ଅରୁଣାଚଳ ପ୍ରସଙ୍ଗରେ ବୈଠକ ଡାକିଲେ ପ୍ରତିରକ୍ଷା ମନ୍ତ୍ରୀ, ସିଡିଏସ ସେନାମୁଖ୍ୟ ସାମିଲ

1 min read

ଇଟ୍ଟାନଗର: ଅରୁଣାଚଳ ପ୍ରଦେଶରେ ଭାରତ ଚୀନ ସୈନିକଙ୍କ ସଂଘର୍ଷ ପରେ ବୈଠକ ଡାକିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ  । ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ସିଡିଏସ ଲେଫ୍ଟନାଣ୍ଟ ଜେନେରାଲ ଅନିଲ ଚୌହ୍ବାନ ଓ ତିନି ସେନା ମୁଖ୍ୟ ହେବେ ସାମିଲ  ।

ଦିନକ ପୂର୍ବରୁ ତୱାଙ୍ଗରେ ଭାରତ-ଚୀନ ସୈନ୍ୟଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷର ଖବର ସାମ୍ନାକୁ ଆସିଥିଲା । ତୱାଙ୍ଗ ସେକ୍ଟରର ଏଲଏସିରେ ଏହି ସଂଘର୍ଷ ହୋଇଛି । ତେବେ ଦୁଇ ଦେଶର ସେନା ମଧ୍ୟରେ ଏହି ସଂଘର୍ଷ ଗତ ୯ ଡିସେମ୍ବର ରାତିରେ ହୋଇଥିବା ସୂଚନା ।  ତେବେ କୌଣସି ସୈନ୍ୟକଙ୍କ ମୃତ୍ୟୁ ହୋଇ ନଥିବା ଜଣାଯାଇଛି । ପ୍ରାୟ ୩୦ ସୈନିକ ଆହତ ହୋଇଥିବା ସୂଚନା । ଭାରତ-ଚୀନ ସୀମାନ୍ତର ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଦୁଇ ପକ୍ଷର ସୈନ୍ୟ ପହରା ଦେଉଥିବାବେଳେ ସେମାନଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା ।

ସେଠାରେ ନିୟୋଜିତ ଭାରତୀୟ ଯବାନ ଦୃଢ଼ତାର ସହ ସେମାନଙ୍କୁ ଜବାବ ଦେଇ ବିତାଡ଼ିତ କରିଥିଲେ । ସଂଘର୍ଷ ସମୟରେ ଉଭୟ ପକ୍ଷର କିଛି  ଯବାନ ଆହତ ମଧ୍ୟ ହୋଇଛନ୍ତି । ଘଟଣା ପରେ ଉଭୟ ପକ୍ଷ ସେଠାରୁ ପଛକୁ ହଟିଛନ୍ତି । ଗତବର୍ଷ ଅକ୍ଟୋବରରେ ତାଓ୍ବାଙ୍ଗର ୟାଙ୍ଗସରେ ଦୁଇ ପକ୍ଷ ମଧ୍ୟରେ ସଂଘର୍ଷ ଘଟିଥିଲା । ତାଓ୍ବଙ୍ଗର ୧୭ ହଜାର ଫୁଟ ଉଚ୍ଚରେ ଚୀନ ଅନୁପ୍ରବେଶ ଉଦ୍ୟମ କରୁଥିବାବେଳେ ଭାରତୀୟ ସୈନ୍ୟ ପ୍ରତିରୋଧ କରିବାରୁ ସଂଘର୍ଷ ଉପୁଜିଥିଲା । ଗତ ୨୦୨୦ରେ ମଧ୍ୟ ଲଦାଖର ରିଞ୍ଚେନ ଲା’ରେ ବି ସଂଘର୍ଷ ଘଟିଥିଲା ।

ସୂଚନା ମୁତାବିକ, ତୱାଙ୍ଗ ସେକ୍ଟରରେ ଭାରତ ଏବଂ ଚୀନ୍ ସୈନିକଙ୍କ ମୁହାଁମୁହିଁ ହେବା ପରେ ଭାରତର ଏରିଆ କମାଣ୍ଡର ନିଜ ସମକକ୍ଷ ଚୀନ ଅଧିକାରୀଙ୍କ ସହ ଫ୍ଲାଗ ମିଟିଙ୍ଗ କରିଛନ୍ତି । ଏହି ଅବସରରେ ଏହି ପ୍ରସଙ୍ଗକୁ ନେଇ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଥିଲା । ଆଲୋଚନା ସମୟରେ ଉଭୟ ପକ୍ଷ ମିଳି ମିଶି ଏହି ମାମଲାର ସମାଧାନ କରିବା ଉପରେ ସହମତି ପ୍ରକାଶ କରିଥିଲେ । ଏଥିସହିତ ଉଭୟ ପକ୍ଷରୁ କ୍ଷେତ୍ରରେ ଶାନ୍ତି ଏବଂ ସ୍ଥିରତା ବଳବତ୍ତର ରଖିବା କଥା କୁହାଯାଇଛି ।