କୋର୍ଟ ଭିତରେ ପଶି ଭଙ୍ଗାରୁଜା ପଡିଲା ମହଙ୍ଗା, ୧୨ ଆଇନଜୀବୀ ଗିରଫ

ସମ୍ବଲପୁର: କୋର୍ଟ ଭିତରେ ପଶି ଓକିଲଙ୍କ ଭଙ୍ଗାରୁଜା ଘଟଣାରେ କାର୍ଯ୍ୟାନୁଷ୍ଠାନ । ୧୨ ଜଣ ଅଇନଜୀବୀ ଗିରଫ ହୋଇଥିବାବେଳେ ୯ ଜଣଙ୍କ ଜାମିନ ନାମାଞ୍ଜୁର ହେବାରୁ ସେମାନଙ୍କୁ ଜେଲ ପଠାଇ ଦିଆଯାଇଛି । କଚେରୀ ଛକରେ ୧୪୪ ଧାରା ଜାରି ହୋଇଛି ।

ଶତାଧିକ ଓକିଲଙ୍କ ନାଁରେ ମାମଲା ରୁଜୁ କରିଛି ସମ୍ବଲପୁର ପୋଲିସ । ଏଫଆଇଆରରେ ୧୧ ଜଣ ଓକିଲଙ୍କ ନାମ ଉଲ୍ଲେଖ ରହିଥିବାବେଳେ ୧୦୦ରୁ ୧୫୦ ଜଣ ଓକିଲଙ୍କ ନାମରେ ମାମଲା ରୁଜୁ ହୋଇଛି । ଆଇପିସିର ଧାରା ୧୪୭, ୩୪୧, ୩୨୩, ୩୫୩, ୩୩୨, ୫୦୬, ୧୮୬, ୧୮୮ ଓ ୧୪୯ ରେ ମାମଲା ରୁଜୁ ହୋଇଛି । କୋର୍ଟ ପରିସରରେ ୧୪୪ ଧାରା ଲଗାଯିବା ସତ୍ତ୍ବେ ଆଇନଜୀବୀମାନେ ବିଶୃଙ୍ଖଳା ସୃଷ୍ଟି କରିବା ସହ ଭଙ୍ଗାରୁଜା କରିଥିଲେ । ଏପରିକି ବିଚାରପତିଙ୍କ କାର୍ଯ୍ୟରେ ବାଧା ଦେଇଥିଲେ । ଆଇନଜୀବୀଙ୍କ ଏହି ବିଶୃଙ୍ଖଳିତ ଆଚରଣ ପରେ କ୍ଷୁବ୍ଧ ହୋଇଥିଲେ ସୁପ୍ରିମକୋର୍ଟ ।

ଆନ୍ଦୋଳନରତ ଓକିଲଙ୍କ ସହ ଭଦ୍ରୋଚିତ କଥାବାର୍ତ୍ତା କରିବାର ଆବଶ୍ୟକ ନାହିଁ ବୋଲି କହିଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ବିଶୃଙ୍ଖଳାକାରୀ ଆଇନଜୀବୀଙ୍କୁ ହାଜତରେ ପୂରାଇବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । କୋର୍ଟ ପରିସର ମଧ୍ୟରେ ଭଙ୍ଗାରୁଜା କରିଥିବା ଆଇନଜୀବୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଓଡିଶା ସରକାର ଓ ରାଜ୍ୟ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ଆବଶ୍ୟକ ପଡ଼ିଲେ ଆନ୍ଦୋଳନରତ ଓକିଲଙ୍କୁ ଜେଲରେ ପୂରାଇବା ସହ ଚାର୍ଜ ଫ୍ରେମ ହେବା ଯାଏ ସେମାନଙ୍କୁ ଜାମିନ ନଦେବା ଲାଗି କୋର୍ଟ ନିର୍ଦ୍ଦେଶ ଦେବାକୁ ବାଧ୍ୟ ହେବେ ବୋଲି ଖଣ୍ଡପୀଠ କହିଥିଲେ ।

ଏପରି ଏକ ସ୍ଥାନରେ ଏକ ଖଣ୍ଡପୀଠ ପ୍ରତିଷ୍ଠା ଲାଗି ସୁପ୍ରିମକୋର୍ଟ କେବେ ବି ଅନୁମତି ଦେବେ ନାହିଁ ବୋଲି ଖଣ୍ଡପୀଠ କହିଥିଲେ । ଆସନ୍ତାକାଲି ଭିସି ଜରିଆରେ ସୁପ୍ରିମକୋର୍ଟରେ ହାଜର ହୋଇ ତଥ୍ୟ ଦେବାକୁ ଡିଜିପି, ସମ୍ବଲପୁର ଏସପି ଓ ବାର କାଉନସିଲ ଅଫ ଇଣ୍ଡିଆଙ୍କୁ ନିର୍ଦ୍ଦେଶ ଦେଇଥିଲେ ଖଣ୍ଡପୀଠ । ବିଶୃଙ୍ଖଳିତ ଓକିଲଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେନେଇ ସୁପ୍ରିମକୋର୍ଟଙ୍କୁ ତଥ୍ୟ ପ୍ରଦାନ କରାଯିବ । କେତେ ଓକିଲଙ୍କ ଲାଇସେନ୍ସ ବର୍ତ୍ତମାନ ସୁଦ୍ଧା ରଦ୍ଦ କରାଯାଇଛି ସେନେଇ ମଧ୍ୟ ତଥ୍ୟ ମାଗିଥିଲେ ସର୍ବୋଚ୍ଚ ଅଦାଲତ ।