spot_img
Home Blog Page 3769

ସ୍ୱତନ୍ତ୍ର ଉତ୍ସବରେ ଅଙ୍ଗରକ୍ଷୀ ବାହିନୀକୁ ସମ୍ମାନିତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷୀ ବାହିନୀକୁ ଏକ ସ୍ବତନ୍ତ୍ର ଉତ୍ସବରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଉତ୍ସବରେ ଅଙ୍ଗରକ୍ଷୀ ବାହିନୀକୁ ସିଲଭର ଟ୍ରମ୍ପେଟ ଓ ଟ୍ରମ୍ପେଟ ବ୍ୟାନର ପ୍ରଦାନ କରି ରାଷ୍ଟ୍ରପତି ସମ୍ମାନିତ କରିଛନ୍ତି । ସିଲଭର ଟ୍ରମ୍ପେଟ ଓ ଟ୍ରମ୍ପେଟ ବ୍ୟାନରର ଇତିହାସ ଓ ଏହାର ଭୂମିକା ଉପରେ ଏହି ଉତ୍ସବରେ କରାଯାଇଛି ଆଲୋକପାତ । ଏନେଇ ପ୍ରଦର୍ଶିତ ହୋଇଥିଲା ଏକ ସ୍ବତନ୍ତ୍ର ଅଡିଓ ଭିଜୁଆଲ ପ୍ରେଜେଣ୍ଟେସନ । ଏହି ଉତ୍ସବରେ ଅଶ୍ବାରୋହୀ ବାହିନୀଙ୍କ ପାରମ୍ପରିକ କୌଶଳ ପ୍ରଦର୍ଶିତ ହୋଇଥିଲା ।

ଏଥିରେ ଉଭୟ ଅଶ୍ବ ଓ ଅଶ୍ବାରୋହୀଙ୍କ ପ୍ରିଶିକ୍ଷଣ କୌଶଳ, ଭାରସାମ୍ୟ ରକ୍ଷାମୂଳକ କୌଶଳ ଆଦି ପ୍ରଦର୍ଶିତ ହୋଇଥିଲା । ରାଷ୍ଟ୍ରପତିଙ୍କ ସ୍ବତନ୍ତ୍ର ଅଙ୍ଗରକ୍ଷୀ ବାହିନୀ ହେଉଛନ୍ତି ଭାରତର ରାଷ୍ଟ୍ରପତିଙ୍କ ସ୍ବତନ୍ତ୍ର ବାହିନୀ । ଭାରତୀୟ ସେନା ଅଧୀନରେ ଥିବା ଏହି ୟୁନିଟ ଭାରତୀୟ ସେନାର ସ୍ବତନ୍ତ୍ର ୟୁନିଟ ଭାବେ ପରିଗଣିତ । ପ୍ୟାରେଡ ସମୟରେ ବିଭିନ୍ନ କଳା କୌଶଳ ଦେଖାଇଥିଲେ ଅଙ୍ଗରଖି । ଅଶ୍ବରେ ବସି ଏଲିଡି ଲାଇଟ୍ର ସୁନ୍ଦର ଶୋ’ ଦେଖାଇଥିଲେ । ପିବିଜିର ଏପରି କଳା କୌଶଳକୁ ପ୍ରଶଂସା କରିଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତି ଅଙ୍ଗରକ୍ଷକ ରେଜିମେଣ୍ଟ ଭାରତୀୟ ସେନାର ସବୁଠାରୁ ବଡ଼ ରେଜିମେଣ୍ଟ ।

୨୫୦ ବର୍ଷ ପୁରୁଣା ଏହି ରିଜିମେଣ୍ଟ ଆଜି ପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କୁ ସୁରକ୍ଷା ଦେଇଆସୁଛନ୍ତି । ୧୭୭୩ରେ ଏହି ରେଜିମେଣ୍ଟର ସ୍ଥାପନା ହୋଇଥିଲା । ଏହି ସମୟରେ ଏହାର ନାଁ ଗଭର୍ଣ୍ଣର ଜେନେରାଲ ବଡିଗାର୍ଡ ଥିଲା । ପରେ ୧୮୫୭ରେ ଏହା ନାଁ ବଦଳାଯାଇ ଭାଇସରୟସ୍‌ ବଡ଼ିଗାର୍ଡ ହେଲା । ଏହା ପରେ ଏହାର ନାଁ ୧୯୫୦ ବଦଳାଯାଇ ପିବିଜି ରଖାଗଲା । ସେବେ ଠାରୁ ନିରନ୍ତର ଭାବେ ରାଷ୍ଟ୍ରପତି ଓ ସମ୍ବିଧାନର ସୁରକ୍ଷା ସେବାରେ ନିୟୋଜିତ ହୋଇଛନ୍ତି ।

ପୁଣି ପାକିସ୍ତାନର ପରାଜୟ, ଜିମ୍ବାଓ୍ୱେ ଠାରୁ ୧ ରନରେ ହାରିଲା ପାକ୍

ପର୍ଥ:  ଟି-ଟ୍ବେଣ୍ଟି ବିଶ୍ବକପରେ ପାକିସ୍ତାନର ବିପର୍ଯ୍ୟୟ । ପରାଜୟ ଅଭିଯାନ ଜାରି ରଖିଛି ପାକିସ୍ତାନ  ।  ଜିମ୍ବାଓ୍ବେ ଠାରୁ ୧ ରନରେ ହାରିଲା ଟିମ୍ ପାକିସ୍ତାନ । ପର୍ଥରେ ଖେଳାଯାଇଥିବା ଗ୍ରୁପ ବି ର ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଜିମ୍ବାଓ୍ବେ ୮ ଓ୍ବିକେଟ ହରାଇ ୧୩୦ ରନ୍ କରିଥିଲା ।

୧୩୧ ରନ୍ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା ପାକିସ୍ତାନ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ଲଗାତର ଓ୍ବିକେଟ ପତନ ଯୋଗୁଁ ନିର୍ଦ୍ଧାରିତ ଓଭରରେ ୧୨୯ ରନ କରିବାରେ ସକ୍ଷମ ହୋଇଥିଲା ପାକିସ୍ତାନ ଟିମ୍ ।

କମ୍ପିବ କଳିଙ୍ଗ, ଆରମ୍ଭ ହେବ FIH ପୁରୁଷ ହକି ପ୍ରୋ ଲିଗ୍

ଭୁବନେଶ୍ୱର: ଶୁକ୍ରବାର ଠାରୁ କମ୍ପିବ କଳିଙ୍ଗ । ଆରମ୍ଭ ହେବ FIH ପୁରୁଷ ହକି ପ୍ରୋ ଲିଗ୍ ମ୍ୟାଚ୍ । ଓଡିଶା ଦ୍ବାରା ଆୟୋଜିତ ହୋଇଛି FIH ପୁରୁଷ ହକି ପ୍ରୋ ଲିଗର ୪ର୍ଥ ସଂସ୍କରଣ । ଟୁର୍ଣ୍ଣାମେଣ୍ଟରେ ଭାରତ ସମେତ ସ୍ପେନ୍ ଓ ନ୍ୟୁଜିଲାଣ୍ଡ ଭଳି ୩ଟି ଶକ୍ତିଶାଳୀ ଦଳ ଅଂଶଗ୍ରହଣ କରୁଛନ୍ତି । କଳିଙ୍ଗ ଷ୍ଟାଡିୟମରେ ଭାରତ, ସ୍ପେନ ଓ ନ୍ୟୁଜଲାଣ୍ଡ ମଧ୍ୟରେ 6 ଟି ମ୍ୟାଚ ଖେଳାଯିବ । ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ । ପ୍ରଥମ ଥର ଟିମ ଇଣ୍ଡିଆର କ୍ୟାପଟେନ ଭାବେ ମଙ୍ଗଧରିଛନ୍ତି ହରମନପ୍ରୀତ ସିଂ। ମ୍ୟାଚରେ ଦଳ କିଭଳି ଭଲ ପ୍ରଦର୍ଶନ କରିବ ଓ ସମସ୍ତେ କିଭଳି ନିଜର ବେଷ୍ଟ ଦେବେ ତାହାକୁ ଗୁରୁତ୍ବ ଦିଆଯାଇଛି ।

ଏହାସହ ଭୁବନେଶ୍ୱର ଗ୍ରାଉଣ୍ଡ ଆମ ପାଇଁ ସ୍ୱତନ୍ତ୍ର ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ହରମନପ୍ରୀତ । ସେପଟେ ଟିମର ବିଭିନ୍ନ ବିଭାଗ ସନ୍ତୁଳିତ ଓ ଶକ୍ତିଶାଳୀ ଥିବାରୁ ନିଜର ବିଜୟ ନେଇ ଆଶା ରଖିଛି ସ୍ପେନ ଟିମ୍ । ବିଶ୍ବକପ୍ ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ଖେଳିବାର ସୁଯୋଗ ମିଳିଥିବାରୁ ସ୍ପେନ ଟିମ୍ ଖୁସି ବ୍ୟକ୍ତ କରିଛି । କଳିଙ୍ଗ ଷ୍ଟାଡିୟମର ପଡିଆ ବିଶ୍ବସ୍ତରୀୟ ସହ ପ୍ରସ୍ତୁତିକୁ ନେଇ ସାମ୍ବାଦିକ ସମ୍ମିଳନୀରେ ଓଡିଶାକୁ ପ୍ରଶଂସା କରିଛନ୍ତି ସ୍ପେନ ଦଳର ଉଭୟ କୋଚ ଓ ଅଧିନାୟକ।

ସେପଟେ ନ୍ୟୁଜିଲାଣ୍ଡ ଟିମ୍ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶାରେ ଟୁର୍ଣ୍ଣାମେଣ୍ଟ ଆୟୋଜନକୁ ପ୍ରଶଂସା କରାଯାଇଛି । ମ୍ୟାଚରେ ଭଲ ଖେଳିବା ଆମ ପାଇଁ ଚ୍ୟାଲେଞ୍ଜ ରହିବ ବୋଲି କହିଛନ୍ତି ନ୍ୟୁଜିଲାଣ୍ଡ କୋଚ ଓ ଖେଳାଳି । ଟୁର୍ଣ୍ଣାମେଣ୍ଟ ପୂର୍ବରୁ ସମସ୍ତ ଟିମ୍ ଅଭ୍ୟାସ ମ୍ୟାଚ ଖେଳି ନିଜକୁ ପ୍ରସ୍ତୁତ କରିଛନ୍ତି । ୨୦୨୩ ଜାନୁଆରୀରେ ଓଡିଶା ପୁଣି ଆୟୋଜନ କରିବାକୁ ଯାଉଛି ବିଶ୍ବକପ୍ ହକି ।

ହବିଷ୍ୟାଳୀ ସୁବିଧା ଯୋଗାଇ ଦେଉଛନ୍ତି ସରକାର, ସହି ପାରୁନାହାଁନ୍ତି ଅସହିଷ୍ଣୁ

ପୁରୀ: ହବିଷ୍ୟାଳୀ ଯୋଜନାରେ ବ୍ରତଧାରୀଙ୍କୁ ସମସ୍ତ ସୁବିଧା ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର । ପୁରୀର 5 ଟି ଶିବିରରେ ରହୁଛନ୍ତି ୩ ହଜାରରୁ ଅଧିକ ବ୍ରତଧାରୀ । 10 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଜନାର ଶୁଭାରମ୍ଭ କରିବା ସହ ହବିଷ୍ୟାଳୀ ମା’ ମାନଙ୍କ ପାଇଁ ସ୍ଥାୟୀ ହବିଷ୍ୟାଳୀ ଶିବିର ବୃନ୍ଦାବତୀ ନିବାସର ଶୁଭାରମ୍ଭ ମଧ୍ୟ କରିଥିଲେ । ଏହି ଅବସରରେ ଥଣ୍ଡା ପଡୁଥିବାରୁ ସେମାନଙ୍କୁ ଶାଲ ବଣ୍ଟନ ପାଇଁ ମଧ୍ୟ ପ୍ରତିଶୃତି ଦେଇଥିଲେ ।

ଶାଲ୍ ବଣ୍ଟନ ସମୟରେ ଜଣେ ହବିଷ୍ୟାଳୀ ମା’ ତାଙ୍କଦ୍ବାରା ଲିଖିତ ଏକ ଗୀତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ କରିଥିଲେ । ଜିଲ୍ଲା ପ୍ରଶାସନର ଅନୁମତି ନେଇ ସେ ସେହି ଗୀତକୁ ଗାଇଥିଲେ । ହବିଷ୍ୟାଳୀ ଯୋଜନାରେ କ’ଣ ସବୁ ମୁଖ୍ୟମନ୍ତ୍ରୀ ବ୍ୟବସ୍ଥା କରିଛନ୍ତି ଗୀତ ମାଧ୍ୟମରେ ବର୍ଣ୍ଣନା କରିଥିଲେ ବ୍ରତଧାରୀ । ତେବେ ଏହାକୁ ନେଇ କିଛି ଅସହିଷ୍ଣୁ ଗୋଷ୍ଠୀ ବିଭିନ୍ନ ଅରୁଚିକର ମନ୍ତବ୍ୟ ଦେଇଛନ୍ତି । ଯାହାକୁ ତିବ୍ର ବିରୋଧ କରିଛି ବିଜେଡି ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଲେ ସାଂସଦ ଅମର ପଟ୍ଟନାୟକ

ଭୁବନେଶ୍ୱର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଲେ ସାଂସଦ ଅମର ପଟ୍ଟନାୟକ । ଇସ୍ରାଏଲରେ ପାଠ ପଢ଼ିବାକୁ ଓଡ଼ିଆ ଛାତ୍ରୀଙ୍କୁ ଶିକ୍ଷାଋଣ ପ୍ରଦାନ ନେଇ ଚିଠି ଲେଖିଛନ୍ତି ସାଂସଦ । ତେଲଆଭିଭ ୟୁନିଭର୍ସିଟିରେ ପଢ଼ିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ଛାତ୍ରୀ । ମଧ୍ୟବିତ୍ତ ଶ୍ରେଣୀର ଏହି ଛାତ୍ରୀ ତେଲଆଭିଭ ୟୁନିଭର୍ସିଟିରେ ମାଷ୍ଟର ଡିଗ୍ରୀ କରିବେ ।

ଶିକ୍ଷାଋଣ ପାଇଁ ଛାତ୍ରୀଜଣକ ବିଭିନ୍ନ ବ୍ୟାଙ୍କର ଦ୍ବାରସ୍ଥ ହୋଇଥିଲେ । ଇସ୍ରାଏଲ ଏଭଳି ବ୍ୟବସ୍ଥା ଗ୍ରହଣ କରୁନଥିବା କହି ତାଙ୍କୁ ବ୍ୟାଙ୍କ ଋଣ ଦେଉନାହାନ୍ତି । ଇସ୍ରାଏଲ ସହିତ ଭାରତର ଭଲ ସମ୍ପର୍କ ରହିଛି । ଭାରତ ସରକାର ଓ RBI ପଲିସିରେ ପରିବର୍ତ୍ତନ ଆଣିବାକୁ ଅନୁରୋଧ କରିଛନ୍ତି ସାଂସଦ ଅମର ପଟ୍ଟନାୟକ ।

ଘୃଣା ସୃଷ୍ଟିକାରୀ ଭାଷଣ ମାମଲାରେ ଆଜମ ଖାନଙ୍କୁ ତିନି ବର୍ଷ ଜେଲ ଦଣ୍ଡ, ଯାଇପାରେ ବିଧାୟକ ପଦ

ରାମପୁର(ଉତ୍ତର ପ୍ରଦେଶ): ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କୁ ୨୦୧୯ ନିର୍ବାଚନ କାଳର ଭାଷଣ ମହଙ୍ଗା ପଡ଼ିଛି । ରାମପୁରର ଏମପି-ଏମଏଲଏ ଅଦାଲତ ୨୦୧୯ର ଘୃଣାସୃଷ୍ଟିକାରୀ ଭାଷଣ ମାମଲାରେ ତାଙ୍କୁ ୩ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛି । ୨୦୧୯ ଲୋକସଭା ନିର୍ବାଚନ କାଳରେ ଆଜମ ଏକ ସଭାରେ ଗୋଟିଏ ସମ୍ପ୍ରଦାୟ ବିରୋଧରେ ଘୃଣା ସୃଷ୍ଟିକାରୀ ଭାଷଣ ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା ।

ଅଦଲାତ ଆଜମଙ୍କୁ ତିନି ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୨୫ ହଜାର ଟଙ୍କାର ଜରିମାନା ଦେବାକୁ ଆଦେଶ ଦେଇଛନ୍ତି । ୧୦ଥରର ବିଧାୟକ ଓ ୨ ଥର ସାଂସଦଙ୍କ ରାଜନୈତିକ କ୍ୟାରିୟର ଅଦାଲତର ଏହି ଆଦେଶ ପ୍ରଶ୍ନବାଚୀ ଲଗାଇବାର ଆଶଙ୍କା ସୃଷ୍ଟି ହୋଇଛି । କାରଣ ଦଣ୍ଡାଦେଶ ପରେ ଆଜମ ଆଉ ନିର୍ବାଚନ ଲଢି ପାରିବେ ନାହିଁ । ଏହା ସହିତ ବିଧାନସଭାରେ ତାଙ୍କ ସଦସ୍ୟତା ମଧ୍ୟ ରଦ୍ଦ ହୋଇଯିବ ।

ଲୋକ ପ୍ରତିନିଧି ଆଇନ ଅନୁସାରେ ଯଦି କୌଣସି ବିଧାୟକ ଦୁଇ ବର୍ଷରୁ ଅଧିକ କାରାଦଣ୍ଡରେ ଦଣ୍ଡିତ ହୁଅନ୍ତି ତେବେ ତାଙ୍କ ସଦସ୍ୟତା ରଦ୍ଦ ହେବ ।ଏହା ପୂର୍ବରୁ ଅଯୋଧ୍ୟାର ଗୋଇସାଇଗଞ୍ଜ ବିଧାନସଭାରୁ ବିଜେପି ବିଧାୟକ ଖବ୍ବୁ ତିୱାରୀଙ୍କୁ ନିଜ ବିଧାୟକ ପଦବୀ ହରାଇବାକୁ ପଡ଼ିଥିଲା । କାରଣ ଅଦାଲତ ତାଙ୍କୁ ଦୁଇ ବର୍ଷର ଅଧିକ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।

ସହାୟ ହେଲା ଓଡ଼ିଶା ମୋ ପରିବାର, ଫେରି ଆସିଲା ଶ୍ରମିକଙ୍କ ମୃତଦେହ

ଗଞ୍ଜାମ: ସହାୟ ହେଲା ଓଡ଼ିଶା ମୋ ପରିବାର । ଶମିକଙ୍କ ମୃତଦେହକୁ ଜନ୍ମମାଟିକୁ ଫେରାଇଆଣିଲା ଓଡ଼ିଶା ମୋ ପରିବାର । ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ବଡ଼ଗଡ଼ ଗାଁର ଶଙ୍କର ନାୟକ ଓ ସୁଶାନ୍ତ ନାୟକ କେରଳରେ ରହି କାମ କରୁଥିଲେ । ଗତ ୨୭ ତାରିଖରେ ନିର୍ମାଣାଧୀନ ଛାତରୁ ପଡ଼ି ଉଭୟଙ୍କର ମୃତ୍ୟୁ ହୋଇଥିଲା । କମ୍ପାନୀ ତରଫରୁ ମୃତଦେହକୁ ଓଡ଼ିଶାକୁ ଅଣାଯାଇଥିବାବେଳେ ବିମାନବନ୍ଦରରୁ ଜନ୍ମମାଟିକୁ ନେବାକୁ ପରିବାର ଅକ୍ଷମତା ପ୍ରକାଶ କରିଥିଲେ ।

ପରେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁଙ୍କୁ ଏନେଇ ଜଣାଇବା ପରେ ସେ ଜିଲ୍ଲା ଜୀବନବିନ୍ଦୁ ସଂଯୋଜକଙ୍କୁ ଯୋଗାଯୋଗ କରିଥିଲେ । ଏନେଇ ଓଡ଼ିଶା ମୋ ପରିବାରକୁ ଜଣାଇବା ପରେ ତୁରନ୍ତ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଥିଲା । ମୃତଦେହ ସ୍ଥାନାନ୍ତର ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରିଥିଲା ଓଡ଼ିଶା ମୋ ପରିବାର । ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ମୋ ପରିବାରକୁ କୃତଜ୍ଞତା ଜଣାଇଛନ୍ତି ମୃତକଙ୍କ ପରିବାର ।

ସୋସିଆଲ ମଡିଆରେ ଚରିତ୍ର ସଂହାର କରୁଥିଲେ, ଥାନାରେ ଅଭିଯୋଗ ପରେ ଆକ୍ରମଣ କଲେ

ଭୁବନେଶ୍ୱର: ରାଜଧାନୀରେ ଆତଙ୍କ । ସୋସିଆଲ ମିଡିଆରେ ଚରିତ୍ର ସଂହାର କରୁଥିଲେ । ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରୁଥିଲେ । ମଞ୍ଚେଶ୍ୱର ଥାନାରେ ଏତଲା ପରେ ହିଂସ୍ର ହୋଇ ଉଠିଛନ୍ତି ଦୁର୍ବୃତ୍ତ । ଘରେ ପଶି କରିଛନ୍ତି ମରଣାନ୍ତକ ଆକ୍ରମଣ। ଆକ୍ରମଣରେ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ମଞ୍ଚେଶ୍ବର ଥାନା ଅଞ୍ଚଳର ଉମାକାନ୍ତ ସାହୁ । ଡାକ୍ତରଖାନାରେ ଆହତଙ୍କୁ ଭେଟି  ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ।

ଅଭିଯୋଗ ଅନୁସାରେ ପଳାଶୁଣି ଗାଁର ରାଜୁ ପ୍ରଧାନ ସେହି ଗାଁର ଚଗଲା ସାହୁଙ୍କ ବିରୋଧରେ ସୋସିଆଲ ମିଡିଆରେ ଆପତ୍ତି ଜନକ ପୋଷ୍ଟ କରିଥିଲେ । ଏନେଇ ଗତକାଲି ରାତିରେ ଥାନାରେ ଏତଲା ଦେଇଥିଲେ ଚଗଲା ସାହୁ । ଏଥିରେ ଉତକ୍ଷିପ୍ତ ହୋଇଚଗଲାଙ୍କ ଭାଇ ଉମାକାନ୍ତଙ୍କୁ ଧାରୁଆ ଅସ୍ତ୍ର ଓ ଠେଙ୍ଗାରେ ଆକ୍ରମଣ କରିଥିଲା ଅଭିଯୁକ୍ତ । ପୂର୍ବରୁ ଅଭିଯୁକ୍ତ ନାଁରେ ଅନେକ ମାମଲା ମଧ୍ୟ ରହିଛି । ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଛି ।

ଧାମନଗର ଉପନିର୍ବାଚନ: ବିଜେପି କରୁଛି ଅନୈତିକ କାର୍ଯ୍ୟ, ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେଡି

ନୂଆଦିଲ୍ଲୀ: ଧାମନଗର ଉପନିର୍ବାଚନ ପାଇଁ ଚାଲିଥିବା ପ୍ରଚାରରେ ବିଜେପିର ଅନୈତିକ କାର୍ଯ୍ୟକୁ ନେଇ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ବିଜେପି ଏସଏଚଜି ମହିଳାଙ୍କୁ ଅପମାନିତ କରୁଛି । ଅର୍ଥବଳରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରାଯାଉଛି । ଏପରିକି ସ୍ଥାନୀୟ ପ୍ରଶାସନ ଉପରେ ମଧ୍ୟ ଚାପ ସୃଷ୍ଟି କରୁଛନ୍ତି ରାଜ୍ୟ ବିଜେପି ନେତା ଓ କର୍ମୀ । ଏପରି ଅଭିଯୋଗ ଆଣି ଦିଲ୍ଲୀରେ ନିର୍ବାଚନ କମିଶନରଙ୍କୁ ଭେଟିଛି ବିଜେଡିର ଏକ ପ୍ରତିନିଧି ଦଳ ।

ସାଂସଦ ସସ୍ମିତ ପାତ୍ରଙ୍କ ନେତୃତ୍ବରେ କମିଶନଙ୍କୁ ଭେଟିଛନ୍ତି ୪ଜଣିଆ ପ୍ରତିନିଧି ଦଳ । ସାଂସଦ ନିରଞ୍ଜନ ବିଶି, ମୁନ୍ନା ଖାଁ ଓ ଚନ୍ଦ୍ରଶେଖର ସାହୁ କମିଶନରଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି । ତୁରନ୍ତ କାର୍ଯ୍ୟାନୁଷ୍ଠାନ ଲାଗି ଦାବି ପତ୍ର ଦେଇଛନ୍ତି । ଏସଏଚଜି ମହିଳାଙ୍କ ମିଛ ଭିଡିଓ ଭାଇରାଲ କରି ୭୦ ଲକ୍ଷରୁ ଅଧିକ ସ୍ବୟଂ ସହାୟିକା ମହିଳାଙ୍କୁ ଅପମାନିତ କରାଯାଉଛି । ହାରିଯିବା ଭୟରେ ବ୍ୟାପକ ଭାବେ କଳା ଟଙ୍କାର ବ୍ୟବହାର କରି ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରାଯାଉଛି ।

ସେହିପରି ପ୍ରଶାସନ ବିରୋଧରେ ମିଛ ଅଭିଯୋଗ ଆଣି ସ୍ଥାନୀୟ ଅଧିକାରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରାଯାଉଛି । ରାଜ୍ୟ ବିଜେପି ନେତାଙ୍କୁ ଏହି ସବୁ ଅନୈତିକ କାମରୁ ନିବୃତ କରିବାକୁ ଦାବି କରିଛି ବିଜେଡି । ଏଥିସହ ନିର୍ବାଚନମଣ୍ଡଳୀରେ ଅର୍ଥବଳ, ବାହୁବଳ ଓ ମିଛ ଅପପ୍ରଚାରକୁ ରୋକିବାକୁ ମନଟରିଂ ବ୍ୟବସ୍ଥାକୁ କଡ଼ା କଡି କରିବାକୁ ଦାବି କରିଛି ବିଜେଡି ।

ପୁଣି ଜିତିଲା ଭାରତ, ଅର୍ଦ୍ଧଶତକୀୟ ପାଳି ଖେଳିଲେ କୋହଲି-ରୋହିତ-ସୂର୍ଯ୍ୟକୁମାର

 ସିଡନୀ: ଭାରତ ଉଡାଇଲା ବିଜୟ ଧ୍ୱଜା  । ଜାରି ରଖିଲା ବିଜୟ ଅଭିଯାନ  ।  ବଡ଼ ବ୍ୟବଧାନରେ ଜିତିଲା ଭାରତ  ।  ବିଜୟ ରାସ୍ତାର ପିଛା କରି ୧୨୩ ରନରେ ଅଟକିଗଲା ପ୍ରତିଦ୍ୱନ୍ଦୀ ନେଦରଲ୍ୟାଣ୍ଡ  । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୧୭୯ ରନ୍ କରିଥିଲା  । ଦ୍ୱିତୀୟ ଇଂନିସରେ ନେଦରଲ୍ୟାଣ୍ଡ ୨୦ ଓଭରରେ ୧୨୩ ରନ୍ କରିଥିବାବେଳେ ୫୬ରନରେ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ  ।

 

ପ୍ରଥମେ ବ୍ୟାଟି କରି ନେଦରଲ୍ୟାଣ୍ଡସକୁ ଭାରତ ଦେଇଥିଲା ୧୮୦ରନର ଟାର୍ଗେଟ  । ରୋହିତ ଶର୍ମା, ବିରାଟ କୋହଲି ଓ ସୂର୍ଯ୍ୟକୁମାର ଯାଦବଙ୍କ  ଅର୍ଦ୍ଦଶତକୀୟ ପାଳି ଦଳକୁ ଆଗକୁ ନେବାରେ ସହାୟକ ହୋଇଥିଲା  । ପ୍ରଥମେ ୫୩ ରନ କରି ପାଭିଲିନୟ ଫେରିଥିଲେ ରୋହିତ ଶର୍ମା । ଅପରାଜିତ ଅର୍ଦ୍ଧଶତକୀୟ ପାଳି ଖେଳିଲେ କୋହଲି ଓ ସୂର୍ଯ୍ୟକୁମାର ଯାଦବ ।

 

କୋହଲି ୬୨ ରନ୍ କରିଥିବାବେଳେ ଓ ସୂର୍ଯ୍ୟକୁମାର ଯାଦବ ସଂଗ୍ରହ କରିଥିଲେ ୫୧ ରନ୍ । ଭାରତ ପ୍ରଥମ ଇଂନିସରେ ନିର୍ଦ୍ଧାରିତ ୨୦ ଓଭରରେ ୨ଓ୍ବିକେଟ ହରାଇ ୧୭୯ରନ କରିଥିଲା  । ନେଦରଲ୍ୟାଣ୍ଡ ପକ୍ଷରୁ ଫ୍ରିଙ୍ଗଲି ସର୍ବାଧିକ ୨୦ ରନ୍ କରିଛନ୍ତି  । ଦଳ ବିଜୟ ସାମ୍ନା କରି ୨୦ ଓଭର ସୁଦ୍ଧା ୯ ୱିକେଟ ବିନିମୟରେ ୧୨୩ ରନ୍ ହାସଲ କରିଛି  । ପ୍ରଥମ ମ୍ୟାଚରେ ପାକିସ୍ତାନକୁ ହରାଇ ଭାରତ ବିଜୟ ହାସଲ କରିଥିବାବେଳେ, ଦ୍ୱିତୀୟ ମ୍ୟାଚରେ ନେଦରଲ୍ୟାଣ୍ଡକୁ ହରାଇଛି ମେନ୍ ଇନ୍ ବ୍ଲୟୁ  ।