ଏକଜିଟ୍ ପୋଲ୍: ଗୁଜରାଟରେ ମୋଦିଙ୍କ ମ୍ୟାଜିକ କାଏମ ! ବହୁ ପଛରେ ରହିବ କଂଗ୍ରେସ

1 min read

ଅହମ୍ମଦାବାଦ: ଗୁଜରାଟରେ କିଏ ସରକାର ଗଠନ କରିବ ଏବଂ କାହାକୁ ଆଗାମୀ ୫ ବର୍ଷ ପାଇଁ ଅପେକ୍ଷା କରିବାକୁ ପଡ଼ିବ ତାହା ୮ ଡିସେମ୍ବରରେ ଗଣତି ପରେ ସ୍ପଷ୍ଟ ହେବ । କିନ୍ତୁ ଏହା ପୂର୍ବରୁ ଆଜି ଏକଜିଟ୍ ପୋଲ୍ ସାମ୍ନାକୁ ଆସିଛି । ବିଭିନ୍ନ ସଂସ୍ଥା ପକ୍ଷରୁ ଭବିଷ୍ୟବାଣୀ କରାଯାଇଛି । ପ୍ରାୟତଃ ସବୁ ସଂସ୍ଥା ଅନୁସାରେ ଲଗାତାର ୭ମ ଥର ପାଇଁ ବିଜେପି ଗୁଜରାଟରେ ସରକାର ଗଠନ କରିବାକୁ ଯାଉଛି । ମୋଦି ମ୍ୟାଜିକ ପୁଣିଥରେ ଦେଖିବାକୁ ମିଳିବ । ବିରୋଧୀ ଯେଉଁ ସବୁ ପ୍ରସଙ୍ଗକୁ ନେଇ ବିଜେପିକୁ ମାତ୍ ଦେବାକୁ ମଇଦାନକୁ ଓହ୍ଲାଇଥିଲେ ତାହା ଫ୍ଲପ୍ ହେଉଥିବା ଦେଖାଯାଇଛି ।

ବିଜେପି କେବଳ ବିଜୟୀ ହେବନି ବରଂ ରେକର୍ଡ ବିଜୟ ହାସଲ କରିବା ନେଇ ଭବିଷ୍ୟବାଣୀ କରାଯାଇଛି । ଆଜତକ୍-ଆକ୍ସିସର ସର୍ଭେ ଅନୁଯାୟୀ ଗୁଜରାଟରେ ବିଜେପି ୧୨୯-୧୫୧ ଆସନ ଜିତିବାକୁ ଯାଉଛି, କଂଗ୍ରେସ ୧୬-୩୦ ଆସନ, ଆମ ଆଦମି ପାର୍ଟି (ଏଏପି) ୯-୨୧ ଆସନ ଓ ଅନ୍ୟକୁ ୨-୬ ଆସନ ମିଳିବ ବୋଲି ଆକଳନ କରାଯାଇଛି । ସେହିପରି ଏବିପି-ସି ଭୋଟର ସର୍ଭେ ଅନୁସାରେ ବିଜେପିକୁ ୧୨-୧୪୦, କଂଗ୍ରେସକୁ ୩୧-୪୩, ଏଏପିକୁ ୩-୧୧ ଓ ଅନ୍ୟକୁ ୨-୬ ଆସନ ମିଳିବ । ରିପବ୍ଲିକ୍-ପି ମାର୍କ ସର୍ଭେ ଅନୁସାରେ ବିଜେପିକୁ ୧୨୮-୧୪୮, କଂଗ୍ରେସକୁ ୩୦-୪୨, ଏଏପିକୁ ୨-୧୦ ଓ ଅନ୍ୟକୁ ୦-୩ ଆସନ ।

ନ୍ୟୁଜ ୨୪-ଚାଣକ୍ୟାର ସର୍ଭେ ଅନୁସାରେ ବିଜେପିକୁ ୧୫୦, କଂଗ୍ରେସକୁ ୧୯, ଆପ୍ କୁ ୧୧ ଏବଂ ଅନ୍ୟକୁ ୨ । ଟାଇମ୍ସ ନାଓ-ଇଟିଜି ସର୍ଭେ ଅନୁସାରେ ବିଜେପିକୁ ୧୩୯, କଂଗ୍ରେସକୁ ୩୦, ଏଏପିକୁ ୧୧ ଏବଂ ଅନ୍ୟକୁ ୨ । ଟିଭି-୯ ଭାରତବର୍ଷ ସର୍ଭେ ଅନୁସାରେ ବିଜେପିକୁ ୧୨୫-୧୩୦ କଂଗ୍ରେସକୁ ୪୦-୫୦, ଏଏପିକୁ ୩-୫ ଏବଂ ଅନ୍ୟକୁ ୩-୭ ଆସନ ଜିତୁଥିବାର ଦେଖାଯାଇଛି । ତେବେ ଏହି ଆକଳନ କେତେ ସଫଳ ହେବ ତାହା ତ ୮ ତାରିଖରେ ଫଳାଫଳ ଆସିବା ପରେ ସ୍ପଷ୍ଟ ହେବ । କିନ୍ତୁ ଆକଳନ ଅନୁସାରେ ଗୁଜରାଟରେ ବିଜେପି ପୁଣିଥରେ ସରକାର ଗଠନ କରିବାକୁ ଯାଉଛି ।