spot_img
Home Blog Page 36

ତୃଣମୂଳ କଂଗ୍ରେସ ସାଂସଦ ଅଭିଷେକଙ୍କ ପିଏ ସୁମିତ ରୟଙ୍କୁ ଗିରଫ କରିଛି ସିଆଇଡି

ନନ୍ଦିଘୋଷ ବ୍ୟୁରୋ : ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ତୃଣମୂଳ କଂଗ୍ରେସ ସାଂସଦ ଅଭିଷେକଙ୍କ ପିଏ ସୁମିତ ରୟଙ୍କୁ ଗିରଫ କରିଛି ସିଆଇଡି। ସୁପ୍ରିମକୋର୍ଟ ତାଙ୍କ ସୁରକ୍ଷା ଉଠାଇ ନେବା ପରେ ସିଆଇଡି ତାଙ୍କୁ କାଲିଘାଟ ଘରୁ ଗିରଫ କରିଛି।ସିଆଇଡି ଅଧିକାରୀମାନେ ସୁମିତଙ୍କୁ ଦକ୍ଷିଣ କୋଲକତାସ୍ଥିତ ସିଆଇଡି କାର୍ଯ୍ୟାଳୟ ଭବାନୀ ଭବନକୁ ନେଇଛନ୍ତି। ସେଠାରୁ ତାଙ୍କୁ ଡାକ୍ତରୀ ଯାଞ୍ଚ ପାଇଁ କୋଲକତା ସ୍ଥିତ SSKM ହସ୍ପିଟାଲକୁ ନିଆଯାଇଛି। ସୁପ୍ରିମ କୋର୍ଟ ସୁମିତଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିଥିଲେ।

ବର୍ତ୍ତମାନ ସାଂସଦ ଅଭିଷେକ ବାନାର୍ଜୀ ଚିକିତ୍ସା ପାଇଁ ବିଦେଶରେ ଅଛନ୍ତି। ସିଆଇଡି ଅଧିକାରୀମାନେ କାଳୀ ଘାଟ ଘରକୁ ଯିବା ମାତ୍ରେ ସେଠାରେ ସୁରକ୍ଷାକର୍ମୀଙ୍କ ସହ ପୋଲିସର ଧସ୍ତାଧସ୍ତି ହୋଇଥିଲା। କିଛି ସମୟ ଧସ୍ତାଧସ୍ତି ପରେ ସିଆଇଡି ଅଧିକାରୀମାନେ ଗେଟ୍ ଖୋଲି ଭିତରକୁ ପ୍ରବେଶ କରିଥିଲେ। ପରେ ତାଙ୍କୁ ଗିରଫ କରି ଏକ କାରରେ ନିଆଯାଇଥିଲା। ମେଦିନୀପୁର ଜିଲ୍ଲାସ୍ଥିତ ଶାଳବାଣୀ ଜମି ଦୁର୍ନୀତି ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା।

ସୁମିତଙ୍କ ଗିରଫଦାରୀ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ବିଧାନସଭାରେ କହିଥିଲେ, କୁଖ୍ୟାତ ଟୋଲ୍ କଲେକ୍ସନ ସୁମିତ ରାୟଙ୍କୁ ଗିରଫ କରାଯାଇଛି। ସୁମିତ ଶାଳବାଣୀ ଜମି ଦୁର୍ନୀତି ମାମଲାର ଜଣେ ଅଭିଯୁକ୍ତ। ସେହି ମାମଲାରେ ହାଇକୋର୍ଟ ତାଙ୍କର ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ଏହା ପରେ, ସୁମିତ ସୁପ୍ରିମକୋର୍ଟକୁ ଯାଇଥିଲେ। ବୁଧବାର ଏବଂ ଗୁରୁବାର ଦିନ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗଚୀ ଏବଂ ଜଷ୍ଟିସ ଭି ମୋହନଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ସୁମିତଙ୍କ ସୁରକ୍ଷା ପ୍ରତ୍ୟାହାର କରିନେଇଥିଲେ।

ସ୍କୁଲ ଫାଟକରେ ତାଲା, ଧାରଣାରେ ଅଭିଭାବକ

ନନ୍ଦିଘୋଷ ବ୍ୟୁରୋ : ବାଲେଶ୍ୱର ସିମୁଳିଆ ବ୍ଲକ ଅନ୍ତର୍ଗତ ମଇତାପୁରସ୍ଥିତ ଭାରତ ସେବାନିଧି ସରକାରୀ ଉଚ୍ଚ ବିଦ୍ୟାଳୟରେ ଉତ୍ତେଜନା। ପ୍ରଧାନଶିକ୍ଷକଙ୍କ ମନମୁଖି କାର୍ଯ୍ୟକଳାପ, ମଧ୍ୟାହ୍ନ ଭୋଜନ ଚାଉଳ ହେରଫେର, ବିଦ୍ୟାଳୟ ପରିଚାଳନା କମିଟି ଗଠନରେ ଅନିୟମିତତା ଏବଂ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ସପକ୍ଷରେ କାର୍ଯ୍ୟ କରିବା ଭଳି ଅଭିଯୋଗ ଆଣିଛନ୍ତି ଅଭିଭାବକ ଓ ସ୍ଥାନୀୟ ଲୋକେ। ଏହି ସମସ୍ତ ଅଭିଯୋଗ ନେଇ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଆଜି ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଛନ୍ତି ଅଭିଭାବକ ଓ ସ୍ଥାନୀୟ ବାସିନ୍ଦା। ପରେ ସେମାନେ ବିଦ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି। ଅଭିଭାବକମାନଙ୍କ କହିବାନୁଯାୟୀ, ଅଭିଯୋଗଗୁଡ଼ିକର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ସମସ୍ୟାର ସ୍ଥାୟୀ ସମାଧାନ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ।

ଢେଙ୍କାନାଳ ମେଡିକାଲରେ ଅନ୍ଧାରରେ ଚିକିତ୍ସା

ନନ୍ଦିଘୋଷ ବ୍ୟୁରୋ : ଢେଙ୍କାନାଳ ମେଡିକାଲରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର। ବିଦ୍ୟୁତ୍‌ କଟିଯିବା ପରେ ସମ୍ପୂର୍ଣ୍ଣ ଅନ୍ଧାରରେ ବୁଡ଼ିଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। ଅନ୍ଧାରରେ ରୋଗୀଙ୍କ ଚିକିତ୍ସା ଚାଲିଥିବା ଅଭିଯୋଗ ହୋଇଛି। ହସ୍ପିଟାଲରେ ଜେନେରେଟର ଥାଇ ମଧ୍ୟ ତାହା କାମରେ ଆସୁନଥିବା ଅଭିଯୋଗ କରିଛନ୍ତି ରୋଗୀ ଓ ସମ୍ପର୍କୀୟ। ଜରୁରୀ ସମୟରେ ବିକଳ୍ପ ବିଦ୍ୟୁତ୍‌ ବ୍ୟବସ୍ଥା କାହିଁକି କରାଯାଉନାହିଁ, ତାକୁ ନେଇ ଉଠିଛି ପ୍ରଶ୍ନ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏଭଳି ବ୍ୟବସ୍ଥାକୁ ନେଇ ତଦନ୍ତ ଦାବି ହୋଇଛି। ଢେଙ୍କାନାଳ ଜିଲ୍ଲାର ୮ଟି ବ୍ଲକ୍‌ର ଲୋକେ ଏହି ହସ୍ପିଟାଲ ଉପରେ ନିର୍ଭର କରୁଥିବାରୁ ଘଟଣାକୁ ନେଇ ଚିନ୍ତା ବଢ଼ିଛି।

ଲଘୁଚାପ ପ୍ରଭାବରେ ଓଡ଼ିଶାରେ ବର୍ଷା, ମୟୂରଭଞ୍ଜକୁ ରେଡ୍ ୱାର୍ଣ୍ଣିଂ

ନନ୍ଦିଘୋଷ ବ୍ୟୁରୋ : ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ବାଂଲାଦେଶ ଉପକୂଳରେ ସୃଷ୍ଟ ଘୁର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ସମସ୍ତ ଜିଲ୍ଲାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।

ଆଗାମୀ ୨୪ ଘଣ୍ଟାରେ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଏବଂ ୪୦ରୁ ୫୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି। ଏଥିପାଇଁ ମୟୂରଭଞ୍ଜ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ସେହିପରି ବାଲେଶ୍ୱର, ଭଦ୍ରକ ଓ କେନ୍ଦୁଝର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଏବଂ ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏହି ତିନୋଟି ଜିଲ୍ଲା ପାଇଁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଛି।

ମହିଳା ଏସିଆ କପ୍ ସେମିରେ ଭାରତ-ବାଂଲାଦେଶ ମୁହାଁମୁହିଁ

ନନ୍ଦିଘୋଷ ବ୍ୟୁରୋ : ଆଜି ମହିଳା ଏସିଆ କପ୍‌ର ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହେବେ ଭାରତ ଓ ବାଂଲାଦେଶ। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଭାରତୀୟ ସମୟ ରାତି ୮ଟାରେ ଏହି ମ୍ୟାଚ୍ ଖେଳାଯିବ। ଟିମ୍ ଇଣ୍ଡିଆ ଥାଇଲାଣ୍ଡ, ହଂକଂ ଓ ପାକିସ୍ତାନ ବିପକ୍ଷରେ ବୃହତ୍ ବିଜୟ ହାସଲ କରି ଗ୍ରୁପ୍-Aର ଶୀର୍ଷ ସ୍ଥାନରେ ରହି ସେମିଫାଇନାଲ୍ ଟିକେଟ୍ ହାସଲ କରିଛି। ଭାରତୀୟ ଟପ୍ ଅର୍ଡର ମଧ୍ୟ ଭଲ ଫର୍ମରେ ରହିଛି। ଶେଫାଳୀ ବର୍ମା ଓ ସ୍ମୃତି ମନ୍ଧାନାଙ୍କ ଯୋଡ଼ିଠାରୁ ଭଲ ପ୍ରଦର୍ଶନ ଆଶା କରୁଛନ୍ତି କ୍ରିକେଟ୍ ପ୍ରଶଂସକ। ଏହାସହ ଭାରତୀୟ ସ୍ପିନ୍ ଆଟାକ୍ ମଧ୍ୟ ଟୁର୍ଣ୍ଣାମେଣ୍ଟରେ ଜବରଦସ୍ତ ପ୍ରଦର୍ଶନ କରିଆସୁଛି।

ଏଭଳି ସ୍ଥିତିରେ ବାଂଲାଦେଶକୁ ହରାଇ ଫାଇନାଲରେ ପ୍ରବେଶ କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ହରମନପ୍ରୀତ କୌରଙ୍କ ଟିମ୍ ଇଣ୍ଡିଆ। ସେପଟେ ଗ୍ରୁପ୍-Bରେ ୩ଟି ମ୍ୟାଚ୍‌ରୁ ୨ଟିରେ ବିଜୟ ସହ ଦ୍ୱିତୀୟ ସ୍ଥାନରେ ରହି ସେମିଫାଇନାଲରେ ପ୍ରବେଶ କରିଛି ବାଂଲାଦେଶ। ଭାରତକୁ ଚକମା ଦେଇ ଫାଇନାଲ୍ ଟିକେଟ୍ ହାସଲ କରିବା ଲକ୍ଷ୍ୟରେ ନିଜର ରଣନୀତି ସହ ପଡ଼ିଆକୁ ଓହ୍ଲାଇବ ବାଂଲାଦେଶ ମହିଳା ଦଳ।

ପ୍ରବଳ ବର୍ଷା ପାଇଁ ମୟୂରଭଞ୍ଜରେ ପୁଣି ସ୍କୁଲ ଛୁଟି

ନନ୍ଦିଘୋଷ ବ୍ୟୁରୋ : ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କାରେ ମୟୂରଭଞ୍ଜ ଜିଲ୍ଲାରେ ପୁଣି ସ୍କୁଲ ଛୁଟି ଘୋଷଣା କରାଯାଇଛି। ଆଇଏମଡି, ଭୁବନେଶ୍ୱର ପକ୍ଷରୁ ଜିଲ୍ଲା ପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି ହୋଇଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ଏହି ପଦକ୍ଷେପ ନିଆଯାଇଛି। ମୟୂରଭଞ୍ଜ ଜିଲ୍ଲାପାଳ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି।

ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ପ୍ରାଥମିକରୁ ଉଚ୍ଚ ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ରହିଛି। ରେଡ୍‌ ୱାର୍ଣ୍ଣିଂକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବର୍ଷାଜନିତ ସମ୍ଭାବ୍ୟ ପରିସ୍ଥିତି ଉପରେ ମଧ୍ୟ ନଜର ରଖାଯାଇଛି।

କଣ୍ଟାବାଞ୍ଜି ଫେନ୍ସି ଷ୍ଟୋରରେ ଭୟଙ୍କର ଅଗ୍ନିକାଣ୍ଡ, ଲକ୍ଷାଧିକ ସମ୍ପତ୍ତି ନଷ୍ଟ

ନନ୍ଦିଘୋଷ ବ୍ୟୁରୋ :  କଣ୍ଟାବାଞ୍ଜି ବଜାରପଡ଼ା ନିକଟରେ ଥିବା ଏକ ଫେନ୍ସି ଷ୍ଟୋରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ହଠାତ୍ ଦୋକାନ ଭିତରୁ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ଖବର ପାଇ କଣ୍ଟାବାଞ୍ଜି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟର ଚେଷ୍ଟା ପରେ ନିଆଁକୁ ଆୟତ୍ତ କରିଥିଲା। ଅଗ୍ନିକାଣ୍ଡରେ ଦୋକାନରେ ଥିବା ବହୁ ସାମଗ୍ରୀ ଜଳିଯିବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡ଼ିଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ପ୍ରାଥମିକ ତଦନ୍ତରୁ ସର୍ଟ ସର୍କିଟ୍‌ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

ଆମେରିକାରେ ବି ‘ରେବଡି କଲଚର’! ଭୋଟ ପରେ ୫ ହଜାର ଡଲାର ଦେବାକୁ ଟ୍ରମ୍ପଙ୍କ ଘୋଷଣା

ନନ୍ଦିଘୋଷ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷାରେ ଯାହାକୁ ‘ରେବଡି କଲଚର’ କୁହାଯାଏ, ଏବେ ଆମେରିକାରେ ମଧ୍ୟ ସେଭଳି ମାଗଣା ବଣ୍ଟନର ରାଜନୀତି ଚର୍ଚ୍ଚାରେ। ଆସନ୍ତା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ଘୋଷଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଟ୍ରମ୍ପ କହିଛନ୍ତି, ଯଦି ରିପବ୍ଲିକାନ ପାର୍ଟି କଂଗ୍ରେସର ଉଭୟ ଗୃହରେ ବହୁମତ ହାସଲ କରେ, ତେବେ ଆମେରିକାର ପ୍ରତ୍ୟେକ ସାବାଳକ ନାଗରିକଙ୍କୁ ୫ ହଜାର ଡଲାର ଲେଖାଏଁ ଦିଆଯାଇପାରେ। ଭାରତୀୟ ମୁଦ୍ରାରେ ଏହା ପ୍ରାୟ ୫ ଲକ୍ଷ ଟଙ୍କା। ଏହି ଯୋଜନାକୁ ଟ୍ରମ୍ପ ‘ଟ୍ରମ୍ପ ଡିଭିଡେଣ୍ଡ’ ନାମ ଦେଇଛନ୍ତି। ତେବେ ଏତେ ବଡ଼ ରାଶି କେଉଁଠୁ ଆସିବ ଏବଂ ଏହାକୁ କିପରି ଦିଆଯିବ, ତାହାକୁ ନେଇ ପ୍ରଶ୍ନ ଉଠିଛି। ଅର୍ଥନୀତିଜ୍ଞଙ୍କ ମତରେ, ଏଭଳି ଯୋଜନା ଆର୍ଥିକ ଓ ରାଜନୈତିକ ଦୃଷ୍ଟିରୁ ଅତ୍ୟନ୍ତ ଚ୍ୟାଲେଞ୍ଜିଂ ହୋଇପାରେ।

ଟ୍ରମ୍ପଙ୍କ ଏହି ଘୋଷଣାକୁ ଆସନ୍ତା ମିଡ୍‌ଟର୍ମ ନିର୍ବାଚନ ସହ ଯୋଡ଼ି ଦେଖାଯାଉଛି। ଆମେରିକାରେ ଦରଦାମ ବୃଦ୍ଧି ଓ ଇରାନ ଯୁଦ୍ଧକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଥିବା ଦାବି କରାଯାଉଛି। ଏଭଳି ପରିସ୍ଥିତିରେ ରିପବ୍ଲିକାନ ପାର୍ଟିର ନିର୍ବାଚନୀ ସ୍ଥିତିକୁ ନେଇ ଟ୍ରମ୍ପ ଚିନ୍ତିତ ଥିବା ଚର୍ଚ୍ଚା ହେଉଛି। ନଭେମ୍ବରରେ ହେବାକୁ ଥିବା ମିଡ୍‌ଟର୍ମ ନିର୍ବାଚନରେ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ର ୪୩୫ ଆସନ ଏବଂ ସିନେଟ୍‌ର ୧୦୦ ଆସନ ପାଇଁ ନିର୍ବାଚନ ହେବ। ବିଭିନ୍ନ ଆକଳନରେ ଡେମୋକ୍ରାଟିକ ପାର୍ଟି ହାଉସ୍‌ ଓ ସିନେଟ୍‌ରେ ଭଲ ପ୍ରଦର୍ଶନ କରିପାରେ ବୋଲି କୁହାଯାଉଛି।

ଏହି ପରିପ୍ରେକ୍ଷୀରେ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଟ୍ରମ୍ପଙ୍କ ‘ଟ୍ରମ୍ପ ଡିଭିଡେଣ୍ଡ’ ଘୋଷଣାକୁ ନେଇ ଚର୍ଚ୍ଚା ତୀବ୍ର ହୋଇଛି। ଆମେରିକା ପରି ପୁଞ୍ଜିବାଦୀ ଦେଶରେ ନିର୍ବାଚନକୁ କେନ୍ଦ୍ର କରି ଏଭଳି ବଡ଼ ଆକାରର ନଗଦ ବଣ୍ଟନ ଘୋଷଣା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ଭାରତରେ ମଧ୍ୟ ନିର୍ବାଚନ ସମୟରେ ନଗଦ ଟଙ୍କା ସହ ବିଭିନ୍ନ ସାମଗ୍ରୀ ଓ ମାଗଣା ଯୋଜନା ଘୋଷଣାକୁ ନେଇ ‘ରେବଡି କଲଚର’ ଉପରେ ଦୀର୍ଘଦିନ ଧରି ଚର୍ଚ୍ଚା ହୋଇଆସୁଛି।

ହର୍ମୁଜ୍‌ରେ ଆମେରିକାର ଅଣ୍ଡରୱାଟର ଡ୍ରୋନ୍ ଜବତ କଲା ଇରାନ

ନନ୍ଦିଘୋଷ ବ୍ୟୁରୋ : ହର୍ମୁଜ୍ ପ୍ରଣାଳୀରେ ଆମେରିକାର ଏକ ଅତ୍ୟାଧୁନିକ ମାନବବିହୀନ ଅଣ୍ଡରୱାଟର ଯାନକୁ ଜବତ କରିଥିବା ଦାବି କରିଛି ଇରାନ। ଇରାନ ନୌସେନାର କହିବା ଅନୁସାରେ, ଗୁପ୍ତଚର ଅଭିଯାନ ଜରିଆରେ ଆମେରିକାର ‘ଡାଇଭ୍-ଏଲଡି’ ନାମକ ଅଣ୍ଡରୱାଟର ଡ୍ରୋନ୍‌କୁ ଜବତ କରାଯାଇଛି। ଏହା ବିଶ୍ୱର ଅତ୍ୟାଧୁନିକ ସବ୍-ସର୍ଫେସ୍ ଭେହିକଲ୍ ପ୍ରଯୁକ୍ତିରେ ନିର୍ମିତ ବୋଲି ଇରାନ ଦାବି କରିବା ସହ ଏହାର ଭିଡିଓ ମଧ୍ୟ ଜାରି କରିଛି। ଏହା ସହିତ, ହର୍ମୁଜ୍ ପ୍ରଣାଳୀ ଉପରେ ଆମେରିକାର MQ-9 ରିପର୍ ଡ୍ରୋନ୍‌କୁ ମଧ୍ୟ ନିଜ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଦ୍ୱାରା ଖସାଇଥିବା ଦାବି କରିଛି ଇରାନୀ ବିପ୍ଳବୀ ଗାର୍ଡ (IRGC)। ତେବେ ଇରାନର ଦାବିକୁ ନେଇ ଆମେରିକା ପକ୍ଷରୁ ଭିନ୍ନ ତଥ୍ୟ ଦିଆଯାଇଛି। ଆମେରିକାର କହିବା ଅନୁସାରେ, ଅଣ୍ଡରୱାଟର ଡ୍ରୋନ୍‌ଟି ସମୁଦ୍ର ଜଳର ସର୍ଭେ କରୁଥିବା ସମୟରେ ଖରାପ ହୋଇଯାଇଥିଲା। ଇରାନ ଜବତ କରିଥିବା ଡ୍ରୋନ୍‌ଟି ସେହି ଯାନ କି ନୁହେଁ, ସେନେଇ ପେଣ୍ଟାଗନ୍ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ।

ଆମେରିକା ଏହା ମଧ୍ୟ କହିଛି ଯେ, ଜବତ ହୋଇଥିବା ଯାନଟି ଏକ ପୁରୁଣା ମଡେଲ୍ ଏବଂ ଏଥିରେ କୌଣସି ସମ୍ବେଦନଶୀଳ ତଥ୍ୟ, ଗୁପ୍ତ ସୋନାର କିମ୍ବା ରାଡାର ଉପକରଣ ନାହିଁ। ବର୍ତ୍ତମାନ ଆମେରିକା ମାନବବିହୀନ ନୌସେନା ବ୍ୟବସ୍ଥାରେ ବ୍ୟାପକ ନିବେଶ କରୁଛି। ସମୁଦ୍ରର ବିଶାଳ ଅଞ୍ଚଳ ଉପରେ ନଜର ରଖିବା, ଗୁପ୍ତଚର ତଥ୍ୟ ସଂଗ୍ରହ କରିବା ସହ ଶତ୍ରୁ ଜାହାଜ ଓ ବୁଡ଼ାଜାହାଜକୁ ଟ୍ରାକ୍ କରିବାରେ ଏଭଳି ମାନବବିହୀନ ଯାନ ବ୍ୟବହାର କରାଯାଉଛି।

ଇରାନର ଦାବି ଅନୁସାରେ, ‘ଡାଇଭ୍-ଏଲଡି’ ଥରକେ ପ୍ରାୟ ୧୦ ଦିନ ପର୍ଯ୍ୟନ୍ତ ପାଣି ଭିତରେ ରହି କାମ କରିପାରେ। ଏହା ପ୍ରାୟ ୬ ହଜାର ମିଟର ବା ୧୯ ହଜାର ୭୦୦ ଫୁଟ୍ ଗଭୀରତା ପର୍ଯ୍ୟନ୍ତ ଯାଇପାରିବ। ପ୍ରତ୍ୟେକ ଡାଇଭ୍-ଏଲଡିର ମୂଲ୍ୟ ପ୍ରାୟ ୨.୫ ନିୟୁତ ଡଲାର ବୋଲି କୁହାଯାଉଛି। ଏହି ଘଟଣାକୁ ନେଇ ଇରାନ ଓ ଆମେରିକା ମଧ୍ୟରେ ଉତ୍ତେଜନା ଆହୁରି ବଢ଼ିବାର ଆଶଙ୍କା ଦେଖାଦେଇଛି।

ହୁତି ଉପରେ ଆକ୍ରମଣ କରିପାରେ ପାକିସ୍ତାନ, ବଢ଼ିଲା ଯୁଦ୍ଧ ଆଶଙ୍କା

ନନ୍ଦିଘୋଷ ବ୍ୟୁରୋ :  ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଇରାନ ଯୁଦ୍ଧ ଏବେ ଆହୁରି ଭୟଙ୍କର ରୂପ ନେଇପାରେ। ଯୁଦ୍ଧରେ ପାକିସ୍ତାନ ସାମିଲ ହେବାର ଆଶଙ୍କା ଦେଖାଦେଇଛି। ଇରାନର ସହଯୋଗୀ ହୁତି ଉପରେ ପାକିସ୍ତାନ ଆକ୍ରମଣ କରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ଏପରି ହେଲେ ଯୁଦ୍ଧ ଅନ୍ୟ ଅଞ୍ଚଳକୁ ବ୍ୟାପିବା ସହ ମଧ୍ୟପ୍ରାଚ୍ୟର ସ୍ଥିତି ଆହୁରି ଜଟିଳ ହୋଇପାରେ। ସାଉଦି ଆରବ ଉପରେ ହୁତି ପକ୍ଷରୁ ଡ୍ରୋନ୍ ଓ ମିସାଇଲ୍ ଆକ୍ରମଣ ପରେ ଏହି ଆଶଙ୍କା ବଢ଼ିଛି। ଏହି ଆକ୍ରମଣରେ ୭୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି।

ମକ୍କା ପ୍ରତିରକ୍ଷା ଚୁକ୍ତି ଯୋଗୁଁ ମଧ୍ୟ ପାକିସ୍ତାନ ହୁତି ବିରୋଧରେ ସାମରିକ ପଦକ୍ଷେପ ନେଇପାରେ ବୋଲି ଆଶଙ୍କା କରାଯାଉଛି। ତୁର୍କୀ, ପାକିସ୍ତାନ ଓ ସାଉଦି ଆରବ ମଧ୍ୟରେ ହୋଇଥିବା ଏହି ଚୁକ୍ତି ଅନୁସାରେ, ତିନି ଦେଶ ମଧ୍ୟରୁ କୌଣସି ଗୋଟିଏ ଦେଶ ଉପରେ ଆକ୍ରମଣକୁ ସାମୂହିକ ଆକ୍ରମଣ ଭାବେ ବିବେଚନା କରାଯିବ ଏବଂ ଆବଶ୍ୟକ ପଡ଼ିଲେ ମିଳିତ ଭାବେ ପ୍ରତିଆକ୍ରମଣ କରାଯାଇପାରିବ। ଏହି ପରିସ୍ଥିତିରେ ୟେମେନରେ ଥିବା ହୁତି ଘାଟିକୁ ଟାର୍ଗେଟ କରି ପାକିସ୍ତାନ ଖୁବଶୀଘ୍ର ଏୟାରଷ୍ଟ୍ରାଇକ୍ କରିପାରେ ବୋଲି ଚର୍ଚ୍ଚା ହେଉଛି।

ସାଉଦି ଆରବ ଉପରେ ହୁତି ଆକ୍ରମଣ ପରେ ପାକିସ୍ତାନର ପ୍ରତିରକ୍ଷାମନ୍ତ୍ରୀ ଖ୍ୱାଜା ଆସିଫ କହିଛନ୍ତି ଯେ, ୟେମେନର ସଂଘର୍ଷ ଯଦି ସାଉଦି ଆରବକୁ ପ୍ରଭାବିତ କରେ, ତେବେ ମକ୍କା ଚୁକ୍ତିର ସାମୂହିକ ପ୍ରତିରକ୍ଷା ବ୍ୟବସ୍ଥା ସକ୍ରିୟ ହୋଇପାରେ। ଏହାକୁ ନେଇ ଇରାନ-ହୁତି ସଂଘର୍ଷରେ ପାକିସ୍ତାନର ସିଧାସଳଖ ହସ୍ତକ୍ଷେପ ନେଇ ଆଶଙ୍କା ବଢ଼ିଛି। ଯଦି ପାକିସ୍ତାନ ହୁତି ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ କରେ, ତେବେ ମଧ୍ୟପ୍ରାଚ୍ୟର ଯୁଦ୍ଧ ଆହୁରି ବ୍ୟାପକ ହେବାର ସମ୍ଭାବନା ରହିଛି