ଶୈଳେନ୍ଦ୍ରଙ୍କୁ ହତ୍ୟା କରିଛନ୍ତି ସ୍ବାମୀ, ପୋଲିସ ଆଗରେ ସତ ଉଗାରିଲା ସ୍ତ୍ରୀ

1 min read

ନୟାଗଡ: LIC ଏଜେଣ୍ଟ ଶୈଳେନ୍ଦ୍ର ଜେନା ହତ୍ୟା ମାମଲାରେ ନୂଆଗାଁ ପୋଲିସ ଏବଂ ସାଇଣ୍ଟିଫିକ ଟିମକୁ ମିଳିଛି ସବୁ ପ୍ରମାଣ । ପ୍ରମାଣ ଆଧାରରେ ଗତକାଲି ଦୁଇ ଜଣ ଅଭିଯୁକ୍ତ ସୁନିତା ସାହୁ ଏବଂ ସହଯୋଗୀ ସୁରୀକୁ ଗିରଫ କରାଯାଇଛି । ଆଜି ସେମାନଙ୍କୁ କୋର୍ଟ ଚାଲଣ କରାଯିବ । ସେପଟେ ମୁଖ୍ୟ ଅଭିଯୁକ୍ତ ସୁନିତାର ସ୍ବାମୀ ଦିପୁ ସାହୁ ଓ ଶ୍ବଶୂରକୁ ଆଜି ଧରାଯିବ ବୋଲି ଏସପି ସୂଚନା ଦେଇଛନ୍ତି ।

ଉଭୟଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ରେଡ କରୁଛି ସ୍ବତନ୍ତ୍ର ଟିମ୍ । ଗତକାଲି ସୁନୀତା ଓ ସୁରୀକୁ ନେଇ କ୍ରାଇମ ସିନ ରିକ୍ରିଏଟ ପରେ ମୃତ ଶୈଳେନ୍ଦ୍ରଙ୍କ ହାଡ଼ ଓ ଖପୁରୀ ପୋଲିସ ହାତରେ ଲାଗିଥିଲା। ଶୈଳେନ୍ଦ୍ରଙ୍କୁ ହତ୍ୟା ପରେ ପୋଡ଼ି ଦେଇ ପ୍ରମାଣ ନଷ୍ଟ ପାଇଁ ପୋଖରୀରେ ହାଡ଼ ପକାଇ ଦେଇଥିଲେ ଅଭିଯୁକ୍ତ । ସ୍ବାମୀ ଦୀପୁ ହିଁ ହତ୍ୟାକାରୀ ବୋଲି ସ୍ତ୍ରୀ ସୁନୀତା ସ୍ବୀକାର କରିଛି । ସେପଟେ ସତ ଉଗାରିବାକୁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିପାରେ ପୋଲିସ ।

ଅନ୍ୟପଟେ ଟଙ୍କା ନେଣଦେଣ ରହିଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ଶଳା । ଟଙ୍କା ବିବାଦରୁ ହିଁ ଶୈଳେନ୍ଦ୍ରଙ୍କୁ ହତ୍ୟା କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ନୟାଗଡ଼ର ବାନ୍ଧବୀଙ୍କୁ ୨ଲକ୍ଷ ଟଙ୍କା ଦେଇଥିବା ଘରେ କହିଥିଲେ ଶୈଳେନ୍ଦ୍ର । ବାନ୍ଧବୀ ଜଣଙ୍କ ଟଙ୍କା ଫେରାଉନଥିବାରୁ ନୟାଗଡ଼ ଯାଇଥିଲେ ବୋଲି ଅଭିଯୋଗ କରିଛନ୍ତି ଶୈଳେନ୍ଦ୍ରଙ୍କ ଶଳା । ଏହାକୁ ନେଇ ମଧ୍ୟ ପୋଲିସ ତଦନ୍ତ କରୁଛି । ପରକୀୟା ପ୍ରୀତିରୁ ଶୈଳେନ୍ଦ୍ରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ତଦନ୍ତ ପରେ ସତ ସାମ୍ନାକୁ ଆସିବ ବୋଲି ପୋଲିସ କହିଛି ।