spot_img
Home Blog Page 3645

ମାସକ ଭିତରେ କାର୍ଯ୍ୟକ୍ଷମ ହେବ ନନ୍ଦନକାନନର ରୋପୱେ

ଭୁବନେଶ୍ୱର: ଆସନ୍ତା ଏକ ମାସ ଭିତରେ କାର୍ଯ୍ୟକ୍ଷମ ହେବ ନନ୍ଦନକାନନର ରୋପଓ୍ବେ । ଚଳିତ ପର୍ଯ୍ୟଟନ ଋତୁରେ ଅଧିକ ସଂଖ୍ୟକ ପର୍ଯ୍ୟଟକ ନନ୍ଦନକାନନ ଆସିବାର ସମ୍ଭାବନା ଥିବାରୁ ରୋପଓ୍ବେ କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ରୋପଓ୍ବେରେ ଦୈନିକ ପ୍ରାୟ 3 ହଜାର ପର୍ଯ୍ୟଟକ ଯିବା ଆସିବାର ବ୍ୟବସ୍ଥା କରାଯାଉଛି । ଏହାଦ୍ବାରା ପର୍ଯ୍ୟଟକମାନେ ବଟାନିକାଲ ଓ ଜୁଲୋଜିକାଲ ଗାର୍ଡେନ ମଧ୍ୟରେ ସିଧାସଳଖ ଯିବା ଆସିବା କରିପାରିବେ ।

ନନ୍ଦନକାନନ ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବା ସହ ପର୍ଯ୍ୟଟକଙ୍କ ନିମନ୍ତେ ଆନୁଷଙ୍ଗିକ ବ୍ୟବସ୍ଥା ଓ ଉନ୍ନତିମୂଳକ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଚୂଡ଼ଙ୍ଗ ସଂରକ୍ଷିତ ଓ କୃଷ୍ଣନଗର ପ୍ରସ୍ତାବିତ ଜଙ୍ଗଲର ୬୦୪ ହେକ୍ଟର ଜମିରେ ନନ୍ଦନକାନନର ସଂପ୍ରସାରଣ କାର୍ଯ୍ୟ ଆରମ୍ଭ ହେବ । ଏହି ଅଞ୍ଚଳରେ ବାଘ, ସିଂହ, ଭାଲୁ ଓ ତୃଣଭୋଜି ଜୀବଜନ୍ତୁଙ୍କ ପାଇଁ ସଫାରି ନିର୍ମାଣ କରାଯିବ । ସଫାରି ମଧ୍ୟରେ ପର୍ଯ୍ୟଟକମାନଙ୍କ ବୁଲିବା ବ୍ୟବସ୍ଥା ଓ ପ୍ରାଣୀ ଚିକିତ୍ସାକେନ୍ଦ୍ର ରହିବ ।

୯ କୋଟି ଟଙ୍କାରେ ବଟାନିକାଲ ଗାର୍ଡେନ ମଧ୍ୟସ୍ଥ କିଆକଣି ହ୍ରଦ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି ସୁରେଶ ମହାପାତ୍ର । ହ୍ରଦରେ ପର୍ଯ୍ୟଟକଙ୍କ ମନୋରଞ୍ଜନ ନିମନ୍ତେ ବୋଟିଂ ବ୍ୟବସ୍ଥା କରାଯିବ । ବଟାନିକାଲ ଗାର୍ଡେନ ସମ୍ମୁଖରେ ଗେଟ୍‌ ନିର୍ମାଣ, ସଂଲଗ୍ନ ରାସ୍ତା, ଶୌଚାଳୟ, ପାଦଚଲା ରାସ୍ତା ନିର୍ମାଣ ସମ୍ପର୍କରେ ଅବଗତ ହେବା ସହ ନିର୍ମାଣ କାର୍ଯ୍ୟକୁ ତ୍ବରାନିତ କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପରାମର୍ଶ ଦେଇଛନ୍ତି  ।

ଜଙ୍ଗଲରେ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ, ଗୁଳି କରି ଜାଳି ଦେଇଥିଲା ପ୍ରେମିକ

କଣ୍ଟାବାଞ୍ଜି: ତୁରେକେଲା ଜଙ୍ଗଲ ନିକଟରୁ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ଘଟଣା । ଯୁବତୀଙ୍କୁ ଗୁଳି କରି ହତ୍ୟା ପରେ ଜାଳି ଦେଇଥିଲା ପ୍ରେମିକ । ଅଭିଯୁକ୍ତ ପ୍ରେମିକ ସଚିନ ଅଗ୍ରଓ୍ବାଲକୁ ପୁଣି ୫ ଦିନିଆ ରିମାଣ୍ଡରେ ନେଲା ପୋଲିସ ।

ଘଟଣାରେ ଅନ୍ୟ ୩ ଜଣଙ୍କ ସଂପୃକ୍ତି ଥିବା କଣ୍ଟାବାଞ୍ଜି ଏସଡିପିଓ ସୂଚନା ଦେଇଛନ୍ତି । ହତ୍ୟାରେ ବ୍ୟବହୃତ ଗାଡ଼ି ଜବତ ହୋଇଥିବା ବେଳେ, ୟୁପି, ବିହାର ଲିଙ୍କ୍‌ ଥିବା ଏସଡିପିଓ ସୂଚନା ଦେଇଛନ୍ତି । ଅଭିଯୁକ୍ତକୁ ପୂର୍ବରୁ ୪ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା ପୋଲିସ ।

 

ଭାରସ୍ୟାମ ହରାଇ କାର୍ ଓ ବାଇକ ଉପରେ ମାଡିଗଲା ଟ୍ରକ୍, ଜଣେ ମୃତ

କଟକ: ଜଗତପୁର ଖଇରା ପୋଲ ନିକଟରେ ମାଡ଼ିଗଲା ଟ୍ରକ୍ । ଭାରସାମ୍ୟ ହରାଇ ଦୁଇଟି କାର ଓ ୫ଟି ବାଇକ ଉପରେ ମାଡ଼ି ଯାଇଛି ଟ୍ରକ । ଟ୍ରକ୍ ଦୁର୍ଘଟଣାରେ ୭ ଜଣ ଆହତ ହୋଇଛନ୍ତି  । କାର ଓ ବାଇକ ଉପରେ ମାଡ଼ିଯାଇ ଦୋକାନ ଭିତରକୁ ମାଡ଼ିଗଲା ଟ୍ରକ । ୭ ଆହତଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି  । ସେପଟେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଛି  ।

ଜଗତପୁରରେ ଖଇରା ପୋଲ ନିକଟରେ ମାଡ଼ିଗଲା ଟ୍ରକ୍, ଜଣେ ମୃତ, ୯ ଆହତ । ଭାରସାମ୍ୟ ହରାଇ ଦୁଇଟି କାର ଓ ୫ଟି ବାଇକ ଉପରେ ମାଡ଼ିଗଲା ଟ୍ରକ । କାର ଓ ବାଇକକୁ ଧକ୍କା ଦେଇ ଏକ ଫଳ ଦୋକାନ ଭିତରକୁ ଟ୍ରକଟି ମାଡ଼ିଯିବାରୁ ଜଣଙ୍କର ମୃତ୍ୟୁ ହୋଇଛି, ୯ ଆହତ ହୋଇଛନ୍ତି । ଫଳଦୋକାନୀ ୪୫ ବର୍ଷୀୟ ସୁବାସ ସାହୁ ପ୍ରାଣ ହରାଇଛନ୍ତି। ୬ ଜଣଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ୩ ଜଣ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଆହତଙ୍କ ମଧ୍ୟରେ ୪ ଜଣ ମହିଳା ଅଛନ୍ତି ।

ସାଲେପୁର ଆଡୁ ଆସୁଥିବା ଟ୍ରକଟି କେହି କିଛି ବୁଝିବା ପୂର୍ବରୁ ଜଗତପୁର ଖଇରା ପୋଲ ନିକଟରେ ଭାରସାମ୍ୟ ହରାଇ ହଠାତ ଫଳ ଦୋକାନ ଆଡ଼କୁ ମାଡ଼ି ଯାଇଥିଲା । ଦୋକାନ ନିକଟରେ ଥିବା କାର ଓ ବାଇକକୁ ଧକ୍କା ଦେଇ ଦୋକାନ ଭିତରକୁ ପଶି ଯାଇଥିଲା ଟ୍ରକ୍ । ଦୁର୍ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ପୋଲିସ୍ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଆହତଙ୍କୁ ମେଡିକାଲ ପଠାଇଥିଲା । ପୂର୍ବରୁ ଦୁଇଟି ଦୁର୍ଘଟଣା କରି କ୍ଷୀପ୍ର ଗତିରେ ଆସୁଥିଲା ଟ୍ରକ । ପାଗାବଜାର ଓ ପୀର ବଜାରରେ ଦୁର୍ଘଟଣା ଘଟାଇ ଆସିଥିଲା ଟ୍ରକଟି । ମଦ ପିଇ ଗାଡ଼ି ଚଳାଉଥିଲା ଡ୍ରାଇଭର । ଟ୍ରକ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି ଜଗତପୁର ପୋଲିସ୍ ।…

 

ରାତି ଅଧରେ ଚୋର ସାଜି ଲୁଟ କଲେ, ଦୁର୍ବୁତ୍ତ ସାଜି ଜେଜେକୁ ମର୍ଡର କଲେ

ନନ୍ଦିଘୋଷ ବ୍ୟୁରୋ: ରାତି ଅଧରେ ଚୋର ସାଜି ଲୁଟ କଲେ  । ବୃଦ୍ଧଙ୍କୁ ହତ୍ୟା କଲେ  । ପୁଣି ପଛରେ ମିଥ୍ୟା ନାଟକ ରଚିଲେ  । ନିଜକୁ ଆଘାତ ଦେଇ କହିଲେ, ଘରକୁ ଆସିଥିଲେ ୪ ଦୁର୍ବୃତ୍ତ ।  ଜେଜେଙ୍କୁ ମାରି ଚାଲିଗଲେ  । କିନ୍ତୁ ହତ୍ୟାକାରୀ ନିଜ ଘରେ ଭିତରେ । ନିଜର ଆତ୍ମୀୟ ସାଜିଥିଲେ ହତ୍ୟାକାରୀ  । ଦୁର୍ବୁତ୍ତ ବେଶରେ ଆସି ପ୍ରଥମେ ମର୍ଡର କଲେ, ପରେ ଆତ୍ମହତ୍ୟାର ରୂପ ଦେବାକୁ କମ୍ବଳରେ ନିଆଁ ଲଗାଇଦେଲେ  । ହଁ ଲୁଟ କରି ହତ୍ୟା କରିଥିବା ଦୁର୍ବୁତ୍ତ ଆଉ କେହି ନୁହେଁ  । ଖୋଦ ନିଜ ନାତି ଲେଖିଛି ଜେଜେର ମୃତ୍ୟୁ ରଚନା  ।

ନେମାଳ ଥାନା ଲେଣ୍ଡୁରା ଭଗବାନପୁର ଗାଁର ଲୁଟ୍ ଉଦ୍ଦେଶ୍ୟରେ ହତ୍ୟା ଘଟଣା । ମର୍ଡର ପଛର ରହସ୍ୟ ଉନ୍ମୋଚନ କରିଛି ପୋଲିସ । କେବଳ ଟଙ୍କା ସୁନା ଲୋଭରେ ନିଜ ଆତ୍ମୀୟଙ୍କ ଜୀବନ ନେବାକୁ ପଛାଇଲାନି ନାତି ଓଁକାର । ପିଶାଚ ସାଜି ଜେଜେ ହୃଷିକେଶ ମୁଦୁଲି ଓ ଜେଜେମା କନକଲତା ମୁଦୁଲିଙ୍କୁ ଯୋଜନା ବଦ୍ଧ ମର୍ଡର ବ୍ଲୁ ପ୍ରିଣ୍ଟ୍  । ଶୋଇଥିବା ବେଳେ ଯୋଜନା ବଦ୍ଧ ଭାବେ ଚୋରି କରିବାକୁ ଆଲିମିରା ଖୋଲିଥିଲା । ହେଲେ ଜେଜେ ହୃଷୀକେଶ ବିରୋଧ କରିବାରୁ ଉତକ୍ଷୀପ୍ତ ହୋଇ କଟୁରିରେ ମରଣାନ୍ତକ ଆକ୍ରମଣ କରିଥିଲା ଅଭିଯୁକ୍ତ ନାତି । ପରେ ଜେଜେମା ବିରୋଧ କରିବାକୁ ତାଙ୍କୁ ମଧ୍ୟ କଟୁରୀରେ ଚୋଟ ପକାଇଥିଲା ଓଁକାର । ଘଟଣାସ୍ଥଳରେ ହୃଷୀକେଶଙ୍କ ମୃତ୍ୟୁ ହୋଇଥିବା ବେଳେ, ଦୁର୍ଘଟଣାର ରୂପ ଦେବାକୁ କମ୍ବଳରେ ନିଆଁ ଲଗାଇ ଦେଇଥିଲା ମାଷ୍ଟରମାଇଣ୍ଡ ନାତି ଓଁକାର ।

ପରେ ନିଜ ମୁଣ୍ଡରୁ ସନ୍ଦେହର ଆଖି ହଟାଇବାକୁ କାହାଣୀ ଗଢିଥିଲା ନାତି  ।   ଗାଁଲୋକ ଓ ପୋଲିସକୁ ଶୁଣାଇଥିଲା ମନଗଢ଼ା ମିଛ ଗପ  ।  ନିଜକୁ ଆଘାତ ଦେଇ କହିଥିଲା 4 ଦୁର୍ବୃତ୍ତ ଆସି ଲୁଟ୍ ସହ ଆକ୍ରମଣ କରିଥିବା କହିଥିଲା ଓଁକାର  । ଓଁକାରକୁ ଘରେ ଲକ୍ କରି ଜେଜେ ଓ ମାଆଙ୍କୁ ଆକ୍ରମଣ କରିଥିବା କହିଥିଲା ଅଭିଯୁକ୍ତ । ହେଲେ ଓଁକାରର ମିଛ ନାଟକ ପୋଲିସ ଆଗରେ ଧରା ପଡ଼ିଯାଇଛି । ପୋଲିସର ଚାଲାକି ଆଗରେ ହାର ମାନି ଯାଇଛି ଅଭିଯୁକ୍ତର ନାଟକ  ।  ଗିରଫ ହୋଇଛି ଅଭିଯୁକ୍ତ ନାତି ଓଁକାର । ସାମାନ୍ୟ ଅର୍ଥ ଲୋଭରେ ନିଜେ ସାଜିଥିଲା ରକ୍ତିମ ଅଧ୍ୟାୟର ଖଳନାୟକ  । ଯେଉଁ କୋଳରେ ବସି ଦିନେ ବଡ ହୋଇଥିଲା, ଯେଉଁ ଜେଜେର କାନ୍ଧରେ ବସି ହାଟକୁ ବୁଲି ଯାଉଥିଲା  । ସେଇ ଜେଜେର ଜୀବନ ନେବାକୁ ପଛାଇଲାନି  । ସେପଟେ କୋଳରେ ଧରି ନାତିର ପିଠିରେ ତେଲ ଘଷି ଦେଇଥିବା ଜେଜେମା ଆଜି ମୃତ୍ୟୁ ସହ ମେଡିକାଲରେ ଲଢୁଛି  ।

 

ହିମାଚଳର ମୁଖ୍ୟମନ୍ତ୍ରୀ ମୁକୁଟ ପିନ୍ଧିବେ ସୁଖବୀନ୍ଦର

ଶିମଲା: ବହୁ ବାଦ-ବିବାଦ ଏବଂ ମାନସମନ୍ଥନ ପରେ ପାହାଡୀ ହିମାଚଳର ମୁକୁଟ ପିନ୍ଧିବାକୁ ଯାଉଛନ୍ତି କଂଗ୍ରେସର ବରିଷ୍ଠ ନେତା  ସୁଖବୀନ୍ଦର ସିଂ ସୁଖୁ  । କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକରେ ହାଇକମାଣ୍ଡ ଦେଇଛନ୍ତି  ନିଷ୍ପତ୍ତି  । ହେବେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ହେବେ ସୁଖବୀନ୍ଦର ସିଂ ସୁଖୁ  ।  ମୁଖ୍ୟମନ୍ତ୍ରୀ ପଦ ନେଇ ଚାଲିଥିବା ବିବାଦରେ ପଡିଲା ଯବନୀକା  । ତୁଟିଲା କଂଗ୍ରେସର କନ୍ଦଳ  । କଂଗ୍ରେସ ବିଧାୟକ ଦଳ ବୈଠକ ଆରମ୍ଭ ହୋଇଛି  । ବୈଠକ ପରେ ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ହେବ ବଡ଼ ଘୋଷଣା  । କେତେଜଣ ମୁଖ୍ୟମନ୍ତ୍ରୀ ହେବେ, କେତେଜଣ କ୍ୟାବିନେଟରେ ସ୍ଥାନ ପାଇବେ ସେନେଇ ମଧ୍ୟ ଦଳୀୟ ହାଇ କମାଣ୍ଡ ନିଷ୍ପତ୍ତି ନେବେ ବୋଲି ସୂଚନା ରହିଛି  ।

ପାହାଡି ରାଜ୍ୟ ହିମାଚଳ ପାଇଲା ନୂଆ ମୁଖ୍ୟମନ୍ତ୍ରୀ । ଥମିଲା ବିବାଦ, ଏକଜୁଟ୍ ହେଲେ କଂଗ୍ରେସ ବିଧାୟକ । ସୁଖବିନ୍ଦର ସିଂ ସୁଖୁ ହେବେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ । ପ୍ରତିଭା ସିଂଙ୍କ ମୁଖ୍ୟମନ୍ତ୍ରୀ ରେସ୍‌ରୁ ଆଉଟ୍‌ । ଲୋକସଭା ସାଂସଦ ଯୋଗୁଁ ପ୍ରତିଭା ସିଂ ପଛରେ ପଡିଗଲେ । ସୁଖବିନ୍ଦର ସିଂହ ହିମାଚଳ କଂଗ୍ରେସର ଜଣେ ଟାଣୁଆ ନେତା । ଦଳ ପ୍ରତି ରହିଛି ନିଷ୍ଠା ଓ ରାଜନୀତିରେ ବିଚକ୍ଷଣ । ସମାଜସେବାରେ ରହିଛି ଆଗ୍ରହ । ଦୀର୍ଘ ୪୦ ବର୍ଷ ଧରି କଂଗ୍ରେସ ସହ ଜଡ଼ିତ ସୁଖବିନ୍ଦର ସିଂ ସୁଖୁ । ରାଜ୍ୟବାସୀଙ୍କ ଆଗରେ ତାଙ୍କର ସ୍ବତନ୍ତ୍ର ଇମେଜ ରହିଛି । ଖାସ ଏଇଥିପାଇଁ ଲଗାତାର ତୃତୀୟ ଥର ପାଇଁ ବିଧାୟକ ହୋଇଥିବା ସୁଖବିନ୍ଦର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ।

ଏମିତିରେ ଅଧାରୁ ଅଧିକ ବିଧାୟକ ସୁଖବିନ୍ଦର ସିଂଙ୍କ ସମର୍ଥନରେ ଥିବା ତାଙ୍କୁ ବିରୋଧ କରି ଦଳର ହାଇକମାଣ୍ଡ କୌଣସି ପ୍ରକାର ରିସ୍କ ନେବାକୁ ଚାହୁଁନଥିବା ସ୍ପଷ୍ଟ ହୋଇଛି ।
ନାଦାଉନରୁ ବିଧାୟକ ଅଛନ୍ତି ସୁଖବିନ୍ଦର । ପାଠ ପଢୁ ପଢୁ ରାଜନୀତି ଆରମ୍ଭ କରିଥିଲେ ସୁଖବିନ୍ଦର ସିଂ । ଆଇନରେ ଅଧ୍ୟୟନ ପରେ ଛାତ୍ର ରାଜନୀତିରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ୧୯୮୮ରୁ ୧୯୯୫ ପର୍ଯ୍ୟନ୍ତ ଏନଏସୟୁଆଇର ଅଧ୍ୟକ୍ଷ ମଧ୍ୟ ଥିଲେ । ଏଇଥିପାଇଁ ତୃଣମୂଳ ରାଜନୀତିରେ ସୁଖବିନ୍ଦରଙ୍କର ଦବାଦବା ରହିଛି । ରାଜନୀତିରେ ବଡ଼ ବଡ଼ ନେତାଙ୍କୁ ଟକ୍କର ଦେବା ଭଳି ସାହସ ରଖିଛନ୍ତି ସୁଖବିନ୍ଦର ।

କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିରଭଦ୍ର ସିଂଙ୍କୁ ମଧ୍ୟ ଅନେକ ଥର ବିରୋଧ କରି ସଫଳ ହୋଇଛନ୍ତି । ଯଦିଓ ଦଳୀୟ କନ୍ଦଳ ପଦାରେ ପଡିଛି ହେଲେ ସୁଖବିନ୍ଦରଙ୍କ ବିରୋଧରେ କୌଣସି ପଦକ୍ଷେପ ନେବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ପଛଘୁଁଚା ଦେଇଛନ୍ତି । ସୁଖବିନ୍ଦରଙ୍କ ନାଁ ଘୋଷଣା ପରେ ମୁଖ୍ୟମନ୍ତ୍ରୀ ଆଶାୟୀ ଥିବା ଲୋକସଭା ସାଂସଦ ପ୍ରତିଭା ସିଂଙ୍କ ସମର୍ଥକ ମାନେ ବିରୋଧ ଆରମ୍ଭ କରିଦେଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ବିରଭଦ୍ର ସିଂ ଦେହାନ୍ତ ପରେ ତାଙ୍କ ପତ୍ନୀ ପ୍ରତିଭା ସିଂକୁ ଥରେ ସୁଯୋଗ ଦେବାକୁ ସମର୍ଥକ ମାନେ ଅପିଲ କରିଛନ୍ତି । ଶୁକ୍ରବାର ବିଧାୟକ ଦଳ ବୈଠକରେ ମଧ୍ୟ ସେମାନେ ବିରୋଧ କରିଥିଲେ ।

 

ଗଣମାଧ୍ୟମ ଲୋକଙ୍କ ସମସ୍ୟା ସମ୍ବଳିତ ଖବରରେ ମାତୁ: ନବୀନ

ଭୁବନେଶ୍ବର: ପ୍ରମେୟ, ନ୍ୟୁଜ୍ ୭ ଓ ପ୍ରମେୟ ଡିଜିଟାଲ ଓ୍ବିଙ୍ଗର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି, ପ୍ରମେୟ, ନ୍ୟୁଜ୍ ୭ ଓଡ଼ିଶାର ଏକ ଅଗ୍ରଣୀ ମିଡିଆ ହାଉସ୍ ଭାବରେ ଦାୟିତ୍ଵର ସହ ତାର ଭୂମିକା ନିର୍ବାହ କରିଚାଲିଛି । ସମାଜର ବିଭିନ୍ନ ବର୍ଗର ଲୋକଙ୍କ ଖବର, ବିଭିନ୍ନ ଅଞ୍ଚଳର ଖବର ଲୋକଲୋଚନକୁ ଆଣି ଲୋକଙ୍କ ବିଶ୍ୱାସ ହାସଲ କରିପାରିଛି ।

ବାର୍ଷିକ ଉତ୍ସବ ଅବସରରେ ପ୍ରମେୟ ପରିବାର କୁ ଅଭିନନ୍ଦନ । ମୁଖ୍ୟମନ୍ତ୍ରୀ କହିଲେ ସାଂପ୍ରତିକ ସମୟରେ ଗଣମାଧ୍ୟମ ସବୁଠି ନିଜର ସ୍ଥିତି ଜାହିର କରିପାରିଛି । ଗଣମାଧ୍ୟମ ନିଷ୍ଠାର ସହ ସତ୍ୟର ଅନୁସନ୍ଧାନ କରି ଖବର ପରିବେଷଣ କଲେ ତାହା ଗାଣତାନ୍ତ୍ରିକ ମୂଲ୍ୟବୋଧକୁ ବଜାୟ ରଖିବା ସହ ଆମ ଗଣତନ୍ତ୍ରକୁ ସଠିକ ଦିଗ ଦେଖାଇପାରିବ । ପ୍ରତ୍ୟେକ ଦାୟିତ୍ବ ସଂପନ୍ନ ଗଣମାଧ୍ୟମ ଲୋକଙ୍କ ସମସ୍ୟା ସମ୍ବଳିତ ଖବରକୁ ଲୋକଲୋଚନକୁ ଆଣିବା ଜରୁରୀ ।

ନବୀନ କହିଲେ, ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ରୂପାନ୍ତରଣ ଆଣିବା ସହ ଏବେ ବିକାଶର ରାସ୍ତାରେ । ଆମ ରାଜ୍ୟରେ ସାମାଜିକ ସୁରକ୍ଷା ବହୁ ଆଗରେ ଥିଲା ବେଳେ ଏବେ ଆମେ ଅର୍ଥନୀତିରେ ମଧ୍ୟ ବେଶ ଆଗକୁ ଯାଇଛୁ । ନିକଟରେ ଅନୁଷ୍ଠିତ ମେକ ଇନ ଓଡ଼ିଶାରେ ରାଜ୍ୟକୁ ସାଢ଼େ ୧୦ ଲକ୍ଷର ନିବେଶ ପ୍ରସ୍ତାବ ମିଳିଛି । ଏହା ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ପ୍ରସ୍ତାବିତ ଏ ନିବେଶକୁ ବାସ୍ତବ ରୂପ ଦେବାକୁ ଗଣମାଧ୍ୟର ସହଯୋଗ ଜରୁରୀ । ଆସନ୍ତୁ ଆମେ ହାତରେ ହାତ ମିଳାଇ ଏକ ସଶକ୍ତ,ସୁଖୀ ବିକଶିତ ଓଡ଼ିଶା ଗଠନ କରିବା ବୋଲି ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ ।

ଏ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟସଭା ଉପାଧ୍ୟକ୍ଷ ଡା.ହରିବଂଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ବିଶିଷ୍ଟ ସାମ୍ବାଦିକ ଓ ଚଳଚ୍ଚିତ୍ର ନିର୍ମାତା ପ୍ରୀତିଶ ନନ୍ଦୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ପ୍ରମେୟ, ନ୍ୟୁଜ୍ ୭ ଗ୍ରୁପ୍ ଏଡିଟର ଗୋପାଳକୃଷ୍ଣ ମହାପାତ୍ର ସ୍ବାଗତ ଭାଷଣ ଦେଇଥିଲା ବେଳେ ସୁମା ରିଅଲ ମିଡିଆର ନିର୍ଦ୍ଦେଶିକା ଶାସ୍ବତୀ ଦାସ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଓଡ଼ିଆ ଫିଲ୍ମ ‘ଦମନ’, ‘ପ୍ରତୀକ୍ଷା’ ସହ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ବାଂଲାଦେଶ ବିପକ୍ଷ ଶେଷ ଦିନିକିଆରେ ଇଶାନ କିଶାନଙ୍କ ଦମଦାର ଦ୍ୱିଶତକ, ଚତୁର୍ଥ ଭାରତୀୟ ଭାବେ ହାସଲ କଲେ ଏହି ସଫଳତା

ଚିତ୍ତୋଗ୍ରାମ: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଆଜି ତୃତୀୟ ତଥା ଶେଷ ଦିନିକିଆ ମ୍ୟାଚ୍ ଖେଳାଯାଉଛି । ପ୍ରଥମେ ଟସ୍ ଜିତି ବାଂଲାଦେଶ ବୋଲିଂ କରୁଛି । ସେହିପରି ଆହ୍ୱାନକ୍ରମେ ବ୍ୟାଟିଂ କରୁଛି ଭାରତ । ଇଶାନ କିଶାନ ଆଜିର ମ୍ୟାଚରେ ଇତିହାସ ରଚିଛନ୍ତି । କ୍ୟାରିଅରର ପ୍ରଥମ ଦ୍ୱିଶତକ ହାସଲ କରିଛନ୍ତି ଇଶାନ । ବାଂଲାଦେଶ ବିପକ୍ଷ ଏହି ମ୍ୟାଚରେ ଦ୍ୱିଶତକ ମାରିଛନ୍ତି ଇଶାନ । ୧୨୬ଟି ବଲରେ ୨୩ ଚୌକା ଏବଂ ୯ ଛକା ବଳରେ ଇଶାନ ଏହି ସଫଳତା ହାସଲ କରିଛନ୍ତି ।

ଶତକ ମାରିବାର କିଛି ସମୟ ପରେ ଇଶାନ କ୍ୟାଚ ଆଉଟ୍ ହୋଇ ପାଭେଲିଅନ ଫେରିଯାଇଛନ୍ତି । ୧୩୧ଟି ବଲରେ ୨୧୦ ରନ୍ କରି ଆଉଟ୍ ହୋଇଛନ୍ତି ଇଶାନ । ଇଶାନ କିଶାନ ଦ୍ୱିଶତକ ମାରିବାରେ ଚତୁର୍ଥ ଭାରତୀୟ ବ୍ୟାଟ୍ସମ୍ୟାନ ଅଟନ୍ତି । ଏହା ପୂର୍ବରୁ ରୋହିତ ଶର୍ମା ୩ଟି ଦିଶ୍ୱତକ, ସଚିନ ତେନ୍ଦୁଲକର ଏବଂ ବୀରେନ୍ଦ୍ର ସେହବାଗ ଗୋଟିଏ ଲେଖାଏଁ ଦ୍ୱିଶତକ ମାରିଛନ୍ତି । ଆଜିର ମ୍ୟାଚରେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଭାବେ ଇଶାନ କିଶାନ ଓ ଶିଖର ଧୱନ କ୍ରିଜକୁ ଓହ୍ଲାଇଥିଲେ । ଦଳୀୟ ସ୍କୋର ୧୫ ଥିବା ବେଳେ ମାତ୍ର ୩ ରନ୍ କରି ଆଉଟ୍ ହୋଇଯାଇଥିଲେ ଧୱନ ।

ଏହାପରେ ବିରାଟ କୋହଲି ଏବଂ ଇଶାନଙ୍କ ମଧ୍ୟରେ ଭଲ ପାର୍ଟନରସିପ୍ ଦେଖିବାକୁ ମିଳିଥିଲା । ଗୋଟିଏ ପଟେ ଇଶାନ ଧୂଆଁଧାର ବ୍ୟାଟିଂ କରୁଥିବା ବେଳେ ଅନ୍ୟପଟେ ବିରାଟ ତାଙ୍କୁ ସାଥ୍ ଦେଉଥିଲେ । ଇଶାନ ଆଉଟ୍ ହେବା ପରେ ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଶ୍ରେୟସ ଆୟର ମାତ୍ର ୩ ରନ୍ କରି ଆଉଟ୍ ହୋଇଯାଇଛନ୍ତି । ଅନ୍ୟପକ୍ଷରେ ରନ୍ ମେସିନ ଭାବେ ଜଣାଯାଉଥିବା ବିରାଟ କୋହଲି ମଧ୍ୟ ଶତକ ଲଗାଇଛନ୍ତି ।

ଏହି ଶତକ ସହ ତାଙ୍କର ୭୨ଟି ଅନ୍ୟର୍ଜାତୀୟ ଶତକ ପୂରଣ ହୋଇଛି । ସେହିପରି ୪୪ ଦିନିକିଆ ଶତକ ପୂରା କରିଛନ୍ତି । ଏହି ଶତକ ସହ ବିରାଟ ଅନେକ ରେକର୍ଡ ଭାଙ୍ଗିଛନ୍ତି । ସବୁଠୁ ଅଧିକ ଅନ୍ତର୍ଜାତୀୟ ଶତକ ମାମଲାରେ ରିକି ପଏଣ୍ଟିଂଙ୍କୁ ପଛରେ ପକାଇ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି କୋହଲି । ରିକି ପଏଣ୍ଟିଂ ୭୧ ଶତକ ସହ ଦ୍ୱିତୀୟ ସ୍ଥାନରେ ଥିଲେ । ୧୦୦ ଶତକ ସହ ସଚିନ ତେନ୍ଦୁଲକର ପ୍ରଥମ ସ୍ଥାନରେ ରହିଛନ୍ତି । ଏବେ ୭୨ ଶତକ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି କୋହଲି ।

ଦ୍ୱିତୀୟ ଥର ପାଇଁ ବିଧାୟକ ଦଳ ନେତା ଭାବେ ଭୁପେନ୍ଦ୍ର ପଟେଲ ମନୋନୀତ

ଅହମ୍ମଦାବାଦ: ଭୁପେନ୍ଦ୍ର ପଟେଲ ଦ୍ୱିତୀୟଥର ପାଇଁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ହେବେ । ନବନିର୍ବାଚିତ ବିଧାୟକ ଦଳ ବୈଠକରେ ଭୁପେନ୍ଦ୍ରଙ୍କୁ ସର୍ବସମ୍ମତିକ୍ରମେ ବିଧାୟକ ଦଳ ନେତା ଭାବେ ମନୋନୀତ କରାଯାଇଛି । ଗୁଜୁରାଟରେ ବିଜେପି ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ପ୍ରଚଣ୍ଡ ବହୁତମତରେ ବିଜୟ ହାସଲ କରିଥିଲା । ଦଳ ୧୮୨ ସଦସୀୟ ବିଧାନସଭାରେ ୧୫୬ ଆସନ ହାସଲ କରି ଐତିହାସିକ ବିଜୟ ରେକର୍ଡ କରିଛି ।

ବିଜେପିର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବରେ ବରିଷ୍ଠ ନେତା ରାଜନାଥ ସିଂହ, ବିଏସ୍ ୟେଦିୟୁରପ୍ପା ଏବଂ ଅର୍ଜୁନ ମୁଣ୍ଡା ଆଜିର ବୈଠକର ନେତୃତ୍ୱ ନେଇଥିଲେ । ବିଜେପି ଘୋଷଣା କରିଛି ଯେ ନୂଆ ସରକାରର ଶପଥଗ୍ରହଣ ଉତ୍ସବ ୧୨ ଡିସେମ୍ବରରେ ହେବ । ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ଉପସ୍ଥିତ ରହିବେ । ସୋମବାର ଶପଥଗ୍ରହଣ ସମାରୋହ ଗାନ୍ଧିନଗରର ହେଲିପ୍ୟାଡ ଗ୍ରାଉଣ୍ଡରେ ହେବ ।

ଆଗାମୀ ସାଧାରଣ ନିର୍ବାଚନରେ ୧୨୫ ଆସନ ଜିତିବ ବିଜେଡି: ସୁଶାନ୍ତ ସିଂ

ଭୁବନେଶ୍ୱର: ୨୦୨୪ରେ ବିଜେଡିର ମିଶନ ୧୨୫ । ୨୦୨୪ ସାଧାରଣ ନିର୍ବାଚନରେ ବିଧାନସଭାର ୧୪୭ ଆସନରୁ ୧୨୫ ଆସନରେ ବିଜେଡି ଜିତିବ । ପଶ୍ଚିମ ଓଡ଼ିଶାର ୩୬ ଆସନରୁ ୩୦ରୁ ଅଧିକ ଆସନରେ ବିଜେଡି ଜିତିବ ବୋଲି ବିଧାୟକ ସୁଶାନ୍ତ ସିଂ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ପଦମପୁର ଉପନିର୍ବାଚନରୁ ଏହି ସଂକେତ ମିଳିଛି । ୨୦୨୪ରେ ପୁଣି ପଶ୍ଚିମ ଓଡିଶାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ଲଢ଼ିବା ପାଇଁ ଅନୁରୋଧ କରାଯିବ ।

ଆସନ୍ତା ଜାନୁୟାରୀ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦମପୁର ଯାଇପାରନ୍ତି । ବିଧାୟକ ସୁଶାନ୍ତ ସିଂହ ଏହି ସୂଚନା ଦେଇଛନ୍ତି । ସେ ଆଗକୁ କହିଛନ୍ତି ୨୦୧୯ରେ ଯେଉଁ ଆସନରେ ବିଜେଡି ପରାଜିତ ହୋଇଥିଲା ତାର ତର୍ଜମା କରାଯାଇଛି । ସେ ଆସନ ଗୁଡିକୁ କିପରି ପୁଣି ଜିତି ପାରିବୁ ସେନେଇ ରଣନୀତି ପ୍ରସ୍ତୁତ ହୋଇଛି । ନବୀନ ସରକାର ବିକାଶ କାର୍ଯ୍ୟ ଜାରି ରଖିଛନ୍ତି । ଲୋକଙ୍କ ଭରସା ମଧ୍ୟ ରହିଛି । ଆଗାମୀ ନିର୍ବାଚନରେ ଆମେ ବିପୁଳ ମାତ୍ରାରେ ବିଜୟୀ ହେବୁ ।

ତାଙ୍କୁ ଗାଇଡ୍ କରିବାର ଆବଶ୍ୟକତା ପଡ଼ିବନି, ସେ ଭଲ ବିଧାୟିକା ହେବେ: ରମାରଞ୍ଜନ

ଭୁବନେଶ୍ୱର: ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭଲ ପାଏ । ବର୍ଷା ସିଂ ବରିହାଙ୍କୁ ବିପୁଳ ମାତ୍ରାରେ ପଦମପୁରବାସୀ ଭୋଟ୍‌ ଦେଇଛନ୍ତି । ନିଷ୍ଠାର ସହ ସେମାନଙ୍କ ସେବା କରିବା ପାଇଁ ବର୍ଷାଙ୍କୁ ପରାମର୍ଶ ଦେବି ବୋଲି ବର୍ଷାଙ୍କ ଶ୍ବଶୁର ରମାରଞ୍ଜନ ବଳିୟାରସିଂ କହିଛନ୍ତି । ସେ ଜଣେ ଭଲ ବିଧାୟିକା ହେବେ । ମୁଁ କହିବି ଯେ ବର୍ଷା ବର୍ଷର 5 ଦିନ ଆମ ଘରେ ରହନ୍ତୁ, ବାକି 360 ଦିନ ପଦ୍ମପୁରରେ ରହି ଲୋକଙ୍କ ସେବା କରନ୍ତୁ । ସେ ଭୁବନେଶ୍ବର ଆସିଲେ ଆମ ଘରେ ହିଁ ରହିବେ ।

ଯଦି ଲୋକଙ୍କ ଭିଡ଼ ହୁଏ, ତେବେ ସେମାନଙ୍କୁ ସେ ସରକାରୀ କ୍ୱାର୍ଟର୍ସରେ ସାକ୍ଷାତ କରିବେ । ବର୍ଷା ମୋ ଝିଅ, ସେ ଉଚ୍ଚଶିକ୍ଷିତା ଓ ଭଲ ବିଧାୟିକା ହେବାର ସବୁ ଗୁଣ ଅଛି । ତାଙ୍କୁ ମୋ ଗାଇଡାନସର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି । ବର୍ଷା ମୋ ଝିଅ, ମୁଁ ଆଜି ବି କହୁଛି ଯେ ରାଜନୀତିରେ ବ୍ୟକ୍ତିଗତ ଆକ୍ଷେପର ସ୍ଥାନ ନାହିଁ । ଯଦି ମତେ କେହି ଅଲୋଡ଼ା କରିବେ, ତେବେ ତା’ର ପରିଣାମ ସେମାନଙ୍କୁ ଭୋଗିବାକୁ ପଡ଼ିବ ବୋଲି ରମାରଞ୍ଜନ ବଳିୟାରସିଂ କହିଛନ୍ତି ।