ଛାତ୍ରଙ୍କ ବେକରେ ଜାଭେଲିନ ପଶିବା ଘଟଣା, ଚିନ୍ତାପ୍ରକଟ କରି ସମସ୍ତ ସହାୟତା ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ବେକରେ ଜାଭେଲିନ ପଶି ବଲାଙ୍ଗୀରର ଗୁରୁତର ଛାତ୍ର ସଦାନନ୍ଦର ସ୍ୱାସ୍ଥ୍ୟାବସ୍ଥା ନେଇ ଚିନ୍ତାପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉନ୍ନତ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସମସ୍ତ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଛାତ୍ରର ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ 5T ସଚିବ ଭି.କେ ପାଣ୍ଡିଆନ୍ ବଲାଙ୍ଗୀର ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ସଦାନନ୍ଦର ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ।

ସେପଟେ ଏକ ଘଣ୍ଟାର ଅପରେସନ ପରେ ସଦାନନ୍ଦର ବେକରୁ ଜାଭେଲିନ ବାହାରିଛି । ଅସ୍ତ୍ରୋପଚାର ପରେ ସେ ଏବେ ସୁସ୍ଥ ଅଛନ୍ତି । ଛାତ୍ରଙ୍କୁ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ଯୋଗାଇ ଦିଆଯିବା ସହ ୩୦ ହଜାର ଟଙ୍କା ରେଡକ୍ରସ ପାଣ୍ଠିରୁ ପ୍ରଦାନ କରାଯାଯାଇଛି । ଏହାସହ ସୁସ୍ଥ ହେବା ପର୍ଯ୍ୟନ୍ତ ସମସ୍ତ ଚିକିତ୍ସା ରାଜ୍ୟ ସରକାର ବହନ କରିବେ ବୋଲି କହିଥିଲେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ।

ବଲାଙ୍ଗୀର ଆଗଲପୁର ବାଳକ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଚାଲିଥିବା ବେଳେ ସଦାନନ୍ଦଙ୍କ ବେକରେ ପଶିଯାଇଥିଲା ଜାଭେଲିନ୍ । ନବମ ଶ୍ରେଣୀ ଛାତ୍ର ସଦାନନ୍ଦ ମେହେର ଗୁରୁତର ଅବସ୍ଥାରେ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସ୍ୱତନ୍ତ୍ର ୮ଜଣିଆ ଡାକ୍ତରୀ ଟିମ୍ ସଦାନନ୍ଦର ସଫଳ ଅପରେସନ କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ ଓ ଡିଇଓଙ୍କ ଉପସ୍ଥିତିରେ ଚିକିତ୍ସା କରାଯାଇଛି ।