ଡିସେମ୍ବର ୭ରୁ ସଂସଦର ଶୀତକାଳୀନ ଅଧିବେଶନ, ଏଥର ୧୭ଟି କାର୍ଯ୍ୟ ଦିବସ

1 min read

ନୂଆଦିଲ୍ଲୀ: ଡିସେମ୍ବର ୭ରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ । ଆସନ୍ତା ୨୯ ତାରିଖ ଯାଏ ଚାଲିବାକୁ ଥିବା ଅଧିବେଶନରେ ରହିଛି ମୋଟ ୧୭ଟି କାର୍ଯ୍ୟ ଦିବସ । ଏହି ଅଧିବେଶନ କାଳରେ ବହୁ ଗୁରୁତ୍ବପୂର୍ଣ୍ଣ ବିଲ୍ ଆସିବାର କାର୍ଯ୍ୟକ୍ରମ ରହିଛି । ଗୃହର ସୁପରିଚାଳନା ଲାଗି ଆଜି ସନ୍ଧ୍ୟାରେ ଆହୂତ ହୋଇଛି ସର୍ବଦଳୀୟ ବୈଠକ । ବୈଠକରେ ଗୃହରେ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ବିଭିନ୍ନ ଦଳର ନେତାଙ୍କ ସହ ବାଚସ୍ପତି ଓମ ବିରଲା ଆଲୋଚନା କରିବେ । ଚଳିତ ଅଧିବେଶନରେ ପ୍ରାୟ ୧୬ଟି ନୂଆ ବିଲ୍ ଆଗତ ହେବ ।

ବିଶ୍ବସ୍ତରୀୟ ଟ୍ରେଡମାର୍କ ରେଜିଷ୍ଟ୍ରେସନ ବିଲ୍, ବହୁମୁଖୀ ରାଜ୍ୟ ସମବାୟ ସମିତି ସଂଶୋଧନ ବିଲ୍-୨୦୨୨ ଆଦି ଚଳିତ ଅଧିବେଶନରେ ଆଗତ ହେବ । ଉଭୟ ଲୋକସଭା ଓ ରାଜ୍ୟସଭାରେ ସରକାର ଅତିରିକ୍ତ ଅନୁଦାନ, ଚଳିତ ଆର୍ଥିକ ବର୍ଷରେ ଜାରି ରହିଥିବା କାର୍ଯ୍ୟକ୍ରମ ଉପରେ ଅଧିକ ବ୍ୟୟ ସମ୍ପର୍କରେ ମଧ୍ୟ ଆଲୋଚନା ହେବ । ବିଶ୍ବସ୍ତରୀୟ ଟ୍ରେଡମାର୍କ ରେଜିଷ୍ଟ୍ରେସନ ବିଲ୍ ପାରିତ ହେଲେ ଜଣେ ବ୍ୟକ୍ତି ସାରା ବିଶ୍ବରେ ଟ୍ରେଡମାର୍କ ପାଇବାର ଅଧିକାର ହାସଲ କରିବେ ।

ସମବାୟ ସଂସ୍ଥାଗୁଡିକୁ ସଶକ୍ତ କରିବା, ସେଥିରେ ସଂସ୍କାର ଆଣିବା, ସମବାୟ ସଂସ୍ଥା ନିର୍ବାଚନକୁ ସ୍ବଚ୍ଛ କରିବା ଲାଗି ଆସିବ ବହୁମୁଖୀ ରାଜ୍ୟ ସମବାୟ ସମିତି ସଂଶୋଧନ ବିଲ୍-୨୦୨୨ ।