ବାଲେଶ୍ୱର: ଅଧା ରହିଗଲା ଜଗନ୍ନାଥ ଦର୍ଶନ। କୋଲକାତାରୁ ପୁରୀ ଆସୁଥିବା ବେଳେ ସୋର ୧୬ ନମ୍ବର ଜାତୀୟ ରାଜପଥରେ ସିରିଜ୍ ଦୁର୍ଘଟଣା। ଜାମୁଝାଡ଼ି ତାରିଣୀ ଛକ ନିକଟରେ ଗ୍ୟାସ କଣ୍ଟେନରକୁ ପଛରୁ ପିଟିଲା ସ୍କର୍ପିଓ। ପରେ ଦୁର୍ଘଟଣା ଘଟାଇଥିବା ସ୍କର୍ପିଓକୁ ପଛରୁ ଆସୁଥିବା ଆଉ ଏକ ସ୍କର୍ପିଓ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ୪ ଜଣ ଗୁରୁତରଙ୍କୁ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି । ଘନ କୁହୁଡି ଓ ରାସ୍ତାକାମ ଚାଲୁଥିବାରୁ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ତିରୁମାଲା ତିରୁପତି ଦେବସ୍ଥାନମରେ ୧୦.୩ ଟନ ସୁନା
ତିରୁପତି: ତିରୁମାଲା ତିରୁପତି ଦେବସ୍ଥାନମ ବା ଟିଟିଡିର ସୁନା ପରିମାଣ ୧୦.୩ ଟନ୍ । ଏହାର ଦାମ ପ୍ରାୟ ୫ ହଜାର ୩ ଶହ କୋଟି ଟଙ୍କା । ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ଜମା ପରିମାଣ ୧୫ ହଜାର ୯୩୮ କୋଟି ଟଙ୍କା । ଏନେଇ ଟିଟିଡି ପକ୍ଷରୁ ଶ୍ବେତପତ୍ର ଜାରି କରାଯାଇଛି । ଏହାସହ ଆନ୍ଧ୍ରପ୍ରଦେଶ ସରକାରଙ୍କ ସିକ୍ୟୁରିଟିଜରେ ସରପ୍ଲସ ଫଣ୍ଡକୁ ନିବେଶ କରିବା ଲାଗି ଟିଟିଡି ଅଧ୍ୟକ୍ଷ ଓ ବୋର୍ଡ ନିଷ୍ପତ୍ତି ନେଇଥିବା ଖବରକୁ ଖଣ୍ଡନ କରାଯାଇଛି ।
ବିଭିନ୍ନ ବ୍ୟାଙ୍କରେ ଟଙ୍କା ସୁରକ୍ଷିତ ରହିଛି ବୋଲି କୁହାଯାଇଛି । ଟିଟିଡିର ମୋଟ ସମ୍ପତ୍ତି ପରିମାଣ ୨ ଲକ୍ଷ ୨୬ ହଜାର କୋଟି ଟଙ୍କା ରହିଛି । ସାରା ଦେଶରେ ୭ ହଜାର ୧୨୩ ଏକର ଜମି ପରିବ୍ୟାପ୍ତ ୯୬୦ରୁ ଅଧିକ ପ୍ରକାର ସମ୍ପତ୍ତି ରହିଛି । ଏହି ମନ୍ଦିରକୁ କୋଟି କୋଟି ଭକ୍ତ, ବ୍ୟବସାୟୀ ଓ ପ୍ରତିଷ୍ଠାନ ମୁକ୍ତ ହସ୍ତରେ ଦାନ କରିଆସୁଛନ୍ତି ।
ତାଞ୍ଜାନିଆାରେ ବିମାନ ଦୁର୍ଘଟଣା
ତାଞ୍ଜାନିଆ: ଲେକ୍ ଭିକ୍ଟୋରିଆରେ ଖସି ପଡ଼ିଲା ଯାତ୍ରୀବାହୀ ବିମାନ । ବୋକୁବାର ଉତ୍ତର-ପଶ୍ଚିମା ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣାରେ ୨୬ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବିମାନରେ ୪୩ ଯାତ୍ରୀ ଥିବା ସୂଚନା ମିଳିଛି । ଉଦ୍ଧାରକାରୀ ଟିମ୍ ଓ ସ୍ଥାନୀୟ ଧୀବରଙ୍କ ଦ୍ବାରା ସର୍ଚ୍ଚ ଅପରେସନ ଜାରି ରହିଛି । ବୋକୁବା ନିକଟସ୍ଥ ବିମାନ ବନ୍ଦରରେ ବିମାନଟି ଅବତରଣ କରିବା ପୂର୍ବରୁ ଖରାପ ପାଗ କାରଣରୁ ଏହା ଏକ ହ୍ରଦରେ କ୍ରାସ ଲାଣ୍ଡିଂ କରିଥିଲା । ବିମାନେର ୩୯ଜଣ ଯାତ୍ରୀ, ୨ ଜଣ ପାଇଲଟ ଓ ୨ ଜଣ କ୍ୟାବିନ କ୍ରିଉ ଥିଲେ ।
ପଦମପୁର ଉପନିର୍ବାଚନ ପାଇଁ ପ୍ରସ୍ତୁତି
ଭୁବନେଶ୍ବର: ଡିସେମ୍ବର ୫ ତାରିଖରେ ପଦମପୁର ଉପ ନିର୍ବାଚନ । ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀଙ୍କ ଅଧ୍ୟକ୍ଷାରେ ଅନୁଷ୍ଠିତ ହୋଇଯାଇଛି ପ୍ରସ୍ତୁତି ବୈଠକ । ବୈଠକରେ ବରଗଡ ଜିଲ୍ଲାପାଳ, ଏସପି, ଉପଜିଲ୍ଲାପାଳ ଏବଂ ଉପ ନିର୍ବାଚନ ସହ ଜଡିତ ସମସ୍ତ ବରିଷ୍ଠ ଅଧିକାରୀ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ପ୍ରସ୍ତୁତି ନେଇ ଆଲୋଚନ କରିଥିଲେ ମୁଖ୍ୟ ନିର୍ବାଚନ ଅଧିକାରୀ ।
ଉପ ନିର୍ବାଚନ ପାଇଁ ଆଉ କମ୍ ସମୟ ହାତରେ ରହିଛି । ଏନେଇ ନିର୍ବାଚନ ପରିଚାଳନା ଯୋଜନା ଖୁବଶୀଘ୍ର ପ୍ରସ୍ତୁତ କରି ରିଟର୍ଣ୍ଣିଙ୍ଗ ଅଧିକାରୀ, ସହକାରୀ ରିଟର୍ଣ୍ଣିଙ୍ଗ ଅଧିକାରୀ ଏବଂ ପୁଲିଂ ଅଧିକାରୀଙ୍କୁ ନିଯୁକ୍ତ କରିବା ସହ ସେମାନଙ୍କୁ ନିର୍ବାଚନ ପରିଚାଳନା ପାଇଁ ତାଲିମ ପ୍ରଦାନ ପାଇଁ ପରାମର୍ଶ ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ପଦମପୁର ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ହେବାକୁ ଥିବା ସମସ୍ତ ବୁଥକୁ ସମ୍ପୃକ୍ତ ବିଡିଓଙ୍କ ଜରିଆରେ ପରିଦର୍ଶନ କରାଇ କାର୍ଯ୍ୟକ୍ଷମ କରାଇବାକୁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି । ପଦମପୁର ଉପନିର୍ବାଚନ ପାଇଁ ଭୋଟର ତାଲିକାକୁ ଅପଡେଟ୍ କରିବାକୁ ପରାମର୍ଶ ଦେଇଛନ୍ତି । ଲାଗୁ ହୋଇଥିବା ଆଚରଣ ବିଧିକୁ କେହି ଉଲ୍ଲଂଘନ କଲେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ କହିଛନ୍ତି ।
ଉପନିର୍ବାଚନରେ ଆଞ୍ଚଳିକ ଦଳ ଦେଖାଇଲେ ଦମ୍
ଭୁବନେଶ୍ବର: ଦେଶର ବିଭିନ୍ନ ସ୍ଥାନରେ ହୋିଥିବା ଉପନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇଛି । ଏଥିରେ ଆଞ୍ଚଳିକ ଦଳଙ୍କ ଦବଦବା ଦେଖିବାକୁ ମିଳିଛି । ବିହାର ମୋକମାରେ ଆରଜେଡି ବିଜେପିକୁ ପରାସ୍ତ କରିଥିବାବେଳେ ତେଲଙ୍ଗାନାରେ ବିଜେପିକୁ ଧରାଶାୟୀ କରିଛି ଟିଆରଏସ । ୟୁପି ଗୋଲା ଗୋରଖନାଥ ଓ ହରିଆଣା ଆଦମପୁରରେ ବିଜେପି ବିଜୟୀ ହୋଇଛି । ମହାରାଷ୍ଟ୍ରର ଅନ୍ଧେରୀ ଇଷ୍ଟରେ ଶିବସେନା ଉଦ୍ଧବ ଗୋଷ୍ଠୀ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ବଡ଼କଥା ହେଉଛି ଏହି ଆସନରେ ପରାଜିତ ୬ ପ୍ରାର୍ଥୀ ଯେତିକି ଭୋଟ୍ ପାଇଛନ୍ତି ନୋଟାରେ ସେତିକି ଭୋଟ ପଡ଼ିଛି ।
ବିହାର ଗୋପଳଗଞ୍ଜ ସିଟର ବିଜେପି ବିଧାୟକ ସୁଭାଷ ସିଂଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ କୁସୁମ ଦୁବେ ନିର୍ବାଚନ ଲଢ଼ୁଥିଲେ । ଏଥିରେ ସେ ତାଙ୍କ ନିଟକତମ ପ୍ରତିଦ୍ବନ୍ଦ୍ବି ଆରଜେଡିର ମୋହନ ପ୍ରସାଦ ଗୁପ୍ତାଙ୍କୁ ପରାସ୍ତ କରିଛନ୍ତି । ସେହିପରି ମୋକାମା ଆସନରେ ଆରଜେଡି ବିଧାୟକ ଅନନ୍ତ ସିଂ ଅଯୋଗ୍ୟ ଘୋଷିତ ହେବା ପରେ ସେଠାରେ ଉପନିର୍ବାଚନ ହୋଇଥିଲା । ଏଠାରେ ଆରଜେଡି ତାଙ୍କ ପତ୍ନୀ ନୀଲମ ଦେବୀଙ୍କୁ ପ୍ରାର୍ଥୀ କରିଥିଲା । ଯାହାକୁ ନୀଲମ ଜିତି ନେଇଛନ୍ତି । ସେ ବିଜେପିର ବାହୁବଳୀ ଲଲନ ସିଂଙ୍କ ପତ୍ନୀ ସୋନମ ଦେବୀଙ୍କୁ ପରାସ୍ତ କରିଛନ୍ତି ।
ମହାରାଷ୍ଟ୍ରର ଅନ୍ଧେରୀ ଇଷ୍ଟ ଆଓନରେ ମଧ୍ୟ ଆଜି ଉପନିର୍ବାଚନ ଫଳାଫଳ ଆସିଛି । ଏଠାରେ ଶିବସେନାର ରମେଶ ଲଟକେ ବିଧାୟକ ଥିଲେ । ତାଙ୍କ ପରଲୋକ ପରେ ଏହି ଆସନଟି ଖାଲି ପଡ଼ିଥିଲା । ଉଦ୍ଧବ ବାଲାସାହେବ ଠାକରେ ରମେଶଙ୍କ ପତ୍ନୀ ଋତୁଜା ଲଟକେଙ୍କୁ ୬ ସ୍ବାଧୀନ ପ୍ରାର୍ଥୀ ଟକ୍କର ଦେଇଥିଲେ । ମଜାଦାର କଥା ହେଲା ଋତୁଜାଙ୍କୁ ଏକତରଫା ବିଜୟ ମିଳିଥିବା ବେଳେ ସମସ୍ତ ସ୍ବାଧୀନ ପ୍ରାର୍ଥୀଙ୍କ ଭୋଟ ଠାରୁ ନୋଟାରେ ଅଧିକ ଭୋଟ ପଡ଼ିଥିଲା ।
ତେଲେଙ୍ଗାନାର ମୁନୁଗୋଡ଼େ ଆସନରୁ କଂଗ୍ରେସ ବିଧାୟକ ଥିବା ରାଗୋପାଳ ରେଡ୍ଡୀ ଇସ୍ତଫା ଦେଇ ବିଜେପିରେ ମିଶିଥିଲେ । ଖାଲି ପଡ଼ିଥିବା ଏହି ଆସନରେ ଉପନିର୍ବାଚନ ହୋଇଥିଲା । ବିଜେପି ଏଠାରେ ତାଙ୍କୁ ପ୍ରାର୍ଥୀ କରିଥିଲା । ତେବେ ତାଙ୍କୁ ପରାଜୟ ବରଣ କରିବାକୁ ପଡ଼ିଛି । ସେ ଠିଆରଏସ ପ୍ରାର୍ଥୀ କେ. ପ୍ରଭାକର ରେଡ୍ଡୀଙ୍କଠାରୁ ପରାସ୍ତ ହୋଇଛନ୍ତି ।
ହରିଆଣାର ଆଦମପୁର ଆସନରେ ବିଜେପିର ଭବ୍ୟ ବିଷ୍ଣୋଇ ବିଜୟୀ ହୋଇଛନ୍ତି । ତାଙ୍କୁ ସେଠାରେ ଟକ୍କର ଦେଉଥିଲେ କଂଗ୍ରେସର ଜୟ ପ୍ରକାଶ ।
ଓଡ଼ିଶା ଧାମନଗରରେ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ତାଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କୁ ବିଜେପି ପ୍ରାର୍ଥୀ କରିଥିଲା । ଏଠାରେ ସୂରଜ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବି ବିଜେଡିର ଅବନ୍ତୀ ଦାସଙ୍କୁ ପରାସ୍ତ କରିଛନ୍ତି ।
ଅନଲାଇନ ଗେମ୍ ହାରି ପରିବାରର ୪ ଜଣଙ୍କୁ ହତ୍ୟା କଲା ନାବାଳକ ଛାତ୍ର
ତ୍ରିପୁରା: ଅନଲାଇନ ଗେମରେ ହାରି ପରିବାରର ୪ ଜଣଙ୍କୁ ହତ୍ୟା କଲା ନବମ ଶ୍ରେଣୀ ଛାତ୍ର । ମୋବାଇଲ ଅନଲାଇନ୍ ଗେମରେ ୪୦ ହଜାର ଟଙ୍କା ହାରିବା ପରେ ଘରେ ଟଙ୍କା ନଦେବାରୁ ନେଲା ଚରମ ପଦକ୍ଷେପ । ୪ ଜଣଙ୍କୁ ହତ୍ୟା କରି ମାଟିରେ ପୋତି ଦେଲା । ଅଭିଯୁକ୍ତ ନାବାଳକକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍ । ଏପରି ଚାଞ୍ଚଲ୍ୟକର ଘଟଣା ଘଟିଛି ତ୍ରିପୁରା ଢଲାଇ ଜିଲ୍ଲା କମଳପୁର ନିକଟସ୍ଥ ଦୁବାଇ ଶିବପଡ଼ାରେ ।
ଏଠାରେ ରୁହନ୍ତି ଦେବନାଥ ଓ ତାଙ୍କ ପରିବାର । ରାତିରେ ପରିବାର ଝଗଡ଼ା ପରେ ସକାଳୁ କାହାରିକୁ ନଦେଖି ପୋଲିସରେ ଖବର ଦେଇଥିଲେ ପଡୋଶୀ । ପୋଲିସ୍ ପହଞ୍ଚି ଘରେ କେହି ନଥିବା ଜାଣିବା ପରେ ନାବାଳକଙ୍କୁ ପଚରାଉଚରା କରିଥିଲା । ପୋଲିସ ଭୟରେ ନାବାଳକ ଜଣକ ସବୁକିଛି ଖୋଲି କହିଥିଲା । ମୋବାଇଲରେ ଗେମକ ଖେଳି ୪୦ ହଜାର ଟଙ୍କା ହରାଇଥିଲା ଛାତ୍ର ଜଣକ । ଯାହାକୁ ସେ କରଜ କରି ଶୁଝିଥିଲା । କରଜଦାତା ବାରମ୍ବାର ଟଙ୍କା ମାଗିବାରୁ ପରିବାର ଲୋକଙ୍କୁ ଟଙ୍କା ଦେବାକୁ ଜିଦ୍ ଧରିଥିଲା । ତେବେ ଟଙ୍କା ନଦେବାରୁ ନିଶାଶକ୍ତ ଅବସ୍ଥାରେ ଘରକୁ ଫେରି ଝଗଡ଼ା କରିଥିଲା । ପରେ ଜେଜେବାପା, ମା, ଭଉଣୀ ଓ ଜଣେ ସମ୍ପର୍କୀୟଙ୍କୁ ମାରିବା ପରେ ମାଟି ଖୋଳି ପୋତି ଦେଇଥିଲା । ଅଭିଯୁକ୍ତର ବୟାନ ଆଧାରରେ ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ ଚଳାଇଛି ।

