ଦିବ୍ୟାଙ୍ଗ ବୁଲିବେ ଶିଶିର ସରସ, ୨୯ ଯାଏଁ ବରମୁଣ୍ଡା ପଡିଆରେ ଜମିବ ମେଳା

1 min read

ଭୁବନେଶ୍ବର: ଆଜିଠୁ ରାଜଧାନୀରେ ଆରମ୍ଭ ହେବ ଓରମାସ ଶିଶିର ସରସ ମେଳା । ଏହି ମେଳା ୨୯ ପର୍ଯ୍ୟନ୍ତ ବରମୁଣ୍ଡା ପଡ଼ିଆରେ ୩୫୦ ଷ୍ଟଲକୁ ନେଇ ଚାଲିବ । ପ୍ରତି ସନ୍ଧ୍ୟାରେ ଜମିବ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ । ଭୁବନେଶ୍ବର ୨୦୨୩ ହକି ବିଶ୍ବକପ୍ ସମୟରେ ରାଜଧାନୀବାସୀଙ୍କୁ ମନୋରଞ୍ଜନର ଆଉ ଏକ ସୁଯୋଗ ଆଣିଦେବ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଶିଶିର ସରସ -୨୦୨୩ ।

ସେହିପରି ରାଉରକେଲାରେ ଆଞ୍ଚଳିକ ସରସ ମେଳା ଜାନୁଆରୀ 15 ରୁ 27 ତାରିଖ ପର୍ଯ୍ୟନ୍ତ ଏବଂ 30 ଟି ଯାକ ଜିଲ୍ଲାରେ ପଲ୍ଲିଶ୍ରୀ ମେଳା ଏବଂ ଜିଲ୍ଲା ମହୋତ୍ସବ ମଧ୍ୟ ଆୟୋଜନ କରାଯାଉଛି । ଭୁବନେଶ୍ବରରେ ଆୟୋଜିତ ମେଳାରେ ଓଡ଼ିଶାର ସମସ୍ତ 30 ଟି ଜିଲ୍ଲାରୁ ଏସ୍.ଏଚ୍.ଜି ମାନଙ୍କର ହାତ ତିଆରି ସାମଗ୍ରୀ ସହିତ 24 ଟି ରାଜ୍ୟର ହସ୍ତଶିଳ୍ପ, ହସ୍ତତନ୍ତ ଓ ଖାଦ୍ୟ ମସଲା ସାମଗ୍ରୀ ଆଦି ଷ୍ଟଲରେ ବିକ୍ରି ହେବ ।

ମେଳାରେ ପ୍ରଖ୍ୟାତ ଗାୟକ ଋତୁରାଜ ମହାନ୍ତିଙ୍କ ସହିତ ଓଡିଆ ସଙ୍ଗୀତ ଜଗତର ବହୁ ନାମୀଦାମି ଗାୟକ – ଗାୟିକା ଓ ନୃତ୍ୟଶିଳ୍ପୀଙ୍କୁ ଦେଖିବାକୁ ମିଳିବ । ଏଥର ଶିଶିର ସରସ ମେଳାକୁ ଯେଭଳି ଦିବ୍ୟାଙ୍ଗ ମାନେ ସହଜରେ ବୁଲାବୁଲି କରିପାରିବେ ସେଥିପାଇଁ ଓରମାସ ତରଫରୁ ବ୍ୟାଟେରୀ ଚାଳିତ କାର୍, ହ୍ବିଲ ଚେୟାର ଏବଂ ଭଲ୍ୟୁଷ୍ଟିୟର ମାନଙ୍କର ବ୍ୟବସ୍ଥା କରାଯାଇଛି । ସେହିପରି ସ୍ବତନ୍ତ୍ର ଫୁଡ୍ କୋର୍ଟ ସହ, ହକି ପାଭିଲିଅନ, ସେଲଫି ପଏଣ୍ଟ, ଓପନ କୁଇଜ, ଛାତ୍ରଛାତ୍ରୀମାନଙ୍କ ପାଇଁ ଡ୍ରଇଂ ପ୍ରତିଯୋଗିତା ସହ ଅନେକ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ।

ବଡ଼ ଏଲ୍.ଇ.ଡି ସ୍କ୍ରିନରେ ହକି ମ୍ୟାଚର ସିଧାପ୍ରସାରଣ ଦେଖିବା ପାଇଁ ମଧ୍ୟ ଆୟୋଜକଙ୍କ ତରଫରୁ ବନ୍ଦୋବସ୍ତ କରାଯାଇଛି । ମେଳାରେ ନାବାର୍ଡ, କେ.ଭି.ଆଇ.ସି, କେ.ଭି.ଆଇ.ବି, ଏଚ୍ ଆଣ୍ଡ ସି.ଆଇ , ଟି.ଡି.ସି.ସି. ଓ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆଦି ତରଫରୁ ବିଭିନ୍ନ ଷ୍ଟଲ ମଧ୍ୟ ଖୋଲାଯାଉଛି ।