ପୁରୀ: ପୁରୀ ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ । ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି 5T ସଚିବ । ବେଢ଼ା ପରିକ୍ରମା ସହ ବିଭିନ୍ନ ଦେବାଦେବୀଙ୍କୁ ଦର୍ଶନ କରିଛନ୍ତି । ଏଥିସହ ସେବାୟତଙ୍କ ସହ ଶ୍ରୀମନ୍ଦିର ଉନ୍ନତିକରଣ ନେଇ ମଧ୍ୟ ଆଲୋଚନା କରିଥିବା ଜଣାପଡିଛି । ଏହି ଅବସରରେ ତାଙ୍କ ପତ୍ନୀ ତଥା ମିଶନ ଶକ୍ତିର କମିଶନର ସୁଜାତା ଆର କାର୍ତ୍ତିକେୟନ ମଧ୍ୟ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ।
ବରିଷ୍ଠ ଡାକ୍ତରଙ୍କ ନାଁରେ ରୋଗୀଙ୍କୁ ଚୂନ ଲଗାଇଲେ ସାଇବର ଠକ
ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ସାଇବର ଠକ । ଠକେଇର ଶିକାର ହେଲେ ସମ୍ ହସ୍ପିଟାଲ ନ୍ୟୁରୋଲୋଜି ବିଭାଗର ବରିଷ୍ଠ ଡାକ୍ତର ପ୍ରଫେସର ସୂର୍ଯ୍ୟପ୍ରକାଶ ଚୌଧୁରୀ । ସୋସିଆଲ ମିଡିଆରେ ଡାକ୍ତରଙ୍କ ନାଁରେ ଫେକ୍ ଆକାଉଣ୍ଟ କରି ରୋଗୀଙ୍କ ନିକଟରୁ ଲୁଟି ନେଇଛି ଅଦୃଶ୍ୟ ଲୁଟେରା ।
40ରୁ 50 ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଏନେଇ ସାଇବର ଥାନାରେ ଅଭିଯୋଗ ହୋଇଥିଲେ ବି ଫେକ୍ ଆକାଉଣ୍ଟଟି ବନ୍ଦ କରାଯାଇନି । ଲୋକଙ୍କ ନିକଟରୁ ଏବେବି ଟଙ୍କା ଠକେଇ ହେଉଥିବା ଅଭିଯୋଗ କରିଛନ୍ତି ଡାକ୍ତର ସୂର୍ଯ୍ୟପ୍ରକାଶ । ତୁରନ୍ତ ଠକକୁ ଧରିବା ସହ ରୋଗୀଙ୍କ ଟଙ୍କା ଫେରାଇବାକୁ ସାଇବର ଥାନାକୁ ଜଣାଇଛନ୍ତି ସୂର୍ଯ୍ୟ ପ୍ରକାଶ ଚୌଧୁରୀ ।
ମେଡିସିନ ଦୋକାନ କର୍ମଚାରୀଙ୍କୁ ଲୁଟିଦେଲେ..
ଢେଙ୍କାନାଳ: ଲୁଟର ଶିକାର ହୋଇ ଏ ଥାନାରୁ ସେ ଥାନାକୁ ବୁଲିଲେ ମେଡିସିନ ଦୋକାନ କର୍ମଚାରୀ । ଅଭିଯୋଗ ପରେ ବି ଶୁଣିଲାନି ପୋଲିସ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ଘଟିଛି ଏଭଳି ଘଟଣା । କଙ୍କଡ଼ାହାଡରୁ ମେଡିସିନ ଟଙ୍କା କଲେକ୍ସନ କରି ଫେରିବାବେଳେ ବାଙ୍କମଞ୍ଜରୀ ନିକଟରେ ଦୁଇ କର୍ମଚାରୀଙ୍କୁ ଅଟକାଇ ମାରଣାସ୍ତ୍ର ଦେଖାଇଥିଲେ ଦୁର୍ବୃତ୍ତ ।
ଗନ ପଏଣ୍ଟରେ ଲୁଟି ନେଇଥିଲେ ୯୧ ହଜାର ୫ଶହ ଟଙ୍କା । ଏନେଇ ଉଭୟ କଙ୍କଡ଼ାହାଡ଼ ଥାନାକୁ ଅଭିଯୋଗ କରିବାକୁ ଯାଇଥିବାବେଳେ ଘଟଣାସ୍ଥଳ ତାଙ୍କ ଥାନା ଅଧୀନରେ ନଥିବା କହି କାମାକ୍ଷାନଗର ଥାନା ଯିବାକୁ କହିଥିଲେ । ପରେ ଉଭୟ କର୍ମଚାରୀ କାମାକ୍ଷାନଗର ଥାନାରେ ଅଭିଯୋଗ କରିଥିଲେ । ମାତ୍ର ସେଠି ମଧ୍ୟ ସମାନ ଅବସ୍ଥା । ଶେଷରେ ଅଭିଯୋଗ କରିନପାରି ଅସନ୍ତୋଷ ପ୍ରକାଶ କରିଛନ୍ତି ଲୁଟର ଶିକାର ବ୍ୟକ୍ତି ।
ଧାମରା ବନ୍ଦର ଏବଂ ଆରଡ଼ି ପୀଠର ଉନ୍ନୟନ କାର୍ଯ୍ୟ ସମୀକ୍ଷା
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ଆଜି ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧାମରା ବନ୍ଦର ଏବଂ ଆରଡ଼ିଧାମ ପରିଦର୍ଶନ କରି ବିଭିନ୍ନ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ଅଗ୍ରଗତି ସମୀକ୍ଷା କରିଥିଲେ । ପ୍ରଥମେ ଏହି ସର୍ବୋଚ୍ଚ ପ୍ରଶାସନିକ ଟିମ୍ ଧାମରାରେ ପହଞ୍ଚି ଜାମୁଝାଡିରୁ ଧାମରା ପର୍ଯ୍ୟନ୍ତ ଦୁଇସାରିଆ ରାସ୍ତାର ନିର୍ମାଣ କାର୍ଯ୍ୟ, ଚାନ୍ଦବାଲିରୁ ଧାମରା ପର୍ଯ୍ୟନ୍ତ ସଡ଼କ ସଂଯୋଗ ପାଇଁ ମନ୍ତେଇ ନଦୀ ସେତୁ କାର୍ଯ୍ୟ, ଭଦ୍ରକ ଧାମରା ରେଳଲାଇନ୍ ଦୋହରୀକରଣ, ଧାମରାଠାରେ ବନ୍ଦରଭିତ୍ତିକ ଶିଳ୍ପାଞ୍ଚଳ ପ୍ରତିଷ୍ଠା, ବାଲିମେଳାଠାରେ ଏୟାରଷ୍ଟ୍ରିପ୍ ନିର୍ମାଣ, ଧାମରା ବନ୍ଦରରେ ଏଲ୍.ଏନ୍.ଜି. ଗ୍ୟାସ ଟର୍ମିନାଲ ଏବଂ ପାଇପ ଯୋଗେ ରାଜ୍ୟର ବିଭିନ୍ନ ଅଂଚଳକୁ ଗ୍ୟାସ ଯୋଗାଣ ପାଇଁ ଟାଙ୍କି ନିର୍ମାଣ ଆଦି କାର୍ଯ୍ୟର ସମୀକ୍ଷା କରିଥିଲେ ।
ସମୀକ୍ଷାରୁ ଜଣାପଡିଥିଲା ଯେ ଜାମୁଝାଡିରୁ ଧାମରା ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଅବଶିଷ୍ଟ କାମ ତ୍ୱରାନ୍ୱିତ କରି ନିର୍ଦ୍ଧାରିତ ସମୟସୀମା ପୂର୍ବରୁ କାମ ପୂର୍ଣ୍ଣାଙ୍ଗ କରିବାକୁ ମୁଖ୍ୟ ଶାସନ ସଚିବ ପୁର୍ତ୍ତ ବିଭାଗ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଚଳିତ ବର୍ଷ ଡ଼ିସେମ୍ବର ଶେଷସୁଦ୍ଧା ମନ୍ତେଇ ନଦୀସେତୁ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ବନ୍ଦର ଭିତ୍ତିକ ଶିଳ୍ପାଞ୍ଚଳ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ୧୨୦୦ ଏକର ଜମି ଏବଂ ଧାମରା ଏୟାର ଷ୍ଟ୍ରିପ୍ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ବନ୍ଦରରେ ବାର୍ଷିକ ୫ ନିୟୁତ କ୍ଷମତା ବିଶିଷ୍ଟ ଏଲ୍.ଏନ୍.ଜି. ଗ୍ୟାସ୍ ଟର୍ମିନାଲ୍ ନିର୍ମାଣ କାର୍ଯ୍ୟରେ ଅଗ୍ରଗତି ସନ୍ତୋଷଜନକ ହୋଇଛି । ଏଥିରେ ପ୍ରାୟ ୬୫୦୦ କୋଟି ଟଙ୍କା ବିନିଯୋଗ ହେବ, ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ଏହି ଟର୍ମିନାଲ ଓଡ଼ିଶା ସମେତ ଭାରତର ପୂର୍ବ ଏବଂ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟମାନଙ୍କୁ ଗ୍ୟାସ୍ ପରିବହନରେ ସହାୟକ ହେବ ।
ପରେ ପରେ ଏହି ଟିମ୍ ଆରଡ଼ିଧାମ ଯାଇ ଆଖଣ୍ଡଳମଣି ମନ୍ଦିର ଏବଂ ଚର୍ତୁପାର୍ଶ୍ୱ ବିକାଶ ପ୍ରକଳ୍ପର କ୍ଷେତ୍ରସ୍ତରୀୟ କାର୍ଯ୍ୟାନ୍ୱୟନ ସମୀକ୍ଷା କରିଥିଲେ । ପ୍ରଥମ ପର୍ଯ୍ୟାୟରେ ହାତକୁ ନିଆଯାଇଥିବା ମନ୍ଦିରର ନୂଆ ସିଂହଦ୍ୱାର ନିର୍ମାଣ, ଶ୍ରାବଣମାସରେ ବାବା ଆଖଣ୍ଡଳମଣିଙ୍କ ଜଳାଭିଷେକ ପାଇଁ ଶ୍ରାବଣୀ ମଣ୍ଡପ ନିର୍ମାଣ, ଗଣେଶ ମଣ୍ଡପର ନବୀକରଣ, ଟ୍ରଷ୍ଟ୍ କାର୍ଯ୍ୟାଳୟ, ମନ୍ଦିର ଭିତରୁ ବାହାରକୁ ଜଳ ନିଷ୍କାସନ ବ୍ୟବସ୍ଥା, ମନ୍ଦିର ବେଢ଼ା ଭିତରେ ଖଣ୍ଡାଲାଇଟ୍ ପଥର ଦ୍ୱାରା ଚର୍ତୁପାର୍ଶ୍ୱ ସୌନ୍ଦର୍ଯ୍ୟକରଣ, ମନ୍ଦିରର ନୂଆ ପାଚେରୀ ନିର୍ମାଣ, ମନ୍ଦିରର ଚାରିଦିଗସ୍ଥ ଗୁମୁଟର ନବୀକରଣ ଓ ବୃକ୍ଷରୋପଣ ଆଦି କାର୍ଯ୍ୟ ଆରମ୍ଭ କରାଯାଇଛି । ଏସବୁ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୬ କୋଟି ଟଙ୍କା ରାଜ୍ୟ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଛି । ଏହିସବୁ କାମ ନଭେମ୍ବର ୩୦ ତାରିଖ ସୁଦ୍ଧା ସାରିବା ପାଇଁ ୫-ଟି ସଚିବ ଶ୍ରୀ ପାଣ୍ଡିଆନ୍ ସଂପୃକ୍ତ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେ ଶ ଦେଇଥିଲେ ।
ପ୍ରକଳ୍ପର ୨ ୟ ପର୍ଯ୍ୟାୟ ପାଇଁ ମହାପାତ୍ର ଏବଂ ପାଣ୍ଡିଆନ୍ ମନ୍ଦିରର ସେବାୟତ ଓ ସ୍ଥାନୀୟ ଲୋକମାନଙ୍କ ସହ ଆଲୋଚନା କରିଥିଲେ । ଆରଡ଼ି ମନ୍ଦିରକୁ ସଡ଼କ ସଂଯୋଗ ପାଇଁ ସାଳନ୍ଦୀ ନଦୀ ତିନିତର ଘାଟ ନିକଟରେ ସେତୁ ନିର୍ମାଣ କାର୍ଯ୍ୟ ଶିଘ୍ର ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବୈତରଣୀ ନଦୀଉପରେ ପୋଲ ନିର୍ମାଣ ଏବଂ ସେବାୟତମାନଙ୍କର ଅଭାବ ଅସୁବିଧା ଆଦି ବିଷୟ ସେବାୟତମାନେ ଏହି ଟିମ୍ଙ୍କୁ ଜଣାଇଥିଲେ । ଏ ବିଷୟକୁ ସରକାର ସହୃଦୟତାର ସହ ବିଚାର କରି ନିଷ୍ପତ୍ତି ନେବେ ବୋଲି ମୁଖ୍ୟ ଶାସନ ସଚିବ ମହାପାତ୍ର କହିଥିଲେ । ପ୍ରସିଦ୍ଧ ଆରଡ଼ିପୀଠର ସର୍ବାଙ୍ଗିନ ବିକାଶ ପାର୍ଇ ୫-ଟି ଶାସନ ସଚିବ ପାଣ୍ଡିଆନ୍ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଏହି ଗସ୍ତ ସମୟରେ ଭଦ୍ରଖର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ,ଏସ୍.ପି.ଚରଣ ସିଂ ମୀନାଙ୍କ ସମେତ ସଂପୃକ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଆବଶ୍ୟକୀୟ ତଥ୍ୟ ଉପସ୍ଥାପନ କରିଥିଲେ ।

