spot_img
Home Blog Page 3843

ୟୁକ୍ରେନରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ

କିଭ୍: ବ୍ରିଟେନ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ୟୁକ୍ରେନରେ ପହଞ୍ଚିଛନ୍ତି ଋଷି ସୁନକ । ଏଠାରେ ସେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭେଟିଛନ୍ତି । ଜେଲେନସ୍କିଙ୍କ ବୈଠକ ପରେ ୟୁକ୍ରେନ ପାଇଁ ସୁନକ ନୂଆ ପ୍ରତିରକ୍ଷା ସହାୟତା ବାବାଦକୁ ୫୦ ମିଲିୟନ ପାଉଣ୍ଡ ଘୋଷଣା କରିଛନ୍ତି । ୟୁକ୍ରେନକୁ ଦିଆଯିବାକୁ ଥିବା ଏହି ରକ୍ଷା ସହାୟତାରେ ୧୨୫ ଆଣ୍ଟି ଏୟାରକ୍ରାଫ୍ଟ, ବନ୍ଧୁକ, ରଡାର, ଆଣ୍ଟି ଡ୍ରୋନ ଓ ଘାତକ ଡ୍ରୋନର ମୁକିବାଲ ପାଇଁ ଡିଫେନ୍ସ ସିଷ୍ଟମ ସାମିଲ ଅଛି ।

ରାଷ୍ଟ୍ରପତି ଜେଲେନସ୍କି ନିଜ ଫେସବୁକ ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ସୁନକଙ୍କ ସହ ହୋଇଥିବା ବୈଠକ କଥା ସୂଚନା ଦେଇଛନ୍ତି । ୟୁକ୍ରେନ ଉପରେ ଋଷର ଆକ୍ରମଣ ପରଠାରୁ ବ୍ରିଟେନ ଏହାର ଏକ ଘନିଷ୍ଠ ସହଯୋଗୀ ଭାବେ ଛିଡା ହୋଇଛି । ଏହି ପୋଷ୍ଟ ସହ ଜେଲେନସ୍କି ଲେଖିଛନ୍ତି, ବୈଠକରେ ଆମେ ଆମ ଦେଶ ଓ ବିଶ୍ୱର ସୁରକ୍ଷା ଉପରେ ଆଲୋଚନା କରିଛୁ ।

ଷ୍ଟାର୍ କ୍ୟାମ୍ପେନରଙ୍କ ପ୍ରଚାରରେ ଦୁଲୁକିବ ପଦମପୁର

ପଦମପୁର: ପଦମପୁର ବ୍ୟାଟଲ ପ୍ରସ୍ତୁତ । ନେତା ଓ ପ୍ରାର୍ଥୀ ସମର୍ଥକଙ୍କ ସହ ପ୍ରଚାରକୁ କରିଛନ୍ତି ଜୋରଦାର । ଏବେ ଆହୁରି ଜୋରଦାର ହେବ ପଦମପୁର ନିର୍ବାଚନୀ ମୈଦାନରେ ପ୍ରଚାର ଯୁଦ୍ଧ । କାରଣ ପଦମପୁର ପ୍ରଚାରକୁ ଓହ୍ଲାଉଛନ୍ତି ଷ୍ଟା କ୍ୟାମ୍ପେନର ।

ପ୍ରଚାରରେ ଦମ ଭରିବେ ଷ୍ଟାର କ୍ୟାମ୍ପେନର । ପଦମପୁର ଉପନିର୍ବାଚନ ପାଇଁ ଆଜିଠୁ ମଇଦାନକୁ ଓହ୍ଲାଇବେ ତାରକା ପ୍ରଚାରକ । ଗତକାଲି ୩ ଦଳର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଆହୁରି ସରଗରମ ହୋଇଛି ପଦମପୁର ଉପନିର୍ବାଚନ । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ପ୍ରତି ଓ୍ବାର୍ଡରେ ବୁଲି ଜନ ସମର୍ଥନ ସାଉଁଟୁଛନ୍ତି । ବାପା ଛାଡ଼ି ଯାଇଥିବା କାମକୁ ଆଗକୁ ନେବାର ପ୍ରତିଶ୍ରୁତି ଦେଇ କରୁଛନ୍ତି ଭୋଟ ଭିକ୍ଷା । ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହାଙ୍କ ପରେ ଝିଅ ବର୍ଷାଙ୍କ ପ୍ରତି ଜନସମର୍ଥନ ବଢୁଥିବା ଦେଖିବାକୁ ମିଳିଛି । ଗାଁ ଗାଁରେ ବର୍ଷାଙ୍କୁ ଲୋକେ କୁଣ୍ଢାଇ ଭୋଟ ଦେବାର ପ୍ରତିଶ୍ରୁତ ଦେଉଛନ୍ତି । ସେହିପରି ବିଜେପି ନିଜର ସ୍ଥିତିକୁ ମଜବୁତ କରିବାକୁ ଜୋରଦାର ଉଦ୍ୟମ କରୁଛି  । କଂଗ୍ରେସ ପ୍ରାର୍ଥୀ ମଧ୍ୟ ଲୋକଙ୍କ ସହ  ମିଶି ଭୋଟ ମାଗୁଛନ୍ତି ।

ଲୋକସେବା ଭବନରେ ପ୍ରଦର୍ଶନ ହେବ ଦମନ, ଦେଖିବେ ଅଫିସର

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଦମନକୁ ରାଜ୍ୟ ସରକାର ଟିକସମୁକ୍ତ କରିବା ପରେ ଆସନ୍ତାକାଲି ଲୋକସେବା ଭବନରେ ଏହି ଚଳଚ୍ଚିତ୍ର ପ୍ରଦର୍ଶନ ହେବ । କେବଳ ଯୁଗ୍ମ ସଚିବ ପାହ୍ୟାରୁ ଊର୍ଦ୍ଧ୍ୱ ଅଫିସରମାନେ ଏହି ଚଳଚ୍ଚିତ୍ରକୁ ଦେଖିବେ । ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ଅବଗତ କରାଯାଇଛି । ବିଭାଗୀୟ ସଚିବ ସତ୍ୟବ୍ରତ ସାହୁ ଏନେଇ ସବୁ ବିଭାଗକୁ ଜଣାଇଛନ୍ତି ଯେ, ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ବିଚ୍ଛିନ୍ନାଂଚଳରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଘନ ଅନ୍ଧାର ଭିତରେ ଆଶାର ଏକ ଆଲୋକ ସଂଚାର କରିଛି ।

ସିନେମାଟି ବାସ୍ତବଧର୍ମୀ କାହାଣୀ ଉପରେ ଆଧାରିତ । ଏହାର କଥାବସ୍ତୁ, ପ୍ରତିଟି ଚରିତ୍ରର ଅଭିନୟ, ସମ୍ପାଦନା ସବୁଦିଗରୁ ଅତି ସୁନ୍ଦର ହୋଇଛି । ଏହି ଚଳଚ୍ଚିତ୍ର ରାଜ୍ୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଜନସେବା କ୍ଷେତ୍ରରେ ଏକ ପ୍ରେରଣା ପ୍ରଦାନ କରୁଛି । ଏଥିପାଇଁ ଆସନ୍ତାକାଲି ରବିବାର ସନ୍ଧ୍ୟା ୫ଟାରୁ ଲୋକସେବା ଭବନରେ ପ୍ରଦର୍ଶନ କରାଯିବାକୁ ନିଷ୍ପତ୍ତି ହୋଇଛି ।

ସୂଚନାଯୋଗ୍ୟ, ‘ଦମନ’ ଫିଲ୍ମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨ଦିନ ତଳେ ଟିକସମୁକ୍ତ କରିଥିବାବେଳେ ନଭେମ୍ବର ୨୧ରୁ ୨୦୨୩ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ଏହି ଫିଲ୍ମକୁ ରାଜ୍ୟ ସରକାର ଟିକସ ଟିକସମୁକ୍ତ କରିଛନ୍ତି ତଥା ଏ ସଂକ୍ରାନ୍ତ ପ୍ରସ୍ତାବ ଖୁବଶୀଘ୍ର ରାଜ୍ୟ କ୍ୟାବିନେଟର ଅନୁମୋଦନ ଲାଭ କରିବ ବୋଲି ଜଣାପଡ଼ିଛି ।

ଟ୍ରକ୍ ଧକ୍କାରେ ସାମ୍ବାଦିକଙ୍କ ପୁତ୍ର ବିୟୋଗ, ବିଶ୍ୱାସ କରିପାରୁନାହାଁନ୍ତି ଅଞ୍ଚଳବାସୀ

ଯାଜପୁର: ସଡକ ଦୁର୍ଘଟଣାରେ ଦୈନିକ ସକାଳର ବରିଷ୍ଠ ସହ-ସମ୍ପାଦକ ଶ୍ରୀନାଥ ଜେନାଙ୍କର ଏକମାତ୍ର ପୁତ୍ର ସୁପ୍ରତ୍ୟୁଷ ଜେନାଙ୍କର ପରଲୋକ ହୋଇଛି । ସୁପ୍ରତ୍ୟୁଷ ଓଡିଶା ଖଣିନିଗମର ଭୂତତ୍ୱବିତ ଭାବେ କାର୍ଯ୍ୟ କରୁଥିଲେ। ସରକାରୀ କାର୍ଯ୍ୟରେ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଯାଇଥିବା ବେଳେ କଟିକଟା ନିକଟରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ନଡିଆସାହସପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

ସେଠାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । କଟକରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍ବର୍ଗତ ସୁପ୍ରତ୍ୟୁଷଙ୍କ ପିତା ବର୍ତ୍ତମାନ ଦୈନିକ ସକାଳର ବରିଷ୍ଠ ସହ-ସମ୍ପାଦକ ଭାବେ କାର୍ଯ୍ୟରତ ଥିବାବେଳେ ମା ଓଡିଶା ଖଣି ନିଗମର ବରିଷ୍ଠ ଅର୍ଥ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି । ସୁପ୍ରତ୍ୟୁଷ ଜଣେ ମେଳାପୀ ଏବଂ ପରୋପକାରୀ ଯୁବକ ହୋଇଥିବା ବେଳେ ତାଙ୍କର ଏପରି ଆକସ୍ମିକ ପରଲୋକକୁ ସ୍ଥାନୀୟ ଲୋକ ସହଜରେ ବିଶ୍ବାସ କରପାରୁନାହାନ୍ତି ।

ସୁପ୍ରତ୍ୟୁଷଙ୍କ ପରଲୋକ ଖବର ପାଇ ସମଗ୍ର ଯାଜପୁର ଜିଲାରେ ଶୋକର ଛାୟା ଖେଳିଯାଇଛି । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଅଶୋକ ଦାସ ପାଂଉଣ୍ଡେସନର ସଚିବ ଭବପ୍ରସାଦ ଦାସ, ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ଦେଓ, କୈଳାସ ଚନ୍ଦ୍ର ନାୟକ, ସନ୍ଦୀପ୍ତ ରାୟଙ୍କ ସମେତ ପୁରା ସକାଳ ପରିବାର ସଦସ୍ୟ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହିତ ପରଲୋକଗତ ଆତ୍ମାର ସଦଗତି କାମନା କରିଛନ୍ତି ।

ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସୃଷ୍ଟି ହେଲା ୨ ହଜାର ଡାକ୍ତର ପଦବୀ

ଭୁବନେଶ୍ୱର: ରାଜ୍ୟ ସ୍ବାସ୍ଥ୍ୟ ସେବାରେ ଯୋଡ଼ି ହେଲା ନୂଆ ଅଧ୍ୟାୟ । ସୃଷ୍ଟି ହେଲା ନୂଆ ୨ ହଜାର ଡାକ୍ତର ପଦବୀ । ଓଡ଼ିଶା ମେଡିକାଲ ଓ ସ୍ବାସ୍ଥ୍ୟସେବା କ୍ୟାଡରର ଗ୍ରୁପ-ଏ ଜୁନିଅର ବ୍ରାଞ୍ଚରେ ୨ ହଜାର ଏଲଟିଆରଏମଓ ପଦବୀ ସୃଷ୍ଟି ହୋଇଛି । ଓଆରଏସପି ନିୟମାବଳୀ ୨୦୧୭ର ଲେବଲ-୧୨ ପେ ମାଟ୍ରିକ୍ସ ଅନୁସାରେ ସେମାନଙ୍କ ଦରମା ଧାର୍ଯ୍ୟ ହେବ ।

୩୦ଟି ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ୫୦ଟି ଲେଖାଏ ଏଲଟିଆରଏମଓ ନିଯୁକ୍ତ ହେବେ । ଏହା ସହ ଆରଜିଏଚ ରାଉରକେଲାରେ ୨୦ଜଣ ନିଯୁକ୍ତି ପାଇବେ । ସେହିପରି ୩୨ଟି ଉପଖଣ୍ଡ ହସ୍ପିଟାଲରେ ୧୫ଜଣ ଲେଖାଏ ଏଲଟିଆରଏମଓ ନିଯୁକ୍ତ ହେବେ ।

‘କାସା ବକାର୍ଡି ଅନ୍ ଟୁର୍‌’ ମ୍ୟୁଜିକ୍ କନ୍‌ସର୍ଟରେ ଯୋଗଦେବେ ନ୍ୟୁକ୍ଲିୟା

ଭୁବନେଶ୍ୱର: ଜଣାଶୁଣା ପାନୀୟ ବ୍ରାଣ୍ଡ୍ ବକାର୍ଡି, ଭୁବନେଶ୍ୱରବାସୀଙ୍କୁ ଏକ ନିଆରା ଅନୁଭୂତି ଦେବା ପାଇଁ, ଦେଶର ସବୁଠାରୁ ଲୋକପ୍ରିୟ ତଥା ସ୍ୱାଧୀନ କଳାକାର ନ୍ୟୁକ୍ଲିୟା ଏବଂ ଅନ୍ୟତମ ଡିଜେ ଗୁର୍‌ବାକ୍ସ୍‌ଙ୍କ ସହିତ ‘କାସା ବକାର୍ଡି ଅନ୍ ଟୁର୍‌’ ମ୍ୟୁଜିକ୍ କନ୍‌ସର୍ଟର ଆୟୋଜନ କରିଛି । ୧୯ ନଭେମ୍ବର,୨୦୨୨ ଶନିବାର ଦିନ ଅପରାହ୍ନ ୫ଟାରେ ଆରମ୍ଭ ହେଉଥିବା ଏହି ବଡ ପାର୍ଟୀ ଏମ୍ବାସୀ କନସର୍ଟ, ସିମ୍ପୋନୀ ମଲ୍‌ରେ ଅନୁଷ୍ଠିତ ହେବ ।

ବ୍ରାଣ୍ଡ୍ ବକାର୍ଡିର ସିନିୟର୍ ମ୍ୟାନେଜର୍ ସମିସ୍କା ୟୁନିୟାଲ୍ ଏହି କାର୍ଯ୍ୟକ୍ରମ ବିଷୟରେ କହିଛନ୍ତି, “ସହରରେ ସଙ୍ଗୀତର ଭଲପାଇବା ଅଧିକ ରହିଥିବାରୁ, ଆମେ ନ୍ୟୁକ୍ଲିୟାଙ୍କୁ ଭୁବନେଶ୍ୱର ଆଣିବାକୁ ବହୁତ ଆଗ୍ରହୀ । ଇଭେଣ୍ଟ୍ ଘୋଷଣା ହେବା ଦିନଠାରୁ ଆମେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ଅନୁଭବ କରିପାରିଛୁ । ଏହାର ପ୍ରତିକ୍ରିୟା ସମ୍ପୂର୍ଣ୍ଣ ଅଭୁତପୂର୍ବ ରହିଛି ଏବଂ ‘କାସା ବକାର୍ଡି ଅନ୍ ଟୁର୍‌’ ସହିତ ସହରକୁ ଏହି ଅନୁଭୂତି ଦେବା ପାଇଁ ଆମେ ଅପେକ୍ଷା କରିଛୁ ।”

ନ୍ୟୁକ୍ଲିୟା ତଥା ଉଦୟାନ୍ ସାଗର୍ ଭାରତ ପାଇଁ ସ୍ୱତନ୍ତ୍ର ବେସ୍ ସଙ୍ଗୀତର ଅଭିଧାନ ବନେଇଛନ୍ତି । ତାଙ୍କର ଟ୍ରାକ୍ ‘ଲେଟ୍ସ୍ ନାଚୋ’ ଏବଂ ‘ପେନ୍ତ୍ରା’ କପୁର୍ ଆଣ୍ଡ୍ ସନ୍ସ୍ ଏବଂ ମୁକ୍କାବାଜ୍ ଭଳି ବଲିଉଡ ଚଳଚିତ୍ରରେ ସ୍ଥାନ ପାଇଛି । ୟୁଟ୍ୟୁବ୍‌ରେ ୧.୪୮ମିଲିୟନ୍ ସବ୍‌ସ୍କ୍ରାଇବର୍‌ଙ୍କ ସହ ସେ ତାଙ୍କ ସଙ୍ଗୀତ ପାଇଁ ନିଆରା ଦର୍ଶକ ଅର୍ଜନ କରିଛନ୍ତି ।
ବକାର୍ଡି ଏକ୍ସପିରିୟନ୍‌ସେସ୍ ଦ୍ୱାରା ଉପସ୍ଥାପିତ ଓ ଡବ୍ଲୁଏମ୍‌ଏସ୍ ଦ୍ୱାରା ପ୍ରଯୋଜିତ ଏହି କାର୍ଯ୍ୟକ୍ରମ ପ୍ରମୋସନ୍ ସହଭାଗୀ ସିଗ୍‌ନେଚର୍ ୨୪ ପ୍ରଡକ୍ସନ୍ସ ଆୟୋଜନ କରିଛି ।

ପୁଣି ଭାଇରାଲ ହୋଇଛି ଶ୍ରୀମନ୍ଦିର ଗର୍ଭଗୃହ ଭିତରର ଫଟୋ

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ନେଇ ପୁଣି ଉଠିଛି ପ୍ରଶ୍ନ । ପୁଣି ଭାଇରାଲ ହୋଇଛି ଶ୍ରୀମନ୍ଦିର ଗର୍ଭଗୃହ ଭିତରର ଫଟୋ । ଆକାଶ ଚୌଧୁରୀ ନାମରେ ଥିବା ଫେସବୁକ ଆକାଉଣ୍ଟରୁ ଏହି ଫଟୋସବୁ ଭାଇରାଲ କରାଯାଇଛି । ଶ୍ରୀମନ୍ଦିର ଭିତରର ଫଟୋ ଅନେକ ବାର ଭାଇରାଲ ହୋଇଥିବା ସତ୍ତ୍ବେ ଏବେ ଗର୍ଭଗୃହ ଭିତରର ଫଟୋ କିପରି ଭାଇରଲ ହେଲା ତାକୁ ନେଇ ଉଠିଛି ପ୍ରଶ୍ନ ।

ପୂର୍ବରୁ ଭିତର ବେଢାର ଭିଡିଓ ଭାଇରାଲ ହୋଇଥିବା ଏବେ ଗର୍ଭ ଗୃହ ଭିତରର ଫଟୋ ଭାଇରାଲ ହୋଇଛି । ତେଣୁ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା କେତେ କଡ଼ାକଡ଼ି ତାକୁ ନେଇ ଉଠିଛି ପ୍ରଶ୍ନ । ଅନେକ ଥର ପୁରୀ ଶ୍ରୀମନ୍ଦିରର ଫଟୋ ଭାଇକରାଲ ହୋଇଥିବା ସ୍ୱତେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି  । ସବୁଠୁ ବଡ଼ ପ୍ରଶ୍ନ ମନ୍ଦିର ପୋଲିସ ଉପରେ ରହିଛି  । ମନ୍ଦିରକୁ ମୋବାଇଲ ବାରଣ ସ୍ୱତେ କେମିତି ପ୍ରବେଶ କରୁଛି ମୋବାଇଲ  । କାହିଁକି ସୁରକ୍ଷାରେ ଢିଲା ପଡୁଛି ପୋଲିସ  ।

PMଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ, ଓଡିଶା ପାଇଁ ହେଉ ଏକକ ରେଳବାଇ ଜୋନ..

ଭୁବନେଶ୍ୱର: ଓଡିଶା ପାଇଁ ହେଉ ଏକକ ରେଳବାଇ ଜୋନ । ରାଜ୍ୟର ସବୁ ରେଳପଥକୁ ଗୋଟିଏ ଜୋନ ଅଧିନକୁ ଅଣାଯାଉ । ଏନେଇ ପୂର୍ବରୁ ବାରମ୍ବାର ଦାବି ହେଉଥିବା ବେଳେ ଆଜି ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ବାରମ୍ବାର ଦାବି ପରେ ୨୦୦୩ରେ କେନ୍ଦ୍ର ସରକାର ରାଜ୍ୟ ପାଇଁ ସ୍ବତନ୍ତ୍ର ପୂର୍ବତଟ ରେଳବାଇ ଜୋନ ଗଠନ କରିଥିଲେ । ଏବେ କିନ୍ତୁ କେନ୍ଦ୍ର ସରକାର ବିଶାଖାପଟଣାରେ ଦକ୍ଷୀଣ ତଟ ରେଳବାଇ ଜୋନ ଗଠନ କରିବାକୁ ପ୍ରସ୍ତାବ ରଖିଛନ୍ତି । ଏହାଦ୍ବାରା ପୂର୍ବତଟ ରେଳବାଇ ବ୍ୟାପକ ଭାବେ ପ୍ରଭାବିତ ହେବ ।

ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ଓଡିଶା ପାଇଁ ଏକକ ରେଳବାଇ ଜୋନ ଗଠନ କରିବାକୁ ଦାବି କରିଛନ୍ତି । ଓଡିଶା ମଧ୍ୟ ଦେଇ ଯାଇଥିବା ସବୁ ରେଳପଥକୁ ପୂର୍ବତଟ ରେଳବାଇ ଅଧିନକୁ ଆଣିବାକୁ ଦାବି କରିଛନ୍ତି ନବୀନ । ଏଥିପାଇଁ ରାଉଲକେଲା, ଯାଜପୁର କିମ୍ବା ଯାଜପୁର-କେନ୍ଦୁରଝର ରୋଡ ଓ ରାୟଗଡା ଠାରେ ତିନୋଟି ନୂଆ ରେଳବାଇ ଡିଭିଜନ ଗଠନ କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ଦକ୍ଷୀଣ-ପୂର୍ବ ରେଳପଥ ଅଧିନରେ ଥିବା ଝାରସୁଗୁଡା-ବର୍ସୁଆଁ-କିରିବୁରୁ ରେଳପଥ, ରାଉଲକେଲା-ନୂଆଗାଁ ଓ ଦକ୍ଷୀଣ-ପୂର୍ବ-କେନ୍ଦ୍ରୀୟ ରେଳ ଡିଭିଜନ ଅଧିନରେ ଥିବା ଝାରସୁଗୁଡା-ହିମଗିରି ରେଳପଥକୁ ପ୍ରସ୍ତାବିତ ରାଉଲକେଲା ରେଳ ଡିଭିଜନ ସହ ସାମିଲ କରାଯାଉ ।

ସେହିଭଳି ଯାଜପୁର କିମ୍ବା ଯାଜପୁର-କେନ୍ଦୁଝର ରୋଡ ଡିଭିଜନରେ ବାଂଶପାଣୀ-ପଦପାହାଡ, ରୁପସା-ବାଙ୍ଗିରିପୋଷି ଓ ଭଦ୍ରକ-ଲକ୍ଷଣନାଥ ରୋଡ ରେଳପଥକୁ ନୂଆ ଡିଭିଜନ ଅଧିନକୁ ଅଣାଯାଉ । ସେହିଭଳି ରାୟଗଡାରେ ମଧ୍ୟରେ ପୂର୍ବତଟ ରେଳବାଇ ଜୋନ ଅଧିନରେ ଏକ ନୂଆ ଡିଭିଜନ ଗଠନ କରାଯାଉ । ଏହି ଡିଭିଜନରେ ନୂଆପଡା-ଗୁଣପୁର, ରାୟଗଡା-ଟିଟଲାଗଡ-ରାୟପୁର, କୋରାପୁଟ-ରାୟଗଡା, କୋରାପୁଟ-ଜୟପୁର-ଜଗଦଲପୁର-କିରାଣ୍ଡୁଲ ଏବଂ ଲାଂଜିଗଡ ରୋଡ-ଜୁନାଗଡ ରେଳପଥକୁ ସାମିଲ କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏଥିସହିତ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ପ୍ରସ୍ତାବିତ ରେଳପଥ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ଏହାଦ୍ବାରା ରାଜ୍ୟରେ ରେଳବାଇ ମଧ୍ୟରେ ସହଜରେ ସମ୍ବନୟ ରକ୍ଷା କରାଯାଇପାରିବ । ରେଳପଥକୁ ଓଡିଶା ସର୍ବାଧିକ ଟିକସ ଦେଉଥିଲେ ବି କେନ୍ଦ୍ରର ପ୍ରସ୍ତାବିତ ନୂଆ ଡିଭିଜନ ଦ୍ବାରା ଓଡିଶାର ଆୟ ବ୍ୟାପକ ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି । ଗତ ସାତ ବର୍ଷ ହେଲା ରାଜ୍ୟ ସରକାର ଓଡିଶା ପାଇଁ ଏକକ ରେଳବାଇ ଜୋନ ଗଠନ କରିବାକୁ ଦାବି କରିଆସୁଛନ୍ତି ।

ପଦମପୁର ବିଜେପି ପ୍ରଚାରରେ ରାଜ୍ୟ ସରକାରଙ୍କୁ ପ୍ରଶଂସା

ପଦମପୁର: ବିଜେପି ପ୍ରଚାରରେ ରାଜ୍ୟ ସରକାରଙ୍କୁ ପ୍ରଶଂସା । କଥାଟା ଖଟକା ଲାଗୁଥିଲେ ବି ସତ । ପଦମପୁର ଉପନିର୍ବାଚନ ପାଇଁ ଏବେ ସବୁ ଦଳ ପ୍ରଚାର ଜୋରଦାର କରିଛନ୍ତି । ବିରୋଧ ଦଳ ସରକାର ବିରୋଧରେ ଭୋଟ ମାଗୁଥିବା ବେଳେ ପଦମପୁରବାସୀ କିନ୍ତୁ ସରକାରୀ ଯୋଜନାର ସଫଳତାକୁ ନେଇ ଶତମୁଖ ।

ଆଜି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ପ୍ରଚାର କରୁଥିବା ସମୟରେ ତାଙ୍କର ଜଣେ ସମର୍ଥକ ରାଜ୍ୟ ସରକାରଙ୍କ ଦାରିଦ୍ର୍ୟ ଦୂରୀକରଣ ଯୋଜନାକୁ ପ୍ରଶଂସା କରିଛନ୍ତି । ପଦମପୁରବାସୀ ସବୁ ସରକାରୀ ଯୋଜନା ଏପରିକି କାଳିଆ ସହାୟତାର ସୁଫଳ ପାଉଥିବା କହିଛନ୍ତି ଜଣେ ବିଜେପି ସମର୍ଥକ ।

ପୂର୍ବରୁ ମଧ୍ୟ ବିଜେପି ରାଲିରେ ନବୀନ ପଟ୍ଟନାୟକଙ୍କ ସ୍ଲୋଗାନ ଦେଖିବାକୁ ମିଳିଥିଲା  । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ନାମାଙ୍କନ ପତ୍ର ଦାଖଲ କରିବାକୁ ଯାଉଥିବାବେଳେ ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା  ।ଯେଉଁଥିରେ ଜଣେ କର୍ମୀ ନବୀନ ପଟ୍ଟନାୟକଙ୍କ ସ୍ଲୋଗାନ ଦେଇଥିଲେ  ।

ବ୍ରାଉନସୁଗାର କାରବାରରେ ଚୋରା ବନ୍ଧୁକ ଲିଙ୍କ୍

ଭୁବନେଶ୍ୱର: ଅପରେସନ ହ୍ବାଇଟ ସ୍ପାଇଡରକୁ ଜୋରଦାର କଲା କମିଶନରେଟ ପୋଲିସ । ପଦାକୁ ଆସିଲା ବ୍ରାଉନସୁଗାର କାରବାରରେ ଚୋରା ବନ୍ଧୁକ ଲିଙ୍କ । ୧୨ ଗ୍ରାମ ବ୍ରାଉନ ସୁଗାର କାରବାର ଅଭିଯୋଗରେ ଅନ୍ଧାରୁଆର ପିଣ୍ଟୁନା ଓରଫ କାହ୍ନା ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭରତପୁର ଥାନା ପୋଲିସ । ଡିଲ ବେଳେ ସୁରକ୍ଷା ଲାଗି ପାଖରେ ବନ୍ଧୁକ ରଖୁଥିଲା ପିଣ୍ଟୁନା । ବନ୍ଧୁକ କେଉଁଠାରୁ ଆଣିଥିଲା ତାହା ପୋଲିସ ତଦନ୍ତ କରୁଛି ।

ଜବତ ହୋଇଥିବା ବନ୍ଧୁକଟି ଲାଇସେନ୍ସ ନଥିଲା । ଚଳିତ ବର୍ଷ ଭରତପୁର ଥାନାରେ ୧୯ଟି ମାମଲା ରୁଜୁ ହୋଇଛି । ୩୨୦ ଗ୍ରାମ ଗଞ୍ଜେଇ ଓ ୭୨ ଗ୍ରାମ ବ୍ରାଉନସୁଗାର ଜବତ ବୋଇଥିବା ବେଳେ ୩୨ ଜଣଙ୍କୁ ଗିରଫ କରିଛି ପୋଲିସ । ସେପଟେ ଧଉଳି ଥାନା ପୋଲିସ ଦ୍ବାରା ୪୨ କେଜି ଗଞ୍ଜେଇ ଜବତ ହୋଇଛି । କେଶୁରା ପଟୁ ଦୟା ନଦୀବନ୍ଧ ଦେଇ ଚାଲାଣ କରୁଥିବା ବେଳେ ୩ ଜଣଙ୍ଗକୁ ଗିରଫ କରି କୋର୍ଟ ଚାଲାଣ କରିଛି ଧଉଳି ଥାନା ପୋଲିସ । ସେମାନଙ୍କ ଠାରୁ ଗୋଟିଏ କାର ଜବତ ହୋଇଛି ।