ରାୟଗଡ଼ା: କାଶୀପୁର ପରେ ମୁନିଗୁଡ଼ାରେ ବେଆଇନ କ୍ଲିନିକ ସିଲ୍ କରିଛି ପ୍ରଶାସନ। ରାୟଗଡା ଜିଲ୍ଲା ମୁନିଗୁଡା ପୁରୁଣା ବସଷ୍ଟାଣ୍ଡ ନିକଟରେ ବେଆଇନ ଭାବେ ଚାଲିଥିବା ଏକ ଘରୋଇ କ୍ଲିନିକକୁ ସିଲ କରିଛି ପ୍ରଶାସନ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ମୁନିଗୁଡା ତହସିଲଦାର, ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀ ଓ ଥାନା ଅଧିକାରୀ ମିଳିତ ଭାବେ କ୍ଲିନିକ ଉପରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ଡିଗ୍ରୀ ନଥାଇ ବେଆଇନ ଭାବେ କ୍ଲିନିକରେ ଡାକ୍ତର ଏସ. ବିଶ୍ୱାସ ଚିକିତ୍ସା କରୁଥିବା ଜଣାପଡ଼ିଥିଲା । କ୍ଲିନିକକୁ ସିଲ କରିବା ସହ ନକଲି ଡାକ୍ତର ସୁବ୍ରତ ବିଶ୍ୱାସକୁ ଥାନାରେ ଅଟକ ରଖାଯାଇଛି।
ଲଜରେ ଚାଲିଥିଲା ଜୁଆ ଖେଳ, ମାଡ଼ିବସିଲା ପୋଲିସ୍: ୭ ଗିରଫ ୬୦ ଲକ୍ଷ ଟଙ୍କା ଜବତ
ବଲାଙ୍ଗୀର: କଣ୍ଟାବାଞ୍ଜିର ଏକ ଲଜ୍ରେ ରାତି ଅଧିଆ ଚଢ଼ାଉ କରିଛି ପୋଲିସ । ରେଡ୍ ବେଳେ ଜବତ ହୋଇଛି ପ୍ରାୟ ୬୦ ଲକ୍ଷ ଟଙ୍କା । ଘଟଣାରେ ୭ ଜଣଙ୍କୁ ଗିରଫ କରିଛି ପୋଲିସ । ବିଳମ୍ବିତ ରାତିରେ ଏକ ଲଜରେ ବାହାର ରାଜ୍ୟର କିଛି ଲୋକ ଜୁଆ ଖେଳୁଥିବା ଖବର ପାଇଥିଲା ପୋଲିସ । ସଙ୍ଗେସଙ୍ଗେ ଚଢ଼ାଉ କରି ୫୮ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି। ଗିରଫ ୭ ଜଣଙ୍କୁ ପଚରାଉଚରା ଚାଲିଛି। କେବଳ ଜୁଆ ଖେଳ ଚାଲିଥିଲା, ନା ଆଉ କେଉଁ ଉଦ୍ଦେଶ୍ୟରେ ରାଜ୍ୟ ବାହାରର ଯୁବକ ଆସିଥିଲେ, ସେନେଇ ତଦନ୍ତ କରୁଛି ପୋଲିସ । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସଡିପିଓ ହୃଷୀକେଶ ମେହେର ସୂଚନା ଦେଇଛନ୍ତି।
ମାଲକାନଗିରି ଓଟିଇଟି ପରୀକ୍ଷା ରଦ୍ଦ; ପ୍ରଶ୍ନ ପତ୍ର ହୋଇଥିଲା ଲିକ୍
ମାଲକାନଗିରି: ରଦ୍ଦ ହେଲା ମାଲକାନଗିରି ଜିଲ୍ଲାର ଓଟିଇଟି ପରୀକ୍ଷା । ଗତ ୨୯ ତାରିଖରେ ହୋଇଥିବା ଓଟିଇଟି ପରୀକ୍ଷାର ପ୍ରଶ୍ନ ପତ୍ର ଲିକ୍ ହୋଇଥିଲା। ଏହି ଖବର ଗଣମାଧ୍ୟମରେ ପ୍ରସାରଣ ହେବାପରେ ମାଲକାନଗିରି ଜିଲ୍ଲା ପ୍ରଶାସନ ଏନେଇ ଖୋଳତାଡ଼ ଆରମ୍ଭ କରିଥିଲେ। ପରେ ତଦନ୍ତ ରିପୋର୍ଟ ରାଜ୍ୟ ଶିକ୍ଷା ବିଭାଗ ନିକଟରେ ଦାଖଲ କରିଥିଲେ । ରାଜ୍ୟ ଶିକ୍ଷା ବିଭାଗ ନିର୍ଦ୍ଦେଶକ୍ରମେ ବୋର୍ଡ କର୍ତ୍ତୃପକ୍ଷ ମାଲକାନଗିରି ଜିଲ୍ଲାର ତିନୋଟି ପରୀକ୍ଷା କେନ୍ଦ୍ରରେ ହୋଇଥିବା ଓଟିଇଟି ପରୀକ୍ଷାକୁ ବାତିଲ କରିଛନ୍ତି।
ଗୋଟିଏ ପୁଅକୁ ବିବାହ ପାଇଁ ୨ ଯୁବତୀଙ୍କ ଜିଦ୍
ଭୁବନେଶ୍ୱର: ରାଜଧାନୀ ରାସ୍ତାରେ ହାଇଡ୍ରାମା । ଗୋଟିଏ ପୁଅକୁ ବିବାହ ପାଇଁ ଜିଦ ଧରିଲେ ୨ ଯୁବତୀ । ବିବାହ କରିବା ପାଇଁ ୧୫ଦିନ ହେବ ଜଣେ ଯୁବତୀ ଅପହରଣ କରିଥିଲେ । ଆଜି ଯୁବକକୁ କିଛି ଲୋକ ଉଦ୍ଧାର କରିଥିବାବେଳେ ଦୁଇଜଣ ଯୁବତୀ ତାଙ୍କୁ ବିବାହ କରିବାକୁ ଜିଦ୍ ଧରିଥିଲେ ।
ଯୁବକ ଜଣକ ଇଶାନେଶ୍ବର ବସ୍ତି ବାସିନ୍ଦା । ୨ ଜଣଙ୍କ ମଧ୍ୟରୁ ଜଣେ ଯୁବତୀ କିଛି କିନ୍ନରଙ୍କୁ ଆଣି ମାରପିଟ କରିବା ସହ ଜୋରଜବରଦସ୍ତି ନିଜ ସହ ନେବାକୁ ଚେଷ୍ଟା କରିବାରୁ ସ୍ଥାନୀୟ ଲୋକେ ପୋଲିସ କଣ୍ଟ୍ରୋଲ ରୁମ୍ କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଛି ।
ଗୋଟିଏ ଘରେ ପଡ଼ିଛି ଶାଶୂ- ବୋହୂଙ୍କ ମୃତଦେହ
ଝାରସୁଗୁଡ଼ା: ଝାରସୁଗୁଡାରେରେ ଚାଞ୍ଚଲ୍ୟ । ରେଙ୍ଗାଲି ଥାନା ଅନ୍ତର୍ଗତ ମିସ୍ତ୍ରୀ ପଡ଼ାରେ ଥିବା ଏକ ଘରୁ ଶାଶୂ-ବୋହୂଙ୍କ ମୃତଦେହ ଉଦ୍ଧାର । ମୃତକ ହେଲେ ଝିମ ଖଡ଼ିଆ ଓ ତାଙ୍କ ବୋହୂ ସାଏବାଣୀ ଖଡ଼ିଆ । ଉଭୟଙ୍କୁ ପଥରରେ ପିଟି ହତ୍ୟା କରା ଯାଇଥିବା ପୋଲିସ ଅନୁମାନ କରୁଛି ।
ଏଭଳି ଏକ ଖବର ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି । ପୋଲିସ ଝିମ ଖଡିଆଙ୍କ ପୁଅ କୁଲଥୁ ଖଡିଆକୁ ଅଟକ ରଖି ପଚରାଉଚୁରା କରୁଥିବା ରେଙ୍ଗାଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
ପ୍ରତାରଣା ସନ୍ଦେହରେ ପ୍ରେମିକାକୁ ହତ୍ୟାକରି ନିଜେ ବିଷ ପିଇଲା ପ୍ରେମିକ
ସୁନ୍ଦରଗଡ଼: ପ୍ରେମରେ ପ୍ରତାରଣା ସନ୍ଦେହରେ ପ୍ରେମିକାକୁ ହତ୍ୟାକରି ନିଜେ ବିଷ ପିଇଲା ପ୍ରେମିକ । ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ ଭୁଲତା ଗାଁରେ ଘଟିଛି ଏହି ଚାଞ୍ଚଲ୍ୟକର ଘଟଣା । ପ୍ରେମିକାକୁ ହତ୍ୟା କରିବା ପରେ ବିଷ ପିଇ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛି ପ୍ରେମିକ । ଭୂଲତା ଗାଁର ଶାନ୍ତି ଲାକ୍ରା, ଓ ଶୁକୃ ଓରାମଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା ।
ପ୍ରେମିକାର ଚରିତ୍ରକୁ ସନ୍ଦେହ କରି ପ୍ରେମିକ ଆଜି ଏଭଳି କାଣ୍ଡ ଭିଆଇଛି । ଏକ ଧାରୁଆ ଅସ୍ତ୍ରରେ ବେକ କାଟି ପ୍ରମୀକାଙ୍କୁ ହତ୍ୟା କରିବା ପରେ ନିଜେ ବିଷ ପିଇ ଦେଇଥିଵା ଅଭିଯୋଗ ହୋଇଛି । ଗ୍ରାମବାସୀ ଘଟଣା ସମ୍ପର୍କରେ ଚାନ୍ଦିପୋଷ ଥାନାକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ହତ୍ୟାକାରୀ ଶୁକୃ ଏବେ ଡାକ୍ତରଖାନାରେ ପୋଲିସ ହେପାଜତରେ ଚିକିତ୍ସାଧୀନ ଅଛି ।

