spot_img
Home Blog Page 3895

ଓଡିଆ ନୃତ୍ୟଗୀତରେ କମ୍ଫିଲା କାତାର, ମଜା ନେଲେ ୨୮୦ରୁ ଅଧିକ ପ୍ରବାସୀ

ଦୋହା: ଓଡିଆ ସଂସ୍କୃତି ଓ ପରମ୍ପରା କାର୍ଯ୍ୟକ୍ରମରେ କମ୍ପିଲା କାତାର । କାତାରରେ ରହୁଥିବା ଓଡିଆ ମାନଙ୍କୁ ନେଇ ଆଲୋକର ପର୍ବ ଦୀପାବଳି ଖୁବ୍ ଧୂମଧାମରେ ଦୋହାସ୍ଥିତ “ହଲିଡେ ଭିଲ୍ଲା” ହୋଟେଲରେ ପାଳିଛି ପ୍ରବାସୀ ଓଡିଆ ସଂଗଠନ ‘ଉତ୍କଳିକା କାତାର’ । ଆତ୍ମିୟତା ଓ ଆତିଥେୟତାର ଏହି ପର୍ବରେ ୨୮୦ ରୁ ଅଧିକ ପ୍ରବାସୀ ଓଡିଆ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।

ସଂଗଠନର କଳାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ସଂଗୀତ, ନୃତ୍ୟ, ନାଟକ ଓ ଅଭିନୟ ଆଦି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇଥିଲେ ପ୍ରବାସୀ ଓଡିଆ । ନୂତନ ଭାବେ ଯୋଗ ଦେଇଥିବା ସଦସ୍ୟ ମାନଙ୍କୁ ସ୍ୱାଗତ କରାଯିବା ସାଙ୍ଗକୁ ସଂଗଠନର ବାର୍ଷିକ କାର୍ଯ୍ୟସାରଣୀ ସଂପର୍କରେ ଅବଗତ କରାଯାଇଥିଲା। ସଭାପତି ଡା. ବସନ୍ତ କୁମାର କବି ସ୍ୱାଗତ ଭାଷଣରେ ସଂଗଠନର ଇତିହାସ ଓ ସଂଗଠନକୁ ସୁଦୃଢ କରିବାରେ ପୁରାତନ ସଭାପତି ମାନଙ୍କ ଅବଦାନ ବିଷୟରେ ଆଲୋକପାତ କରିବା ସାଙ୍ଗକୁ ଭବିଷ୍ୟତର ବିଭିନ୍ନ ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ।

ଏହି ଉତ୍ସବରେ ସାଂସ୍କୃତିକ ସଂପାଦିକା ଇପ୍ସିତା ଶତପଥୀ ଓ ସାଂସ୍କୃତିକ ସହ ସଂପାଦକ ଓମ୍ ପ୍ରକାଶ ପରିଡା ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ। ସଂଗଠନର ଉପସଭାପତି ନିହାର ରଂଜନ ମହାନ୍ତି, ସାଧାରଣ ସଂପାଦକ ଅବିନାଶ ଆଚାର୍ଯ୍ୟ, ଯୁଗ୍ମ ସଂପାଦକ ବିଭୂ ଆଚାର୍ଯ୍ୟ ତଥା ପରିଚାଳନା ସମିତି ର କାର୍ଯ୍ୟକର୍ତ୍ତା ଦୀପିକା ନାୟକ,ନିହାରିକା ସ୍ୱାଇଁ, ଜୟଶ୍ରୀ ମହାପାତ୍ର, ପୁନମ୍ ଜାନପ୍ପାରେଡ୍ଡି, ତୃପ୍ତି ପଟ୍ଟନାୟକ, ସାଗର ମହାନ୍ତି, ତୁଷାର ରଂଜନ ମିଶ୍ର, ପ୍ରିୟଦର୍ଶୀ ଦାଶ, ଚିନ୍ମୟ ପାତ୍ର,ଡା. ଶାରଦା ପ୍ରସାଦ ଡାକୁଆ, ସତ୍ୟଜିତ ସାମଲ,ପରମାନନ୍ଦ ରାଉତ ପ୍ରମୂଖ କାର୍ଯ୍ୟକ୍ରମ ପରିଚାଳନା ରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ।’ଉତ୍କଳିକା କାତାର’ ର ଉପଦେଷ୍ଟା ସମୂହ ଖାରବେଳ ପାଣିଗ୍ରାହୀ, ଡା. ବିଦ୍ୟାଭୂଷଣ ମହାନ୍ତି, ସରୋଜ କୁମାର ପଣ୍ଡା, ଗୌତମ ମେହେର, ଦେବାଶିଷ ପରିଜା ଏବଂ କାଜଳ ବିଶ୍ୱାଳ ପ୍ରମୂଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ଟ୍ରାଙ୍କୁଲାଇଜ ହେଲା ଦନ୍ତା, ଟ୍ରକରେ ଗଲା ଟାଙ୍ଗୀ

ଭୁବନେଶ୍ବର: ପାତ୍ରପଡ଼ା ଶନିମନ୍ଦିର ପଛପଟେ ଟ୍ରାଙ୍କୁଲାଇଜ ହେଲା ହାତୀ । ଟ୍ରକ୍‌ ଯୋଗେ ଟାଙ୍ଗି ଜଙ୍ଗଲକୁ ହାତୀକୁ ନିଆଯାଇଛି । ରାତି ତମାମ ରାଜଧାନୀରେ ଦନ୍ତା ବୁଲିବା ପରେ ହାତୀ କାବୁ କରିବାରେ ସକ୍ଷମ ହୋଇଛି ବନ ବିଭାଗ । ପିପିଲିରୁ ବାଲିପାଟଣା ଉତ୍ତରା ଶାସନ ନିକଟରେ ଏକ ହାତୀ ଧଉଳି ଅଭିମୁଖେ ଯାଇଥିବା ଦେଖିବାକୁ ମିଳିଥିଲା ।

ବନବିଭାଗ ହାତୀକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ । ହାତୀ ବୁଲିବା ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଥିଲେ । ହାତୀଟି ଦୟା ନଦୀ ପ୍ରୋଜେକ୍ଟ ପାଚେରୀ ଭାଙ୍ଗି ପଳାସପୁର ଗାଁରେ ପଶିଥିଲା । ଖୋର୍ଦ୍ଧା ସିଟି ଡିଭିଜନ ପୁରୀ ୱାଇଲଡ ଲାଇଫ ଡିଭିଜନ ଚନ୍ଦକା ବନ ଭିଭାଗ ହାତୀ ଘଉଡ଼ାଇବାରେ ନିୟୋଜିତ ହୋଇଥିଲେ । ହାତୀ ଟ୍ରାଙ୍କୁଲାଇଜ ହୋଇଥିବା ବେଳେ ୬ଟି ରେଞ୍ଜର ଏସିଏଫ ହାତୀକୁ ଜଗିଥିଲେ ।

ଓଡ଼ିଆଣୀ ବେଶରେ ସଜେଇ ହେବେ ଶ୍ରୀରାଧା, ଚଳଚଞ୍ଚଳ ଶ୍ରୀଗୋପାଳଜୀଉଙ୍କ ପୀଠ

ପୁରୀ: ଆଜି ପବିତ୍ର ଅଁଳା ନବମୀ । ଉତ୍ସବମୁଖର ପୁରୀ ଜିଲ୍ଲାର ସାକ୍ଷୀଗୋପାଳ । ଅଁଳା ନବମୀ ପାଇଁ ଚଳଚଞ୍ଚଳ ହୋଇଛି ଶ୍ରୀ ଗୋପାଳଜୀଉଙ୍କ ପୀଠ । ଓଡ଼ିଆଣୀ ବେଶରେ ସଜେଇ ହେବେ ଶ୍ରୀରାଧା । ନବମୀରେ ଶ୍ରଦ୍ଧାଳୁମାନେ ଅଁଳା ଗଛକୁ ପୂଜାର୍ଚ୍ଚନା କରିବା ସହିତ ରାଧାପାଦ ଦର୍ଶନ କରିବେ ।

ଭୋର ୫ଟାରୁ ମଙ୍ଗଳା ଆରତୀ ସରିଥିବା ବେଳେ ଅବକାଶ, ନଟବର ବେଶ, ସୂର୍ଯ୍ୟପୂଜା, ଦ୍ଵାରପାଳ ପୂଜା, ବଲ୍ଲଭ, ସକାଳ ଧୂପ, ମଦନ ମୋହନ ଭୋଗ ନୀତି ହେବ । ଏହା ପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ସାହାଣ ମେଳା ହେବ । ଭକ୍ତଙ୍କ ଦର୍ଶନ ପାଇଁ ବ୍ୟାରିକେଟ୍ ବ୍ୟବସ୍ଥା ହୋଇଥିବାବେଳେ ଆଇନ ଶୃଙ୍ଖଳା ବ୍ୟବସ୍ଥା ପାଇଁ ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ ।

ଆସନ୍ତା ୧୦ରେ ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ରାଷ୍ଟ୍ରପତି ଭାବେ ଦାୟିତ୍ବ ନେବା ପରେ ପ୍ରଥମ ଥର ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦୁଇ ଦିନିଆ ଗସ୍ତରେ ରାଷ୍ଟ୍ରପତି ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । ସେ ଓଡିଶା ଆସି ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ । ଆସନ୍ତା ୧୦ରେ ରାଷ୍ଟ୍ରପତି ଓଡିଶା ଆସିବେ । ଭୁବନେଶ୍ବରରେ ପହଞ୍ଚିବା ପରେ ରାଜଭବନରେ ରାତ୍ରି ରହଣିର କାର୍ଯ୍ୟକ୍ରମ ରହିଛି ।

ଏହା ପରେ ସେ ଭୁବନେଶ୍ବରରୁ ପୁରୀ ଅଭିମୁଖେ ବାହାରିବେ । ସେଠାରେ କାଳିଆ ଠାକୁରକୁ ଦର୍ଶନ କରି ୧୧ ତାରିଖରେ ଦିଲ୍ଲୀ ଫେରିଯିବେ ମହାମହିମ । ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ରାଷ୍ଟ୍ରପତି ଭବନ ସଚିବାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଗତ ୨୫ ଜୁଲାଇ ୨୦୨୨ରେ ରାଷ୍ଟ୍ରପତି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ଦ୍ରୌପଦୀ ମୁର୍ମୁ ।

ଆଜି ମୁହାଁମୁହିଁ ହେବେ ଭାରତ ଓ ବାଂଲାଦେଶ, ସେମି ଟିକେଟ ପାଇଁ ଆଡିଲେଡିରେ କସରତ

ସିଡନୀ: ଆଜି ମୁହାଁମୁହିଁ ହେବେ ଭାରତ ଓ ବାଂଲଦେଶ । ଆଡିଲେଡରେ ବାଂଲାଦେଶକୁ ଭେଟିବ ଟିମ୍ ଇଣ୍ଡିଆ । ଭାରତୀୟ ସମୟ ଦିନ ୧.୩୦ ମିନିଟରେ ଏହି ମ୍ୟାଚ ଖେଳାଯିବ । ଉଭୟ ଟିମ୍ ପାଇଁ ଏହି ମ୍ୟାଚ ବେଶ ଗୁରୁତ୍ୱପୂର୍ଣ୍ଣ । ଭାରତକୁ ସେମି ଫାଇନଲରେ ପହଞ୍ଚିବାକୁ ହେଲେ ଏହି ମ୍ୟାଚ୍ ଜିତିବାକୁ ହେବ । ପୂର୍ବରୁ ଭାରତ ଭଳି ଶକ୍ତିଶାଳୀ ଟିମକୁ ବାଂଲାଦେଶ ଚକମା ଦେବାର ନଜର ରହିଛି ।

୨୦୦୭ ଦିନିକିଆ ବିଶ୍ବକପରେ ବାଂଲଦେଶ ଟିମ ଭାରତୀୟ ଟିମ୍କୁ ପରାସ୍ତ କରି ଟୁର୍ଣ୍ଣାମେଣ୍ଟରୁ ବିଦା କରିଥିଲା । ଭାରତ ଏବେ ଗ୍ରୁପ ୨ର ପଏଣ୍ଟ ଟେବୁଲରେ ୪ ଅଙ୍କ ସହ ଦ୍ବିତୀୟ ସ୍ଥାନରେ ରହିଛି ।

ଗୁରୁବାର ସକାଳ ସାତରୁ ଧାମନଗର ପାଇଁ ପଡିବ ଭୋଟ

ଧାମନଗର: କିଏ ଜିତିବ ଧାମନଗର ବ୍ୟାଟେଲ । ମତଦାନ ପାଇଁ ସଜବାଜ ହେଉଛନ୍ତି ଧାମନଗରବାସୀ । କାହାକୁ ସମର୍ଥନ କରିବେ ଭୋଟର । ଆସନ୍ତାକାଲି ସକାଳ ୭ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବ । ମୋଟ ୨ଲକ୍ଷ ୪୦ ହଜାର ୯୨ଜଣ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ସେମାନଙ୍କ ମଧ୍ୟରେ ୧ ଲକ୍ଷ ୧୬ ହଜାର ୫୭୯ ମହିଳା ଓ ୧ଲକ୍ଷ ୨୪ ହଜାର ୯୨ଜଣ ପୁରୁଷ ଅଛନ୍ତି ।

ଧାମନଗର ନିର୍ବାଚନମଣ୍ଡଳୀର ୨୫୨ଟି ବୁଥ ମଧ୍ୟରୁ ୬୦ଟି ଉତ୍ତେଜନାପ୍ରବଣ ଓ ୫୦ଟି ଅତି ଉତ୍ତେଜନାପ୍ରବଣ ଭାବେ ଚିହ୍ନଟ ହୋଇଛି । କେବଳ ମହିଳାଙ୍କ ପାଇଁ ୫ଟି ବୁଥକୁ ପିଙ୍କ ବୁଥ ଭାବେ ଚିହ୍ନଟ କରାଯାଇଛି । ୨୫୨ ପୋଲିଂ ପାର୍ଟି, ୧ ହଜାର ୮ଜଣ ପୋଲିଂ ଅଧିକାରୀ, ୩୦ଜଣ ସେକ୍ସନ ଅଫିସର ଓ ୨ଜଣ ପର୍ଯ୍ୟବେକ୍ଷକ ନିର୍ବାଚନ ପରିଚାଳନା ପାଇଁ ନିୟୋଜିତ ହୋଇଛନ୍ତି । ଶାନ୍ତିଶୃଙ୍ଖଳାର ସହ ମତଦାନ ପାଇଁ ୪ କମ୍ପାନୀ ସିଆରପିଏଫ୍ ଓ ୨୫ ପ୍ଲାଟୁନ ସଶସ୍ତ୍ର ପୋଲିସ ବାହିନୀକୁ ନିୟୋଜିତ କରାଯାଇଛି । ଅବାଧ ଓ ନିରପେକ୍ଷ ଭୋଟ ଗ୍ରହଣ ପାଇଁ ୧୭୫ଟି ବୁଥର ୱେବକାଷ୍ଟିଂ କରାଯିବ ।

ଏନକାଉଣ୍ଟରରେ ଏଲଇଟି କମାଣ୍ଡର ମୁଖତାର ଭଟ୍ଟ ନିପାତ, ସେନା ଶିବିରରେ କରିଥାନ୍ତେ ବଡ ଧରଣର ଆକ୍ରମଣ

ଶ୍ରୀନଗର: ଜମ୍ମୁ କାଶ୍ମୀର ପୁଲୱାମାର ଅବନ୍ତୀପୋରାରେ ଏନକାଉଣ୍ଟରେ ତିନି ଆତଙ୍କବାଦୀଙ୍କୁ ନିପାତ କରିଛି ଭାରତୀୟ ସେନା । ଏନକାଉଣ୍ଟରରେ ଜଣେ ବିଦେଶୀ ଆତଙ୍କବାଦୀ ସାମିଲ ଥିବା ଜଣାପଡିଛି । କାଶ୍ମୀର ପୋଲିସର କହିବା ଅନୁସାରେ, ମୃତ ଆତଙ୍କବାଦୀଙ୍କ ମଧ୍ୟରେ ଲସ୍କର-ଏ-ତୋଇବାର କମାଣ୍ଡର ମୁଖତାର ଭଟ୍ଟ ଅଛି । ମୁଖତାର ଅନ୍ୟ ଆତଙ୍କବାଦୀଙ୍କ ସହ ମିଶି ସୁରକ୍ଷାକର୍ମୀଙ୍କ ଶିବିରରେ ଆତ୍ମଘାତୀ ଆକ୍ରମଣ କରିବାକୁ ଷଡଯନ୍ତ୍ର ରଚିଥିଲା । ସେନା ଏବଂ ପୋଲିସ ମିଳିତ ଭାବେ ଏକ ବଡ଼ ଅଘଟଣକୁ ଏଡାଇବାରେ ସଫଳ ହୋଇଛନ୍ତି ।

ଆତଙ୍କବାଦୀଙ୍କ ନିକଟରୁ ଗୋଟିଏ ଏକେ-୪୭ ରାଇଫଲ, ଗୋଟିଏ ୫୬ ରାଇଫଲ ଏବଂ ଗୋଟିଏ ପିସ୍ତଲ ଜବତ କରାଯାଇଛି । ମୁଖତାର ଭଟ୍ଟ ଜଣେ ଏଏସଆଇ ଏବଂ ସିଆରପିଏଫ, ଆରପିଏଫ ଯବାନଙ୍କ ହତ୍ୟାରେ ସାମିଲ ଥିଲା । ଆତଙ୍କବାଦୀଙ୍କ ନିପାତ ପରେ ସୁରକ୍ଷାକର୍ମୀ ସେଠାରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି । ଆତଙ୍କବାଦୀ ଲୁଚି ରହିବା ନେଇ ସୁରକ୍ଷାକର୍ମୀଙ୍କୁ ସୂଚନା ମିଳିଥିଲା । ଏହାପରେ ସେମାନେ ଲୁଚି ରହିଥିବା ଘରକୁ ଘେରିଥିଲେ ସୁରକ୍ଷାକର୍ମୀ । ଏହି ସମୟରେ ଆତଙ୍କୀମାନେ ଗୁଳି ମାଡ ଆରମ୍ଭ କରିଥିଲେ । ସୁରକ୍ଷାକର୍ମୀଙ୍କ ପାଲଟା ଜବାବରେ ତିନି ଆତଙ୍କବାଦୀ ନିପାତ ହୋଇଛନ୍ତି ।

ପ୍ରୋଜେକ୍ଟ ପାଚେରୀ ବାନ୍ଧି ରାଜଧାନୀ ଉପକଣ୍ଠରେ ପଶିଲା ହାତୀ, ହୋଇପାରେ ଟ୍ରାଙ୍କୁଲାଇଜ

ଭୁବନେଶ୍ବର: ରାଜଧାନୀରେ ବୁଲୁଛି ଦନ୍ତା। ପିପିଲିରୁ ବାଲିପାଟଣା ଉତ୍ତରା ଶାସନ ନିକଟରେ ଏକ ହାତୀ ଧଉଳି ଅଭିମୁଖେ ଯାଇଥିବା ଦେଖିବାକୁ ମିଳିଛି । ବନବିଭାଗ ହାତୀକୁ ଘଉଡ଼ାଇବାକୁ ଚେଷ୍ଟା ଜାରି ରଖିଛନ୍ତି । ସ୍ଥାନୀୟ ଲୋକେ ହାତୀକୁ ଦେଖି ଆତଙ୍କିତ ହୋଇପଡ଼ିଛନ୍ତି । ହାତୀଟି ଦୟା ନଦୀ ପ୍ରୋଜେକ୍ଟ ପାଚେରୀ ଭାଙ୍ଗି ପଳାସପୁର ଗାଁରେ ପଶିଛି ।

ଖୋର୍ଦ୍ଧା ସିଟି ଡିଭିଜନ ପୁରୀ ୱାଇଲଡ ଲାଇଫ ଡିଭିଜନ ଚନ୍ଦକା ବନ ଭିଭାଗ ହାତୀ ଘଉଡ଼ାଇବାରେ ନିୟୋଜିତ ହୋଇଛନ୍ତି । ହାତୀକୁ ଟ୍ରାଙ୍କୁଲାଇଜ କରାଯାଇପାରେ ବୋଲି ସୂଚନା ମିଳିଛି ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଜର୍ମାନୀ କନସୁଲେଟ୍ ଜେନେରାଲ୍ ଓ ଜର୍ମାନ ସଂସଦର ପ୍ରତିନିଧି ଦଳ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଜର୍ମାନୀର କନସୁଲେଟ୍ ଜେନେରାଲ୍ ଏବଂ ଜର୍ମାନ ସଂସଦର ପ୍ରତିନିଧି ଦଳ । ନବୀନ ନିବାସରେ ଏହି ସାକ୍ଷାତ ସମୟରେ ବାଣିଜ୍ୟ, ନିବେଶ ଏବଂ ପାରସ୍ପରିକ ସମ୍ପର୍କକୁ ନେଇ ଫଳପ୍ରଦ ଆଲୋଚନା ହୋଇଛି । ଏଥିସହ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଆମନ୍ତ୍ରଣ କରିଛନ୍ତି । ଏହି ସାକ୍ଷାତ ସମୟରେ ସମସ୍ତଙ୍କୁ ହକି ଇଣ୍ଡିଆର ଜର୍ସି ଉପହାର ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ପିଟିପିଟି ହତ୍ୟା ଅଭିଯୋଗ, ହତ୍ୟା ଅଭିଯୋଗକୁ କର୍ତ୍ତୃପକ୍ଷଙ୍କ ଖଣ୍ଡନ

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ପିଟିପିଟି ମାରି ଦେଇଥିବା ଅଭିଯୋଗ । ମୃତ ଯୁବକ ହେଲେ ରାଜୀବ ଶ୍ରୀଚନ୍ଦନ । ତାଙ୍କ ଘର ଡୁମୁଡୁମା ଫେଜ-୨ ଅଞ୍ଚଳରେ । ରାଜୀବ ଟ୍ରେଜେରୀ ଅଫିସରେ ଚାକିରି କରିଛନ୍ତି । ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ପିଟିପିଟି ମାରିଥିବା ନେଇ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ରାଜୀବଙ୍କ ସାଙ୍ଗ  ଓ କଲୋନୀ ବାସିନ୍ଦା । ଗତ ୨୪ ତାରିଖରେ କୋଳଥିଆର ନିଷ୍ଠା ନିଶା ନିବାରଣ କେଦ୍ରରେ ଭର୍ତ୍ତି ହୋଇଥିଲେ ରାଜୀବ । ଆଜି ଅପରାହ୍ନରେ  ତାଙ୍କର ସ୍ବାସ୍ଥ୍ୟ ଖରାପ ହୋଇଥିବା ନେଇ ତାଙ୍କ ସାଙ୍ଗଙ୍କୁ ନିଶା ନିବାରଣ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଥିଲା  । ରାଜୀବଙ୍କୁ ଅଟୋରେ କ୍ୟାପିଟାଲ ହସପିଟାଲ ନେଇଥିଲେ ନିଶା ନିବାରଣ କେନ୍ଦ୍ର କର୍ତ୍ତୃପକ୍ଷ । ସେଠାର ଡାକ୍ତର ମୃତ ଘୋଷଣା କରିଥିଲେ । ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି ।

ନିଶାନିବାରଣ କେନ୍ଦ୍ରରେ ଲାଗିଥିବା ସିସିଟିଭି ଯାଞ୍ଚ କଲେ ପ୍ରକୃତ ସତ ସାମ୍ନାକୁ ଆସିବ ବୋଲି କହିଛନ୍ତି ପରିବାର ଓ ସାଙ୍ଗ । ପାଖରେ ଦୁଇ ଦୁଇଟି ହସ୍ପିଟାଲ ଥାଇ ମଧ୍ୟ କାହିଁକି ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ନିଆଗଲା ବୋଲି ପ୍ରଶ୍ନ ଉଠିଛି । ଏହାଛଡ଼ା ଆମ୍ବୁଲାନ୍ସ ବଦଳରେ ଏକ ଅଟୋରେ ନେବା ମଧ୍ୟ କର୍ତ୍ତୃପକ୍ଷଙ୍କୁ ସନ୍ଦେହ ଘେରକୁ ଆଣିଛି । ମାମଲାର ତଦନ୍ତ କରି ନିଶା ନିବାରଣ କେନ୍ଦ୍ରର ପରିଚାଳକଙ୍କୁ ଗିରଫ ସହିତ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି ହୋଇଛି । ଥାନାରେ ଅଭିଯୋଗ ପରେ ଖୋଳତାଡ଼ ଆରମ୍ଭ କରିଛି ଖଣ୍ଡଗିରି ଥାନା ପୋଲିସ । ଆସନ୍ତାକାଲି ପୋଲିସ ନିଶା ନିବାରଣକୁ ଯାଇ ତଦନ୍ତ କରିବ । ସେପଟେ ହତ୍ୟା ଅଭିଯୋଗକୁ ଖଣ୍ଡନ କରିଛନ୍ତି ନିଶା ନିବାରଣ କର୍ତ୍ତୃପକ୍ଷ ।