ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପ ଦାବି: କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ଟୁକୁନି ସାହୁ

1 min read

ଭୁବନେଶ୍ୱର: ପଦମପୁର ଦେଇ ବରଗଡ଼ ଓ ନୂଆପଡାକୁ ରେଳ ସଂଯୋଗ ଲାଗି କେନ୍ଦ୍ର ନିକଟରେ ଦାବି । ଏନେଇ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ନିକଟକୁ ପତ୍ର ଲେଖିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ । ପତ୍ରରେ ମନ୍ତ୍ରୀ କହିଛନ୍ତି- ଏହି ରେଳଲାଇନ ପ୍ରତିଷ୍ଠା କରିବା ଲାଗି ପଦମପୁରବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବିପତ୍ର ଦିଆଯାଇଥିଲା । ରେଳ ଲାଇନ ପ୍ରତିଷ୍ଠା ନେଇ ଗତ ୨୦୧୮ ଡିସେମ୍ବର ୧୫ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ସାଧାରଣ ସଭାରେ ଘୋଷଣା କରିଥିଲେ ।

ଭାଷଣ ଅବସରରେ ଧର୍ମେନ୍ଦ୍ର କହିଥିଲେ- କେନ୍ଦ୍ର ସରକାର ଏହି ପ୍ରକଳ୍ପକୁ ମଞ୍ଜୁରୀ କରିଛନ୍ତି । ୨୦୧୮ରୁ ଆଜି ଯାଏ ପଦମପୁର ଦେଇ ବରଗଡ଼ ଓ ନୂଆପଡାକୁ ରେଳ ସଂଯୋଗ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ରାଜ୍ୟ ସରକାର ବାରମ୍ବାର ରେଳ ମନ୍ତ୍ରାଳୟ ନିକଟରେ ଦାବି କରିଆସୁଛନ୍ତି । ଏହି ରେଳପଥ ନିର୍ମାଣ ହେଲେ ଓଡିଶାର ଦୁଇ ଜିଲ୍ଲା ମଧ୍ୟରେ ସଂଯୋଗ ସ୍ଥାପନ ହେବା ସହ ପଶ୍ଚିମ ଓଡ଼ିଶାର ଅର୍ଥନୈତିକ ବିକାଶ ସମ୍ଭବ ହେବ ।

ଏହି ରେଳ ଲାଇନ ପ୍ରତିଷ୍ଠା ହେଲେ ଖୋର୍ଦ୍ଧା-ବଲାଙ୍ଗିର ଲାଇନ ଦେଇ ଉପକୂଳ ଓଡିଶା ସହ ପଶ୍ଚିମ ଓଡିଶା ମଧ୍ୟରେ ତ୍ବରିତ ସଂଯୋଗ ପ୍ରତିଷ୍ଠା ହୋଇପାରିବ ବୋଲି ମନ୍ତ୍ରୀ ଟୁକୁନି ସାହୁ ପତ୍ରରେ ଦର୍ଶାଇଛନ୍ତି । ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ରେଳ ପ୍ରକଳ୍ପ ନେଇ ୨୦୧୮ ମସିହାରେ ପ୍ରତିଶ୍ରୁତି ଦେଇଥିବାବେଳେ କାର୍ଯ୍ୟକାରୀ କରାଇବାରେ ବିଫଳ ହୋଇଥିବା ଅଭିଯୋଗ ଆଣିଛନ୍ତି ରାଜ୍ୟସଭା ସାସଂଦ ସସ୍ମିତ ପାତ୍ର  ।