ପଦମପୁର ଉପନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ: ବାହାର ଲୋକଙ୍କୁ ଜିଲ୍ଲା ଛାଡ଼ିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ଆସନ୍ତାକାଲି ପଦମପୁର ଉପନିର୍ବାଚନ । ପ୍ରସ୍ତୁତି ନେଇ ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି । କହିଲେ, ବୁଥରେ ପହଞ୍ଚି ସାରିଲେଣି ପୋଲିଂ ପାର୍ଟି । ଏବେ ସାଇଲେଣ୍ଟ ପିରିୟଡ ଚାଲିଛି । ବାହାର ଲୋକଙ୍କୁ ଜିଲ୍ଲା ଛାଡ଼ି ଚାଲିଯିବାକୁ ଦିଆଯାଇଛି ନିର୍ଦ୍ଦେଶ । କେହି ରହିଥିଲେ ଆଇନ ଅନୁଯାୟୀ ନିଆଯିବ କାର୍ଯ୍ୟାନୁଷ୍ଠାନ ।

ଆଗକୁ ସେ କହିଛନ୍ତି, ‘ଏକଜିଟ୍ ଓ ଓପିନିଅନ ପୋଲ୍ ଉପରେ ଆସନ୍ତାକାଲି ସଂଧ୍ଯା ସାଢେ ୬ଟା ପର୍ଯ୍ୟନ୍ତ ନିଷେଧାଦେଶ ଲାଗିଛି । ଇଭିଏମରେ ତ୍ରୁଟି ଆସିଲେ ଅଧଘଣ୍ଟା ଭିତରେ ଏହାକୁ ପରିବର୍ତ୍ତନ କରାଯିବ । ମୋଟ୍ ୩୧୯ ବୁଥ୍ ମଧ୍ୟରୁ ୩୦୬ଟିର ନାମ ବଦଳିଛି । ୧୫ଟି ମଡେଲ ବୁଥ, ୬ପିଙ୍କ୍ ବୁଥର ବ୍ୟବସ୍ଥା ହୋଇଛି। ୭୯ ସମ୍ବେଦନଶୀଳ ବୁଥ ଉପରେ ନଜର ରଖାଯାଇଛି । ୧୨୦ ବୁଥରେ ଓ୍ୱେବକାଷ୍ଟିଂ, ୬୭ ବୁଥରେ ସିସିଟିଭିରେ ନଜର ରଖାଯିବ ।’

୨ ଲକ୍ଷ ୫୭ ହଜାରରୁ ଅଧିକ ଭୋଟର ଆସନ୍ତାକାଲି ମତ ସାବ୍ୟସ୍ତ କରିବେ । ୧୨ଟି କାର୍ଡ ମଧ୍ୟରୁ ଯେକୌଣସି ଗୋଟିଏ ଦେଖାଇ ଭୋଟ ଦେଇପାରିବେ ମତଦାତା । ହେଲପ ଡେସ୍କରୁ ସାହାଯ୍ୟ ନେଇପାରିବେ । ଭିନ୍ନକ୍ଷମ ଭୋଟରଙ୍କ ମତଦାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭୋଟ୍ ଦିନ ସଂପୃକ୍ତ ଅଞ୍ଚଳ ପାଇଁ ସରକାରୀ ଛୁଟି ଘୋଷଣା ହୋଇସାରିଛି । ସକାଳ ୭ରୁ ଅପରାହ୍ନ ୪ଟା ଯାଏଁ ମତଦାନ କରିପାରିବେ । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏଥିପାଇଁ ୧୪୧୩ ଜଣ ପୋଲିସ କର୍ମଚାରୀ, ୯ କମ୍ପାନୀ ସିଆରପିଏଫ ନିୟୋଜିତ ହୋଇଛନ୍ତି ।