ମାର୍ବଲ ବୋଝେଇ ଟ୍ରକ୍କୁ ପିଟିଲା ଯାତ୍ରୀବାହି ବସ୍, ଜଣେ ମୃତ, ୬ ଗୁରୁତର

ନୟାଗଡ଼: ଭାରସାମ୍ୟ ହରାଇ ମାର୍ବଲ ବୋଝେଇ ଟ୍ରକକୁ ପିଟିଲା ଯାତ୍ରୀବାହି ବସ୍‌ । ଘଟଣାସ୍ଥଳରେ ଜଣେ ମୃତ, ୬ ଗୁରୁତର । ମୃତ ବ୍ୟକ୍ତି ଜଣଙ୍କ ହେଲେ ଜୁନାଗଡ଼ର ଅମର ଚାନ୍ଦ । ସେ ଜଣେ ଶିକ୍ଷକ । ଘଟଣା ଘଟିଛି ନୟାଗଡ଼ ଇଟାମାଟି ଥାନା ପେଟ୍ରୋଲ ପମ୍ପ ନିକଟରେ । ଭୋର ୩ଟା ସମୟରେ ମାଣିକେଶ୍ବରୀ ନାମକ ଯାତ୍ରୀ ବାହି ବସ ନୟାଗଡରୁ ଯାତ୍ରୀଙ୍କୁ ନେଇ ଭୁବନେଶ୍ବର ଅଭିମୁଖେ ବାହାରିଥିଲେ । ଇଟାମାଟି ପ୍ରେଟୋଲ ପମ୍ପ ନିକଟରେ ଏକ ମାଲ ବୋଝେଇ ଟ୍ରକ ଠିଆ ହୋଇଥିଲା । ଯାତ୍ରୀବାହି ବସଟି ଟ୍ରକ ପଛ ପାଖରେ ମାଡ଼ କରିଥିଲା ।

ଖବର ପାଇ ଇଟାମାଟି ଥାନା ଆଇଆଇସି ବିଶ୍ୱଜିତ ରାଉତରାୟ ଘଟଣା ସ୍ଥଳରେ ପହଂଚି ୧୦୮ ଆମ୍ବୁଲାନ୍ସ ଓ ଅଗ୍ନିସମ ବିଭାଗ ସହାୟତା ରେ ୭ ଜଣ ଯାତ୍ରୀଙ୍କୁ ଉଦ୍ଧାର କରି ନୟାଗଡ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ଡାକ୍ତର ଜଣେ ଯାତ୍ରୀକୁ ମୃତ ଘୋଷଣା କରିଥିବା ବେଳେ ୨ ଜଣ ଯାତ୍ରୀ ଗୁରୁତର ଥିବାରୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି । ଇଟାମାଟି ପୋଲିସ ୨ ଟି ଗାଡିକୁ ଜବତ କରି ତଦନ୍ତ ଚଳାଇଥିବାବେଳେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି ।