spot_img
Home Blog Page 3912

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଲେ ସାଂସଦ ଅମର ପଟ୍ଟନାୟକ

ଭୁବନେଶ୍ୱର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଲେ ସାଂସଦ ଅମର ପଟ୍ଟନାୟକ । ଇସ୍ରାଏଲରେ ପାଠ ପଢ଼ିବାକୁ ଓଡ଼ିଆ ଛାତ୍ରୀଙ୍କୁ ଶିକ୍ଷାଋଣ ପ୍ରଦାନ ନେଇ ଚିଠି ଲେଖିଛନ୍ତି ସାଂସଦ । ତେଲଆଭିଭ ୟୁନିଭର୍ସିଟିରେ ପଢ଼ିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ଛାତ୍ରୀ । ମଧ୍ୟବିତ୍ତ ଶ୍ରେଣୀର ଏହି ଛାତ୍ରୀ ତେଲଆଭିଭ ୟୁନିଭର୍ସିଟିରେ ମାଷ୍ଟର ଡିଗ୍ରୀ କରିବେ ।

ଶିକ୍ଷାଋଣ ପାଇଁ ଛାତ୍ରୀଜଣକ ବିଭିନ୍ନ ବ୍ୟାଙ୍କର ଦ୍ବାରସ୍ଥ ହୋଇଥିଲେ । ଇସ୍ରାଏଲ ଏଭଳି ବ୍ୟବସ୍ଥା ଗ୍ରହଣ କରୁନଥିବା କହି ତାଙ୍କୁ ବ୍ୟାଙ୍କ ଋଣ ଦେଉନାହାନ୍ତି । ଇସ୍ରାଏଲ ସହିତ ଭାରତର ଭଲ ସମ୍ପର୍କ ରହିଛି । ଭାରତ ସରକାର ଓ RBI ପଲିସିରେ ପରିବର୍ତ୍ତନ ଆଣିବାକୁ ଅନୁରୋଧ କରିଛନ୍ତି ସାଂସଦ ଅମର ପଟ୍ଟନାୟକ ।

ଘୃଣା ସୃଷ୍ଟିକାରୀ ଭାଷଣ ମାମଲାରେ ଆଜମ ଖାନଙ୍କୁ ତିନି ବର୍ଷ ଜେଲ ଦଣ୍ଡ, ଯାଇପାରେ ବିଧାୟକ ପଦ

ରାମପୁର(ଉତ୍ତର ପ୍ରଦେଶ): ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କୁ ୨୦୧୯ ନିର୍ବାଚନ କାଳର ଭାଷଣ ମହଙ୍ଗା ପଡ଼ିଛି । ରାମପୁରର ଏମପି-ଏମଏଲଏ ଅଦାଲତ ୨୦୧୯ର ଘୃଣାସୃଷ୍ଟିକାରୀ ଭାଷଣ ମାମଲାରେ ତାଙ୍କୁ ୩ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛି । ୨୦୧୯ ଲୋକସଭା ନିର୍ବାଚନ କାଳରେ ଆଜମ ଏକ ସଭାରେ ଗୋଟିଏ ସମ୍ପ୍ରଦାୟ ବିରୋଧରେ ଘୃଣା ସୃଷ୍ଟିକାରୀ ଭାଷଣ ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା ।

ଅଦଲାତ ଆଜମଙ୍କୁ ତିନି ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୨୫ ହଜାର ଟଙ୍କାର ଜରିମାନା ଦେବାକୁ ଆଦେଶ ଦେଇଛନ୍ତି । ୧୦ଥରର ବିଧାୟକ ଓ ୨ ଥର ସାଂସଦଙ୍କ ରାଜନୈତିକ କ୍ୟାରିୟର ଅଦାଲତର ଏହି ଆଦେଶ ପ୍ରଶ୍ନବାଚୀ ଲଗାଇବାର ଆଶଙ୍କା ସୃଷ୍ଟି ହୋଇଛି । କାରଣ ଦଣ୍ଡାଦେଶ ପରେ ଆଜମ ଆଉ ନିର୍ବାଚନ ଲଢି ପାରିବେ ନାହିଁ । ଏହା ସହିତ ବିଧାନସଭାରେ ତାଙ୍କ ସଦସ୍ୟତା ମଧ୍ୟ ରଦ୍ଦ ହୋଇଯିବ ।

ଲୋକ ପ୍ରତିନିଧି ଆଇନ ଅନୁସାରେ ଯଦି କୌଣସି ବିଧାୟକ ଦୁଇ ବର୍ଷରୁ ଅଧିକ କାରାଦଣ୍ଡରେ ଦଣ୍ଡିତ ହୁଅନ୍ତି ତେବେ ତାଙ୍କ ସଦସ୍ୟତା ରଦ୍ଦ ହେବ ।ଏହା ପୂର୍ବରୁ ଅଯୋଧ୍ୟାର ଗୋଇସାଇଗଞ୍ଜ ବିଧାନସଭାରୁ ବିଜେପି ବିଧାୟକ ଖବ୍ବୁ ତିୱାରୀଙ୍କୁ ନିଜ ବିଧାୟକ ପଦବୀ ହରାଇବାକୁ ପଡ଼ିଥିଲା । କାରଣ ଅଦାଲତ ତାଙ୍କୁ ଦୁଇ ବର୍ଷର ଅଧିକ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।

ସହାୟ ହେଲା ଓଡ଼ିଶା ମୋ ପରିବାର, ଫେରି ଆସିଲା ଶ୍ରମିକଙ୍କ ମୃତଦେହ

ଗଞ୍ଜାମ: ସହାୟ ହେଲା ଓଡ଼ିଶା ମୋ ପରିବାର । ଶମିକଙ୍କ ମୃତଦେହକୁ ଜନ୍ମମାଟିକୁ ଫେରାଇଆଣିଲା ଓଡ଼ିଶା ମୋ ପରିବାର । ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ବଡ଼ଗଡ଼ ଗାଁର ଶଙ୍କର ନାୟକ ଓ ସୁଶାନ୍ତ ନାୟକ କେରଳରେ ରହି କାମ କରୁଥିଲେ । ଗତ ୨୭ ତାରିଖରେ ନିର୍ମାଣାଧୀନ ଛାତରୁ ପଡ଼ି ଉଭୟଙ୍କର ମୃତ୍ୟୁ ହୋଇଥିଲା । କମ୍ପାନୀ ତରଫରୁ ମୃତଦେହକୁ ଓଡ଼ିଶାକୁ ଅଣାଯାଇଥିବାବେଳେ ବିମାନବନ୍ଦରରୁ ଜନ୍ମମାଟିକୁ ନେବାକୁ ପରିବାର ଅକ୍ଷମତା ପ୍ରକାଶ କରିଥିଲେ ।

ପରେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁଙ୍କୁ ଏନେଇ ଜଣାଇବା ପରେ ସେ ଜିଲ୍ଲା ଜୀବନବିନ୍ଦୁ ସଂଯୋଜକଙ୍କୁ ଯୋଗାଯୋଗ କରିଥିଲେ । ଏନେଇ ଓଡ଼ିଶା ମୋ ପରିବାରକୁ ଜଣାଇବା ପରେ ତୁରନ୍ତ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଥିଲା । ମୃତଦେହ ସ୍ଥାନାନ୍ତର ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରିଥିଲା ଓଡ଼ିଶା ମୋ ପରିବାର । ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ମୋ ପରିବାରକୁ କୃତଜ୍ଞତା ଜଣାଇଛନ୍ତି ମୃତକଙ୍କ ପରିବାର ।

ସୋସିଆଲ ମଡିଆରେ ଚରିତ୍ର ସଂହାର କରୁଥିଲେ, ଥାନାରେ ଅଭିଯୋଗ ପରେ ଆକ୍ରମଣ କଲେ

ଭୁବନେଶ୍ୱର: ରାଜଧାନୀରେ ଆତଙ୍କ । ସୋସିଆଲ ମିଡିଆରେ ଚରିତ୍ର ସଂହାର କରୁଥିଲେ । ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରୁଥିଲେ । ମଞ୍ଚେଶ୍ୱର ଥାନାରେ ଏତଲା ପରେ ହିଂସ୍ର ହୋଇ ଉଠିଛନ୍ତି ଦୁର୍ବୃତ୍ତ । ଘରେ ପଶି କରିଛନ୍ତି ମରଣାନ୍ତକ ଆକ୍ରମଣ। ଆକ୍ରମଣରେ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ମଞ୍ଚେଶ୍ବର ଥାନା ଅଞ୍ଚଳର ଉମାକାନ୍ତ ସାହୁ । ଡାକ୍ତରଖାନାରେ ଆହତଙ୍କୁ ଭେଟି  ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ।

ଅଭିଯୋଗ ଅନୁସାରେ ପଳାଶୁଣି ଗାଁର ରାଜୁ ପ୍ରଧାନ ସେହି ଗାଁର ଚଗଲା ସାହୁଙ୍କ ବିରୋଧରେ ସୋସିଆଲ ମିଡିଆରେ ଆପତ୍ତି ଜନକ ପୋଷ୍ଟ କରିଥିଲେ । ଏନେଇ ଗତକାଲି ରାତିରେ ଥାନାରେ ଏତଲା ଦେଇଥିଲେ ଚଗଲା ସାହୁ । ଏଥିରେ ଉତକ୍ଷିପ୍ତ ହୋଇଚଗଲାଙ୍କ ଭାଇ ଉମାକାନ୍ତଙ୍କୁ ଧାରୁଆ ଅସ୍ତ୍ର ଓ ଠେଙ୍ଗାରେ ଆକ୍ରମଣ କରିଥିଲା ଅଭିଯୁକ୍ତ । ପୂର୍ବରୁ ଅଭିଯୁକ୍ତ ନାଁରେ ଅନେକ ମାମଲା ମଧ୍ୟ ରହିଛି । ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଛି ।

ଧାମନଗର ଉପନିର୍ବାଚନ: ବିଜେପି କରୁଛି ଅନୈତିକ କାର୍ଯ୍ୟ, ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେଡି

ନୂଆଦିଲ୍ଲୀ: ଧାମନଗର ଉପନିର୍ବାଚନ ପାଇଁ ଚାଲିଥିବା ପ୍ରଚାରରେ ବିଜେପିର ଅନୈତିକ କାର୍ଯ୍ୟକୁ ନେଇ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ବିଜେପି ଏସଏଚଜି ମହିଳାଙ୍କୁ ଅପମାନିତ କରୁଛି । ଅର୍ଥବଳରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରାଯାଉଛି । ଏପରିକି ସ୍ଥାନୀୟ ପ୍ରଶାସନ ଉପରେ ମଧ୍ୟ ଚାପ ସୃଷ୍ଟି କରୁଛନ୍ତି ରାଜ୍ୟ ବିଜେପି ନେତା ଓ କର୍ମୀ । ଏପରି ଅଭିଯୋଗ ଆଣି ଦିଲ୍ଲୀରେ ନିର୍ବାଚନ କମିଶନରଙ୍କୁ ଭେଟିଛି ବିଜେଡିର ଏକ ପ୍ରତିନିଧି ଦଳ ।

ସାଂସଦ ସସ୍ମିତ ପାତ୍ରଙ୍କ ନେତୃତ୍ବରେ କମିଶନଙ୍କୁ ଭେଟିଛନ୍ତି ୪ଜଣିଆ ପ୍ରତିନିଧି ଦଳ । ସାଂସଦ ନିରଞ୍ଜନ ବିଶି, ମୁନ୍ନା ଖାଁ ଓ ଚନ୍ଦ୍ରଶେଖର ସାହୁ କମିଶନରଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି । ତୁରନ୍ତ କାର୍ଯ୍ୟାନୁଷ୍ଠାନ ଲାଗି ଦାବି ପତ୍ର ଦେଇଛନ୍ତି । ଏସଏଚଜି ମହିଳାଙ୍କ ମିଛ ଭିଡିଓ ଭାଇରାଲ କରି ୭୦ ଲକ୍ଷରୁ ଅଧିକ ସ୍ବୟଂ ସହାୟିକା ମହିଳାଙ୍କୁ ଅପମାନିତ କରାଯାଉଛି । ହାରିଯିବା ଭୟରେ ବ୍ୟାପକ ଭାବେ କଳା ଟଙ୍କାର ବ୍ୟବହାର କରି ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରାଯାଉଛି ।

ସେହିପରି ପ୍ରଶାସନ ବିରୋଧରେ ମିଛ ଅଭିଯୋଗ ଆଣି ସ୍ଥାନୀୟ ଅଧିକାରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରାଯାଉଛି । ରାଜ୍ୟ ବିଜେପି ନେତାଙ୍କୁ ଏହି ସବୁ ଅନୈତିକ କାମରୁ ନିବୃତ କରିବାକୁ ଦାବି କରିଛି ବିଜେଡି । ଏଥିସହ ନିର୍ବାଚନମଣ୍ଡଳୀରେ ଅର୍ଥବଳ, ବାହୁବଳ ଓ ମିଛ ଅପପ୍ରଚାରକୁ ରୋକିବାକୁ ମନଟରିଂ ବ୍ୟବସ୍ଥାକୁ କଡ଼ା କଡି କରିବାକୁ ଦାବି କରିଛି ବିଜେଡି ।

ପୁଣି ଜିତିଲା ଭାରତ, ଅର୍ଦ୍ଧଶତକୀୟ ପାଳି ଖେଳିଲେ କୋହଲି-ରୋହିତ-ସୂର୍ଯ୍ୟକୁମାର

 ସିଡନୀ: ଭାରତ ଉଡାଇଲା ବିଜୟ ଧ୍ୱଜା  । ଜାରି ରଖିଲା ବିଜୟ ଅଭିଯାନ  ।  ବଡ଼ ବ୍ୟବଧାନରେ ଜିତିଲା ଭାରତ  ।  ବିଜୟ ରାସ୍ତାର ପିଛା କରି ୧୨୩ ରନରେ ଅଟକିଗଲା ପ୍ରତିଦ୍ୱନ୍ଦୀ ନେଦରଲ୍ୟାଣ୍ଡ  । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୧୭୯ ରନ୍ କରିଥିଲା  । ଦ୍ୱିତୀୟ ଇଂନିସରେ ନେଦରଲ୍ୟାଣ୍ଡ ୨୦ ଓଭରରେ ୧୨୩ ରନ୍ କରିଥିବାବେଳେ ୫୬ରନରେ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ  ।

 

ପ୍ରଥମେ ବ୍ୟାଟି କରି ନେଦରଲ୍ୟାଣ୍ଡସକୁ ଭାରତ ଦେଇଥିଲା ୧୮୦ରନର ଟାର୍ଗେଟ  । ରୋହିତ ଶର୍ମା, ବିରାଟ କୋହଲି ଓ ସୂର୍ଯ୍ୟକୁମାର ଯାଦବଙ୍କ  ଅର୍ଦ୍ଦଶତକୀୟ ପାଳି ଦଳକୁ ଆଗକୁ ନେବାରେ ସହାୟକ ହୋଇଥିଲା  । ପ୍ରଥମେ ୫୩ ରନ କରି ପାଭିଲିନୟ ଫେରିଥିଲେ ରୋହିତ ଶର୍ମା । ଅପରାଜିତ ଅର୍ଦ୍ଧଶତକୀୟ ପାଳି ଖେଳିଲେ କୋହଲି ଓ ସୂର୍ଯ୍ୟକୁମାର ଯାଦବ ।

 

କୋହଲି ୬୨ ରନ୍ କରିଥିବାବେଳେ ଓ ସୂର୍ଯ୍ୟକୁମାର ଯାଦବ ସଂଗ୍ରହ କରିଥିଲେ ୫୧ ରନ୍ । ଭାରତ ପ୍ରଥମ ଇଂନିସରେ ନିର୍ଦ୍ଧାରିତ ୨୦ ଓଭରରେ ୨ଓ୍ବିକେଟ ହରାଇ ୧୭୯ରନ କରିଥିଲା  । ନେଦରଲ୍ୟାଣ୍ଡ ପକ୍ଷରୁ ଫ୍ରିଙ୍ଗଲି ସର୍ବାଧିକ ୨୦ ରନ୍ କରିଛନ୍ତି  । ଦଳ ବିଜୟ ସାମ୍ନା କରି ୨୦ ଓଭର ସୁଦ୍ଧା ୯ ୱିକେଟ ବିନିମୟରେ ୧୨୩ ରନ୍ ହାସଲ କରିଛି  । ପ୍ରଥମ ମ୍ୟାଚରେ ପାକିସ୍ତାନକୁ ହରାଇ ଭାରତ ବିଜୟ ହାସଲ କରିଥିବାବେଳେ, ଦ୍ୱିତୀୟ ମ୍ୟାଚରେ ନେଦରଲ୍ୟାଣ୍ଡକୁ ହରାଇଛି ମେନ୍ ଇନ୍ ବ୍ଲୟୁ  ।

ଧାମନଗର ଉପନିର୍ବାଚନ: ଆପରେ ଅଭିଯୋଗ କରିବେ ସାଧାରଣ ଲୋକ

ଭୁବନେଶ୍ୱର: ଧାମନଗର ଉପନିର୍ବାଚନକୁ ନେଇ ଶେଷ ପର୍ଯ୍ୟାୟରେ ପ୍ରଶାସନର ପ୍ରସ୍ତୁତି । ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ରାଜନୈତିକ ଦଳ ବିରୋଧରେ ଆସିଛି ଅନେକ ଅଭିଯୋଗ । ରାଜନୈତିକ ଦଳ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବା ଭଳି ଅଭିଯୋଗ ହୋଇଛି ବୋଲି ପ୍ରେସମିଟରେ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ।

ଭୋଟରକୁ ଲାଞ୍ଚ ଦେବା, ଭୋଟ ପାଇଁ ଧମକାଇବା ଭଳି ଅଭିଯୋଗ ଆସିଛି । ଭୋଟରକୁ ଲାଞ୍ଚ, ପ୍ରୋଲଭନ ଦେବା ଅପରାଧ । ଏଭଳି ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ । ସେହିପରି ସି. ଭିଜିଲ ଆପ୍ ଜରିଆରେ ସାଧାରଣ ଲୋକେ ଅଭିଯୋଗ କରିପାରିବେ । ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ସିଇଓ । ଏ ପର୍ଯ୍ୟନ୍ତ ୧୦୨ଟି ଅଭିଯୋଗ ହୋଇଥିବା ବେଳେ, ୨୧୬ ଜଣଙ୍କୁ ଗିରଫ କରାଯାଇଛି ।

ରୁଟି ଖାଇବା ପଡିପାରେ ମହଙ୍ଗା, ଦୀପାବଳି ପରେ ବଢିଲା ଦର

ନୂଆଦିଲ୍ଲୀ: ଦୀପାବଳି ପରେ ବଢିଲା ଗହମ ଜାତୀୟ ଖାଦ୍ୟ ସାମଗ୍ରୀର ଦର । ଅଟା ମଇଦା ସୁଜି ସବୁର ଦର ବଢିଛି । ୟୁକ୍ରେନ ରଷ ଯୁଦ୍ଧ ଏହାର ଏକ କାରଣ ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ କର୍ପୋରେଟ ପ୍ରୀତିକୁ ଟାର୍ଗେଟ କରିଛନ୍ତି ବ୍ୟବସାୟୀ ମହା ସଂଘ ।

ଏଫସିଆଇ ଗହମ ଗଚ୍ଛିତ ରଖିଛି ହେଲେ ଖୋଲା ବଜାରରେ ବିକ୍ରି କରୁନାହିଁ । କର୍ପୋରେଟ ସଂସ୍ଥା ମାନେ ଏହାର ଫାଇଦା ଉଠାଇ ଗଚ୍ଛିତ ରଖିଥିବା ଗହମକୁ କୁଇଣ୍ଟାଲ ପିଛା ୧୯୦୦ ବଦଳରେ ୨୭୦୦ ଟଙ୍କାରେ ବିକ୍ରି କରୁଛନ୍ତି । ତୁରନ୍ତ ଏଫସିଆଇ ଗହମକୁ ଖୋଲା ବଜାରରେ ନ ବିକ୍ରି କଲେ ଦର ଦାମ ଉପରେ ନିୟନ୍ତ୍ରଣ ଆସିବ ନାହିଁ କହିଛି ବ୍ୟବସାୟୀ ମହାସଂଘ ।

ଅଳିଆ ଗଦାକୁ ନେଇ ଦିଲ୍ଲୀ ରାଜନୀତି ସରଗରମ, ମୁହାଁମୁହିଁ ଆପ୍ ବିଜେପି

ନୂଆଦିଲ୍ଲୀ: ଦିଲ୍ଲୀ ପୌର ନିର୍ବାଚନ ପୂର୍ବରୁ ଅଳିଆ ଗଦାକୁ ନେଇ ରାଜନୀତି ସରଗରମ  ।  ଗାଜିପୁର ଲ୍ୟାଣ୍ଡଫିଲ ସାଇଟରେ ବିଜେପିର ହଙ୍ଗାମା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଓ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗାଜିଆବାଦ ଗସ୍ତ କରିଥିବା ବେଳେ ବିକ୍ଷୋଭ ପ୍ରଦର୍ଶନ କରିଛି ଭାରତୀୟ ଜନତା ପାର୍ଟି । ଦିଲ୍ଲୀ ସରକାର ବିରୋଧରେ ନାରାବାଜୀ ସହ କେଜ୍ରିଓ୍ବାଲ ଓ ସିସୋଦିଆଙ୍କ ହାଏ ହାଏ ନାରା ଲଗାଇଥିଲେ ବିଜେପି କର୍ମକର୍ତ୍ତା ।

ବିଜେପି ବିକ୍ଷୋଭକୁ କାଉଣ୍ଟର କରି ଆପ୍ ପକ୍ଷରୁ ଗାଜିପୁର ଲ୍ୟାଣ୍ଡଫିଲ ସାଇଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିକ୍ଷୋଭ ସ୍ଥଳରେ ମୁହାଁମୁହିଁ ହୋଇଛନ୍ତି ଆପ୍-ବିଜେପି କର୍ମୀ । ସଫେଇ ପାଇଁ ଆସୁଥିବା ଫଣ୍ଡ ଦିଲ୍ଲୀ ସରକାର ବନ୍ଦ କରିଦେବାରୁ ଅଳିଆ ଗଦା ହୋଇ ରହିଛି ବୋଲି ବିଜେପି ଅଭିଯୋଗ କରିଛି ।

ଅନ୍ୟପଟେ ଲ୍ୟାଣ୍ଡଫିଲ ସାଇଟରେ ପହଞ୍ଚିବା ପରେ ବିଜେପି ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ । ଗତ ୧୫ ବର୍ଷ ଧରି ନିଗମ ବିଜେପି ହାତରେ ରହିଛି । ଏହି ୧୫ ବର୍ଷରେ ବିଜେପି ଦିଲ୍ଲୀକୁ ୩ଟି ଅଳିଆ ପାହାଡ଼ ଭେଟି ଦେଇଛି ବୋଲି କେଜରିଓ୍ବାଲ କହିଛନ୍ତି ।

ଆସନ୍ତା ଡିସେମ୍ବର ୨୭ରୁ ଧନୁଯାତ୍ରା, କଂସ ପାଇଁ ଫର୍ମ ପୂରଣ କଲେ ୧୩ ଜଣ

ବରଗଡ: ଆସନ୍ତା ଡିସେମ୍ବର ୨୭ରୁ ବରଗଡ଼ର ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା । ଜାନୁଆରୀ ୬ ତାରିଖ ପର୍ଯ୍ୟନ୍ତ କମ୍ପିବ ବରଗଡ଼ । ଏଥିପାଇଁ ଏବେଠୁ ବରଗଡ଼ ଜିଲ୍ଲାବାସୀଙ୍କ ମନରେ ଦେଖିବାକୁ ମିଳିଲାଣି ଉତ୍ସାହ । ଧନୁଯାତ୍ରାରେ ବିଭିନ୍ନ ଭୂମିକାରେ ଅଭିନୟ କରିବା ପାଇଁ ଆଜି ଫର୍ମ ପୂରଣ ହୋଇଛି ।

ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବା ପାଇଁ ଲାଗିଛି କଳାକାରଙ୍କ ଭିଡ଼ । ପୂର୍ବତନ କଂସ ହୃଷୀକେଶ ଭୋଇ ଆଜି ଫର୍ମ ଦାଖଲ କରିଛନ୍ତି । ସେହିପରି ଦୀର୍ଘ ୨୩ ବର୍ଷ ଧରି କଂସ ମହାରାଜା ଭୂମିକାରେ ଅଭିନୟ କରିଥିବା ଗୋପାଳ ସାହୁ ବି ଫର୍ମ ଦାଖଲ କରିଛନ୍ତି । ଏହି ଦୁଇ ଜଣଙ୍କୁ ବାଦ ଦେଲେ କଂସ ଭୂମିକାରେ ଅଭିନୟ କରିବା ପାଇଁ ଭୁବନେଶ୍ବର ପ୍ରଧାନ ଫର୍ମ ଦାଖଲ କରିବେ ବୋଲି ଜଣାପଡିଛି ।

ବରଗଡ଼ର ଧନୁଯାତ୍ରା ତାରିଖ ଯେତିକି ପାଖେଇ ଆସୁଛି ସମସ୍ତଙ୍କ ମନରେ ଉତ୍କଣ୍ଠା ସେତିକି ଦେଖିବାକୁ ମିଳିଛି । କିଏ ହେବ କଂସ, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କଂସ ମହାରାଜ ଭୂମିକାରେ ଅଭିନୟ ପାଇଁ ଆଜି ସୁଦ୍ଧା ପ୍ରାୟ ୧୩ ଜଣ, ମହାମନ୍ତ୍ରୀ ପାଇଁ ୩ ଜଣ, ମହାମନ୍ତ୍ରୀ ସାତ୍ୟକୀ ପାଇଁ ୪ ଜଣ, ଚାଣୁର ପାଇଁ ୫ ଜଣ, ମୁଷ୍ଟିକ ପାଇ ୨ ଜଣ, ଅକ୍ରୁର ପାଇଁ ୪ଜଣ, ଉଗ୍ରସେନ ପାଇଁ ୨ ଜଣ, ବସୁଦେବ ଚରିତ୍ର ପାଇଁ ୩ ଜଣ, ନାରଦ ଚରିତ୍ର ପାଇଁ ୪ ଜଣ ଫର୍ମ ଦାଖଲ କରିଛନ୍ତି ।