ଲଗାତର ତୃତୀୟ ଥର ଦୃଷ୍ଟିହୀନ ଟି-୨୦ ବିଶ୍ୱକପ ଟ୍ରଫି ହାତେଇଲା ଭାରତ

1 min read

ନୂଆଦିଲ୍ଲୀ: ଇତିହାସ ରଚିଲା ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଦଳ । ଆଜି ଖେଳାଯାଇଥିବା ଟି-୨୦ ବିଶ୍ୱକପ ଫାଇନାଲରେ ବାଂଲାଦେଶକୁ ହରାଇ ବିଶ୍ୱ ବିଜୟୀ ମୁକୁଟ ପିନ୍ଧିଲା ଭାରତ । ଲଗାତର ତୃତୀୟ ଥର ପାଇଁ ହାତେଇଲା ଟି-୨୦ ବିଶ୍ୱକପ ଟ୍ରଫି । ଏହା ପୂର୍ବରୁ ଭାରତ ୨୦୧୨ ଓ ୨୦୧୭ରେ ଦୃଷ୍ଟିହୀନ ବିଶ୍ୱକପ ଟ୍ରଫି ନିଜ ନାମରେ କରିଥିଲା । ତେବେ ଆଜି ଫାଇନାଲରେ ପୁଣି ଥରେ ବିଜୟ ହେବା ସହ ଭାରତ ବିଶ୍ୱକପ ଟ୍ରଫି ହାତେଇବାରେ ହ୍ୟାଟ୍ରିକ୍ ଅର୍ଜନ କରିଛି ।

ତେବେ ଆଜି ଖେଳାଯାଇଥିବା ଫାଇନାଲରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲା ଭାରତ । ପ୍ରଥମ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୨୭୭ ରନ କରିଥିଲା । ଭାରତ ପକ୍ଷରୁ ସୁନୀଲ ରମେଶ ୬୩ ବଲରୁ ଅପରାଜିତ ୧୩୬ ରନ କରିଥିବାବେଳେ ଅଜୟ ରେଡ୍ଡୀ ୫୦ ବଲରୁ ବିସ୍ଫୋରକ ୧୦୦ ରନ କରିଥିଲେ । ୨୭୮ ରନର ଟାର୍ଗେଟ ପଡ଼ିଆକୁ ଓହ୍ଲାଇଥିବା ବାଂଲାଦେଶ ୨୦ ଓଭର ଖେଳି ମାତ୍ର ୧୫୭ ରନ କରିବାରେ ସଫଳ ହୋଇଥିଲା । ଯାହାଫଳରେ ଭାରତ ଏହି ମ୍ୟାଚକୁ ୧୨୦ ରନରେ ନିଜ ନାମରେ କରିଥିଲା । ଏହି ବିଜୟ ସହ ଭାରତ ଦୃଷ୍ଟିହୀନ ବିଶ୍ୱକପର ତୃତୀୟ ସଂସ୍କରଣରେ ଚମ୍ପିଆନ ହୋଇଛି ।