ଆସାମ ପୋଲିସ ଗୁଳିରେ ମେଘାଳୟର ୫ଲୋକଙ୍କ ମୃତ୍ୟୁ

ସିଲଂ: ଆସାମର ବନ କର୍ମଚାରୀଙ୍କ ଗୁଳିମାଡ଼ରେ ମେଘାଳୟର ୫ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଏହି ଘଟଣା ପରେ ପୁଣିଥରେ ଆସାମ ଓ ମେଘାଳୟ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ନେଇ ଆଶଙ୍କା ଦେଖା ଦେଇଛି । ଆସାମ ସୀମାବର୍ତ୍ତୀ ମେଘାଳୟର ପଶ୍ଚିମ ଜୟନ୍ତିୟା ହିଲ୍ସର ମୁକରୋହ ଗାଁରେ ଏହି ଘଟଣା ଘଟିଛି । ଏହାଦ୍ୱାରା ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି ଏବଂ ୭ ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ କରିବାକୁ ପଡ଼ିଛି । ଘଟଣାଟି ମଙ୍ଗଳବାର ସକାଳ ୭ ଟା ୩୦ ମିନିଟରେ ଘଟିଛି ।

ଗ୍ରାମୀଣ ଲୋକେ ଜଙ୍ଗଲରୁ ଛୋଟ ଟ୍ରକରେ କାଠ ଆଣି ଫେରୁଥିଲେ । ଆସାମର ବନ ବିଭାଗ କର୍ମଚାରୀ ଗୁଳିମାଡ଼ କରିଥିଲେ । ଆସାମର ବନ କର୍ମଚାରୀ ଏହି ଫାୟାରିଂ ଯେଉଁ ସ୍ଥାନରେ କରିଥିଲେ ତାହା ମେଘାଳୟ ଅଧୀନରେ ଆସୁଛି । କର୍ମଚାରୀ ଗାଡିର ଟାୟାର ଉପରକୁ ଗୁଳି ଚଳାଇଥିଲେ, ଯାହାଫଳରେ ଟ୍ରକ୍ ଚକା ସେଇଠାରେ ହିଁ ଧସିଯାଇଥିଲା । ଟ୍ରକ୍ ଡ୍ରାଇଭର ଏବଂ କାଠ ଆଣି ଆସୁଥିବା ଗ୍ରାମବାସୀ ଚିତ୍କାର କରିଥିଲେ । ଏହା ଶୁଣି ଆଖ ପାଖର ଗ୍ରାମବାସୀ ଏକାଠି ହୋଇଥିଲେ । ଭିଡରେ ଘେରିଯିବା ପରେ ବନ ବିଭାଗ କର୍ମଚାରୀ ଫାୟାରିଂ କରି ଦେଇଥିଲେ ।

ଏହି ଗୁଳିମାଡ଼ରେ ଘଟଣାସ୍ଥଳରେ ଚାରି ଜଣଙ୍କ ମୃତ୍ୟୁ ହୋଇଯାଇଥିଲା ଯେତବେଳେ କି ଅନ୍ୟଜଣଙ୍କର ହସ୍ପିଟାଲରେ ଚିକିତ୍ସା ସମୟରେ ମୃତ୍ୟୁ ହୋଇଛି । ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଉତ୍ତେଜିତ ଗ୍ରାମବାସୀ ବନ କର୍ମଚାରୀଙ୍କ ଉପରେ ମଧ୍ୟ ଆକ୍ରମଣ କରିଛନ୍ତି । ଯାହାଫଳରେ ଜଣେ ବନ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା । ଅନେକ କର୍ମଚାରୀ ଗଭୀର ଭାବେ ଆହତ ମଧ୍ୟ ହୋଇଛନ୍ତି ।

ଏହି ଘଟଣାର ପୃଷ୍ଟି ମେଘାଳୟର ଡେପୁଟି ଆଇଜି ଡେଭିସ ଏନଆର୍ ମାରକ ମଧ୍ୟ କରିଛନ୍ତି । ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ ସଙ୍ଗମା ଘଟଣାକୁ ଗୁରୁତର ସହ ନେଇଛନ୍ତି । ସେ ଅଧିକାରୀଙ୍କ ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି । ମେଘାଳୟର ୭ ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ କରିବାକୁ ଆଦେଶ ଦେଇଛନ୍ତି । ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି ।