spot_img
Home Blog Page 3644

ଦନ୍ତାର ଦାନ୍ତ କାଟି ନେଲେ, ଘଟଣା ଲୁଚାଇବାକୁ ପୋଡି ଦେଇ ନଈରେ ଭସାଇଦେଲେ

ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ଦନ୍ତା ଶିକାର ଅଭିଯୋଗ। ହାତୀ ମାରିବା ପରେ ହାତୀ ଦାନ୍ତ ଚୋରି ହୋଇଥିବା ଅଭିଯୋଗ। ଶିମିଳିପାଳ ଅଭୟାରଣ୍ୟ ଜେନାବିଲ ରେଞ୍ଜର ଘଟଣା। ଗତ ୧୫ ଦିନ ପୂର୍ବେ ହାତୀ ଶିକାର ହୋଇଥିବା ସୂଚନା ମିଳିଛି । ଘଟଣା ଲୁଚାଇବାକୁ ଯାଇ ବନ କର୍ମଚାରୀ ହାତୀକୁ ପୋଡ଼ି ଶିମିଳିପାଳ ଭିତରେ ଥିବା ନଇରେ ଭସାଇ ଦେଇଥିବା ଅଭିଯୋଗ ହୋଇଛି ।

ଅଭିଯୋଗ କରି ୩ ଦିନ ପୂର୍ବେ ବକୁଆ ଗ୍ରାମବାସୀ ଜେନାବିଲ ରେଞ୍ଜ ଘେରାଉ କରିବା ପରେ ବନବିଭାଗ ଘଟଣାର ତଦନ୍ତ ଆରମ୍ଭ କରିଛି । ଘଟଣାର ପ୍ରାରମ୍ଭିକ ତଦନ୍ତ କରିବା ପରେ ଜେନାଵିଲ ଫରେଷ୍ଟରଙ୍କ ସମେତ ତିନି ବନ କର୍ମଚାରୀ ନିଳମ୍ବିତ କରାଯାଇଥିବା ସୂଚନା ଦେଇଛନ୍ତି ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ତଥା କ୍ଷେତ୍ର ନିର୍ଦ୍ଦେଶକ ଶିମିଳିପାଳ ବ୍ୟଘ୍ର ପ୍ରକଳ୍ପ। ଘଟଣାକୁ ନେଇ ତଦନ୍ତ ଜାରି ରହିଥିବା ସେ କହିଛନ୍ତି ।

ଏଣିକି ବର୍ଷକୁ ଚାରି ଥର ଅଭିଭାବକ ଓ ଶିକ୍ଷକ ବୈଠକ, ସାମିଲ ହେବନି ନୂଆ ସିଲାବସ୍‌

ଭୁବନେଶ୍ବର: ଚଳିତ ଶିକ୍ଷାବର୍ଷରେ କୌଣସି ନୂଆ ପାଠ୍ୟକ୍ରମ ସାମିଲ ହେବନି । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେହିପରି ପୂର୍ବରୁ ବର୍ଷକୁ ଦୁଇଥର ଅଭିଭାବକ ଓ ଶିକ୍ଷକ ବୈଠକ ବସୁଥିଲା । ଏବେ ବର୍ଷକୁ ଚାରିଥର ବସିବ ବୋଲି ମନ୍ତ୍ରୀ କହିଛନ୍ତି । ସମଗ୍ର ରାଜ୍ୟରେ ସବୁ ସ୍କୁଲରେ ଗୋଟିଏ ଦିନରେ ଅଭିଭାବକ ଓ ଶିକ୍ଷକ ବୈଠକ ହେଉଛି ।

ଗତକାଲି ବି ହୋଇଥିଲା । ଏହାର ମୂଳ ଉଦେଶ୍ୟ ହେଉଛି, ପିଲାମାନେ ସ୍କୁଲରେ ଯେତେ ସମୟ ରହୁଛନ୍ତି ପଢୁଛନ୍ତି, ହେଲେ ଘରେ ଅଧିକ ସମୟ ରହୁଛନ୍ତି । ଅଭିଭାବକ ଘରେ କିପରି ପିଲାଙ୍କୁ ଅଧିକ ଫୋକସ ଦେଇପାରିବେ, ଘରେ ଶିକ୍ଷାର ବାତାବରଣ ଦେଇପାରିବେ, ତା’ଉପରେ ଗୁରୁତ୍ବ ଦେବାକୁ ଏହି ବୈଠକ ହେଉଛି । ପିଲାଙ୍କ ପଢ଼ା ପ୍ରତି ସ୍କୁଲ ଯେତିକି ଯତ୍ନବାନ, ଅଭିଭାବକ ମଧ୍ୟ ସେତିକି ଯତ୍ନବାନ ହେବା ଦରକାର ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।

ପୁଣି ଚର୍ଚ୍ଚାରେ ବୁର୍ଲା ଭୀମସାର, ଅପରିଷ୍କାର ପରିବେଶ ପାଇଁ ବଢୁଛି ଅସନ୍ତୋଷ

ବୁର୍ଲା: କ୍ୟାଣ୍ଟିନ ଭିତରେ କୁକୁର । ପୁଣି ଚର୍ଚ୍ଚାରେ ବୁର୍ଲା ଭୀମସାର । ଏଥର କିନ୍ତୁ ଚିକିତ୍ସା ଅବହେଳା ନୁହେଁ ବରଂ ଭୀମସାର ପରିସରରେ ଥିବା ଓମଫେଡ କ୍ୟାଣ୍ଟିନ ପାଇଁ ଚର୍ଚ୍ଚାକୁ ଆସିଛି ଭୀମସାର । ରୋଗୀ ତାଙ୍କ ସମ୍ପର୍କୀୟ ହୁଅନ୍ତୁ କି ଡାକ୍ତର ନର୍ସ ଷ୍ଟାଫ୍‌ ପାଣି ଗରମ କରିବା ହେଉ କି ଚା ଜଳଖିଆ ପାଇଁ ଏହି କ୍ୟାଣ୍ଟିନ ଉପରେ ସମସ୍ତେ ନିର୍ଭରଶୀଳ । ହେଲେ କ୍ୟାଣ୍ଟିନ ସେବା ଯୋଗାଉଥିବା ସଂସ୍ଥାର ମନମୁଖୀ କାମ ଓ ଅପରିଷ୍କାର ପରିବେଶ ଯୋଗୁଁ ଏବେ ଅସନ୍ତୋଷ ବଢ଼ିଛି ।

ଭୀମସାର ପରିସର ମଧ୍ୟରେ ଥିବା ଏହି କ୍ୟାଣ୍ଟିନ ଭିତରେ ବୁଲା କୁକୁର ବୁଲୁଥିବା ଦେଖିବାକୁ ମିଳିଛି । ଉତ୍ତମ ସ୍ୱାସ୍ଥ୍ୟସେବା ଆଶାରେ ସମଗ୍ର ପଶ୍ଚିମ ଓଡିଶା ସମେତ ପଡୋଶୀ ଛତିଶଗଡ ଓ ଝାଡଖଣ୍ଡ ଭଳି ରାଜ୍ୟର ଅନେକ ଲୋକ ନିର୍ଭର କରୁଥିବା ଏହି କ୍ୟାଣ୍ଟିନଟି କେତେଦୂର ସ୍ୱଚ୍ଛ ଓ ସ୍ୱାସ୍ଥ୍ୟ ପ୍ରତି କେତେଦୂର ସଚେତନ ଓ ଯତ୍ନବାନ ତାହା ସ୍ପଷ୍ଟ ବାରିହେଉଛି । ତେବେ ସମ୍ପୂର୍ଣ ଆବଦ୍ଧ ହୋଇଥିବା ଏହି 24 ଘଣ୍ଟିଆ ସେବା ଯୋଗାଉଥିବା କ୍ୟାଣ୍ଟିନରେ କିଭଳି ଓ କେଉଁ ପରିସ୍ଥିରେ କୁକୁର ପ୍ରବେଶ କଲା ତାହା ଆଶର୍ଯ୍ୟର ବିଷୟ ।

ଅନ୍ୟ ପଟେ ଏହି କ୍ୟାଣ୍ଟିନରେ କାର୍ଯ୍ୟରତ କର୍ମଚାରୀ ମାନେ ମଧ୍ୟ ଏହି ସମୟରେ କରୁଥିଲେ କଣ ? ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ! ତେବେ ଏହି ବୁଲା କୁକୁରଟି କ୍ୟାଣ୍ଟିନ ଭିତରେ ପଶି କେଉଁ ଖାଦ୍ୟ ସାମଗ୍ରୀ ରେ ମୁହଁ ମାରିନଥିବ ବୋଲି କହିହେବ ନାହିଁ । ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀ ମଧ୍ୟ ଏଥିପ୍ରତି ଦୃଷ୍ଟି ନ ଦେବା ଅତ୍ୟନ୍ତ ଦୁଃଖର ବିଷୟ ।

ସନ୍ତରଣ ଟ୍ରେନିଂ ବେଳେ ବୁଡିଗଲେ ନାବାଳକ, ମହାନଦୀ ଯୋବ୍ରା ବ୍ୟାରେଜରେ ଅଘଟଣ

କଟକ: ସନ୍ତରଣ ଟ୍ରେନିଂ ବେଳେ ଅଘଟଣ । କଟକ ମହାନଦୀ ଯୋବ୍ରାରେ ବୁଡ଼ିଗଲେ ୧୬ ବର୍ଷୀୟ ନାବାଳକ । ଉଦ୍ଧାର ହୋଇଛି ସୋହେଲ ଖାନଙ୍କ ମୃତଦେହ । ଯୋବ୍ରା ବ୍ୟାରେଜ୍ ନିକଟରେ ସକାଳୁ ୬୦ରୁ ଅଧିକ ପିଲାଙ୍କୁ ନେଇ ଟ୍ରେନିଂ କ୍ୟାମ୍ପ ଚାଲିଥିଲା । ଏହି ସମୟରେ ହଠାତ୍ ବୁଡିଯାଇଥିଲେ ସୋହେଲ ।

ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ଜଗତପୁର ପୋଲିସ ପହଞ୍ଚି ସୋହେଲଙ୍କ ମୃତଦେହ ଉଦ୍ଧାର କରିଛି ।

ରାଜଧାନୀରେ ବୃଦ୍ଧଙ୍କୁ ଟେକି କଚିଦେଲା ପାଗଳ ଷଣ୍ଢ, ଏକାଧିକ ଆହତ

ଭୁବନେଶ୍ବର: ରାଜଧାନୀରେ ମାତିଛି ପାଗଳ ଷଣ୍ଢ । ପଟିଆ ପଦ୍ମକେଶରପୁରରେ ପାଗଳ ଷଣ୍ଢ ଆତଙ୍କ । ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଥିବା ସୂଚନା ମିଳିଛି । ଦୁଇ ଦିନ ହେବ ମାତିଛି ପାଗଳ ଷଣ୍ଢ । ଘରୁ ବାହାରିବାକୁ ଭୟ କରୁଛନ୍ତି ସ୍ଥାନୀୟ ଲୋକେ । ସ୍ଥାନୀୟ ଲୋକେ ବିଏମସିକୁ ଖବର ଦେଇଛନ୍ତି । ଆଜି ପାଗଳ ଷଣ୍ଢକୁ ଧରିବାକୁ ସବୁ ପ୍ରକାର ଚେଷ୍ଟା ଚଲାଇଛନ୍ତି ଲୋକେ ।

ଓଡ଼ିଶାର କାଶ୍ମୀର ମୁହାଁ ପର୍ଯ୍ୟଟକ, ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ରେକର୍ଡ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଆକାଶ ମେଘାଛନ୍ନ ଥିବା ଯୋଗୁଁ କୋହଲା ପାଗ ସହ ଶୀତ ଅନୁଭୂତ ହେଉଛି  । ସ୍ଥାନେ ସ୍ଥାନେ ଲୋକେ ନିଆଁର ସାହାରା ନେଉଛନ୍ତି । ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି ମୁହାଁ ପର୍ଯ୍ୟଟକ  । ଚଳିତ ବର୍ଷ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୬.୬ ରହିଥିବା ବେଳେ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି ଠାରେ ୮.୫ ଡିଗ୍ରୀ ତାପମାତ୍ରା ରହିଛି  । ଯାହାଫଳରେ କନ୍ଧମାଳରେ ପ୍ରବଳ ଜାଡ ଅନୁଭୂତ ହେଉଛି  ।

କାକର ଭିଜା ଶୀତୁଆ ସକାଳର ମଜା ନେଉଛନ୍ତି ସହର ବାସୀ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଦାରିଙ୍ଗବାଡ଼ି, ରାଇକିଆ, ବେଲଘର ଆଦି ଅଞ୍ଚଳରେ କୁହୁଡି ସାଙ୍ଗକୁ ଶୀତ ଅନୁଭୂତ ହେଉଛି । ସକାଳୁ ସକାଳୁ ଯୁବକ ଓ ବୟସ୍କ ପଡିଆକୁ ଯାଇ ବ୍ୟାୟାମ କରୁଛନ୍ତି । ସେହିପରି ଆଉ କିଛି ଲୋକ ଶୀତୁଆ ସକାଳେ ପ୍ରାତଃ ଭ୍ରମଣ କରୁଥିବା ଦେଖିବାକୁ ମିଳୁଛି ।

ହାଲୁକା ଶୀତ ସ୍ପର୍ଶରେ ପୁଲକିତ ହୋଇ ଉଠିଛି ଜନଜୀବନ । ହାଲକା ଥଣ୍ଡା ସାଙ୍ଗକୁ କୁହୁଡ଼ି କାକର ବୁନ୍ଦା ଗଛର ପତ୍ରରେ ଦେଖିବାକୁ ମିଳିଛି l ସନ୍ଧ୍ୟା ସମୟରେ ମଧ୍ୟ ହାଲକା ଶୀତ ଅନୁଭୂତ ହେଉଛି । ସେପଟେ ଫୁଲବାଣୀ ସହରରେ ହାଲକା ଶୀତ ଓ ଘନ କୁହୁଡ଼ିର ମଜା ନେଉଛନ୍ତି ସହରବାସୀ  ।

ଆଜି ଶପଥ ନେବେ ହିମାଚଳର ନୂଆ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ

ଶିମଲା: ପାହାଡି ରାଜ୍ୟ ହିମାଚଳ ପାଇବ ନୂଆ ମୁଖ୍ୟମନ୍ତ୍ରୀ । ସୁଖବିନ୍ଦର ସିଂ ସୁଖୁ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ । ପ୍ରତିଭାଙ୍କ ସମର୍ଥକ ମୁକେଶ ଅଗ୍ନିହୋତ୍ରୀ ଉପମୁଖ୍ୟମନ୍ତ୍ରୀ ହେବେ । ଆଜି ନେବେ ଶପଥ । ଲୋକସଭା ସାଂସଦ ଯୋଗୁଁ ପ୍ରତିଭା ସିଂ ମୁଖ୍ୟମନ୍ତ୍ରୀ ରେସରେ ପଡିଗଲେ । ସୁଖବିନ୍ଦର ସିଂହ ହିମାଚଳ କଂଗ୍ରେସର ଜଣେ ଟାଣୁଆ ନେତା । ଦଳ ପ୍ରତି ରହିଛି ନିଷ୍ଠା ଓ ରାଜନୀତିରେ ବିଚକ୍ଷଣ । ସମାଜସେବାରେ ରହିଛି ଆଗ୍ରହ । ଦୀର୍ଘ ୪୦ ବର୍ଷ ଧରି କଂଗ୍ରେସ ସହ ଜଡ଼ିତ ସୁଖବିନ୍ଦର ସିଂ ସୁଖୁ ।

ରାଜ୍ୟବାସୀଙ୍କ ଆଗରେ ତାଙ୍କର ସ୍ବତନ୍ତ୍ର ପ୍ରତିଛବି ରହିଛି । ଖାସ ଏଇଥିପାଇଁ ଲଗାତାର ଚତୁର୍ଥ ଥର ପାଇଁ ବିଧାୟକ ହୋଇଥିବା ସୁଖବିନ୍ଦର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ପାଠ ପଢୁ ପଢୁ ରାଜନୀତି ଆରମ୍ଭ କରିଥିଲେ ସୁଖବିନ୍ଦର ସିଂ । ଆଇନରେ ଅଧ୍ୟୟନ ପରେ ଛାତ୍ର ରାଜନୀତିରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ୧୯୮୮ରୁ ୧୯୯୫ ପର୍ଯ୍ୟନ୍ତ ଏନଏସୟୁଆଇର ଅଧ୍ୟକ୍ଷ ମଧ୍ୟ ଥିଲେ । ଏଇଥିପାଇଁ ତୃଣମୂଳ ରାଜନୀତିରେ ସୁଖବିନ୍ଦରଙ୍କରଦବଦବା ରହିଛି । ରାଜନୀତିରେ ବଡ଼ ବଡ଼ ନେତାଙ୍କୁ ଟକ୍କର ଦେବା ଭଳି ସାହସ ରଖିଛନ୍ତି ସୁଖବିନ୍ଦର ।

ଫିଫା ବିଶ୍ୱକପ୍: ମୋରୋକ୍କୋର ଐତିହାସିକ ବିଜୟ, ବିଦା ହେଲା ପର୍ତ୍ତୁଗାଲ

କତାର: ଫିଫା ବିଶ୍ୱ କପରୁ ବିଦା ହେଲା ପର୍ତ୍ତୁଗାଲ  ।  ମୋରୋକ୍କୋର ହୋଇଛି ଐତିହାସିକ ବିଜୟ  । ଆଜିର ରୋମାଞ୍ଚକ ମ୍ୟାଚରେ ପର୍ତ୍ତୁଗାଲକୁ ୧-୦ ଗୋଲରେ ହରାଇ ମୋରୋକ୍କୋ ସେମି ଅଭିମୁଖେ ଗସ୍ତ କରିଛି  । ସେପଟେ ପର୍ତ୍ତୁଗାଲ ମ୍ୟାଚରୁ ବିଦା ହୋଇଛି  ।  ତୃତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି ମୋରୋକ୍କୋ  । ପ୍ରଥମ ଆଫ୍ରିକୀୟ ଦେଶ ଭାବେ ସେମିଫାଇନାଲରେ ପ୍ରବେଶ କରିଛି ଏହି ଟିମ୍  ।

ଘର ଆଲମିରାରୁ ମିଳିଲା ନିଖୋଜ ମହିଳାଙ୍କ ରକ୍ତାକ୍ତ ମୃତଦେହ

କୋଲକାତା: ଘର ଆଲମିରାରୁ ମିଳିଲା ନିଖୋଜ ମହିଳାଙ୍କ ରକ୍ତାକ୍ତ ମୃତଦେହ । ୩ ଦିନ ହେଲା ତାଙ୍କୁ ହତ୍ୟା କରି ସ୍ବାମୀ ଆଲମିରା ଭିତରେ ଲୁଚାଇ ରଖିଥିବା ଅଭିଯୋଗ । ଏପରି ଲୋମହର୍ଷକ ଘଟଣା ଘଟିଛି ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲା ଚୁରଚୁରା ଅଞ୍ଚଳରେ । ଏଠାରେ ରହୁଥିବା ବିଶ୍ବନାଥ ଖାଡା କ୍ୟାଟରିଂ ବ୍ୟବସାୟ କରନ୍ତି । ସେଥିପାଇଁ ତାଙ୍କୁ ଅନେକ ଦିନ ବାହାରେ ରହିବାକୁ ପଡ଼େ ।

ଆଜି ଘରକୁ ଫେରି କ୍ୟାଟରିଂ ଜିନିଷ ଆଣିବାକୁ ଆଲମିରା ଖୋଲିବା ବେଳେ ଭିତରେ ତାଙ୍କ ମା’ଙ୍କ ରକ୍ତାକ୍ତ ମୃତଦେହ ଥିବା ଦେଖିବାକୁ ପାଇଥିଲେ । ଏହାପରେ ସେ ପୋଲିସକୁ ଖବର ଦେଇଥିଲେ । ବିଶ୍ବନାଥଙ୍କ ବାପା କୌଣସି କାମଧନ୍ଦା କରନ୍ତି ନାହିଁ । ସେ ମଦ ପିଉଥିବାରୁ ପତ୍ନୀଙ୍କ ସହ ପ୍ରତିଦିନ ଝଗଡ଼ା ହେଉଥିବା କହିଛନ୍ତି ପଡ଼ୋଶୀ ।

ମଦ ପାଇଁ ସେ ତାଙ୍କ ପତ୍ନୀକୁ ହତ୍ୟା କରିଥିବା ସେମାନେ ଅଭିଯୋଗ କରିଛନ୍ତି । ୩ ଦିନ ହେଲା ବିଶ୍ବନାଥଙ୍କ ମା’ ନିଖୋଜ ଥିଲେ । ଆଜି ଆଲମିରାରୁ ମୃତଦେହ ମିଳିବା ପରେ ତାଙ୍କୁ ସ୍ବାମୀ ହତ୍ୟା କରି ଆଲମିରା ଭିତରେ ଲୁଚାଇ ରଖିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ପୋଲିସ୍ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।

‘ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକୁ ଭୁଲ୍ ଭାବେ ତର୍ଜମା କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ’

ନନ୍ଦିଘୋଷ ବ୍ୟୁରୋ: ପଦମପୁର ଉପନିର୍ବାଚନ ବେଳେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ନେଇ ଅରୂଚିକର ମନ୍ତବ୍ୟ ଦେଇଥିଲେ ରାଜ୍ୟ ବିଜେପି ନେତୃବୃନ୍ଦ। ବାପାଙ୍କୁ ହରାଇଥିବା ଆଦିବାସୀ ଓଡ଼ିଆ ଝିଅ ବର୍ଷା ବିଜେଡିର ପ୍ରାର୍ଥୀ ଥିଲେ । ତାଙ୍କ ପ୍ରତି ଅମାନବୀୟ, ଅରୂଚିକର ଓ ନିମ୍ନମାନର ବକ୍ତବ୍ୟ ରାଜ୍ୟ ବିଜେପି ନେତା ରଖିଥିଲେ। ରେଜଲ୍ଟ ବାହାରିବା ପରେ ଏପରି ନକରିବାକୁ ଅପିଲ୍ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନକୁ ଭୁଲ୍ ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତର୍ଜମା କରିଥିବା ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି। ମୁଖ୍ୟମନ୍ତ୍ରୀ ବିନମ୍ରତାର ସହ ମହିଳାଙ୍କୁ ଅସମ୍ମାନ ନକରିବାକୁ ଅନୁରୋଧ କରିଥିଲେ। ଏହାକୁ ଓଡ଼ିଶାବାସୀ କେବେ ଗ୍ରହଣ କରିବେନି। ଏପରିକି ବର୍ଷାଙ୍କ ଶ୍ବଶୂର ତଥା ବରିଷ୍ଠ ବିଜେପି ନେତା ରମାରଞ୍ଜନ ବଳିୟାରସିଂଙ୍କ ଆଖିରେ ଲୁହ ଆସିଥିଲା। ବିଜେପି ମହିଳାଙ୍କୁ ନେଇ କି ପ୍ରକାର ସନ୍ଦେଶ ଦେବାକୁ ଚାହୁଁଛି ବୋଲି ସସ୍ମିତ ପ୍ରଶ୍ନ କରିଛନ୍ତି। ଦେଶରେ ସାଧାରଣ ଜୀବନରେ ମହିଳାଙ୍କ ଅଂଶଗ୍ରହଣ ବେଶ୍ କମ୍ ।

ଏପରି ମନ୍ତବ୍ୟ ଦେଇ ପବ୍ଲିକ ଲାଇଫ୍କୁ ଆସିବାକୁ ଚାହୁଁଥିବା ମହିଳାଙ୍କୁ ଲାଞ୍ଛିତ କରିବାକୁ ସନ୍ଦେଶ ଦେଉଛି କି ରାଜ୍ୟ ବିଜେପି। ଏହାଦ୍ବାରା ମହିଳାଙ୍କୁ ସାଧାରଣ ଜୀବନରୁ ଦୂରେଇ ଦିଆଯାଉନି କି ବୋଲି ସାଂସଦ ସସ୍ମିତ ପାତ୍ର ପ୍ରସ୍ନ କରିଛନ୍ତି। ମୁଖ୍ୟମନ୍ତ୍ରୀ କେବଳ ବିଜେଡି ସଭାପତି ନୁହନ୍ତି ତାଙ୍କୁ ଗତ ଦୁଇ ଦଶନ୍ଧି ଧରି ଓଡ଼ିଶାବାସୀ ବିଶ୍ବାସ କରି ଆସୁଛନ୍ତି। ତେଣୁ ରାଜନୀତିରୁ ଉର୍ଦ୍ଧ୍ବକୁ ଯାଇ ନୈତିକ ଦାୟିତ୍ବ ଭାବେ ସେ ଏହା କହିଥିବା ସସ୍ମିତ କହିଛନ୍ତି।