୬ହଜାର ଟଙ୍କା ସହ ବାଦାମ ଓ ମୁଗ ଲାଞ୍ଚ ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସ

ଗଞ୍ଜାମ: ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ । ଗଞ୍ଜାମ ଜିଲ୍ଲା କୋଦଳା ତହସିଲରେ କାର୍ଯ୍ୟରତ ରାଜସ୍ବ ସହାୟକ ସଞ୍ଜୟ କୁମାର ସେଠୀଙ୍କୁ ଧରିଛି ଭିଜିଲାନ୍ସ । କୋଦଳା ତହସିଲ ଅନ୍ତର୍ଗତ ବି ନୂଆ ଗାଁର ଦଣ୍ଡପାଣି ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଘରବାରି ପଟ୍ଟା କରାଇଦେବା ନାମରେ ୬ ହଜାର ଟଙ୍କା ନେଉଥିବା ବେଳେ ଧରିଛି ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ।

ପୂର୍ବରୁ ଏନେଇ ଭିଜିଲାନ୍ସ ନିକଟରେ ଦଣ୍ଡପାଣି ଅଭିଯୋଗ କରିଥିଲେ। ପରେ ଯୋଜନା ମୁତାବକ ସଞ୍ଜୟଙ୍କୁ କୋଦଳା କକା ହୋଟେଲଠାରେ ଟଙ୍କା ଦେବାକୁ ଡାକିଥିଲେ ଅଭିଯୋଗକାରୀ ଦଣ୍ଡପାଣି । ୬ ହଜାର ଟଙ୍କା ସହ ବାଦାମ୍ ଓ ମୁଗ ନେଉଥିବା ବେଳେ ଭିଜିଲାନ୍ସ ଧରିଥିଲା । ଏହାପରେ ସଞ୍ଜୟଙ୍କୁ ତହସିଲ କାର୍ଯ୍ଯାଳୟକୁ ଆଣି ତନାଘନା କରିବା ପରେ ବ୍ରହ୍ମପୁର ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଛି ।