୍ୟୁତ୍ ବିଭାଗର ନିର୍ବାହୀ ଯନ୍ତ୍ରୀ, ଉପଖଣ୍ଡ ଯନ୍ତ୍ରୀ ଓ କନିଷ୍ଟ ଯନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା।

ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ, ମା ସମଲେଶ୍ୱରୀଙ୍କ ନିକଟରେ ଲାଗି ହେଲା ନବାନ୍ନ

ସମ୍ବଲପୁର: ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଚଳଚଞ୍ଚଳ ପଶ୍ଚିମ ଓଡ଼ିଶାର ଗାଁଠୁ ସହର। ମା ସମଲେଶ୍ୱରୀଙ୍କ ନିକଟରେ ଲାଗି ହୋଇଛି ନବାନ୍ନ । ନୀତି ନିର୍ଘଣ୍ଟ ମୁତାବକ ମା’ଙ୍କ ଠାରେ ପୂଜାର୍ଚ୍ଚନା ପରେ ନବାନ୍ନ ଲାଗି ହୋଇଛି। ପରେ ପରିବାର ସହ ଏକାଠି ନୂଆ ଖାଇବେ ସମଗ୍ର ପଶ୍ଚିମ ଓଡ଼ିଶାବାସୀ। ମା ସମଲେଶ୍ୱରୀଙ୍କ ନିକଟରେ ନୂଆଲାଗି ହେବାପରେ ଦିନ ୧୨ଟା ୩୦ ପରେ ସମଲେଶ୍ୱରୀ ମାଙ୍କ ଦର୍ଶନ ଶ୍ରଦ୍ଧାଳୁ କରିପାରିବେ।

ସେହିପରି ନୂଆଁଖାଇ ପାଇଁ ଗତକାଲି ନିଶାର୍ଦ୍ଧ ପରେ ଆଜି ପାହାନ୍ତିଆ ପୂର୍ବରୁ ବରଗଡ଼ର ମା’ ସମଲେଇଙ୍କ ପୀଠରେ ଲାଗି ହୋଇଛି ନବାନ୍ନ। ଆଜି ମାହେନ୍ଦ୍ର ବେଳାରେ ଦିନ ୧୦.୩୩ ରୁ ୧୧.୦୮ ମଧ୍ୟରେ ପଶ୍ଚିମ ଓଡ଼ିଶାବାସୀ ନିଜ ନିଜ ଇଷ୍ଟ ଦେବାଦେବୀଙ୍କ ଠାରେ ନବାନ୍ନ ଭୋଗ ଲାଗି କରିବା ସହ ନବାନ୍ନ ଭକ୍ଷଣ କରିଛନ୍ତି।

ଅନ୍ୟପଟେ କଳାହାଣ୍ଡିରେ ବି ଆରମ୍ଭ ହୋଇଛି ନୂଆଁଖାଇ ପର୍ବ l ଜୁନାଗଡ଼ ସହରରେ ଥିବା ଦଧିବାମନ ମନ୍ଦିରରେ ନବାନ୍ନ ଲାଗି ହେବା ପରେ ଆରମ୍ଭ ହୋଇଛି ନୂଆଖାଇ l ମନ୍ଦିରରୁ ଲୋକେ ଅନ୍ନ ପ୍ରସାଦ ନେବା ପରେ ନିଜ ଇଷ୍ଟ ଦେବୀକୁ ସମର୍ପଣ ପରେ ଘରେ ଘରେ ଆରମ୍ଭ ହେବ ନୂଆଁଖାଇ l ସେହିପରି ସୁବର୍ଣ୍ଣପୁରରେ ପାଳିତ ହୋଇଛି ଗଣପର୍ବ ନୂଆଁଖାଇ । ସୋନପୁର ଗଡଜାତରେ ନିର୍ଦ୍ଧାରିତ ଲଗ୍ନରେ ଇଷ୍ଟଦେବୀ ମା’ ସୁରେଶ୍ୱରୀଙ୍କ ପାଖରେ ଲାଗି ହୋଇଛି ନାନାଦି ଭୋଗ । ଆଉ ଏହି ଭୋଗ ପାହୁର ଯାତ୍ରାରେ ଯାଇ ଅଷ୍ଟଚଣ୍ଡୀଙ୍କ ପାଖରେ ଲାଗି ହୋଇଛି । ମା’ ସମଲେଇଙ୍କ ମନ୍ଦିରରେ ପାହୁର ପ୍ରସ୍ତୁତ ହୋଇ ସମସ୍ତ ଦେବୀଙ୍କ ପାଖରେ ଲାଗି ହେଲା ପରେ ସୋନପୁର ଗଡଜାତବାସୀ ନବାନ୍ନ ଭକ୍ଷଣ କରିଛନ୍ତି।

ବୌଦ୍ଧରେ ମଧ୍ୟ ଧୁମଧାମରେ ପାଳନ ହେଉଛି ନୂଆଁଖାଇ। ବୌଦ୍ଧ ଜିଲ୍ଲାରେ ପ୍ରଥମେ ଇଷ୍ଟଦେବୀ ମା ଭୈରବୀଙ୍କ ନିକଟରେ ଆଜି ଦିନ ସାଢ଼େ ୧୧ଟାରେ ନବାନ୍ନ ଲାଗି ହେବା ପରେ ଅଂଚଳ ବାସୀ ନୂଆ ଖାଇବେ। ଏଥିପାଇଁ ମା’ଙ୍କ ନିକଟରେ ପହଞ୍ଚିଛି ସରିଆ ଧାନ। ଏହାସହ ଭୈରବୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି।

୨୪ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ବିଜୁଳି ସହ ହେବ ବର୍ଷା! ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ନିଷ୍କ୍ରିୟ ଥିବାରୁ ବଢୁଛି ଦିନର ତାପମାତ୍ରା। ଉଚ୍ଚ ଆର୍ଦ୍ରତା ଯୋଗୁ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ଗୁଳୁଗୁଳି ଅନୁଭୂତ ହେଉଛି। ପ୍ରଭାବରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଜ୍ରପାତ ବର୍ଷା ନେଇ ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ବିଶେଷ କରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ପରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଏବଂ ମୟୂରଭଞ୍ଜକୁ ସତର୍କତା ଜାରି କରାଯାଇଛି । ସେପଟେ ମେଘମୁକ୍ତ ଆକାଶ ପାଇଁ ରାଜ୍ୟରେ ବଢୁଛି ତାପମାତ୍ରା । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରା ବୃଦ୍ଧି ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦ ସହରର ତାପମାତ୍ରା ୩୫ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରହିଛି । ୩୬.୨ ଡିଗ୍ରୀ ସହ ଚାନ୍ଦବାଲି ସବୁଠୁ ଉତ୍ତପ୍ତ ସହର ହୋଇଥିବା ବେଳେ, ମାଲକାନଗିରିରେ ୩୬ ଡିଗ୍ରୀ ତାପମାତ୍ରା ରହିଥିଲା । ଭୁବନେଶ୍ବରରେ ୩୫.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଅଲଟିମେଟ ଖୋ ଖୋ ଲିଗ୍: ତେଲଗୁ ଯୋଦ୍ଧା ଠାରୁ ୬୫-୩୬ ପଏଣ୍ଟରେ ପରାସ୍ତ ହେଲା ଓଡ଼ିଶା ଜଗରନଟ୍ସ

ପୁଣେ: ମହାରାଷ୍ଟ୍ରରେ ଚାଲିଥିବା ଅଲଟିମେଟ ଖୋ ଖୋ ଲିଗରେ ତେଲଗୁ ଯୋଦ୍ଧା ଠାରୁ ୬୫-୩୬ ପଏଣ୍ଟରେ ପରାସ୍ତ ହେଲା ଓଡ଼ିଶା ଜଗରନଟ୍ସ। ପରାସ୍ତ ସ୍ୱତେ ବି ଓଡିଶା ପଏଣ୍ଟ ଟେବୁଲରେ ଦ୍ୱୀତୀୟ ସ୍ଥାନରେ ରହିଛି। ଏଥିସହ ପ୍ରଥମ କ୍ୱାଲିଫାଏର ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି । ଲିଗ ପର୍ଯ୍ୟାୟ ଶେଷ ପରେ ଓଡ଼ିଶା ଜଗରନଟ୍ସ ପଏଣ୍ଟ ଟେବୁଲ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଗୁଜରାଟ ପ୍ରଥମ, ଓଡ଼ିଶା ଦ୍ଵିତୀୟ, ତେଲଗୁ ଯୋଦ୍ଧା ତୃତୀୟ ଓ ଚେନ୍ନାଇ ଚତୁର୍ଥ ସ୍ଥାନରେ ରହିଛି ।

ଓଡ଼ିଶା ଜଗରନଟ୍ସର ଲିଗରେ ୧୦ଟି ମ୍ୟାଚରୁ ୭ ବିଜୟ ସହ ୨୧ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। । ସେପ୍ଟେମ୍ବର ୨ରେ ପ୍ଲେ ଅଫ ଆରମ୍ଭ ହେବ । ପ୍ରଥମ ପ୍ଲେ ଅଫରେ ଗୁଜୁରାଟ ଜାଏଂଟସକୁ ଭେଟିବ ଓଡ଼ିଶା। ଯେଉଁ ଟିମ ଜିତିବ ସିଧା ଫାଇନଲ ଖେଳିବ ଓ ହାରିବା ଟିମ ଏଲିମିନେଟର ମ୍ୟାଚ ଖେଳିବ । ସେପ୍ଟେମ୍ବର ୪ ତାରିଖରେ ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହେବ ।

ସେପଟେ ଗତକାଲିର ମ୍ୟାଚ ହାରିବା ନେଇ ଓଡ଼ିଶା କୋଚ କହିଛନ୍ତି ଯେ ଆମେ ପ୍ଲାନିଂ ସହ ଖେଳିଛୁ । ଯେହେତୁ ଆମେ ପ୍ରଥମ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରିସାରିଥିଲୁ ତେଣୁ ଆମେ ମୁଖ୍ୟ ପ୍ଲେୟାରଙ୍କୁ ବିଶ୍ରାମ ଦେଇଥିଲୁ । ତେବେ ପ୍ଲେ ଅଫ ମ୍ୟାଚ ପାଇଁ ଆମେ ସ୍ୱତନ୍ତ୍ର ରଣ କୌଶଳ ସହ ପଡିଆକୁ ଓହ୍ଲାଇବୁ ବୋଲି ଓଡ଼ିଶା କୋଚ କହିଛନ୍ତି ।

ଓଡ଼ିଶାବାସୀଙ୍କୁ ନୂଆଁଖାଇର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଚଳଚଞ୍ଚଳ ପଶ୍ଚିମ ଓଡ଼ିଶାର ଗାଁଠୁ ସହର। ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓଡ଼ିଶାର ଭାଇ ଭଉଣୀ ବିଶେଷକରି ପଶ୍ଚିମା଼୍ଚଳର ଭାଇ ଭଉଣୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି । ସ୍ନେହ, ଶ୍ରଦ୍ଧା ଓ ସୌହାର୍ଦ୍ୟର ଅନନ୍ୟ ପର୍ବ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧି ଆଣୁ ବୋଲି ସେ ଆନ୍ତରିକ  କାମନା କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ନୂଆଁଖାଇ ଜୁହାର ଜଣାଇଛନ୍ତି । ସମସ୍ତଙ୍କୁ ବିଶେଷ ଦିନର ଶୁଭେଚ୍ଛା ଜଣାଇବା ସହ କଟିନ ପରିଶ୍ରମ କରି ଦେଶବାସୀଙ୍କୁ ଖାଦ୍ୟାନ୍ନ ଯୋଗାଉଥିବା ଚାଷୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ସମାଜ ପ୍ରଗତିର ନୂଆ ଉଚ୍ଚତାରେ ପହଞ୍ଚୁ । ସମସ୍ତଙ୍କ ସୁଖ, ସମୃଦ୍ଧି ଓ ଉଦ୍ଦମ ସ୍ୱାସ୍ଥ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ।