ଗାଁ ଲୋକଙ୍କ ବିଜେପି ଅଫର୍: ୪ ଲକ୍ଷ ନିଅ, ଭୋଟ ଦିଅ

ପଦମପୁର: ପଦମପୁରରେ ସରୁନି ବିଜେପିର ପ୍ରଚାର । ଏବେ ବି ବିଜେପିର ସମସ୍ତ ନେତା ପ୍ରଚାରରେ ମାତିଛନ୍ତି । ନିର୍ବାଚନ ଆଚରଣ ବିଧିକୁ ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି । ବିଜେପି ନେତା କିଛି ଗ୍ରାମରେ ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଛି  । ପଦମପୁର ନିର୍ବାଚନ ମଣ୍ଡଳୀର ଅନେକ ଗ୍ରାମରେ ବିଜେପି ନେତା ଚେକ୍ ସହ ଲକ୍ଷାଧିକ ଟଙ୍କାର ପ୍ରଲୋଭନ ଦେଖାଉଥିବା ଅଭିଯୋଗ ହୋଇଛି  । ଏମିତିକି ୪ ଲକ୍ଷ ନେଇ ସମଗ୍ର ଗ୍ରାମବାସୀଙ୍କ ମତ କିଣିବାକୁ ପ୍ରୟାସ କରିଥିବା କୁହାଯାଇଛି  ।

ସେପଟେ ବିଜେପିର ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେରଙ୍କୁ ପୋଲିସ ଉଠାଇନେଇଛି । ହିମାଂଶୁ ମେହେରଙ୍କ ଗାଡ଼ିକୁ ଜବତ କରାଯାଇଛି । ଦେଖନ୍ତୁ ଏହି ଦୃଶ୍ୟକୁ ସାଇଲେଣ୍ଟ ପରିୟଡରେ ହିମାଂଶୁ ଲଖମରା ଗାଁରେ କିଭଳି ଚଳାଇଥିଲେ ପ୍ରଚାର । ଭୋଟରଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରୁଥିଲେ । ଏଥିରେ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ତାଙ୍କୁ ଅଟକ ରଖିଥିଲେ ।

ଗତକାଲି ଅପରାହ୍ନ ୪ଟାରୁ ପ୍ରଚାର ବନ୍ଦ ହୋଇସାରିଛି । ପଦମପୁର ଭୋଟରଙ୍କ ବ୍ୟତିତ ଅନ୍ୟ ଜିଲ୍ଲାର କୌଣସି ବ୍ୟକ୍ତି ପଦମପୁର ନିର୍ବାଚନମଣ୍ଡଳୀରେ ରହିପାରିବେ ନାହିଁ । ହେଲେ ଆଚରଣ ବିଧିର ଉଲଂଘନ କରି ହିମାଂଶୁ ମେହେର ପ୍ରଚାର ଚଳାଇଥିଲେ । ଏହା ସହ ସେ ବରଗଡ ଜିଲ୍ଲାର ନୁହଁନ୍ତି । ହେଲେ ତାଙ୍କୁ ପଦମପୁରରେ ରହିବାକୁ କିଏ ଅନୁମତି ଦେଲା ? କେଉଁ ଉଦ୍ଦେଶ୍ୟରେ ସେ ଏଠାରେ ରହିଥିଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗତକାଲି ମଧ୍ୟ ବିଜେପିର ପ୍ରାର୍ଥୀ ପ୍ରଦୀପ ପୁରୋହିତ ବରିହାପାଲି ଗ୍ରାମରେ ପ୍ରଚାର କରୁଥିବା ଅଭିଯୋଗ ହୋଇଥିଲା  ।