ବିଲକିସ ବାନୋ ଗଣଦୁଷ୍କର୍ମ ମାମଲାର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ବିଲକିସ ବାନୋ ଗଣଦୁଷ୍କର୍ମ ମାମଲାର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ୨୦୦୨ ଗୁଜରାଟ ଦଙ୍ଗା କାଳରେ ଗର୍ଭବତୀ ବିଲକିସଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ସହ ତାଙ୍କ ପରିବାରର ୭ ଜଣଙ୍କୁ ହତ୍ୟା କରାଯାଇଥିଲା । ଏହି ଲୋମହର୍ଷକ ଘଟଣାରେ ୧୧ ଅଭିଯୁକ୍ତଙ୍କୁ ଖଲାସ କରିବା ନିଷ୍ପତ୍ତି ବିରୋଧରେ ଆଗତ ପିଟିସନର ଶୁଣାଣି କରିବେ ସୁପ୍ରିମକୋର୍ଟ ।

ଗୁଜରାଟ ସରକାରଙ୍କ ନିଷ୍ପତ୍ତିର ପୁନର୍ବିଚାର କରିବା ଲାଗି ନ୍ୟାସନାଲ ଫେଡେରେସନ ଅଫ ଇଣ୍ଡିଆନ ଓମେନ ପକ୍ଷରୁ ମଧ୍ୟ କରାଯାଇଥିଲା ଆବେଦନ । ଜଷ୍ଟିସ ଅଜୟ ରସ୍ତୋଗୀ ଓ ଜଷ୍ଟିସ ବେଲା ଏମ. ତ୍ରିବେଦୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ପୂର୍ବରୁ ରେମିସନ ପଲିସି ସମ୍ପର୍କରେ ସମସ୍ତ ତଥ୍ୟ ଉପସ୍ଥାପନ ଲାଗି ଗୁଜରାଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।

୧୧ ଅଭିଯୁକ୍ତଙ୍କ ମୁକ୍ତିକୁ ବିରୋଧ କରି ସିପିଏମ ନେତ୍ରୀ ସୁଭାଷିନୀ ଅଲ୍ଲୀ, ସାମ୍ବାଦିକ ରେବତୀ ଲାଲ, ଲକ୍ଷ୍ମୌ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ରୂପରେଖା ବର୍ମା, ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କ ପିଟିସନକୁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ । ୧୧ ଅଭିଯୁକ୍ତଙ୍କୁ ଖଲାସ ନେଇ ଦେଶବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଏଥିରେ ହସ୍ତକ୍ଷେପ କରିବା ଲାଗି ସୁପ୍ରିମକୋର୍ଟଙ୍କ ନିକଟରେ ଦାବି କରିଥିଲେ  । ୬୦୦୦ରୁ ଅଧିକ ମାନବାଧିକାର କର୍ମୀ, ସମାଜସେବୀ, ଲେଖକ, ସାମ୍ବାଦିକ, ଫିଲ୍ମନିର୍ମାତା ପ୍ରମୁଖ ।

୨୦୦୨ ମାର୍ଚ୍ଚ ୩ରେ ଅହମ୍ମଦାବାଦର ରନ୍ଧିକପୁରରେ ୫ ମାସର ଗର୍ଭବତୀ ୨୧ ବର୍ଷ ବୟସ୍କା ବିଲକିସ ବାନୋଙ୍କୁ  ଗଣଦୁଷ୍କର୍ମ କରାଯାଇଥିଲା । ବିଲକିସଙ୍କ ୩ ବର୍ଷର ଝିଅ ସମେତ ୭ ଜଣଙ୍କୁ ହତ୍ୟା କରାଯାଇଥିବାବେଳେ ପରିବାରର ୬ ଜଣ କୌଶଳକ୍ରମେ ଖସିଯାଇଥିଲେ ।