spot_img
Home Blog Page 37

ବୈବାହିକ ଦୁଷ୍କର୍ମ ମାମଲା: ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ

ନନ୍ଦିଘୋଷ ବ୍ୟୁରୋ : ବୈବାହିକ ଦୁଷ୍କର୍ମ ବା ମାରିଟାଲ୍ ରେପ୍‌କୁ ନେଇ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ଆରମ୍ଭ କରିଛନ୍ତି ସୁପ୍ରିମକୋର୍ଟ। ବିବାହ ପରେ ସ୍ୱାମୀଙ୍କ ଦ୍ୱାରା ସ୍ତ୍ରୀଙ୍କ ଉପରେ ଯୌନ ହିଂସା ହେଲେ, ବର୍ତ୍ତମାନର ଆଇନ ଅନୁସାରେ ତାଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଚାଲିପାରିବ କି ନାହିଁ, ତାହା ଉପରେ କୋର୍ଟ ବିଚାର କରୁଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଏବଂ ଜଷ୍ଟିସ୍ ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରଥମେ କର୍ଣ୍ଣାଟକ ହାଇକୋର୍ଟର ଏକ ରାୟ ସମ୍ପର୍କିତ ଆବେଦନର ଶୁଣାଣି କରୁଛନ୍ତି। ଏହି ମାମଲାରେ ଜଣେ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ପ୍ରାୟ ‘ସେକ୍ସ ସ୍ଲେଭ୍’ ଭଳି ବ୍ୟବହାର କରିଥିବା ଅଭିଯୋଗ ରହିଛି। କର୍ଣ୍ଣାଟକ ହାଇକୋର୍ଟ ଏହି ମାମଲାରେ ଦୁଷ୍କର୍ମ ଆଇନ ଅନୁସାରେ ଅଭିଯୋଗ ଚାଲୁ ରଖିବାକୁ ଅନୁମତି ଦେଇଥିଲେ।

ଏହା ସହିତ ବୈବାହିକ ଦୁଷ୍କର୍ମ ସମ୍ପର୍କିତ ଆଇନର ସାମ୍ବିଧାନିକ ବୈଧତା ମଧ୍ୟ ସୁପ୍ରିମକୋର୍ଟ ଯାଞ୍ଚ କରିବେ। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ହିଁ ଏହା ଉପରେ ନିଷ୍ପତ୍ତି ନିଆଯିବ ବୋଲି କୋର୍ଟ କହିଛନ୍ତି। ଶୁଣାଣି ସମୟରେ ଜଷ୍ଟିସ୍ ଜୟମାଲ୍ୟ ବାଗଚୀ କହିଛନ୍ତି, ବିବାହ ହେବା ମାତ୍ରେ ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିଗତ ସ୍ୱାଧୀନତା ବା ସ୍ୱାୟତ୍ତତା ଶେଷ ହୋଇଯାଏ ନାହିଁ। ବିବାହିତ ମହିଳାଙ୍କ ସୁରକ୍ଷା ଓ ଅଧିକାରକୁ ନେଇ କୋର୍ଟ ସଚେତନ ଥିବା ସେ କହିଛନ୍ତି। ତେବେ ଏହା ଏକ ଦଣ୍ଡବିଧାନ ସମ୍ପର୍କିତ ଆଇନ ହୋଇଥିବାରୁ, ଏଥିରେ ଥିବା ବୈବାହିକ ଦୁଷ୍କର୍ମ ବ୍ୟତିକ୍ରମ ଅସାମ୍ବିଧାନିକ କିମ୍ବା ସ୍ପଷ୍ଟ ଭାବେ ଅନ୍ୟାୟପୂର୍ଣ୍ଣ କି ନାହିଁ, ପ୍ରଥମେ ତାହା ଯାଞ୍ଚ କରିବାକୁ ପଡ଼ିବ ବୋଲି ଜଷ୍ଟିସ୍ ବାଗଚୀ କହିଛନ୍ତି।

କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ବୈବାହିକ ଦୁଷ୍କର୍ମ ବ୍ୟତିକ୍ରମର ଅର୍ଥ ଏନୁହେଁ ଯେ ସ୍ୱାମୀ ଯୌନ ହିଂସା କଲେ ସମସ୍ତ ପ୍ରକାର ଅପରାଧିକ ଦାୟିତ୍ୱରୁ ମୁକ୍ତ ହୋଇଯିବେ। ଯୌନ ହିଂସା ଯୋଗୁଁ ଗୁରୁତର ଆଘାତ କିମ୍ବା ମୃତ୍ୟୁ ଘଟିଲେ, ଅନ୍ୟ ଅପରାଧିକ ଆଇନ ଅନୁସାରେ ମାମଲା ହୋଇପାରେ। ଆସନ୍ତା ତିନି ସପ୍ତାହ ପରେ ଏହି ମାମଲାର ଚୂଡ଼ାନ୍ତ ଶୁଣାଣି ହେବ।

ବିଚିତ୍ରପୁରରୁ ୫ ଓରାଙ୍ଗଉଟାନ ଉଦ୍ଧାର, ଜୋରଦାର ତଦନ୍ତ

ନନ୍ଦିଘୋଷ ବ୍ୟୁରୋ :  ବାଲେଶ୍ୱର ଭୋଗରାଇ ବିଚିତ୍ରପୁର ଜଙ୍ଗଲରୁ ୫ଟି ଓରାଙ୍ଗଉଟାନ ଉଦ୍ଧାର ଘଟଣାରେ ତଦନ୍ତ ଜାରି ରହିଛି। ଅନ୍ତର୍ଜାତୀୟ ସ୍ମଗଲିଂ ସନ୍ଦେହରେ ସ୍ପେଶାଲ ଟାସ୍କ ଫୋର୍ସ ଜୋରଦାର ତଦନ୍ତ ଚଳାଇଛି। ସାମ୍ନାକୁ ଆସିଥିବା ସିସିଟିଭି ଫୁଟେଜକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇଛି। ସିସିଟିଭି ଫୁଟେଜରେ ପ୍ରାୟ ୧୨ ମିନିଟ୍ ବ୍ୟବଧାନରେ ଏକ କଳା ଥାର୍ ସ୍ପଟ ନିକଟକୁ ଯାଆସ କରୁଥିବା ଦେଖାଯାଇଛି। ଏହି ଗାଡ଼ିରେ ମାଫିଆମାନେ ଓରାଙ୍ଗଉଟାନଗୁଡ଼ିକୁ ଆଣି ଜଙ୍ଗଲ ନିକଟରେ ଛାଡ଼ି ଦେଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବନ ବିଭାଗର ନିୟମିତ ପାଟ୍ରୋଲିଂ ଅଭାବରୁ ଏଭଳି ଚୋରାଚାଲାଣ ବଢ଼ୁଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ ଭାର ସ୍ପେଶାଲ ଟାସ୍କ ଫୋର୍ସ ନେବା ପରେ ୫ ଜଣିଆ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସର୍ଜମିନ ଯାଞ୍ଚ ଆରମ୍ଭ କରିଛି। ଟୋଲଗେଟ୍ ସିସିଟିଭି, ହ୍ୟୁମାନ୍ ଇଣ୍ଟେଲିଜେନ୍ସ, ସମ୍ଭାବ୍ୟ ସ୍ମଗଲିଂ ରୁଟ୍ ଏବଂ ଏହା ସହ ଜଡ଼ିତ କ୍ରାଇମ୍ ସିଣ୍ଡିକେଟ୍ ସମ୍ପର୍କରେ ତଦନ୍ତକୁ ବ୍ୟାପକ କରିଛି ଏସ୍‌ଟିଏଫ୍।

ସେପଟେ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ୫ଟି ଓରାଙ୍ଗଉଟାନ ପହଞ୍ଚିବା ପରେ ସେମାନଙ୍କୁ ଏକ ମାସ ପାଇଁ କ୍ୱାରେଣ୍ଟାଇନରେ ରଖାଯାଇଛି। ସେମାନଙ୍କ ଖାଦ୍ୟପେୟ, ସ୍ୱାସ୍ଥ୍ୟ ଓ ଆଚରଣ ଉପରେ ବନ ବିଭାଗ ଏବଂ ପ୍ରାଣୀଉଦ୍ୟାନ କର୍ତ୍ତୃପକ୍ଷ ନଜର ରଖିଛନ୍ତି। ସ୍ୱତନ୍ତ୍ର ତଦାରଖ ପାଇଁ ୩ଟି ସିଫ୍ଟରେ ଡାକ୍ତର ଓ କେୟାରଟେକରଙ୍କୁ ନିୟୋଜିତ କରାଯାଇଛି। କ୍ୱାରେଣ୍ଟାଇନ୍ ଗୃହରେ ମାସ୍କ, ଗ୍ଲୋଭ୍ସ ଓ ସାନିଟାଇଜର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି। ୨୦୧୯ ମସିହା ମେ’ ୨୯ ତାରିଖରେ ନନ୍ଦନକାନନରେ ଥିବା ଓରାଙ୍ଗଉଟାନ ‘ବିନ୍ନି’ର ମୃତ୍ୟୁ ହୋଇଥିଲା। ଦୀର୍ଘ ୭ ବର୍ଷ ପରେ ପୁଣି ୫ଟି ବିରଳ ପ୍ରଜାତିର ଓରାଙ୍ଗଉଟାନ ନନ୍ଦନକାନନରେ ପହଞ୍ଚିବା ପରେ ପ୍ରାଣୀପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।

ବାସୁଦେବପୁରରେ ବଡ଼ ଅଗ୍ନିକାଣ୍ଡ, ଜଳିଗଲା ୩ ଦୋକାନ

ନନ୍ଦିଘୋଷ ବ୍ୟୁରୋ : ଭଦ୍ରକ ଜିଲ୍ଲା ବାସୁଦେବପୁରରେ ବଡ଼ ଧରଣର ଅଗ୍ନିକାଣ୍ଡ। ଅଟଳ ବିହାରୀ କଲେଜ ରୋଡ୍‌ର ହାଟସାଗର ଛକରେ ଥିବା ୩ଟି ଦୋକାନରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି। ଘର ଡିଜାଇନ ସାମଗ୍ରୀ ଦୋକାନ, ଇଲେକ୍ଟ୍ରିକ ସାମଗ୍ରୀ ଦୋକାନ ଓ ପାର୍ଟସ୍‌ ଦୋକାନ ନିଆଁରେ ପୋଡ଼ି ପାଉଁଶ ହୋଇଛି। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

ସୂଚନା ପାଇ ଦୋକାନ ଖୋଲିବା ବେଳକୁ ହୁହୁ ହୋଇ ଜଳୁଥିଲା ନିଆଁ। ଖବର ପାଇ ବାସୁଦେବପୁର ଦମକଳ ବାହିନୀ ପହଞ୍ଚି ଦୀର୍ଘ ସମୟର ଚେଷ୍ଟା ପରେ ନିଆଁକୁ ଆୟତ୍ତ କରିଥିଲା। ଅଗ୍ନିକାଣ୍ଡରେ କୋଟି କୋଟି ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା ଅନୁମାନ କରାଯାଉଛି।

ଅନ୍ୟପଟେ, ବାସୁଦେବପୁର କାଳୀମନ୍ଦିର ଛକରେ ଥିବା ସାଇସେବା ପାଥୋଲୋଜିରେ ମଧ୍ୟ ସକାଳୁ ଅଗ୍ନିକାଣ୍ଡ ଘଟିଛି। ଦୋକାନ ଖୋଲି ବାହାରକୁ ଯାଇଥିବା ବେଳେ ନିଆଁ ଲାଗିଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡରେ ପାଥୋଲୋଜିର ଆସବାବପତ୍ର ଜଳିଯାଇଛି।

ପାରାଦୀପର ବିଭିନ୍ନ ସ୍ପାରେ ପୋଲିସ ଚଢ଼ାଉ, ୮ ଅଟକ

ନନ୍ଦିଘୋଷ ବ୍ୟୁରୋ :  ବନ୍ଦର ନଗରୀ ପାରାଦୀପରେ ବିଭିନ୍ନ ସ୍ପା ଉପରେ ପୋଲିସର ଚଢ଼ାଉ। ସ୍କୁଲ ଲାଇନର ଏକ ପ୍ରତିଷ୍ଠିତ ହୋଟେଲ ନିକଟରେ ଥିବା ସ୍ପା ସମେତ ତରଣୀଗଡ଼ା ଅଞ୍ଚଳର ବିଭିନ୍ନ ସ୍ପାରେ ପୋଲିସ ଚଢ଼ାଉ କରିଛି। ବେଆଇନ ଭାବେ ଚାଲୁଥିବା ଟାଇଟେନିକ ଓ ସିଗ୍ନେଚର ସ୍ପାରେ ଚଢ଼ାଉ ବେଳେ ୪ ଜଣ ଯୁବତୀ, ୨ ଜଣ ଗ୍ରାହକ ଓ ୨ ଜଣ ସ୍ପା ମାଲିକଙ୍କୁ ପୋଲିସ ଅଟକ ରଖିଛି।

ପାରାଦୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଜିଙ୍କ୍ୟ ମାଣେଙ୍କ ନେତୃତ୍ୱରେ ପାରାଦୀପ ଆଦର୍ଶ ଥାନାର ୫ଟି ଟିମ୍ ଏହି ଚଢ଼ାଉରେ ସାମିଲ ହୋଇଥିଲେ। ଚଢ଼ାଉ ସମୟରେ ଉଭୟ ସ୍ପାର ବୈଧ ପଞ୍ଜିକରଣ ନଥିବା ପୋଲିସ ଜାଣିବାକୁ ପାଇଛି। ଅଭିଯୋଗ ଅନୁସାରେ, ରାଜ୍ୟ ତଥା ରାଜ୍ୟ ବାହାରୁ ଯୁବତୀମାନଙ୍କୁ ଆଣି ପାରାଦୀପର ବିଭିନ୍ନ ସ୍ପାରେ ରଖି କିଛି ଦଲାଲ ଦୀର୍ଘଦିନ ଧରି ଅନୈତିକ କାର୍ଯ୍ୟରେ ଲିପ୍ତ କରାଉଥିଲେ। ଏହି ଅଭିଯୋଗକୁ ଆଧାର କରି ପୋଲିସର ଚଢ଼ାଉ ଜାରି ରହିଛି।

ପୁଣି ବିପିୟୁଟିର ରେକର୍ଡ, ଦୁଇ ଦିନରେ ପରୀକ୍ଷା ଫଳ ପ୍ରକାଶ

ନନ୍ଦିଘୋଷ ବ୍ୟୁରୋ :  ପୁଣି ରେକର୍ଡ କରିଛି ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି)। ପରୀକ୍ଷା ଶେଷ ହେବାର ମାତ୍ର ଦୁଇ ଦିନ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ କରି ବିପିୟୁଟି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ଓ ଏସିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛି। ବିପିୟୁଟିର ୧୬ଟି ବିଭାଗରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ୫ ଲକ୍ଷ ୯ ହଜାର ୫୧୫ଟି ପରୀକ୍ଷା ଖାତା ମୂଲ୍ୟାୟନ କରି ମାତ୍ର ଦୁଇ ଦିନ ମଧ୍ୟରେ ଫଳ ପ୍ରକାଶ କରାଯାଇଛି।

ଏଥିପାଇଁ ୫୨ଟି ଡିଜିଟାଲ ଖାତାଦେଖା କେନ୍ଦ୍ରରେ ୧ ହଜାର ୫୪୧ ଜଣ ଅଧ୍ୟାପକ ଓ ଅଧ୍ୟାପିକା ନିୟୋଜିତ ହୋଇଥିଲେ। ସେମାନେ ୫ ଲକ୍ଷ ୯ ହଜାର ୫୧୫ଟି ପରୀକ୍ଷା ଖାତା ମୂଲ୍ୟାୟନ କରିଥିଲେ। ପୂର୍ବରୁ ମଧ୍ୟ ବିପିୟୁଟି ଅଡ୍ ସେମିଷ୍ଟାର ପରୀକ୍ଷା ଶେଷ ହେବାର ଦୁଇ ଦିନ ମଧ୍ୟରେ ଫଳ ପ୍ରକାଶ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ଓ ଏସିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଥିଲା।

ସେହିପରି ବିପିୟୁଟିର ଇଭେନ୍ ସେମିଷ୍ଟାରରେ ୯୩ ହଜାର ୩୬୨ ଜଣ ଛାତ୍ରଛାତ୍ରୀ ୧୭୨ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ। ପରୀକ୍ଷା ଫଳ ପ୍ରକାଶ ପାଇବାର ତିନି ଦିନ ମଧ୍ୟରେ ଛାତ୍ରଛାତ୍ରୀଙ୍କୁ ଗ୍ରେଡ୍ ସିଟ୍ ଓ ପ୍ରୋଭିଜନାଲ୍ ସାର୍ଟିଫିକେଟ୍ ପ୍ରଦାନ କରାଯାଉଥିବା ବିପିୟୁଟି ଭିସି ସୂଚନା ଦେଇଛନ୍ତି। ପରୀକ୍ଷା ସରିବାର ମାତ୍ର ଦୁଇ ଦିନ ମଧ୍ୟରେ ଫଳ ପ୍ରକାଶ ପାଉଥିବାରୁ ଛାତ୍ରଛାତ୍ରୀମାନେ ଖୁସି ପ୍ରକାଶ କରିବା ସହ ଏହା ଦ୍ୱାରା ବିଭିନ୍ନ କ୍ଷେତ୍ରରେ ସେମାନଙ୍କୁ ସହାୟତା ମିଳୁଥିବା କହିଛନ୍ତି।

ନୂଆଁଖାଇ ପାଇଁ ଚଳଚଞ୍ଚଳ ସମଲେଶ୍ୱରୀ ପୀଠ, ଜୋରଦାର ହେଲା ପ୍ରସ୍ତୁତି

ନନ୍ଦିଘୋଷ ବ୍ୟୁରୋ : ଆସନ୍ତା ୧୫ ତାରିଖରେ ପାଳିତ ହେବ ନୂଆଁଖାଇ। ପଶ୍ଚିମ ଓଡ଼ିଶାର ମାଟି, ପରମ୍ପରା ଓ ଭାବାବେଗ ସହ ଜଡ଼ିତ ଏକ ଗଣପର୍ବ ହେଉଛି ନୂଆଁଖାଇ। ନୂଆଁ ଧାନକୁ ପ୍ରଥମେ ଇଷ୍ଟଦେବୀଙ୍କୁ ସମର୍ପଣ କରିବା ପରେ ନୂଆଁ ଖାଇବାର ରହିଛି ପରମ୍ପରା। ଏଥିପାଇଁ ମାଆ ସମଲେଶ୍ୱରୀଙ୍କ ପୀଠରେ ଆରମ୍ଭ ହୋଇଛି ବିଶେଷ ପ୍ରସ୍ତୁତି। ମନ୍ଦିର ପରିସରକୁ ସଜାଇବା ସହ ଆରମ୍ଭ ହୋଇଛି ରଙ୍ଗକାମ। ନୂଆଁଖାଇ ଦିନ ମାଆଙ୍କ ନିକଟରେ ନବାନ୍ନ ଲାଗିବାକୁ ଥିବାରୁ ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି। ପୂଜକଙ୍କଠାରୁ ଆରମ୍ଭ କରି ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଜୋରଦାର ହୋଇଛି।

ଆସନ୍ତାକାଲି ମନ୍ଦିରରେ ପହଞ୍ଚିବ ନୂଆଁ ଧାନ। ଏହାପରେ ନବାନ୍ନ ପ୍ରସ୍ତୁତି ସହ ଅନ୍ୟାନ୍ୟ ନୀତିକାନ୍ତି ପାଇଁ ପ୍ରସ୍ତୁତି ଆହୁରି ଜୋରଦାର ହେବ। ପରମ୍ପରା ଓ ରୀତିନୀତି ଅନୁସାରେ ଯେପରି ନୂଆଁଖାଇ ପର୍ବ ସୁରୁଖୁରୁରେ ସମ୍ପନ୍ନ ହେବ, ସେଥିପାଇଁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି। ମନ୍ଦିରର ସାଜସଜ୍ଜା, ପରିଚ୍ଛନ୍ନତା ଓ ନୀତିକାନ୍ତି ପରିଚାଳନାକୁ ନେଇ ମଧ୍ୟ ପ୍ରସ୍ତୁତି ଚାଲିଛି। ନୂଆଁଖାଇ ଦିନ ମାଆ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପରେ ଭକ୍ତମାନେ ନୂଆଁ ଖାଇବେ। ପରମ୍ପରା ଓ ଭକ୍ତିଭାବର ଏହି ମହାପର୍ବକୁ ନେଇ ଏବେଠାରୁ ଚଳଚଞ୍ଚଳ ହୋଇଉଠିଛି ସମଲେଶ୍ୱରୀଙ୍କ ପୀଠ।

ସିସିଟିଭିରେ କଳା ଥାର୍, ଓରାଙ୍ଗଉଟାନ୍ ସ୍ମଗଲିଂ ନେଇ ବଢ଼ିଲା ସସପେନ୍ସ

ନନ୍ଦିଘୋଷ ବ୍ୟୁରୋ :  ସିସିଟିଭି ବଢାଇଲା ସ୍ମଗଲିଂ ସସପେନ୍ସ। ଜନ୍ତୁ କାରବାର ପଛରେ କଳା ରଙ୍ଗର ଥାର୍! ଇନଭେଷ୍ଟିଗେସନ ପାଇଁ ଗ୍ରାଉଣ୍ଡ ଜିରୋରେ ଏସଟିଏଫ। ଇଣ୍ଟରନ୍ୟାସନାଲ ୱାଇଲ୍ଡଲାଇଫ୍ ଟ୍ରାଫିକିଂ ନେଟୱର୍କ ଉପରେ ମଧ୍ୟ ରହିଛି ନଜର। ବାଲେଶ୍ୱର ଭୋଗରାଇ ବିଚିତ୍ରପୁର ଜଙ୍ଗଲରୁ ୫ଟି ଓରାଙ୍ଗଉଟାନ ଉଦ୍ଧାର ଘଟଣାରେ ସମୟ ଯେତିକି ଗଡୁଛି, ତଦନ୍ତ ସେତିକି ରୋଚକ ମୋଡ଼ ନେଉଛି। ଘଟଣାର ତଦନ୍ତ ଭାର ସ୍ପେଶାଲ ଟାସ୍କଫୋର୍ସ ନେବା ପରେ ଆଜି ୫ ଜଣିଆ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସରଜମିନ ଯାଞ୍ଚ ଆରମ୍ଭ କରିଛି। ଅନ୍ତରାଷ୍ଟ୍ରୀୟ ସ୍ମଗଲିଂ ନେଇ ତଦନ୍ତ ଜୋରଦାର ହୋଇଥିବା ବେଳେ ସାମ୍ନାକୁ ଆସିଛି ଏକ ସିସିଟିଭି ଫୁଟେଜ୍। ଏହି ଫୁଟେଜ୍‌ରେ ପ୍ରାୟ ୧୨ ମିନିଟ୍ ବ୍ୟବଧାନରେ ଏକ କଳା ରଙ୍ଗର ଥାର୍ ଘଟଣାସ୍ଥଳ ନିକଟକୁ ଯାଆସ କରୁଥିବା ଦେଖାଯାଇଛି। ସେହି ଗାଡ଼ିରେ ମାଫିଆମାନେ ବିରଳ ପ୍ରାଣୀଙ୍କୁ ଆଣି ଛାଡ଼ିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବନବିଭାଗ ପକ୍ଷରୁ ନିୟମିତ ପାଟ୍ରୋଲିଂ ହେଉନଥିବାରୁ ଏଭଳି ଚୋରା ଚାଲାଣ ବଢ଼ୁଥିବା ମଧ୍ୟ ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି। ସେପଟେ ଟୋଲଗେଟ୍ ସିସିଟିଭି, ହ୍ୟୁମାନ ଇଣ୍ଟେଲିଜେନ୍ସ, ସ୍ମଗଲିଂ ରୁଟ୍ ଏବଂ କ୍ରାଇମ୍ ସିଣ୍ଡିକେଟ୍‌ର ସମ୍ପର୍କ ନେଇ ତଦନ୍ତକୁ ବ୍ୟାପକ କରିଛି ସ୍ପେଶାଲ ଟାସ୍କଫୋର୍ସ।

ଅନ୍ୟପଟେ ଗତକାଲି ନନ୍ଦନକାନନ ପ୍ରାଣୀଉଦ୍ୟାନରେ ୫ଟି ଓରାଙ୍ଗଉଟାନ ପହଞ୍ଚିବା ପରେ ସେମାନଙ୍କୁ ଏକ ମାସ ପାଇଁ କ୍ୱାରେଣ୍ଟାଇନରେ ରଖାଯାଇଛି। ସେମାନଙ୍କ ଖାଦ୍ୟପେୟ, ସ୍ୱାସ୍ଥ୍ୟ ଓ ଆଚରଣ ଉପରେ ବନବିଭାଗ ଏବଂ ପ୍ରାଣୀଉଦ୍ୟାନ କର୍ତ୍ତୃପକ୍ଷ ନଜର ରଖିଛନ୍ତି। ସ୍ୱତନ୍ତ୍ର ତଦାରଖ ପାଇଁ ୩ଟି ସିଫ୍ଟରେ ଡାକ୍ତର ଓ କେୟାରଟେକରଙ୍କୁ ନିୟୋଜିତ କରାଯାଇଛି। କ୍ୱାରେଣ୍ଟାଇନ୍ ଗୃହରେ ମାସ୍କ, ଗ୍ଲୋଭ୍ସ ଓ ସାନିଟାଇଜର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି। ୨୦୧୯ ମସିହା ମେ’ ୨୯ ତାରିଖରେ ନନ୍ଦନକାନନରେ ଥିବା ଏକ ଓରାଙ୍ଗଉଟାନ ପ୍ରାଣ ହରାଇଥିଲା। ତା’ର ନାଁ ଥିଲା ବିନ୍ନି। ଏବେ ୭ ବର୍ଷ ପରେ ପୁଣି ୫ଟି ବିରଳ ପ୍ରଜାତିର ପ୍ରାଣୀ ନନ୍ଦନକାନନକୁ ଆସିବା ପରେ ସେମାନଙ୍କୁ ନେଇ ପ୍ରାଣୀପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।

ପାଣି ପାଇଁ ହାହାକାର, ଦୂଷିତ ନାଳ ପାଣି ଭରସା

ନନ୍ଦିଘୋଷ ବ୍ୟୁରୋ : ପାଣି ପାଇଁ ହାହାକାର। ଲୋକଙ୍କୁ ମିଳୁନି ପିଇବା ପାଣି। ଭରସା ସାଜିଛି ଦୂଷିତ ନାଳ ପାଣି। ୨ ବର୍ଷ ହେଲା ପାଣି ଟୋପାଏ ପାଇଁ ଡହଳବିକଳ ହେଉଛନ୍ତି କଟକ ଜିଲ୍ଲା ବଡ଼ମ୍ବା ବ୍ଲକ କୋଟପଲ୍ଲା ଗାଁର ହରିଜନ ସାହି ଲୋକେ। ପ୍ରତି ଘର ଆଗରେ ଷ୍ଟାଣ୍ଡପୋଷ୍ଟ ବସିଛି, ହେଲେ ସେଥିରୁ ପାଣି ମୁନ୍ଦେ ବାହାରୁ ନାହିଁ। ବାଧ୍ୟ ହୋଇ ଲୋକେ ରେଙ୍ଗାଲି ନାଳର ଦୂଷିତ ପାଣି ଆଣି ବ୍ୟବହାର କରୁଛନ୍ତି। ଏହି ପାଣି ପିଇ ଅନେକ ଲୋକ ଝାଡ଼ାବାନ୍ତି ସହ ବିଭିନ୍ନ ରୋଗରେ ପଡ଼ୁଥିବା ଅଭିଯୋଗ ହୋଇଛି। ଦୀର୍ଘ ୨ ବର୍ଷ ଧରି ପାନୀୟ ଜଳ ସମସ୍ୟା ଲାଗି ରହିଥିଲେ ମଧ୍ୟ ପ୍ରଶାସନ ନିଦାବିଷ୍ଣୁ ସାଜିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ପାନୀୟ ଜଳ ସମସ୍ୟା ସମ୍ପର୍କରେ ଅନେକ ଥର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ମିଳୁଛି କେବଳ ଫମ୍ପା ପ୍ରତିଶ୍ରୁତି। ସମସ୍ୟାର ସମାଧାନ ନହେବାରୁ ଏବେ ଆନ୍ଦୋଳନ ମୁହାଁ ହୋଇଛନ୍ତି ଗ୍ରାମବାସୀ।

ଗଣେଶ ପୂଜା ପାଇଁ ଚଳଚଞ୍ଚଳ କାକଟପୁର, ଦିନରାତି ମୂର୍ତ୍ତି ଗଢ଼ୁଛନ୍ତି କାରିଗର

ନନ୍ଦିଘୋଷ ବ୍ୟୁରୋ :  ମଝିରେ ଆଉ ୪ଟା ଦିନ। ଧରାପୃଷ୍ଠକୁ ଅବତରଣ କରିବେ ଅଗ୍ରପୂଜ୍ୟ ପ୍ରଭୁ ଗଜାନନ। ଆଦ୍ୟପୂଜ୍ୟଙ୍କ ଆରାଧନାରୁ ଆରମ୍ଭ ହେବ ପାର୍ବଣ ଋତୁ। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ପୁରପଲ୍ଲୀ। ପୁରୀ ଜିଲ୍ଲା କାକଟପୁରର ଜଗନ୍ନାଥପୁର ଓ ସୋମନାଥପୁରରେ ଜୋରଦାର ଚାଲିଛି ଗଣେଶ ମୂର୍ତ୍ତି ନିର୍ମାଣ। ଗ୍ରାହକଙ୍କ ଚାହିଦା ଅନୁସାରେ ସୁନ୍ଦର ସୁନ୍ଦର ମୂର୍ତ୍ତି ତିଆରି କରିଛନ୍ତି ୫୦ରୁ ଅଧିକ କୁମ୍ଭକାର ପରିବାର। କେଉଁଠି ରାଜା ବେଶରେ ଗଣେଶ ତ ଆଉ କେଉଁଠି ନିର୍ମାଣ ହୋଇଛି ବାଲ ଗଣେଶ। ମୂର୍ତ୍ତିର ଆକାର ଓ ଡିଜାଇନ୍ ଅନୁସାରେ ୨ ହଜାର ଟଙ୍କାରୁ ଆରମ୍ଭ କରି ୫୦ ହଜାର ଟଙ୍କା ଯାଏଁ ରହିଛି ଦର। ହାତରେ ଆଉ ଅଳ୍ପ ଦିନ ଥିବାରୁ ଦିନରାତି ଏକ କରି ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର। ଜଗନ୍ନାଥପୁରର ଗଣେଶ ମୂର୍ତ୍ତିର ରହିଛି ବେଶ୍ ଚାହିଦା। ଏବେଠାରୁ ବିଭିନ୍ନ ମୂର୍ତ୍ତି ସେଣ୍ଟରରେ ଗ୍ରାହକଙ୍କ ଗହଳି ଲାଗିଲାଣି।

କେବଳ କାକଟପୁର ନୁହେଁ, ଅସ୍ତରଙ୍ଗ ବ୍ଲକର ହରିଣହୁଳା, ଗୋସିଙ୍ଗା ଓ ଅସନ ଅଞ୍ଚଳରେ ମଧ୍ୟ ଜୋରସୋରରେ ଚାଲିଛି ମୂର୍ତ୍ତି ନିର୍ମାଣ। ହେଲେ ମୂର୍ତ୍ତି ନିର୍ମାଣ ସାମଗ୍ରୀର ଦର ବୃଦ୍ଧି ପାଇଥିବାରୁ ଉଚିତ ପାରିଶ୍ରମିକ ମିଳୁନଥିବା କହିଛନ୍ତି କାରିଗର। ତଥାପି ନିଜର କୌଳିକ ବୃତ୍ତିକୁ ବଞ୍ଚାଇ ରଖିବା ସହ ପରମ୍ପରାକୁ ଆଗକୁ ନେବା ପାଇଁ ଜାରି ରଖିଛନ୍ତି ପ୍ରୟାସ।

ବିକାଶଠୁ ବହୁଦୂର ବେତବଣ, ନା ଅଛି ରାସ୍ତା ନା ବିଦ୍ୟୁତ

ନନ୍ଦିଘୋଷ ବ୍ୟୁରୋ :  ଉପାନ୍ତରେ ବାଟ ହୁଡ଼ିଛି ବିକାଶ। ପଡ଼ିନି ବିକାଶର ପଦଚିହ୍ନ। ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଅଭିଶପ୍ତ ଜୀବନ ବିତାଉଛନ୍ତି ଲୋକେ। ଏମିତି ଏକ ଗାଁ ହେଉଛି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ସାଆବା ପଞ୍ଚାୟତର ବେତବଣ। ପାହାଡ଼ ଓ ଜଙ୍ଗଲ ଘେରା ଏହି ଗାଁରେ ନା ଅଛି ପକ୍କା ରାସ୍ତା, ନା ବିଦ୍ୟୁତ। ଶିକ୍ଷା, ସ୍ୱାସ୍ଥ୍ୟ ଓ ପାନୀୟ ଜଳ ବ୍ୟବସ୍ଥା ତ ବହୁ ଦୂରର କଥା। ବେତବଣ ଏମିତି ଏକ ଗାଁ, ଯେଉଁଠାକୁ କୌଣସି ପ୍ରଶାସନିକ ଅଧିକାରୀଙ୍କ ପାଦ ପଡ଼ିନଥିବା ଅଭିଯୋଗ ହୋଇଛି। ଗାଁକୁ ଯିବା ପାଇଁ ପଥୁରିଆ ଓ ଅଙ୍କାବଙ୍କା ରାସ୍ତା ହିଁ ଏକମାତ୍ର ଭରସା। ରାସ୍ତା ନଥିବାରୁ ଜରୁରୀ ସମୟରେ ଆମ୍ବୁଲାନ୍ସ ମଧ୍ୟ ଗାଁରେ ପହଞ୍ଚିପାରୁନାହିଁ। ଫଳରେ ରୋଗୀଙ୍କୁ ଖଟିଆ କିମ୍ବା ଭାରରେ ବୋହି ନେବାକୁ ପଡ଼ୁଛି। ଦିନ ଥିଲା ବେତବଣ ଗାଁରେ ୨୦ରୁ ଅଧିକ ପରିବାର ବସବାସ କରୁଥିଲେ। ହେଲେ ମୌଳିକ ସୁବିଧା ସୁଯୋଗ ଅଭାବରୁ ଅନେକ ପରିବାର ଗାଁ ଛାଡ଼ି ଚାଲିଯାଇଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ପାହାଡ଼ ଓ ଜଙ୍ଗଲ ଘେରା ଏହି ଗାଁରେ ୧୫ରୁ ଅଧିକ ପରିବାର ବସବାସ କରୁଛନ୍ତି।

ରାସନ, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ଭତ୍ତା ପାଇଁ ମଧ୍ୟ ଲୋକଙ୍କୁ ଅଙ୍କାବଙ୍କା ପଥୁରିଆ ରାସ୍ତା ଦେଇ ଯାଆସ କରିବାକୁ ପଡ଼ୁଛି। ଗାଁରେ ସ୍କୁଲ କିମ୍ବା ଅଙ୍ଗନବାଡ଼ି କେନ୍ଦ୍ର ନଥିବାରୁ ଶିଶୁମାନଙ୍କ ଶିକ୍ଷା ମଧ୍ୟ ପ୍ରଭାବିତ ହେଉଛି। ସ୍ୱାସ୍ଥ୍ୟସେବା ପାଇଁ ମଧ୍ୟ ଗ୍ରାମବାସୀଙ୍କୁ ଦୂରଦୂରାନ୍ତକୁ ଯିବାକୁ ପଡ଼ୁଛି। ଗାଁର ଏହି ସମସ୍ୟା ସମ୍ପର୍କରେ ଗ୍ରାମବାସୀ ଅନେକ ଥର ପ୍ରଶାସନ ନିକଟରେ ଅଭିଯୋଗ କରିସାରିଥିବା କହିଛନ୍ତି। ହେଲେ ଏଯାଏଁ ସମସ୍ୟାର ସମାଧାନ ହୋଇନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ମୌଳିକ ସୁବିଧା କେବେ ପହଞ୍ଚିବ ଏବଂ ବେତବଣ ଗାଁରେ କେବେ ପଡ଼ିବ ବିକାଶର ପଦଚିହ୍ନ, ତାହାକୁ ଅପେକ୍ଷା କରିଛନ୍ତି ଗ୍ରାମବାସୀ।