ଆପର ଶେଲୀ ଓବରୟ ଜିତିଲେ ଦିଲ୍ଲୀ ମେୟର ନିର୍ବାଚନ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ଶେଲୀ ଓବରୟ ବନିଲେ ଦିଲ୍ଲୀର ନୂଆ ମେୟର। ଏହି ନିର୍ବାଚନରେ ଶେଲୀଙ୍କୁ ୧୫୦ ଓ ବିଜେପି ପ୍ରାର୍ଥୀଙ୍କୁ ୧୧୬ ଭୋଟ୍ ମିଳିଛି ।

ମେୟର ନିର୍ବାଚନ ଜିତିବା ପରେ  ଶେଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍, ଡେପୁଟି ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ସମେତ ସୁପ୍ରିମକୋର୍ଟର ଚିଫ୍ ଜଷ୍ଟିସଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, କାଲିଠୁ ଆମେ କାମ ଆରମ୍ଭ କରିବୁ । ଖାସକରି ଅଳିଆ ଆବର୍ଜନା ଉପରେ ଅଧିକ ଗୁରୁତ୍ୱ ଦେବୁ ।

ମତଦାନ କରିଥିଲେ ୨୬୬ ସାଂସଦ, ବିଧାୟକ ଓ କାଉନସିଲର। ଫଳରେ ଏମସିଡିରେ ବିଜେପିର ୧୫ବର୍ଷର ରାଜତ୍ବର ଅବସାନ ଘଟିଛି । ଦିଲ୍ଲୀ ଇଷ୍ଟ ପଟେଲ ନଗରରୁ ପ୍ରଥମ ଥର ଲାଗି କାଉନସିଲର ହୋଇଥିବା ଶେଲୀ ହୋଇଛନ୍ତି ମେୟର । ଆଜିର ନିର୍ବାଚନରେ ପ୍ରଥମେ ଭୋଟ ଦେଇଥିଲେ ଦିଲ୍ଲୀ ସାଂସଦ ।

ନିର୍ବାଚନ ଲାଗି ଏମସିଡି ଭବନ ଆଗରେ କରାଯାଇଥିଲା କଡା ସୁରକ୍ଷା ବ୍ୟବସ୍ଥା । ଲେଫ୍ଟନାଣ୍ଟ ଜେନେରାଲ ଭି.କେ. ସକ୍ସେନାଙ୍କ ମନମୁଖିତା କାରଣରୁ ୩ ଥର ସ୍ଥଗିତ ହୋଇଥିଲା ଭୋଟିଂ। ଏଲଜିଙ୍କ ଏକଛତ୍ରବାଦୀ ନୀତି ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ଶେଲୀ । ଶେଷରେ ୧୦ ମନୋନୀତ କାଉନସିଲର ଭୋଟ ଦେଇପାରିବେ ନାହିଁ ବୋଲି ସିଜେଆଇ ଡି.ଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ କହିବା ସହ ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।