ଦଳରେ ସ୍ଥାନ ପାଇଲେନି ବୋଲି ଜୀବନ ହାରିଲେ ମହିଳା କ୍ରିକେଟର

କଟକ: ମିଳିଲା ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ଝୁଲନ୍ତା ମୃତଦେହ । କଟକ ଜିଲ୍ଲା ଆଠଗଡ଼ ବ୍ରାହ୍ମଣବସ୍ତା ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ମୃତଦେହ ଉଦ୍ଧାର ହୋଇଛି । ଜଙ୍ଗଲରେ ସ୍କୁଟି ରଖି ବେକରେ ଓଢ଼ଣୀ ଲଗାଇ ଗଛରେ ଝୁଲି ପଡ଼ିଥିବା ସନ୍ଦେହ କରାଯାଉଛି । ୩ଦିନ ହେଲା ନିଖୋଜ ଥିଲେ ରାଜଶ୍ରୀ । ନିଖୋଜ ନେଇ କଟକ ମଙ୍ଗଳାବାଗ ଥାନାରେ କୋଚ୍ ଏତଲା ଦେଇଥିଲେ । ଏହାରି ଭିତରେ ଆଠଗଡ଼ ଜଙ୍ଗଲ ନିକଟରେ ରାଜଶ୍ରୀଙ୍କ ସ୍କୁଟି ଓ ହେଲମେଟ୍ ମିଳିଥିଲା ।

ପୋଲିସ ଛାନବିନ୍ ବେଳେ ରାଜଶ୍ରୀଙ୍କ ଝୁଲନ୍ତା ମୃତଦେହ ମିଳିଛି । ସେପଟେ ରାଜଶ୍ରୀ ରହୁଥିବା ହୋଟେଲ ମହାବୀର ଗ୍ୟାଲାକ୍ସିରେ ପୋଲିସ ତଦନ୍ତ କରିଛି । ଏସିପି ଅମିତାଭ ମହାପାତ୍ରଙ୍କ ନେତୃତ୍ୱରେ ୨ଜଣିଆ ଟିମ ହୋଟେଲରେ ଯାଞ୍ଚ ସହ ପଚରାଉଚରା କରିଛନ୍ତି । ସିସିଟିଭି ଫୁଟେଜ୍‌ ଯାଞ୍ଚ ହେଉଛି । ରାଜଶ୍ରୀଙ୍କ ହୋଟେଲ ରୁମମେଟ୍ ପ୍ରାକ୍ଟିସ କରୁଥିବାରୁ ରୁମ୍‌ରେ ସମ୍ପୂର୍ଣ୍ଣ ଯାଞ୍ଚ ହୋଇପାରିନି ।

ଓଡିଶା ସିନିୟର ମହିଳା କ୍ରିକେଟ ଟିମର ପ୍ରଶିକ୍ଷଣ ଓ ଚୟନ ଶିବିର କଟକରେ ଚାଲିଥିବା ବେଳେ 25 ଜଣ ମହିଳା କ୍ରିକେଟର ଯୋଗ ଦେଇଥିଲେ। ସେଥିରେ ରାଜଶ୍ରୀ ମଧ୍ୟ ଥିଲେ । 10 ତାରିଖରେ ଚୂଡ଼ାନ୍ତ ଦଳ ଘୋଷଣା ହୋଇଥିଲା । ହେଲେ ରାଜଶ୍ରୀଙ୍କ ନାଁ ସେଥିରେ ନଥିଲା । ଦଳରେ ସ୍ଥାନ ପାଇ ନଥିବା ବାକି ଖେଳାଳି ଘରକୁ ଯାଇଥିଲେ। ରାଜଶ୍ରୀ ସ୍ବାଇଁ କିନ୍ତୁ ଘରକୁ ଯିବାକୁ କହି ଘରକୁ ଫେରିନଥିଲେ । ଚୟନ ହୋଇନଥିବାରୁ ଚିନ୍ତାରେ ଥିଲେ ରାଜଶ୍ରୀ ।

ସେ ଫୋନ ସୁଇଚ ଅଫ୍ କରିଦେଇଥିଲେ । ପରିବାର ସହ କଥା ହେଉନଥିଲେ ବୋଲି ତାଙ୍କ ମାଆ କହିଛନ୍ତି । ବାପା ଭୁବନେଶ୍ବରରେ ରହୁଥିବା ବେଳେ ମାଆ ଗାଁରେ ରହନ୍ତି । ଝିଅ ରାଜଶ୍ରୀ କଟକ ସିଡିଏ ସେକ୍ଟର ୯ରେ ଭଡ଼ାଘରେ ରହି ପ୍ରାକ୍ଟିସ କରୁଥିଲେ ।