ବିର୍ସାମୁଣ୍ଡାରେ ହକି ଦେଖିବେ ନବୀନ, ଷ୍ଟାଡିୟମ ଭିତରକୁ କଏନ ପାଣି ବୋତଲ ମନା ମନା

ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ଗସ୍ତ। ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବାକୁ ଥିବା ଭାରତ ଓ ସ୍ପେନ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପରାହ୍ନ 4ଟା 45 ମିନିଟ ସମୟରେ ରାଉରକେଲା ବିମାନବନ୍ଦର ଠାରେ ପହଞ୍ଚିବେ। ପରେ ବିର୍ସା ମୁଣ୍ଡା ଷ୍ଟାଡିୟମ୍ ନିକଟରେ ନିର୍ମିତ ହୋଇଥିବା ହକି ଭିଲେଜ ଯିବେ। ସନ୍ଧ୍ୟା 6ଟା 48 ମିନିଟରେ ଵିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ଆସିବେ ମୁଖ୍ୟମନ୍ତ୍ରୀ।

ହକି ବିଶ୍ଵ କପ ପାଇଁ ରାଉରକେଲା ସହରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ 56 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ୨ ଏସପି, ୧୧ ଅତିରିକ୍ତ ଏସପି, ୨୧ ଡିଏସପି, ୫୨ ଇନ୍ସପେକ୍ଟର, ୩୪୦ ଏସଆଇ ଓ ଏଏସଆଇ ଓ ୪୨୬ ହୋମଗାର୍ଡ ମୁତୟନ ହୋଇଛନ୍ତି । ଆଜି ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ଠାରେ ଅପରାହ୍ନ ୫ଟା ସମୟରେ ଇଂଲଣ୍ଡ ଓ ୱେଲ୍ସସ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେଵ। ରାତି ସାତଟାରେ ଇଣ୍ଡିଆ ଓ ସ୍ପେନ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ମ୍ୟାଚ ଆରମ୍ଭର ୨ଘଣ୍ଟା ପୂର୍ବରୁ ଗେଟ୍ ଖୋଲାଯିବ । ଶୃଙ୍ଖଳିତ ଭାବେ ଷ୍ଟାଡିୟମରେ ପ୍ରବେଶ କରିବେ ଦର୍ଶକ ।

ଦର୍ଶକଙ୍କୁ ସବୁ ପ୍ରକାର ସାହାଯ୍ୟ କରିବେ ସ୍ୱେଚ୍ଛାସେବୀ । ଷ୍ଟାଡିୟମ ଭିତରକୁ କଏନ, ହେଲମେଟ, ପାଣି ବୋତଲ ମନା । କେବଳ ଛୋଟ ଛୁଆଙ୍କ ଖାଦ୍ୟ ଓ ମେଡିସିନ ନେଇପାରିବେ । ଷ୍ଟାଡିୟମ ଭିତରେ ଉପଲବ୍ଧ ରହିଛି ଖାଦ୍ୟ ଓ ପାନୀୟ । ଗାଡି ରଖିବା ପାଇଁ ୬ଟି ପାର୍କିଂସ୍ଥଳର ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଛି ପ୍ରଶାସନ ।