ଦିଲ୍ଲୀ ମଦ ଦୁର୍ନୀତି ମାମଲା, ଚିଠି ଲେଖି ହାଜର ହେବାକୁ ମନା କଲେ କେସିଆରଙ୍କ ଝିଅ

1 min read

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲା । ଆଜି ସିବିଆଇରେ ହାଜର ହେବେନି ଟିଆରଏସ ନେତ୍ରୀ କେ. କବିତା । ଏନେଇ ସିବିଆଇକୁ ଚିଠି ଲେଖିଛନ୍ତି ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ କବିତା । ଡିସେମ୍ବର ୬ ତାରିଖରେ ସିବିଆଇରେ ହାଜର ହେବା ଲାଗି ଗତ ଶୁକ୍ରବାର କବିତାଙ୍କୁ ନୋଟିସ ଦେଇଥିଲା ସିବିଆଇ । ଅପରାଧ ଆଚରଣ ସଂହିତାର ଧାରା ୧୬୦ ଅନୁସାରେ ଏହି ନୋଟିସ ଦିଆଯାଇଥିଲା । ବହୁଚର୍ଚ୍ଚିତ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ୧୪ ଜଣଙ୍କ ନାମରେ ରହିଛି ମାମଲା ।

ସିବିଆଇ ଡିଆଇଜି ରାଘବେନ୍ଦ୍ର ବାସାଙ୍କ ନିକଟକୁ ପତ୍ର ଲେଖି କବିତା ଦର୍ଶାଇଥିଲେ- ତାଙ୍କ ନାମ ସିବିଆଇ ଏଫଆଇଆରରେ ନଥିବାରୁ ସେ ୬ ତାରିଖରେ ସିବିଆଇରେ ହାଜର ହେବେ ନାହିଁ । ତେବେ ଆସନ୍ତା ୧୧, ୧୨, ୧୪ କିମ୍ବା ୧୫ ତାରିଖରେ କବିତା ସିବିଆଇ ଡିଆଇଜିଙ୍କୁ ଭେଟିବା ଲାଗି ତାରିଖ ମାଗିଛନ୍ତି । ଗତ ଡିସେମ୍ବର ୧ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଦ ଦୁର୍ନୀତି ମାମଲାରେ ଷଷ୍ଠ ଅଭିଯୁକ୍ତ ଅମିତ ଅରୋରାଙ୍କୁ ଗିରଫ କରିଥିଲା ।

କୋର୍ଟ ନିକଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏକ ରିମାଣ୍ଡ ରିପୋର୍ଟ ଦାଖଲ କରିଥିଲା ଏବଂ ଏଥିରେ କବିତା ଦୁଇଟି ଫୋନ ବ୍ୟବହାର କରୁଥିଲେ ଏବଂ ତାଙ୍କ ଆଇଏମଇଆଇକୁ ୧୦ ଥର ବଦଳାଇଥିଲେ ବୋଲି ଦର୍ଶାଇଥିଲା । ଇଡି ବି କହିଥିଲା ମଦ ଦୁର୍ନୀତି ମାମଲାରେ ୩୬ ଜଣ ଅଭିଯୁକ୍ତ ଅଛନ୍ତି ଏବଂ ସେମାନେ ପ୍ରମାଣ ଲୁଚାଇବା ଲାଗି ୧୭୦ରୁ ଅଧିକ ଫୋନ ବ୍ୟବହାର କରିଥିଲେ । ଅଭିଯୋଗ ଅନୁସାରେ ଶରଥ ରେଡୀ, କେ. କବିତା ଓ ଏମ. ଶ୍ରୀନିବାସଲୁ ରେଡୀଙ୍କ ମାଲିକାନାରେ ଚାଲିଥିବା ଏକ ଗ୍ରୁପ ଠାରୁ ମଦ ଦୁର୍ନୀତି ମାମଲାର ଅଭିଯୁ୍କ୍ତ ବିଜୟ ନାୟାର ୧୦୦ କୋଟି ଟଙ୍କା ପାଇଥିଲା ।