ମଶା କାମୁଡ଼ାରେ ଅତିଷ୍ଠ ରାଜଧାନୀବାସୀ, ମଶାବଂଶ ନିପାତ ପାଇଁ ବ୍ୟବହାର ହେଲା ଡ୍ରୋନ୍

ଭୁବନେଶ୍ୱର: ରାଜଧାନୀରେ ଚିନ୍ତା ବଢ଼ାଉଛନ୍ତି ମଶା । ମଶାଙ୍କ ଉପଦ୍ରବ ରୋକିବାକୁ ବିଏମସିର ନୂଆ ପଦକ୍ଷେପ । ବିଏମସି ଆପଣାଇଲା କୋଲକାତା ମଡେଲ । ମଶା ବଂଶ ନିପାତରେ ବ୍ୟବହାର ହେଲା ଡ୍ରୋନ୍ । ଅଳିଆ ପରେ ଏବେ ବିଏମସି ପାଇଁ ଚିନ୍ତାର କାରଣ ସାଜିଛି ମଶାଙ୍କ ପ୍ରାଦୁର୍ଭାବ । ମଶା କାମୁଡ଼ାରେ ଅତିଷ୍ଠ ରାଜଧାନୀବାସୀ । ଏଥିପାଇଁ ସିଧାସଳଖ ବିଏମସିକୁ ଦାୟୀ କରିଛନ୍ତି । ମଶାଙ୍କ ବଂଶ ବୃଦ୍ଧିକୁ ରୋକିବାକୁ ଅଣ୍ଟା ଭିଡ଼ିଛି ବିଏମସି । ମଶା ତେଲ ପକାଇବା ଓ ମଶା ଧୂଆଁ ଛାଡିବାକୁ ବ୍ୟାପକ କରାଯାଇଛି । ୯ଟି ଟିଫା ମେସିନ ସମେତ ବୁଦା ସଫା କରିବା ଟିମ ସଂଖ୍ୟାକୁ ବୃଦ୍ଧି କରାଯାଇଛି ।

ଟିଫା ମେସିନ ଯାଇପାରୁନଥିବା ଅଞ୍ଚଳକୁ ଚିହ୍ନଟ କରି ଆକାଶ ମାର୍ଗରୁ ପେଷ୍ଟିସାଇଡ ସିଞ୍ଚନ କରିବାକୁ ଯାଇ କୋଲକତାର ବେଇଟ ଲୋଜିଟେକ ଆଣ୍ଡ ସ୍ନାୟୁ ହେଲଥ କେୟାର କଂସର୍ଟିୟମ ନାମକ ଏକ ଘରୋଇ ସଂସ୍ଥା ସହ ଏମଓୟୁ ସ୍ବାକ୍ଷର କରିଛି ବିଏମସି । ଆଜି ୧୪ନମ୍ବର ଓ୍ବାର୍ଡ ଅନ୍ତର୍ଗତ ନିଳାଦ୍ରୀବିହାର ଅଞ୍ଚଳରୁ ଡ୍ରୋନ୍ ଜରିଆରେ ସନ୍ଦିଗ୍ଧ ସ୍ଥାନକୁ ଚିହ୍ନଟ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ପର୍ଯ୍ୟାୟ କ୍ରମେ ବିଏମସିର ସମସ୍ତ ଓ୍ବାର୍ଡରେ ଏହା କାର୍ଯ୍ୟକାରୀ ହେବ ।

ପାଇଲଟ ପ୍ରୋଜେକ୍ଟ ଭାବେ ୭ ଦିନିଆ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପ୍ରଥମ ଦୁଇଦିନ ଡ୍ରୋନ ଫଟୋ ଉଠାଇବା ପରେ ଅବଶିଷ୍ଟ ୫ ଦିନ ଆକାଶ ମାର୍ଗରୁ ପେଷ୍ଟିସାଇଡ ସିଞ୍ଚନ କରାଯିବ । ପୂର୍ବରୁ ଏହି ବ୍ୟବସ୍ଥା କୋଲକତା ମହାନଗର ନିଗମ ପକ୍ଷରୁ ହାତକୁ ନିଆଯାଇଛି । ମଶାଙ୍କ ପ୍ରାଦୁର୍ଭାବ କ୍ଷେତ୍ରରେ ବିଏମସିର ସବୁଠାରୁ ସମ୍ବେଦନଶୀଳ ଅଞ୍ଚଳ ହେଉଛି ନିଳାଦ୍ରୀବିହାର । ୧୪ ନମ୍ବର ୱାର୍ଡ ଅନ୍ତର୍ଗତ ଏହି ଇଲାକାରୁ ଏଭଳି ଅଭିଯାନ ଆରମ୍ଭ କରାଯାଇଥିବାରୁ ବିଏମସି କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ସ୍ଥାନୀୟ କର୍ପୋରେଟର ।